Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1878040

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସୌ(ସୋସିଆଲ ମିଡିଆ)

1.ଆଜି ଗଣେଶ ଚତୁର୍ଥୀ (Ganesh Puja): ଆଜି ଗଣେଶ ଚତୁର୍ଥୀ । ଏନେଇ ଦିଲ୍ଲୀଠୁ ପଲ୍ଲୀ ସବୁଠି ଉତ୍ସାବର ମାହୋଲ । ଏଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ପଣ୍ଡାଲ କରାଯାଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଗଣେଶ ପୂଜା ଅବସରରେ ସମସ୍ତ ସ୍କୁଲ୍, କଲେଜ ଓ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି।

2.ଭାରତୀୟ ରାଷ୍ଟ୍ରଦୂତଙ୍କୁ ବହିଷ୍କାର (Canada expels Indian Diplomat): ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂହ ନିଜ୍ଜାରଙ୍କ ହତ୍ୟା ଅଭିଯୋଗରେ ଓଟାଓ୍ୱାରେ ଅବସ୍ଥାପିତ ଭାରତର କୂଟନୀତିକଜ୍ଞଙ୍କୁ ବହିଷ୍କାର କରିଛି କାନାଡ଼ା। ଗତ ଜୁନ୍ ମାସରେ ହରଦୀପଙ୍କୁ ବ୍ରିଟିଶ୍‍ କଲମ୍ବିଆରେ ହତ୍ୟା କରାଯାଇଥିଲ । ଏଥିରେ ଭାରତୀୟ ଏଜେଣ୍ଟଙ୍କ ହାତ ରହିଥିବା ‘ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିବା କହିଛନ୍ତି କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ।  କାନାଡ଼ା ସଂସଦର ଏକ ଜରୁରୀକାଳୀନ ଅଧିବେଶନରେ ସେ ଏହି ସୂଚନା ଦେଇଛନ୍ତି।

3.ମହିଳା ଆରକ୍ଷଣ ବିଲ୍କୁ କ୍ୟାବିନେଟ୍ଅନୁମୋଦନ( Women Reservation Bill): ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ଆସନକୁ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ମହିଳା ଆରକ୍ଷଣ ବିଲ୍‍କୁ କେନ୍ଦ୍ର କ୍ୟାବିନୋଟ୍‍ ଅନୁମୋଦନ କରିଛନ୍ତି। ଏହା ଚଳିତ ସ୍ୱତନ୍ତ୍ର ଅଧିବେଶନରେ ଉପସ୍ଥାପନ କରାଯାଇପାରେ। ଏହି ଆରକ୍ଷଣ ଅନେକ ବର୍ଷ ହେଲେ ସଂସଦରେ ପଡ଼ିରହିଛି। ୧୯୯୬ ମସିହାରେ ପ୍ରଥମେ ଏହି ବିଲ୍‍ ସଂସଦରେ ଉପସ୍ଥାପନ କରାଯାଇଥିଲା। ୨୦୧୦ ମସିହାରେ କଂଗ୍ରେସ ସରକାର ଏହାକୁ ରାଜ୍ୟସଭାରେ ଗୃହୀତ କରିଥିଲେ।

4.ମନମୋହନ ସିଂହ, ଶିବୁ ସୋରେନ, ମାନେକା ଗାନ୍ଧିଙ୍କୁ ନିମନ୍ତ୍ରଣ ( Manmohan singh, Sibu Soren, Maneka Gandhi to address special session): ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଅତୀତରେ ଉଭୟ ଗୃହର ସଦସ୍ୟ ରହିଥିବା ଶିବୁ ସୋରେନ୍‍ ଓ ପୂର୍ବତନ ସାଂସଦ ମାନେକା ଗାନ୍ଧୀଙ୍କୁ ସଂସଦର ସ୍ୱତନ୍ତ୍ର ଅଧିବେଶନକୁ ନିମନ୍ତ୍ରଣ କରାଯାଇଛି। ସଂସଦୀୟ ଗଣତନ୍ତ୍ରର ୭୫ ବର୍ଷ ଯାତ୍ରା- ସଫଳତା, ଅଭିଜ୍ଞତା, ସ୍ମୃତି ଓ ଶିକ୍ଷା’ ଶୀର୍ଷକ ବିଷୟ ଉପରେ ସେମାନେ ନିଜର ବକ୍ତବ୍ୟ ରଖିବେ। ଏହାସହ ନୂତନ ସଂସଦ ଭବନର ସେଣ୍ଟ୍ରାଲ୍‍ ହଲରେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧନ କରିବେ।

