Ama Odisha Ama Nabin: ତୃତୀୟ ଦିନରେ ପହଞ୍ଚିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଅଭିଯାନ
Advertisement
Article Detail0/zeeodisha/odisha1919805

Ama Odisha Ama Nabin: ତୃତୀୟ ଦିନରେ ପହଞ୍ଚିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଅଭିଯାନ

Ama Odisha Ama Nabin Scheme: ତୃତୀୟ ଦିନରେ ପହଞ୍ଚିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଅଭିଯାନ। ରାଜ୍ୟର ୩ ଜିଲ୍ଲାର ୨୩ ବିକାଶମୂଳକ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୨୬୩ କୋଟି ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। 

Ama Odisha Ama Nabin: ତୃତୀୟ ଦିନରେ ପହଞ୍ଚିଲା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଅଭିଯାନ

Ama Odisha Ama Nabin Campaingn: ରାଜ୍ୟ ସରକାରଙ୍କର ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ ସହ ପ୍ରତ୍ୟେକ ଗ୍ରାମ। ମଙ୍ଗଳବାର ରାଜଧାନୀ ଭୁବନେଶ୍ବର ଠାରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମର ତୃତୀୟ ଦିନରେ ମୟୂରଭଞ୍ଜ, ବରଗଡ଼, ଦେବଗଡ଼ ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। 

ଏହି ଯୋଜନା ଅଧିନରେ ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା। ଏନେଇ ମୟୂରଭଞ୍ଜ ଜିଲ୍ଲାର ୫ ନିର୍ବାଚନମଣ୍ଡଳୀକୁ ମିଳିଛି ୧୧୧ କୋଟି ୫୦ ଲକ୍ଷ ଟଙ୍କା। ଏହି ନିର୍ବାଚନମଣ୍ଡଳୀ ହେଉଛି ବଡ଼ସାହି, ବାଙ୍ଗିରୀପୋଷି, ବାରିପଦା, ମୋରଡା ଏବଂ ଉଦଳା। ଏହି ସବୁ ନିର୍ବାଚନମଣ୍ଡଳୀର ୨୨୩ ଗ୍ରାମ ପଞ୍ଚାୟତରେ ୩୦୮୧ ପ୍ରକଳ୍ପ କାର୍ଯ୍ୟକାରୀ ହେବ। ସେହିପରି ବରଗଡ଼ ଜିଲ୍ଲାର ୫ ନିର୍ବାଚନମଣ୍ଡଳୀ ପାଇଁ ୧୨୬ କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଏହି ସବୁ ନିର୍ବାଚନମଣ୍ଡଳୀ ହେଉଛି ଅତାବିରା, ବିଜେପୁର, ବରଗଡ଼, ପଦମପୁର ଏବଂ ଭଟଲି। ଯେଉଁଥିରେ ୨୫୩ ଗ୍ରାମପଞ୍ଚାୟତରେ ୩୧୩୫ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ସେହିପରି ଦେବଗଡ଼ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀ ପାଇଁ ୩୫ କୋଟି ଟଙ୍କା ଅନୁମୋଦନ କରାଯାଇଛି। ଯେଉଁଥିରେ ୭୦ ଗ୍ରାମପଞ୍ଚାୟତରେ ୯୯୧ ପ୍ରକଳ୍ପ କାର୍ଯ୍ୟକାରୀ ହେବ।

ଏହି କାର୍ଯ୍ୟକ୍ରମରେ ପ୍ରତି ଗ୍ରାମରେ ଜଗନ୍ନାଥ ସଂସ୍କୃତିର ପ୍ରସାର, ପ୍ରତି ପୂଜାସ୍ଥଳୀର ବିକାଶ ଜରିଆରେ ଓଡି଼ଆ ସଂସ୍କୃତିର ମୂଳ ଭିତ୍ତିକୁ ସୁଦୃଢ କରାଯିବା ସହିତ ଡିଜିଟାଲ ଭିତ୍ତିଭୂମିର ମଧ୍ୟ ବିକାଶ କରାଯିବ। ଏକ ଆକାଂକ୍ଷୀ ଓଡିଶା ଗଠନ ପାଇଁ ଏହା ହେବ ମୂଳ ଭିତ୍ତି। ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ଲାଗି ନୂଆ ଓଡିଶା ତାହାର ଡେଣାକୁ ଆହୁରି ପ୍ରସାରିତ କରି ଶିଖରରେ ପହଞ୍ଚିବ। 

ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ସବୁ ଗ୍ରାମର ବିକାଶ ଆମର ଲକ୍ଷ୍ୟ। ଗାଁ ଗଣ୍ଡାରେ ସଂସ୍କୃତିର ସୁରକ୍ଷା ହେବ ଏବଂ ଆଧୁନିକତାର ବିକାଶ ହେବ। ଗାଁ ଲୋକ ସମସ୍ତେ ଶିକ୍ଷା ଏବଂ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ବିକଶିତ ଗାଁ ହେବ ଆଧୁନିକ ଓଡ଼ିଶାର ପରିଚୟ। ଓଡ଼ିଶା ହେଉଛି ଜଗନ୍ନାଥଙ୍କ ଭୂମି। ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା, ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା। ଜାତି, ଧର୍ମ, ସମ୍ପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି। ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗଣ୍ଡାରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀର ସଂରକ୍ଷଣ କରାଯିବ। ଭବିଷ୍ୟତ ବଂଶଧରଙ୍କ ଲାଗି ଏସବୁ ସଂସ୍କୃତି ଏବଂ ଐତିହ୍ୟ ସ୍ଥଳର ସଂରକ୍ଷଣ ଏବଂ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। 

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାଁ ଗଣ୍ଡାରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ। ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ। ବିଜ୍ଞାନ ପାର୍କ ହେବ। ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା ହେବ। ୱାର୍କସ ହବ୍ ପ୍ରତିଷ୍ଠା ହେବ। ବ୍ୟାଙ୍କିଂ ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁ ଗଣ୍ଡାରେ ରହିଥିବା ପ୍ରାଥମିକ ବିଦ୍ୟାଳୟ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମାଆଙ୍କ ପାଇଁ, ଚାଷୀ ଭାଇ ଭଉଣୀଙ୍କ ପାଇଁ, ଛାତ୍ରଛାତ୍ରୀଙ୍କ ପାଇଁ ଅମାପ ସୁଯୋଗ ଆଣିବ, ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡ଼ିଶା ପରିଚୟକୁ ଆହୁରି ଉଜ୍ଜଳ କରିବ। ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଆଜିର କାର୍ଯ୍ୟକ୍ରମ ପାଇଁ ମୟୂରଭଞ୍ଜ ଜିଲ୍ଲାର ୫, ବରଗଡ ଜିଲ୍ଲାର ୫ ଏବଂ ଦେବଗଡ଼ ଜିଲ୍ଲାର ଗୋଟିଏ ନିର୍ବାଚନମଣ୍ଡଳୀରେ ଆୟୋଜିତ କାର୍ଯ୍ୟକ୍ରମରେ ବିପୁଳ ଜନସମାଗମ ହୋଇଥିଲା। ୫ଟି ସଚିବ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ରୀତା ସାହୁ, ସାଂସଦ ମମତା ମହନ୍ତ, ବିଧାୟକ ରାଜକିଶୋର ଦାସ, ବିଧାୟକ ସ୍ନେହାଙ୍ଗିନୀ ଛୁରିଆ, ବିଧାୟକ ଦେବେଶ ଆଚାର୍ଯ୍ୟ, ବିଧାୟକ ଶ୍ରୀମତୀ ବର୍ଷା ସିଂହ ବରିହା,  ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇ ଗାଁ ଗଣ୍ଡାରେ ବିକାଶର ନୂଆ ଯୁଗ ଆସିଛି ବୋଲି ମତପ୍ରକାଶ କରିଥିଲେ। ୫ଟି ସଚିବଙ୍କ ଗସ୍ତ ଯୋଗୁ ଜିଲ୍ଲାସ୍ତରରେ ବିକାଶ ତ୍ବରାନ୍ବିତ ହେବା ସହିତ ଅନେକ ଦିନରୁ ପଡି ରହିଥିବା ସମସ୍ୟା ଦୂର ହୋଇଛି ବୋଲି ସେମାନେ କହିଥିଲେ। 

ତାଙ୍କ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଅଞ୍ଚଳ ପାଇଁ ଯେଉଁ ଯେଉଁ ପ୍ରକଳ୍ପ ସବୁ ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି, ସେ ସମ୍ପର୍କରେ ୫ଟି ସଚିବ ଅବଗତ କରାଇଥଲେ। "ଆମ ଓଡିଶା, ନବୀନ ଓଡିଶା" କାର୍ଯ୍ୟକ୍ରମରେ ଲୋକଙ୍କ ପ୍ରସ୍ତାବିତ ପ୍ରକଳ୍ପ ଏବଂ ଏହାର ଆବଶ୍ୟକତାକୁ ଦେଖି ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି। ୫ଟି ସଚିବ 

