Morning top 10 headlines: ସକାଳର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1899344

Morning top 10 headlines: ସକାଳର ୧୦ ବଡ଼ ଖବର

ରାଜ୍ୟ ଓ ଦେଶ ତଥା ଅନ୍ତର୍ଜାତୀୟ ସ୍ତରରର ୧୦ଟି ଗୁରୁତ୍ତ୍ୱପୂର୍ଣ୍ଣ ଖବର ଆମେ ଆପଣଙ୍କୁ ଦେବାକୁ ଚେଷ୍ଟା କରୁଛୁ। ଚୁଟକିରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ଟି ବଡ଼ ଖବର। 

Morning top 10 headlines: ସକାଳର ୧୦ ବଡ଼ ଖବର

1. ଫିଜିକ୍ସରେ ୩ ଜଣଙ୍କୁ ନୋବେଲ: ମଙ୍ଗଳବାର ଫିଜିକ୍ସ ପାଇଁ ନୋବେଲ ପୁରସ୍କାର ଘୋଷଣା ହୋଇଛି। ଏଲି ଏସପେ, ଜନ୍ ଏଫ୍ କ୍ଲୋଜର ଏବଂ ଆଣ୍ଟନ୍ ସିଲିଙ୍ଗର୍ଙ୍କୁ କ୍ୱାଣ୍ଟମ୍ ସୂଚନା ବିଜ୍ଞାନରେ କାର୍ଯ୍ୟ କରିଥିବାରୁ ପ୍ରଦାନ କରାଯାଇଛି। ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସର ସେକ୍ରେଟେରୀ ଜେନେରାଲ୍ ହାନ୍ସ ଏଲେଗ୍ରେନ୍ ମଙ୍ଗଳବାର ଷ୍ଟକହୋମର କାରୋଲିସ୍କା ପ୍ରତିଷ୍ଠାନରେ ବିଜେତା ଘୋଷଣା କରିଛନ୍ତି। ମେଡ଼ିସିନ ପାଇଁ ନୋବେଲ ପୁରସ୍କାର ସୋମବାର ସ୍ୱିଡେନର ବୈଜ୍ଞାନିକ ସ୍ୱେନ୍ତ ପାଓବୋଙ୍କୁ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି। ମଣିଷର ବିବର୍ତ୍ତନ ବିକାଶ ଉପରେ ଗବେଷଣା ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

2. ରସାବଳୀକୁ ମିଳିଲା ଜିଆଇ ଟ୍ୟାଗ: ରସଗୋଲା ପରେ ଏବେ ରସାବଳୀ ପାଇଛି ଜିଆର ଟ୍ୟାଗ। ଏନେଇ କେନ୍ଦ୍ରାପଡ଼ା ମିଷ୍ଟାନ୍ନ ରସାବଳୀ ସଂଘ ପକ୍ଷରୁ କରାଯାଇଥିବା ଆବେଦନକୁ ମିଳିଛି ମଞ୍ଜୁରୀ। ଗୁଣବତ୍ତା ଏବଂ ମାନ ଯାଞ୍ଚ କରିବା ପରେ ରସାବଳୀ ଏହି ଭୌଗୋଳିକ ସୂଚକ ମାନ୍ୟତା ପାଇଛି। କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜିଆଇ ଟ୍ୟାଗ ଦେବାକୁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିଲା। ରସାବଳୀ ଜିଆଇ ଟ୍ୟାଗ୍ ପାଇବା ପରେ ବର୍ତ୍ତମାନ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଠାରେ ଖେଳିଯାଇଛି ଖୁସିର ଲହରୀ। ଦୀର୍ଘ ଦିନ ହେବ କେନ୍ଦ୍ରାପଡ଼ା ରସାବଳୀକୁ ଜିଆଇ ଟ୍ୟାଗ୍ ମାନ୍ୟତା ନେଇ ଦାବି ହୋଇ ଆସୁଥିଲା। ହେଲେ ବର୍ତ୍ତମାନ କେନ୍ଦ୍ରାପଡ଼ା ରସାବଳୀ ଜିଆଇ ଟ୍ୟାଗ୍ ପାଇବା ପରେ ଉତ୍ସାହ ଦେଖିବାକୁ ମିଳିଛି।

3. ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ: ଲଘୁଚାପ ଦୁର୍ବଳ ହୋଇଥିଲେ ମଧ୍ୟ ରାଜ୍ୟ ତମାମ ବର୍ଷା ଲାଗି ରହିଛି। ଆଜି ମଧ୍ୟ ଉତ୍ତର ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ବିଶେଷ କରି ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୋଳ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଏହା ସହିତ ୯ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଥିବା ନେଇ ମଧ୍ୟ ସୂଚନା ରହିଛି।