5.ଏନ୍ଡିଏ ଛାଡ଼ିପାରେ ଏଆଇଏଡିଏମକେ ( AIADMK-NDA Split): ତାମିଲ୍‍ନାଡୁରେ ବିଜେପି-ଏଆଇଏଡିଏମକେ ଭିତରେ ମତାନ୍ତର ସୃଷ୍ଟି ହୋଇଛି। ବାରମ୍ବାର ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ବିରୁଦ୍ଧରେ ବିଜେପି ରାଜ୍ୟ ପ୍ରମୁଖ ଆନ୍ନାମଲାଇ ମନ୍ତବ୍ୟ ଦେଉଛନ୍ତି ଯାହା ତାଙ୍କ ଦଳର କାର୍ଯ୍ୟକର୍ତ୍ତାଙ୍କ ଭାବାବେଗକୁ ଆଘାତ ଦେଉଛି ବୋଲି ଡି. ଜୟ କୁମାର କହିଛନ୍ତି। ସୋମବାର ଦିନ ସେ କହିଛନ୍ତି, ତାଙ୍କ ପାର୍ଟିର ଏନ୍‍ଡିଏ ସହ କୌଣସି ସମ୍ପର୍କ ନାହିଁ। ଲୋକସଭା ନିର୍ବାଚନ ସମୟରେ ଏ ବିଷୟରେ ଚିନ୍ତା କରାଯିବ।

6.ହୋୟଶାଳ ମନ୍ଦିର କଳାକୁ ବିଶ୍ୱ ଐତିହ୍ୟ ମାନ୍ୟତା (Hoyashala in  UNESCO World Heritage site): କର୍ଣ୍ଣାଟକ ହୋୟଶାଳ ଭାସ୍କର୍ଯ୍ୟ, କଳା, ସଂସ୍କୃତିର ନିଦର୍ଶନ ସ୍ଥଳୀକୁ ବିଶ୍ୱ ଐତିହ୍ୟ ମାନ୍ୟତା ଦିଆଯାଇଛି। ଜାତିସଂଘ ପକ୍ଷରୁ ୟୁନେସ୍କୋ ସୋମବାର ଦିନ ଏହି ଘୋଷଣା କରିଛି। ୨୦୧୪ ମସିହାରୁ ଏହି ସ୍ଥଳ ୟୁନେସ୍କୋର ସମ୍ଭାବ୍ୟ ବିଶ୍ୱ ଐତିହ୍ୟ ତାଲିକାରେ ରହି ଆସିଛି। ଏହି ମନ୍ଦିର ଭାରତର ପ୍ରାଚୁର୍ଯ୍ୟପୂର୍ଣ୍ଣ ଐତିହ୍ୟ ଓ ସଂସ୍କୃତିର ପରିଚୟ ଅଟେ। ପ୍ରଧାନମନ୍ତ୍ରୀ ମୋଦି ଏନେଇ ଟ୍ୱିଟ୍‍ କରି ପୂର୍ବପୁରୁଷଙ୍କ କଳା ନୈପୂଣ୍ୟକୁ ସମ୍ମାନ ଜଣାଇଛନ୍ତି।

7.ବିଜେପି କରିବ ଆନ୍ଦୋଳନ (State BJP to demonstrate): ରାଜ୍ୟରେ ଦ୍ୱିତୀୟ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଛି କି, ବୋଲି ପ୍ରଶ୍ନ କରିଛନ୍ତି ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ। ଓଡ଼ିଶାର ଜଣାଶୁଣା ମିଡିଆ ସଂସ୍ଥା ‘ସମ୍ବାଦ’ ଉପରେ ସରକାରୀ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରି ସେ ଏପରି କହିଛନ୍ତି। ‘ଯେଉଁ ସରକାର ସମାଲୋଚନା ଶୁଣିବାକୁ ପ୍ରସ୍ତୁତ ନୁହେଁ, ଗଣତାନ୍ତ୍ରିକ ପଦ୍ଧତିରେ ହେଉଥିବା ଆଲୋଚନାର ଉତ୍ତର ପ୍ରତି ହିଂସାରେ ଦିଅନ୍ତି, ତାକୁ ଏକଚ୍ଛତ୍ରବାଦ କୁହାଯାଏ’ ବୋଲି ସେ ଟ୍ୱିଟ୍ କରିଛନ୍ତି । ସମ୍ବାଦ ଖବରକାଗଜ ଉପରେ ପ୍ରତିହିଂସା କାର୍ଯ୍ୟକଳାପ ବନ୍ଦ କରନ୍ତୁ ନହେଲେ ଆନ୍ଦୋଳନରେ ଉତ୍ତର ଦିଆଯିବ ବୋଲି ସେ କହିଛନ୍ତି।

