Odisha Environmental Activist Prafulla Samantara: ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପୋଲିସ୍ ଦ୍ୱାରା କଥିତ ରୂପରେ ଅପହରଣ ଘଟଣାର ତଦନ୍ତ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।
Trending Photos
Prafulla Samantara Abduction Case: ଦକ୍ଷିଣ ଓଡିଶାରେ ଜୀବନ ଜୀବିକା ଏବଂ ପ୍ରାକୃତିକ ପରିବେଶର ସୁରକ୍ଷା ପାଇଁ ଚାଲିଥିବା ଗଣତାନ୍ତ୍ରିକ ଜନ ଆନ୍ଦୋଳନ ଉପରେ ସରକାର ତଥା ପୋଲିସ ବାହିନୀର ଦମନଲୀଳା, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପୋଲିସ୍ ଦ୍ୱାରା କଥିତ ରୂପରେ ଅପହରଣ ଘଟଣାର ତଦନ୍ତ ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏହି ପ୍ରତିନିଧି ଦଳରେ ଲୋହିଆ ଏକାଡେମୀ ସମ୍ପାଦକ ଦେବରାୟ ମହାପାତ୍ର, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, ଉତ୍କଳ ଗାନ୍ଧୀ ସ୍ମାରକ ନିଧି ସମ୍ପାଦକ ଜୟନ୍ତ କୁମାର ଦାସ, ଇନସାଫ୍ ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ରାଷ୍ଟ୍ରୀୟ ଯୁବା ସଙ୍ଗଠନ ରାଷ୍ଟ୍ରୀୟ ସମିତି ସଦସ୍ୟ ମାନସ ପଟ୍ଟନାୟକ ପ୍ରମୁଖ ସାମିଲ୍ ହୋଇଥିଲେ।
ପ୍ରତିନିଧି ମଣ୍ଡଳୀ ପକ୍ଷରୁ ନରେନ୍ଦ୍ର ମହାନ୍ତି ରାଜ୍ୟପାଳଙ୍କୁ ସମଗ୍ର ଦକ୍ଷିଣ ଓଡିଶାରେ ଚାଲିଥିବା ଜନ ବିରୋଧି ବିକାଶ ନୀତି ତଥା ବିସ୍ଥାପନ ବିରୋଧି ଜନ ଆନ୍ଦୋଳନ ଉପରେ ପୋଲିସ୍ ତଥା ସରକାରଙ୍କ ଦମନଲୀଳା ସମ୍ପର୍କରେ ଅବଗତ କରାଇବା ସହିତ ସେମାନଙ୍କ ଗଣତାନ୍ତ୍ରିକ ଆନ୍ଦୋଳନ ପ୍ରତି ସଂହତି ଜଣାଇବା ପାଇଁ ଅଗଷ୍ଟ ୧୯ ତାରିଖରେ ରାୟଗଡ଼ା ଯାଇଥିବା ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାଙ୍କୁ କିପରି ସାଧା ପୋଷାକ ଧାରୀ ପୋଲିସ୍ ଅପହରଣ କରିଥିଲା, ସେ ସମ୍ପର୍କରେ ସୂଚନା ଦେଇଥିଲେ। ଆଇନର ଶାସନକୁ ଭ୍ରୃକ୍ଷେପ ନକରି ସ୍ଥାନୀୟ ପୋଲିସ୍ ଏବଂ ପ୍ରଶାସନ କିପରି କର୍ପୋରେଟ୍ ସଂସ୍ଥା ସ୍ୱାର୍ଥରେ ଗୁଣ୍ଡା ଭଳି ଆଚରଣ କରୁଛନ୍ତି। ଅତ୍ୟନ୍ତ ଅଗଣତାନ୍ତ୍ରିକ ଏବଂ ଅମାନବୀୟ ଭାବେ ସାମ୍ବିଧାନିକ ଅଧିକାର ଉପରେ ଆକ୍ରମଣ କରୁଛନ୍ତି, ତାହା ରାଜ୍ୟପାଳଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା।
ସାମ୍ବିଧାନିକ ମୁଖ୍ୟ ତଥା ସମ୍ବିଧାନର ପଞ୍ଚମ ଅନୁଚ୍ଛେଦ ଅନୁଯାୟୀ ଅନୁସୂଚିତ ଅଞ୍ଚଳରେ ଶାସନ ଦାୟିତ୍ୱ ତଦାରଖ କରିବାର କ୍ଷମତା ରାଜ୍ୟପାଳଙ୍କ ଉପରେ ନ୍ୟସ୍ତ କରାଯାଇଥିବାରୁ ସେ ତାଙ୍କର ସ୍ୱତନ୍ତ୍ର କ୍ଷମତା ପ୍ରୟୋଗ କରି ଏହି ଘଟଣାର ଉପଯୁକ୍ତ ତଦନ୍ତ କରିବାକୁ ପ୍ରତିନିଧି ମଣ୍ଡଳୀ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଯଦି ପ୍ରଫୁଲ୍ଲ ସାମନ୍ତରାଙ୍କୁ ପୋଲିସ୍ ଏଭଳି ବ୍ୟବହାର କରେ, ତାହେଲେ ସ୍ଥାନୀୟ ସ୍ତରରେ ନିଜ ଜୀବନ ଜୀବିକାର ସୁରକ୍ଷା ପାଇଁ ଆନ୍ଦୋଳନ କରୁଥିବା ସାଧାରଣ ଲୋକ ମାନବାଧିକାର କର୍ମୀଙ୍କ ଅବସ୍ଥା କ'ଣ ହେଉଥିବ ତାହା ଅନୁଧ୍ୟାନ କରିବାକୁ ସେମାନେ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା ପରେ ରାଜ୍ୟପାଳ ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଡକାଇ ତୁରନ୍ତ ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକ ଏବଂ ରାୟଗଡ଼ା ଜିଲ୍ଲା ପୋଲିସ୍ ଆରକ୍ଷୀ ଅଧିକ୍ଷକ ଜରିଆରେ ଘଟଣାର ତଦନ୍ତ କରିବା ଦିଗରେ ବିହିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।