4. ସାସଂଦ ସଞ୍ଜୟ ସିଂହଙ୍କ ଘରେ ଇଡ଼ି ଚଢାଉ: ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡ଼ି ଚଢାଉ କରିଛି। ବୁଧବାର ସକାଳୁ ଇଡ଼ି ଶ୍ରୀ ସିଂହଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନ ଉପରେ ଚଢାଉ କରିଥିବା ଜଣାପଡ଼ିଛି। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଏହି ଚଢଉ ହେଉଥିବା ସୂଚନା ମିଳିଛି। ପୂର୍ବରୁ ଗତ ମେ ମାସରେ ସଞ୍ଜୟ ସିଂ ଓ ତାଙ୍କ ସହଯୋଗୀଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ରେଡ୍ ହୋଇଥିଲା। କୌଣସି ଅଘଟଣ ଆଶଙ୍କାରେ ଘର ଚାରିପଟେ ବହୁ ସୁରକ୍ଷା କର୍ମୀ ମୁତୟନ ହୋଇଛନ୍ତି। ସଞ୍ଜୟ ସିଂ ଗତକାଲି ରାତିରେ ତାଇୱାନ ପାଇଁ ଉଡ଼ାଣ ଭରିଥାଆନ୍ତେ। ସେଠାରେ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ସାମିଲ ହେବାର ଥିଲା। କିନ୍ତୁ ସରକାର ତାଙ୍କୁ ରାଜନୈତିକ ମଞ୍ଜରୀ ପ୍ରଦାନ କରିନଥିଲେ, ତେଣୁ ସେ ଉଡ଼ାଣ ଭରି ପାରିନଥିଲେ।

5. ଆସାମରେ ବାଲ୍ୟବିବାହ ମାମଲା, ୧୦୦୦ରୁ ଅଧିକ ଗିରଫ: ଆସାମରେ ବାଲ୍ୟ ବିବାହ ବିରୋଧରେ ରାଜ୍ୟବ୍ୟାପୀ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟରେ ମଙ୍ଗଳବାର ଏକ ହଜାରରୁ ଅଧିକ ଲୋକଙ୍କୁ ଗିରଫ କରିଛି ରାଜ୍ୟ ପୋଲିସ। ଅପରାହ୍ନ ୫ଟା ପର୍ଯ୍ୟନ୍ତ ୧୦୩୯ ଜଣଙ୍କୁ ଗିରଫ କରାଯାଇଛି। ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏହି ସୂଚନା ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭର ପ୍ରଥମ ପର୍ଯ୍ୟାୟରେ ସାରା ରାଜ୍ୟରେ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଥିଲା। ଶର୍ମା X (ଟ୍ୱିଟର)ରେ ଲେଖିଛନ୍ତି, ବାଲ୍ୟ ବିବାହ ବିରୋଧରେ ହୋଇଥିବା ବ୍ୟାପକ କାର୍ଯ୍ୟର ଅଂଶ ଭାବରେ ଆସାମ ପୋଲିସ ଏକ ସ୍ୱତନ୍ତ୍ର ଅପରେସନ କରି ୧୦୩୯ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଅଭିଯାନ ମଙ୍ଗଳବାର ଦିନ ଆରମ୍ଭ ହୋଇଥିଲା। ଅପରେସନ୍ ଜାରି ରହିଥିବାରୁ ଗିରଫ ସଂଖ୍ୟା ବଢିବାର ସମ୍ଭାବନା ରହିଛି।

6. ଛଟେଇ କରିବ ମେଟା: ଫେସବୁକର ମୂଳ କମ୍ପାନୀ ମେଟା ପୁଣି ଥରେ ବଡ଼ ଧରଣର ଛଟେଇ କରିବାକୁ ଯାଉଛି। ବୁଧବାର ମେଟା ଆଉ ଏକ ରାଉଣ୍ଡ ଛଟେଇ ଆରମ୍ଭ କରିବାକୁ ଯାଉଛି। ଏଥିରେ ଅତି କମରେ ୪ ହଜାର ଉଚ୍ଚ-କୁଶଳୀ କର୍ମଚାରୀ (ମେଟା କର୍ମଚାରୀ) ଛଟେଇ ହୋଇପାରିବେ। ଏଠାରେ କହି ରଖୁ କି ମେଟା ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ନିକଟରେ କହିଥିଲେ ଯେ ମେଟା ଏହାର ଖର୍ଚ୍ଚ ହ୍ରାସ କରିବାକୁ ଚେଷ୍ଟା କରୁଛି। ଏହା ବ୍ୟତୀତ ମାର୍କ ଜୁକରବର୍ଗ ମଧ୍ୟ ଘୋଷଣା କରିଛନ୍ତି ଯେ ଆସନ୍ତା ମାସରେ କମ୍ପାନୀ ୧୦ ହଜାର ଚାକିରି ହ୍ରାସ କରିବ।

