ରାଜଧାନୀରୁ ସିମ୍ ବକ୍ସ ଜବତ ଘଟଣା: ମାଷ୍ଟର ମାଇଣ୍ଡକୁ ବାଂଲାଦେଶୀ, ଚାଇନା ଆସୁଥିଲା କଲ୍‌
Advertisement
Article Detail0/zeeodisha/odisha2388663

ରାଜଧାନୀରୁ ସିମ୍ ବକ୍ସ ଜବତ ଘଟଣା: ମାଷ୍ଟର ମାଇଣ୍ଡକୁ ବାଂଲାଦେଶୀ, ଚାଇନା ଆସୁଥିଲା କଲ୍‌

Odisha crime: ଗତକାଲି ହୋଇଥିବା ଚଢ଼ାଉରେ ୫ଟି ଅପରେସନାଲ ସିମ୍ ବକ୍ସ ମିଳିଛି। ପ୍ରାୟ ୧ ହଜାର ସିମ୍ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ଅଛି।

ରାଜଧାନୀରୁ ସିମ୍ ବକ୍ସ ଜବତ ଘଟଣା: ମାଷ୍ଟର ମାଇଣ୍ଡକୁ ବାଂଲାଦେଶୀ, ଚାଇନା ଆସୁଥିଲା କଲ୍‌

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରୁ ୭ଟି ସିମ୍‌ ବକ୍ସ ଠାବ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଗିରଫ ହୋଇଥିବା ରାଜୁ ମଣ୍ଡଳଙ୍କ ଏହି ମାମଲାରେ ବାଂଲାଦେଶ ଲିଙ୍କ୍‌ ରହିଛି। ସିମ ବକ୍ସ ବାଂଲାଦେଶ ସୀମା ଦେଇ ପଶ୍ଚିମବଙ୍ଗ ପରେ ଭୁବନେଶ୍ବରରେ ପହଞ୍ଚୁଛି। କଟକ - ଭୁବନେଶ୍ଵର ପୁଲିସ କମିଶନର ସଞ୍ଜୀବ ପଣ୍ଡା ସିମ ବକ୍ସ ଜବତ ଘଟଣାରେ ବାଂଲାଦେଶ ଲିଙ୍କ ରହିଥିବା ସ୍ପଷ୍ଟ କରିଛନ୍ତି।  

ଶ୍ରୀ ପଣ୍ଡା କହିଛନ୍ତି ଯେ, ଗତ ୮ ମାସ ଧରି ସିମ୍ ବକ୍ସ ଭୁବନେଶ୍ୱରର ଏକ ଘରେ ରଖିଥିବା ବେଳେ ମାସକୁ ଥରେ ଦୁଇଥର ରାଜୁ ସେଠାକୁ ଆସୁଥିଲେ। ସେମାନେ ଭାରତର ବିଭିନ୍ନ ସ୍ଥାନରେ ସିମ୍‌ ବକ୍ସ ବସାଇଛନ୍ତି। ବାଂଲାଦେଶରୁ ତାହାକୁ ଅପରେଟ୍‌ କରାଯାଏ। ବାଂଲାଦେଶରୁ ମୁଖ୍ୟ ଅଭିଯୁକ୍ତ ଆସାଦ୍ଦୁର ଏହାକୁ ଅପରେଟ କରୁଥିଲେ। 

ଅନ୍ୟପଟେ ଏହି ସିମ୍‌ ବକ୍ସ ଜରିଆରେ ଅପରାଧୀ କେଉଁ ଦେଶରୁ କଲ୍‌ କରିଛି, ତାହା ଜଣାପଡ଼ିବନି। ବାହାର ଦେଶରୁ କଲ୍‌ ଆସିଲେ ବି ଲୋକାଲ ସିମ୍‌ ଜରିଆରେ ଆସିବ। ବାହାର ଦେଶର ଅପରାଧୀ ଭାରତରେ ଅପରାଧ ଘଟାଇବା ନିମନ୍ତେ ଏହାକୁ ବ୍ୟବହାର କରିଥାନ୍ତି। ଆତଙ୍କବାଦୀ, ସାଇବର ଫ୍ରଡ, ଡ୍ରଗ୍ସ ଚାଲାଣ ନିମନ୍ତେ ଏହାକୁ ବ୍ୟବହାର କରାଯାଇଥାଏ। ମୁଖ୍ୟତଃ ସିମ୍‌ ବକ୍ସରୁ ପାକିସ୍ତାନ, ଚୀନ ଓ ମଧ୍ୟପ୍ରାଚ୍ୟର କଲ୍‌କୁ ଲୋକାଲ ସିମ୍‌ ଜରିଆରେ ଭାରତକୁ ଛଡ଼ା ଯାଉଥିଲା। ଅପରାଧୀ ଜଣକ ବିଦେଶୀ ହୋଇଥିବାରୁ ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ତଦନ୍ତ କରାଯିବ। ଆବଶ୍ୟକ ସ୍ଥଳେ ଇଣ୍ଟରପୋଲର ବି ସାହାଯ୍ୟ ନିଆଯିବ। କଲ୍‌ ଡିଟେଲ୍ସ ଆନାଲିସସ୍‌ କରାଯିବ। ଫଳରେ କେଉଁ କେଉଁ ଦେଶରୁ ଓ କେଉଁ ଉଦ୍ଦେଶ୍ୟରେ କଲ୍‌ ଆସୁଥିଲା ସାଇବର ଏକ୍ସପର୍ଟଙ୍କ ଦ୍ୱାରା ତାହାର ତଦନ୍ତ କରାଯିବ।

ସେହିପରି ଗତକାଲି ହୋଇଥିବା ଚଢ଼ାଉରେ ୫ଟି ଅପରେସନାଲ ସିମ୍ ବକ୍ସ ମିଳିଛି। ପ୍ରାୟ ୧ ହଜାର ସିମ୍ ମିଳିଛି, ସେଥିରୁ ୫୮ଟି ଅବ୍ୟବହୃତ ସିମ୍ ଅଛି। ରାଜୁକୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ବାହାର କରାଯିବ ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି।

ସିମବକ୍ସ ସହ ବାଂଲାଦେଶ ଲିଙ୍କ ପଦାରେ ପଡ଼ିବା ପରେ ପୁଲିସର ଚିନ୍ତା ବଢିଯାଇଛି। କାରଣ ସିମବକ୍ସର ବ୍ୟବହାର ଆତଙ୍କବାଦୀମାନେ କରିଥାନ୍ତି। ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ରାଜୁ ମଣ୍ଡଳକୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଯୋଜନା କରିଛି କମିଶନରେଟ ପୁଲିସ। ଆବଶ୍ୟକ ପଡିଲେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ମଧ୍ୟ ସାହାଯ୍ୟ ଲୋଡିବ କମିଶନରେଟ ପୁଲିସ।