8.ବେଆଇନ କଫସିରପ୍ବିକ୍ରି ଅଭିଯୋଗରେ ୧୮ ଗିରଫ ( 18 arrested in Illegeal medicine trade): ବଲାଙ୍ଗୀର ଜିଲ୍ଲାରେ ପୁଣି ସାମ୍ନାକୁ ଆସିଲା ବେଆଇନ୍‍ କଫ ସିରପ କାରବାର । ଏହି ମାମଲାରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍ ସୋମବାର ଦିନ ୧୮ ଜଣଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ଯରୁ ଦୁଇ ଜଣ ବ୍ୟବସାୟୀ କଟକର ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ କାର, ୩ଟି ମୋଟର ସାଇକେଲ୍‍ ଓ ପ୍ରାୟ ୧୭ ଶହ ବୋତଲ କଫ ସିରପ୍‍ ଜବତ କରାଯାଇଛି। ବହୁ ଦିନଧରି ଏହି କାରବାର ଚାଲି ଆସୁଥିଲା । ଗତ ମାର୍ଚ୍ଚ ମାସରେ ପୋଲିସ ୧୩୦୦୦ ବୋତଲ ସିରପ ସହ ୩୮ ଜଣଙ୍କୁ ଗିରଫ କରିଥିଲା। ସେହିପରି ଜୁନ ମାସରେ ୫ ଜଣ ଓ ଅଗଷ୍ଟରେ ୮୩ ଜଣ ବ୍ୟବସାୟୀଙ୍କୁ ବେଆଇନ କଫ ସିରପ କାରବାରରେ ଗିରଫ କରାଯାଇଥିଲା।

9.ଆଜି ରିଲିଜ୍ହେବ ପୁଷ୍କରା ( Pushkara Release): ଆଜି ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ । ସବ୍ୟସାଚୀଙ୍କ ଅଭିନୀତ ଏହି ଫିଲ୍ମ ଶଙ୍କର ତ୍ରିପାଠୀଙ୍କ ଓଡ଼ିଆ ଉପନ୍ୟାସ ‘ନାଦବିନ୍ଦୁ’ ଉପରେ ଆଧାରିତ । ଚଳଚ୍ଚିତ୍ରରେ ଓଡ଼ିଆ ସଂସ୍କୃତିର ସମ୍ପୂର୍ଣ୍ଣ ଝଲକ ଦେଖିବାକୁ ମିଳିବ ବୋଲି ପ୍ରଯୋଜକ କହିଛନ୍ତି। ଏହି ସିନେମା ପୁରୀରେ ଶୁଟିଂ ହୋଇଛି ।

10.ଆସନ୍ତାକାଲି ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରାଏଲ ( Vande Bharat): ପୁରୀରୁ ଦ୍ୱିତୀୟ ବନ୍ଦେ ଭାରତ ଟ୍ରେନ୍‍ ରାଉରକେଲା ଅଭିମୁଖେ ଯାତ୍ରା କରିବ। ଏହି ଟ୍ରେନ୍‍କୁ ପ୍ରଥମେ ତାଳଚେରରୁ ପୁରୀ ଚଳାଚଳ କରାଯାଇଥିଲା। ଏହାର ସଫଳତା ପରେ ଏବେ ନିର୍ଦ୍ଧାରିତ ରୁଟରେ ଏହାର ଟ୍ରାଏଲ୍‍ ହେବ। ବୁଧବାର ଦିନ ସକାଳ ୫ଟାରେ ଏହା ପୁରୀରୁ ବାହାରିବ। ୭ ଘଣ୍ଟା ୪୫ ମିନିଟ୍‍ ଯାତ୍ରା ମଧ୍ଯରେ ଏହା ଖୋର୍ଦ୍ଧା ରୋଡ୍, ଭୁବନେଶ୍ୱର, କଟକ, ଢେଙ୍କାନାଳ, ଅନୁଗୋଳ, କେରଜେଙ୍ଗା, ସମ୍ବଲପୁର, ଝାରସୁଗୁଡ଼ା ଦେଇ ଦିନ ୧୨ଟା ୪୫ରେ ଏହା ରାଉରକେଲାରେ ପହଞ୍ଚିବ।