Ratnabhandar: ରତ୍ନ ଭଣ୍ଡାରରେ ରହିଛି ୨୧୫ କିଲୋ ସୁନା ଓ ୩୫୨ କିଲୋ ରୂପା ଅଳଙ୍କାର ଓ ସାମଗ୍ରୀ
Advertisement
Article Detail0/zeeodisha/odisha2334500

Ratnabhandar: ରତ୍ନ ଭଣ୍ଡାରରେ ରହିଛି ୨୧୫ କିଲୋ ସୁନା ଓ ୩୫୨ କିଲୋ ରୂପା ଅଳଙ୍କାର ଓ ସାମଗ୍ରୀ

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ରତ୍ନ ଭଣ୍ଡାରରେ କ’ଣ ଅଛି?

 Ratnabhandar: ରତ୍ନ ଭଣ୍ଡାରରେ ରହିଛି ୨୧୫ କିଲୋ ସୁନା ଓ ୩୫୨ କିଲୋ ରୂପା ଅଳଙ୍କାର ଓ ସାମଗ୍ରୀ

Ratnabhandar (ହରିହର ପଣ୍ଡା): ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ରତ୍ନ ଭଣ୍ଡାରରେ କ’ଣ ଅଛି? ଯଦିଓ ରେକର୍ଡ ଅନୁସାରେ ଶ୍ରୀ ଜଗନ୍ନାଥଙ୍କ ରତ୍ନ ଭଣ୍ଡାରକୁ ଦୁଇଥର ଗଣାଯାଇସାରିଛି କିନ୍ତୁ ଏବେ ତା’ର ସ୍ଥିତି ବାବଦରେ ଉତ୍ସୁକତା ଦିନକୁ ଦିନ ବଢ଼ି ଚାଲିଛି। ଆଉ କିଛିଟା ଦିନ ଭିତରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ସ୍ପଷ୍ଟ କରିବା ସମ୍ଭାବନା ରହିଛି। ଯେଉଁଥିଲାଗି ଦୀର୍ଘ ୪୬ ବର୍ଷ ହେଲା ବନ୍ଦ ପଡ଼ିଥିବା ଭିତର ରତ୍ନ ଭଣ୍ଡାରକୁ ଆସନ୍ତା କାଲି ଖୋଲାଯିବାକୁ ନେଇ ପ୍ରସ୍ତୁତି କରୁଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତୁ ଜାଣିବା ବିଭିନ୍ନ ସମୟରେ ଯାଞ୍ଚ ହୋଇଥିବା ଏହି ରତ୍ନ ଭଣ୍ଡାରରେ କ’ଣ ରହିଥିଲା? ବିଭିନ୍ନ ସମୟରେ ପ୍ରସ୍ତୁତ ରିପୋର୍ଟ ଅନୁସାରେ ଭିନ୍ନ ଭିନ୍ନ ବିବରଣୀ ମିଳେ। ଏସବୁ ବିବରଣୀକୁ ଅନୁଶୀଳନ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ସର୍ବ ଶେଷ ଗଣତିକୁ ନଜର ପକାଇବା।

୧୯୭୮ ମସିହାରେ ଏହି ଗଣତି କରାଯାଇଥିଲା। ଏହି ରିପୋର୍ଟ ଅନୁସାରେ ଶ୍ରୀମନ୍ଦିରରେ ତିନୋଟି ରତ୍ନ ଭଣ୍ଡାର ରହିଛି।  ଗୋଟଇଏ ହେଉଛି ଭିତର ରତ୍ନ ଭଣ୍ଡାର ଯାହାକୁ କେବେ ଖୋଲାଯାଏ ନାହିଁ, ଦ୍ୱିତୀୟରେ ରହିଛି ବାହାର ରତ୍ନ ଭଣ୍ଡାର ଯେଉଁଥିରେ ଶ୍ରୀ ଜିଉଙ୍କ ବିଭିନ୍ନ ପର୍ବ ପର୍ବାଣୀ ବେଶ ପାଇଁ ଲାଗି ହେଉଥିବା ଅଳଙ୍କାର ରହିଛି। ତୃତୀୟରେ ରହିଛି ଚଳନ୍ତି ରତ୍ନ ଭଣ୍ଡାର। ଏହା ଦୈନନ୍ଦିନ ରୀତି ନୀତି ଲାଗି ବ୍ୟବହାର କରାଯାଏ। 

ଏହି ତିନୋଟିଯାକ ଭଣ୍ଡାରଘରେ ଥିବା ଅଳଙ୍କାର ଓ ସାମଗ୍ରୀକୁ ହିସାବକୁ ନେଲେ, ୪୫୪ ପ୍ରକାରର ସ୍ୱର୍ଣ୍ଣ ତଥା ପଥର ଖଚ୍ଚ୍ଚିତ ସ୍ୱର୍ଣ୍ଣ ଅଳଙ୍କାର ରହିଛି, ଯାହାର ଓଜନ ପ୍ରାୟ ୧୨ହଜାର ୮୩୮ ଭରି। ଅର୍ଥାତ୍‍ ୨୧୪ କିଲୋ ୬୩୦ ଗ୍ରାମ।  ପୁଣି ଏଥିରେ ୨୯୩ ପ୍ରକାରର ରୌପ୍ୟ ଅଳଙ୍କାର ବା ସାମଗ୍ରୀ ରହିଛି ଯାହାର ଓଜନ ପ୍ରାୟ ୨୧୧୫୩ ଭରି। ୩୫୨ କିଲୋ ୪୦୮ ଗ୍ରାମ। ତେବେ ଶ୍ରୀ ଜଗନ୍ନାଥଙ୍କ ପାଖରେ ଯେ ମାତ୍ର ଏତିକି ସ୍ୱର୍ଣ୍ଣ ବା ରୌପ୍ୟ ଅଳଙ୍କାର ରହିଛି ତାହା ନୁହେଁ। ବିଭିନ୍ନ ସମୟରେ ହୋଇଥିବା ଗଣତି ରିପୋର୍ଟରେ କେମିତି ରତ୍ନ ଭଣ୍ଡାରକୁ ଆକଳନ କରାଯାଇଥିଲା ଆସନ୍ତୁ ନଜର ପକାଇବା: 

ଚାର୍ଲସ ଗୋମ୍‍ ରିପୋର୍ଟ
ଶ୍ରୀ ଜଗନ୍ନାଥ ମନ୍ଦିରର ଭିତର ରତ୍ନ ଭଣ୍ଡାର ରେକର୍ଡ ଅନୁସାରେ ଦୁଇଥର ଗଣତି ଓ ମଣତି ଲାଗି ଖୋଲାଯାଇଛି। ପ୍ରଥମେ ପୁରୀର ଜିଲ୍ଲାପାଳ ଚାର୍ଲସ ଗୋମ୍ସଙ୍କ ଦ୍ୱାରା ୧୮୦୫ ମସିହାରେ ଏହାକୁ ଖୋଲାଯାଇଥିଲା। ସେତେବେଳେ ଏକ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ୧୨୮ଟି ରାମାଭିଶେକ ମୋହର ସହ ୨୪ଟି ସ୍ୱର୍ଣ୍ଣ ମୁଦ୍ରା, ୧୨୯୭ ରୌପ୍ୟ ମୁଦ୍ରା, ୧୦୬ଟି ତାମ୍ର ମୂଦ୍ରା ରତ୍ନ ଭଣ୍ଡାରରେ ରହିଛି। 

ଚାର୍ଲସ୍‍ ଗ୍ରୋମ୍‍ଙ୍କ ରିପୋର୍ଟରେ ସଂଲଗ୍ନ ତାଲିକାରେ ଥିବା ସ୍ୱର୍ଣ୍ଣ ଅଳଙଘ୍କାରରେ ରହିଥିଲା, ମୟୂର ଚନ୍ଦ୍ରିକା, ମୟୂର ପଙ୍ଖ, ସୂର୍ଯ୍ୟ ମୁକୁଟ, କିଆପତ୍ର କୁଣ୍ଡଳ, ଅଳକା, ରାହୁରେଖା, ଶ୍ରୀ ଭୂଜ, ନଳି, ବାହୁଟି, ସୁନା ଚକ୍ର, ନାକୁସି, କୁମାର ଝୁମ୍ପା, ପଦ୍ମ ପାଦ, ବାଘ ନଖ, ପଦ୍ମମାଳ, ସେବତୀ ମାଳ, ପାରିଜାତ ମାଳ, କେଳି କଦମ୍ବ ମାଳ, କଣ୍ଠିମାଳ, ଉପଚାର ପଦକ, ସୁନା ମେଣ୍ଟ, ସୁନା ମୟୁରଚୂଳ , ସୁନା ଛାଞ୍ଚୁଣି, ସୁନା ବେତ,ଳ ଜିଭି, ତାବିଜ, ଝୁମ୍ପା, ନାକ ଫାଶିଆ, ସୁନା କଣ୍ଠି, ଭଙ୍ଗା ସୁନା ଗହଣା, ମୁଦି, ସୁନା ପିଆବଡ଼ି, କାନଫୁଲ , ନାକଚଣା, ଚିତା, ସିର ପେଞ୍ଚଳ,, ପାନ ବଟ, ଗରା, ଥାଳି, ରୂପା ଶଙ୍ଖ,  ପାରା, ଫୁଲ, ଦୀପ ରୁଖା, ପାନଦାନୀ, ପଙ୍ଘା ବାଣ୍ଟ, ପିଲିସଜ, ଚୂଆଦାନୀଳ ଛତା ବେଣତ୍ଟ, କଂସା ଦର୍ପଣ ବେଣ୍ଟ, ରୂପା ଛାଉଣୀ ଖଟ, ରୂପା ଅଣ୍ଟା ବିଛା, ଦଶାବତାର ପାନ ବଟ, ୧୫ଟି ରୂପା ମୁକୁଟ, ରୂପା ବଂଶୀ ଇତ୍ୟାଦି। ଏହା ସହ ମଦନ ମୋହନ ଦେବଙ୍କ ଗହଣା ଓ ଅଳଙ୍କାର ମଧ୍ୟ ରହିଥିଲା। 

ଲକ୍ଷ୍ମଣ ପଣ୍ଡା 
ଦେଶ ସ୍ୱାଧୀନ ହେବା ପରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଆଇନ ୧୯୫୨ ଆଧାରରେ ଓଡ଼ିଶା ସରକାର ୧୯୬୦ ମସିହାରେ ଶ୍ରୀମନ୍ଦିର ପରିଚାଳନାକୁ ନିଜ ହାତରେ ନେଇଥିଲେ। ଏହି ସମୟରେ ଯେଉଁ ସ୍ୱତ୍ତ୍ୱ ଲିପି ଜିଲ୍ଲାଜଜ୍‍ ଲକ୍ଷ୍ମଣ ପଣ୍ଡାଙ୍କ ତଦାରଖରେ ହୋଇଥିଲା ସେଥିରେ ମଧ୍ୟ ରତ୍ନ ଭଣ୍ଡାରରେ ଥିବା ଶ୍ରୀଜିଉଙ୍କ ରତ୍ନ ଓ ଅଳଙ୍କାର ସମ୍ବନ୍ଧରେ ଉଲ୍ଲେଖ ରହିଛି। ରେକର୍ଡ ଅଫ୍‍ ରାଇଟ୍ସସର ଚତୁର୍ଥ ଭାଗରେ ଥିବା ହିସାବ ଅନୁସାରେ, ରତ୍ନ ଭଣ୍ଡାରରେ ଦୁଇଟି କୋଠରୀ ରହିଛି। ଗୋଟିଏ ବାହ୍ୟ ରତ୍ନ ଭଣ୍ଡାର ଏବଂ ଅନ୍ୟଟି ଭିତର ରତ୍ନ ଭଣ୍ଡାର। 
ବାହାର ଭଣ୍ଡାରରେ ୧୫୦ ପ୍ରକାରର ସୁନା ଅଳଙ୍କାର ରହିଛି। ଏଥିରେ ତିନୋଟି ହରିଡ଼ା କଣ୍ଠି ମାଳି, ସୁନା ଶଅ୍ରୀଭୂଜ, ସୁନା ଶ୍ରୀ ପୟର, ୩ଟି କିରିଟ ସହ ଅନେକ ପ୍ରକାରରର ରତ୍ନ ଅଳଙ୍କାର ରହିଛି। ଭିତର ରତ୍ନ ଭଣ୍ଡାରରେ ୧୮୦ ପ୍ରକାରର ସୁନା ଗହଣା ରହିଛି। ଯେଉଁଥିରୁ ୭୪ଟି ହେଉଛି ଖାଣ୍ଟି ସୁନା ଅଳଙ୍କାର। କିଛି ଅଳଙ୍କାରର ଓଜନ ୧୦୦ ତୋଳାରୁ ଅଧିକ ବୋଲି ଏଥିରେ ଉଲ୍ଲେଖ ରହିଛି। ଏହାସହ, ହୀରା, ଲୀଳା, ମୋତି, ମାଣିକ୍ୟ, ପ୍ରଭୃତି ବିରଳ ରତ୍ନ ପଥର ରହିଛି। ପୁଣି ୧୪୬ ପ୍ରକାରର ରୌପ୍ୟ ବାସନ ଯାହାର ଓଜନ ୫୦୦ ତୋଳାରୁ ଅଧିକ ହେବ ତାହା ଗଚ୍ଛିତ ରହିଛି। 

୧୯୭୮ର ଗଣତି 
ଶେଷଥର ପାଇଁ ୧୯୭୮ ମସିହାରେ ରତ୍ନ ଭଣ୍ଡାରର ହିସାବ ନିକାଶ ହୋଇ ଏକ ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଇଥିଲା। ତତ୍‍କାଳୀନ ରାଜ୍ୟପାଳ ଶଙ୍କର ଦ୍ରାଲ ଶର୍ମାଙ୍କ ଆଦେଶରେ ଏଥିଲାଗି ଏକ ୬ ଜଣିଆ କମିଟି କରାଯାଇ ଏହି ତାଲିକାକୁ ପ୍ରସ୍ତୁତ କରାଯାଇଥିଲା। ଏହି ତାଲିକା ପ୍ରସ୍ତୁତ କରିବାକୁ ୭୧ ଦିନ ଲାଗିଥିଲା। ଗଣତି କାର୍ଯ୍ୟ ମେ ୧୩, ୧୯୭୮ରୁ ଆରମ୍ଭ ହୋଇ ଜୁଲାଇ ୨୩ ୧୯୭୮ରେ ଶେଷ ହୋଇଥିଲା। 

ଏହି ତାଲିକା ଅନୁସାରେ ଭିତର ରତ୍ନ ଭଣ୍ଡାରରେ ୩୬୭ ପ୍ରକାରର ସ୍ୱର୍ତଣ୍ଣ ଅଳଙ୍କାର ରହିଛି ଯାହାର ଓଜନ ହେଉଛି ୪୩୬୪ଭରି। ଗୋଟିଏ ଭରି ୧୧.୬୬ ଗ୍ରାମ ହେଲେ ସମୁଦାୟ ଓଜନ ପ୍ରାୟ ୫୦ କିଲୋ ୮୮୪ ଗ୍ରାମ ହେବ। ଏହାସହ ୨୩୧ ପ୍ରକାରର ରୌପ୍ୟ ଅଳଙ୍କାର ରହିଛି। ଏହାର ଓଜନ ପ୍ରାୟ ୧୪୮୭୮ ଭରି ବା ୧୭୩ କିଲୋ୪୭୭ ଗ୍ରାମ ହେବ। ବାହାର ରତ୍ନ ଭଣ୍ଡାରରେ ୭୯ ପ୍ରକାରର  ସ୍ୱର୍ଣ୍ଣ ଅଳଙ୍କାର ରହିଛି। ଯାହାରସମୁଦାୟ ଓଜନ ୮୧୭୫ ଭରି ହେବ। ସେହିପରି ଏଠାରେ ୪୬୭୧ ଭରିର ୩୩ ପ୍ରକାରର ରୂପା ଅଳଙ୍କାର ରହିଛି। 

ଚଳନ୍ତି ଭଣ୍ଡାରରେ ୮ ପ୍ରକାର ସ୍ୱର୍ଣ୍ଣ ଳଙ୍କାର ରହିଛି ଯାହାର ଓଜର ୨୯୯ ଭରି ହେବ। ସାେହିପରି ସବୁଦିନ ପ୍ରଭୁଙ୍କ ବିଭିନ୍ନ ନୀତିରେ ଲାଗିବା ଲାଗି ୨୬୦୩ ଭରି ୮ ଅଣା ଓଜନର ୨୩ ପ୍ରକାର ରୌପ୍ୟ ଅଳଙ୍କାର ତଥା ସାମଗ୍ରୀ ରହିଛି। ଏହି ତିନୋଟିଯାକ ଭଣ୍ଡାରଘରେ ଥିବା ଅଳଙ୍କାର ଓ ସାମଗ୍ରୀକୁ ହିସାବକୁ ନେଲେ, ୪୫୪ ପ୍ରକାରର ସ୍ୱର୍ଣ୍ଣ ତଥା ପଥର ଖଚ୍ଚ୍ଚିତ ସ୍ୱର୍ଣ୍ଣ ଅଳଙ୍କାର ରହିଛି, ଯାହାର ଓଜନ ପ୍ରାୟ ୧୨ହଜାର ୮୩୮ ଭରି। ଅର୍ଥାତ୍‍ ୨୧୪ କିଲୋ ୬୩୦ ଗ୍ରାମ। ପୁଣି ଏଥିରେ ୨୯୩ ପ୍ରକାରର ରୌପ୍ୟ ଅଳଙ୍କାର ବା ସାମଗ୍ରୀ ରହିଛି ଯାହାର ଓଜନ ପ୍ରାୟ ୨୧୧୫୩ ଭରି। ୩୫୨ କିଲୋ ୪୦୮ ଗ୍ରାମ।