)
Data Entry Operator Trapped in Vigilance Net: (ପ୍ରେମାନନ୍ଦ ପୂଜାରୀ) ଭିଜିଲାନ୍ସ ଜାଲରେ ଡାଟା ଏଣ୍ଟ୍ରି ଅପରେଟର। ଲାଞ୍ଚ ନେବା ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ହୋଇଥିବା ଚଢାଉ ବେଳେ ଧରା ପଡ଼ିଛନ୍ତି ଗଞ୍ଜାମ ଜିଲ୍ଲା ପରିବହନ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର। ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିବା ଡାଟା ଏଣ୍ଟ୍ରି ଅପରେଟର ହେଉଛନ୍ତି ଗୌରହରି ପାଢୀ। ଏନେଇ ମିଳିଥିବା ଖବର ଅନୁସାରେ କୋଭିଡ ସମୟରେ ଜଣେ ବ୍ୟକ୍ତିଙ୍କ ଦୁଇଟି ଗାଡି ଉପରେ ବକେୟା ରହିଥିବା ଜରିମାନାକୁ ଛାଡ କରିବା ପାଇଁ ୧୨୦୦୦ ଟଙ୍କା ଲାଞ୍ଚ ନେଉଥିଲେ ପରିବହନ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢୀ। ହେଲେ ଲାଞ୍ଚ ନେବା ବେଳେ ତାଙ୍କୁ ମାଡ଼ିସ ବସିଥିଲା ଭିଜିଲାନ୍ସ।
ସେହି ବ୍ୟକ୍ତିଙ୍କ ଦୁଇଟି ଗାଡିର ଟ୍ୟାକ୍ସ ୨୦୨୦ ଅପ୍ରେଲ ୧ ତାରିଖରୁ ୨୦୨୨ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ଟ୍ୟାକ୍ସ ବକେୟା ରହିଥିଲା। ପରିବହନ କାର୍ଯ୍ୟାଳୟର କର୍ମଚାରୀ ଜଣଙ୍କ ସେହି ଗାଡ଼ି ଛାଡ କରିବା ପାଇଁ ପୂର୍ବରୁ ବହୁଥର ଅଭିଯୋଗକାରୀଙ୍କୁ ଟଙ୍କା ମାଗିଥିଲେ। ପରେ ବ୍ୟକ୍ତି ଜଣଙ୍କ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏହା ପରେ ପୂର୍ବ ଯୋଜନା ଅନୁଯାୟୀ ଗୁରୁବାର ଅଭିଯୋଗକାରୀ ଜଣଙ୍କ ୧୨ ହଜାର ଟଙ୍କା ନେଇ ଡାଟା ଏଣ୍ଟ୍ରି ଅପରେଟର ଗୌରହରି ପାଢୀଙ୍କୁ ପ୍ରଦାନ କରିଥିଲେ। ହେଲେ ଲାଞ୍ଚ ନେବା ବେଳେ ପରିବହନ କାର୍ଯ୍ୟାଳୟର ଡାଟା ଏଣ୍ଟ୍ରି ଅପରେଟର ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ। ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ୦୨/୨୦୨୪ ଆଧାରରେ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ଏସପି ଗଣେଶ ଚନ୍ଦ୍ର ପ୍ରଧାନ କହିଛନ୍ତି।