7. ନଜରରେ ନିରଜ: ଚୀନରେ ଚାଲିଥିବା ଏସିଆନ ଗେମ୍ସରେ ଆଜି ଭାରତୀୟ ଖେଳାଳିଙ୍କ ଉପରେ ନଜର ରହିଛି। ଆଜି ଏସିଆନ୍ ଗେମ୍ସରେ ସମସ୍ତଙ୍କ ନଜରରେ ରହିବେ ଅଲିମ୍ପିକ୍ସ ଓ ୱାର୍ଲଡ ଚାମ୍ପିୟନ୍ ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା । ଆଜି ସେ ଟ୍ରାକକୁ ଓହ୍ଲାଇବେ । ୨୦୧୮ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ଜିତିସାରିଥିବା ନୀରଜ କ୍ରମାଗତ ଦ୍ବିତୀୟ ଥର ଲାଗି ଏହାକୁ ବଜାୟ ରଖିବାକୁ ଚେଷ୍ଟା କରିବେ। ତାଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନର ଅର୍ଶଦ ନଦୀମ ଆହତ କାରଣରୁ ଓହରିଯିବା ପରେ ନୀରଜଙ୍କ ବିଜୟ ସମ୍ଭାବନା ଅଧିକ ରହିଛି । ସେହିପରି ଜାଭେଲିନ୍ ଥ୍ରୋରେ ଓଡ଼ିଆ ପୁଅ କିଶୋର ଜେନା ମଧ୍ୟ ଭାଗ ନେବେ। ସେହିପରି ଆଥଲେଟିକ୍ସରେ ଭାରତୀୟ ଖେଳାଳିଙ୍କଠାରୁ ଅନେକ ଗୁଡିଏ ପଦକ ଆଶା କରାଯାଉଛି । ଗତକାଲି ମଧ୍ୟ ଆଥଲେଟିକ୍ସରେ ଭାରତକୁ ୨ଟି ସ୍ୱର୍ଣ୍ଣ ସହ ୬ଟି ପଦକ ମିଳିଥିଲା ।

8. ତ୍ରିପୁରାର ଦୁଇ ଗୋଷ୍ଠୀଙ୍କୁ ବ୍ୟାନ: କେନ୍ଦ୍ର ମଙ୍ଗଳବାର ଦିନ ତ୍ରିପୁରାର ବିଦ୍ରୋହୀ ଗୋଷ୍ଠୀକୁ ନ୍ୟାସନାଲ ଲିବରେସନ୍ ଫ୍ରଣ୍ଟ ଅଫ୍ ତ୍ରିପୁରା (NLFT) ଏବଂ ଅଲ୍ ତ୍ରିପୁରା ଟାଇଗର ଫୋର୍ସ (ଏଟିଟିଏଫ୍) ତଥା ସେମାନଙ୍କର ସହଯୋଗୀ ସଂଗଠନକୁ ବିଭିନ୍ନ ବିଦ୍ରୋହୀ କାର୍ଯ୍ୟରେ ଲିପ୍ତ ରହିବା ତଥା ଦେଶର ସାର୍ବଭୌମତ୍ୱ ପ୍ରତି ବିପଦ ଥିବାରୁ ସେମାନଙ୍କୁ ନିଷିଦ୍ଧ କରିଛି। ଏକ ବିଜ୍ଞପ୍ତିରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କହିଛି ଯେ NLFT ଏବଂ ATTF ର ଉଦ୍ଦେଶ୍ୟ ହେଉଛି ଉତ୍ତର-ପୂର୍ବ ରାଜ୍ୟର ଅନ୍ୟ ସଶସ୍ତ୍ର ବିଚ୍ଛିନ୍ନତାବାଦୀ ସଂଗଠନ ସହ ମିଳିତ ଭାବରେ ସଶସ୍ତ୍ର ସଂଗ୍ରାମ ମାଧ୍ୟମରେ ଭାରତରୁ ତ୍ରିପୁରା ବିଚ୍ଛିନ୍ନ କରିବା। ଏହା ସହିତ ଅନ୍ୟ ଏକ ସ୍ୱାଧୀନ ରାଷ୍ଟ୍ର ଗଠନ କରିବା ଏହି ଦୁଇ ଗୋଷ୍ଠୀଙ୍କ ଲକ୍ଷ୍ୟ ବୋଲି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ସୂଚନା ଦିଆଯାଇଥିଲା। 

9. ଇଡ଼ିକୁ ସୁପ୍ରିମକୋର୍ଟଙ୍କ ତାଗିଦ: ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କହିଛନ୍ତି ଯେ ଗିରଫ ସମୟରେ ଅଭିଯୁକ୍ତଙ୍କୁ ଲିଖିତ ଆକାରରେ ଏଜେନ୍ସି ଗିରଫଦାରୀର କାରଣ ପ୍ରଦାନ କରିବ। ଜଷ୍ଟିସ୍ ଏସ୍ ବୋପାନ୍ନା ଏବଂ ପିଭି ସଞ୍ଜୟ କୁମାରଙ୍କ ