ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ୱୟ ବୈଠକ
Advertisement
Article Detail0/zeeodisha/odisha2299629

ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ୱୟ ବୈଠକ

ମାଳତୀପାଟପୁର ଓ ତାଳବଣିଆରେ ଅସ୍ଥାୟୀ ବିଶ୍ରାମାଗାର, ଆଲୋକିକରଣ, ଖାଦ୍ୟ ଓ ପାନୀୟ ବ୍ୟବସ୍ଥା କରିବାକୁ ଗୁରୁତ୍ୱ ଦିଆଯାଇଛି ।

ରଥଯାତ୍ରାରେ ଶୃଙ୍ଖଳିତ ପରିବହନ ସେବା ପାଇଁ ସମନ୍ୱୟ ବୈଠକ

ଭୁବନେଶ୍ୱର: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ, ପୁରୀ, କଟକ ଓ ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଏବଂ ବସ୍ ମାଲିକ ସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏତେ ସଂଖ୍ୟକ ଶ୍ରଦ୍ଧାଳୁ ଯେପରି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସର୍ବସମ୍ମତିକ୍ରମେ ଗୁରରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗୁଡିକ ଗ୍ରହଣ କରାଯାଇଛି । 

ପ୍ରତିବର୍ଷ ଭଳି ଚଳିତ ଥର ମଧ୍ୟ ରଥଯାତ୍ରା, ବାହୁଡା ଯାତ୍ରା ଓ ସୁନାବେଶ ନିମନ୍ତେ ଅନ୍ୟରୁଟ୍ ଗାଡି ଗୁଡିକୁ ପୁରୀ ନିମନ୍ତେ ସ୍ୱତନ୍ତ୍ର ପରମିଟ୍ ପ୍ରଦାନ କରାଯିବ । ଆଗ୍ରହୀ ବସ୍ ମାଲିକମାନେ ଏଥିନିମନ୍ତେ ଆବେଦନ କରିବେ ଏବଂ ଏସଟିଏ ମୁଖ୍ୟାଳୟରେ ସିଙ୍ଗଲ ଓ୍ୱିଣ୍ଡୋ ବ୍ୟବସ୍ଥାରେ ଏହାକୁ ଅନୁମୋଦନ ମିଳିବ । ବିଶେଷ କରି କଟକ- ଭୁବନେଶ୍ୱରରୁ ଅଧିକ ସଂଖ୍ୟକ ବସ୍ ପୁରୀକୁ ଚଳାଚଳ କରିବା ଉପରେ ଗୁରୁତ୍ୱ ଦିଆଯିବ । ସେହିଭଳି ନିର୍ଦ୍ଧାରିତ ବସ୍ ଭଡାଠାର କୌଣସି ବସ୍ ଯାତ୍ରୀଙ୍କଠାରୁ ଅଧିକ ଭଡା ଦାବି କରିବା ଅଭିଯୋଗ ଯେଭଳି ନଆସେ ସେ ଦିଗରେ ବସ ମାଲିକ ସଙ୍ଘ ଧ୍ୟାନ ଦେବାକୁ ପରିବହନ ଆୟୁକ୍ତ ପକ୍ଷରୁ କୁହାଯାଇଛି  ।
ଅଧିକ ଭଡା ଆଦାୟ କଲେ ଆଇନ ଅନୁଯାୟୀ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କେବଳ ବସ୍ ନୁହେଁ, ମାଳତୀପାଟପୁର କିମ୍ୱା ତାଳବଣିଆରୁ ବଡଦାଡକୁ ଯାଉଥିବା ଅଟୋ କିମ୍ୱା ଅନ୍ୟାନ୍ୟ ଗାଡି ଯେପରି ମନଇଚ୍ଛା ଭଡା ଦାବି ନକରିବେ ସେ ଦିଗରେ ପୁରୀ ପୋଲିସ ଓ ପୁରୀ ଆରଟିଓକୁ ବିଶେଷ ଧ୍ୟାନ ଦେବାକୁ ନିଷ୍ପତ୍ତି ହୋଇଛି । ବସ୍ ରହଣି ସ୍ଥାନରେ ଅସ୍ଥାୟୀ ବିଶ୍ରାମାଗାର ସହ ପ୍ରଶାସନ ତରଫରୁ ଖାଦ୍ୟ, ପାନୀୟ ବଣ୍ଟନର ବ୍ୟବସ୍ଥା କରାଯିବ । ରାସ୍ତାଘାଟ ଆଲୋକୀକରଣକୁ ସୁନିଶ୍ଚିତ କରାଯିବ। 

ବସ ଗୁଡିକରେ ଫାଷିଟଏଡ୍ କିଟ୍ ଓ ପର୍ଯ୍ୟାପ୍ତ ପରିମାଣର ଓଆରଏସ ମହଜୁଦ ରହିବ ଓ ତାହା ଏସଟିଏ ପକ୍ଷରୁ ଯୋଗାଇ ଦିଆଯିବ । ଏଥିସହ ରଥଯାତ୍ରା ସମୟରେ ସ୍ପେଶାଲ ପରମିଟ୍ ପାଇଥିବା ବସ ଗୁଡିକୁ ଟୋଲଗେଟରେ ଫି ଛାଡ ନେଇ ବସ ମାଲିକମାନଙ୍କ ଦୀର୍ଘଦିନର ଏକ ଦାବିକୁ ମଧ୍ୟ ଆଜି ଏସଟିଏ ଗ୍ରହଣ କରିଛି । ଏ ସଂକ୍ରାନ୍ତରେ ବୈଠକରେ ଉପସ୍ଥିତ ଏନଏଚଆଇ କର୍ତ୍ତୁପକ୍ଷଙ୍କୁ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି ।

ବସ୍ ଷ୍ଟପ୍ ଗୁଡିକରେ ଯାତ୍ରୀମାନଙ୍କୁ ଯେଉଁଭଳି କେହି ହଇରାଣ ନକରେ ସେ ଦିଗରେ ପାଲିସର ସହାୟତା ଲାଡାଯାଇଛି। ଅସାମାଜିକମାନଙ୍କ ଉପରେ କଡା ନଜର ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସ୍ୱତନ୍ତ୍ର ଟିମ୍ ଗଠନ କରି ଯାତ୍ରୀଙ୍କ ସୁବିଧାକୁ ପୁରୀ, ଭୁବନେଶ୍ୱର, କଟକ ସମେତ ଅନ୍ୟାନ୍ୟ ସହରର ବସଷ୍ଟାଣ୍ଡର ତଦାରଖ କରାଯିବ । ଏହା ସହ ପୁରୀର ତାଳବଣିଆରେ ସିସିଟିଭି ମଧ୍ୟ ଲାଗିବ । ରାଜ୍ୟ ବାହାର ଯାତ୍ରୀବାହୀ ଗାଡିଗୁଡିକ ମାଳତୀପାଟପୁରରେ ରହିବେ। ଯାତ୍ରୀ ଓ ଯାତ୍ରୀବାହୀ ଗାଡିମାନଙ୍କ ସୁବିଧା ନିମନ୍ତେ ରଥଯାତ୍ରା ସମୟରେ ପୁରୀରେ RTOଙ୍କ ପକ୍ଷର ୨୪୪ ଘଣ୍ଟିଆ କଣ୍ଟ୍ରୋଲରୁମ ଖୋଲାଯିବ । ଏହାସହ ଗାଡି ମରାମତି ନିମନ୍ତେ ବିଭିନ୍ନ କମ୍ପାନୀଙ୍କ ସହଯୋଗ, କ୍ରେନ୍ ଓ ଆମ୍ୱୁଲାନ୍ସ ସୁବିଧା ମଧ୍ୟ କରାଯିବ । ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଧ୍ୟାନ ଦିଆଯିବ । ଜାତୀୟ ରାଜ୍ୟଥରେ ଗହଳି ଆଶଙ୍କା ଥିବା ସ୍ଥାନ ବିଶେଷକରି ପଳାଶୁଣି, ହଂସପାଳ ଭଳି ପଏଣ୍ଟ ଗୁଡିକରେ ସ୍ୱତନ୍ତ୍ର ଟିମ୍ ଦାୟିତ୍ୱରେ ରହିବେ । ସମସ୍ତ ବିଭାଗ, ଗାଡି ମାଲିକ ଓ କର୍ମଚାରୀଙ୍କ ସହଯୋଗରେ ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି ପରିବହନ ଆୟୁକ୍ତ । ଏହାସହ ରଥଯାତ୍ରା ସମୟରେ ବେପରୁଆ ଗାଡି ଚାଳନାକୁ ରୋକିବାକୁ ଭୁବନେଶ୍ୱରରୁ ପୁରୀ ମଧ୍ୟରେ ଇଣ୍ଟଲିଜେଣ୍ଟ ଏନଫୋର୍ସ ସିଷ୍ଟମ କାର୍ଯ୍ୟକାରୀ ହେବ । ସମନ୍ୱୟ ବୈଠକକୁ ଅତିରିକ୍ତ ପରିବହନ କମିଶନର ଲାଲମୋହନ ସେଠୀ ପରିଚାଳନା କରିଥିବାବେଳେ ଯୁଗ୍ମ ପରିବହନ କମିଶନର ପ୍ରଦୀପ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

Also Read- Lucky Zodiac Sign: ୨୦ ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- ନବୀନ ହେବେ ବିରୋଧୀ ଦଳ ନେତା, ପ୍ରସନ୍ନଙ୍କୁ ଉପନେତା ଦାୟିତ୍ୱ