ଶ୍ରୀ ପାଣ୍ଡିଆନ ସୂଚନା ଦେଇ କହିଥିଲେ ଯେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ସହିତ ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସବୁ ଜିଲ୍ଲା ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସହରର ରିଂଗ ରୋଡ ତଥା ବନ୍ୟା ନିୟନ୍ତ୍ରଣ ବନ୍ଧ ପାଇଁ ୧୫୪.୧୨ କୋଟି, ବାରିପଦା ଏମପିସି କଲେଜ ଉନ୍ନତିକରଣ ପାଇଁ ୧.୫୦ କୋଟି ଟଙ୍କା, ମାଣତ୍ରୀ ଠାରେ ବାବା କଖାରୁଆ ବୈଦନାଥ ଶିବ ମନ୍ଦିରର ଉନ୍ନତିକରଣ ପାଇଁ ୧ କୋଟି, ବାରିପଦାରୁ ପ୍ରତାପପୁର ବଡସାହି ଦେଇ ମାଣିତ୍ରୀ ପର୍ଯ୍ୟନ୍ତ ରାସ୍ତାର ଉନ୍ନତିକରଣ ପାଇଁ ୩୭.୦୪ କୋଟି, ବେତନଟୀ-ବଡସାହି ରାସ୍ତାର ଉନ୍ନତିକରଣ ପାଇଁ ୧୯.୪୪ କୋଟି, ଏପରି ଜିଲ୍ଲାର ୫ ପ୍ରକଳ୍ପ ପାଇଁ ୨୧୩.୧୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି ବୋଲି ୫ଟି ସଚିବ କହିଥିଲେ।

ସେହିପରି ବରଗଡ ଜିଲ୍ଲାରେ ତୁରୁଙ୍ଗା ବୈଷ୍ଣୋଦେବୀ ମନ୍ଦିର ପାଇଁ ୧.୩୬ କୋଟି, ବରଗଡ ମହିଳା କଲେଜ ପାଇଁ ୧.୨୫ କୋଟି, ବରଗଡ ପଞ୍ଚାୟତ କଲେଜ ପାଇଁ ୧.୨୫ କୋଟି, ସରଣ୍ଡା ବିଶେଷ୍ବର ମନ୍ଦିର ପାଇଁ ୨.୬୦ କୋଟି, ପପଙ୍ଗା ପାହାଡ ପର୍ଯ୍ୟଟନ କେନ୍ଦ୍ର ପାଇଁ ୧.୮୦ କୋଟି, ଅତାବିରା ରାମଚଣ୍ଡୀ ମନ୍ଦିର ପାଇଁ ୧.୪୦ କୋଟି, ଲରମ୍ଭା କଲେଜ ପାଇଁ ୧.୨୫ କୋଟି, ଏପରି ୭ ପ୍ରକଳ୍ପ ପାଇଁ ୧୦.୯୧ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ମଞ୍ଜୁର କରିଛନ୍ତି। 

ସେହିପରି ଦେବଗଡ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ବିକାଶମୂଳକ କାମ ସମ୍ପର୍କରେ ସୂଚନା ଦେଇ ୫ଟି ସଟିବ ଭିକେ ପାଣ୍ଡିଆନ କହିଲେ ଯେ ଗୋହିରା ଡ୍ୟାମ୍‌ର କେନାଲ ଲାଇନିଂ ପାଇଁ ୧୭.୬୮ କୋଟି, ତିଲେଇବଣି ହକି ଟ୍ରେନିଂ ସେଣ୍ଟରରେ ସିନ୍ଥେଟିକ ଟର୍ଫ ପାଇଁ ୧୨ କୋଟି ଟଙ୍କା, ଝାଡେଶ୍ବର ମନ୍ଦିରର ବିକାଶ ପାଇଁ ୩.୧୦ କୋଟି, ଦେବଗଡ ମଡେଲ ଡିଗ୍ରୀ କଲେଜ ପାଇଁ ୧.୨୫ କୋଟି, ଦେବଗଡ କଲେଜ ପାଇଁ ୧ କୋଟି, ପ୍ରଧାନପାଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୯୨ କୋଟି, କୁରୁଡକୋଟ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୫ କୋଟି, ଦେଓଝରଣ ଜଳପ୍ରପାତ ପର୍ଯ୍ୟଟନ ବିକାଶ ପାଇଁ ୦.୭୭ କୋଟି, ଗୋହିରା ନିକଟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ୦.୬୨ କୋଟି, ରିଆମାଳ ଯୋଗୀହୁଲି ପର୍ଯ୍ୟଟନ କ୍ଷେତ୍ର ପାଇଁ ୦.୬ କୋଟି ଏବଂ ରିଆମାଳ ଭିତରପଡା ଠାରେ ଡୋକ୍ରା କାରିଗରଙ୍କ ପାଇଁ Common Facility Centre ବିକାଶ ପାଇଁ ୦.୪୦ କୋଟି ଟଙ୍କା, ଏପରି ୧୧ ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ୩୯ କୋଟି ୯ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି। କାର୍ଯ୍ୟକ୍ରମରେ ୩ଟି ଜିଲ୍ଲାର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ ।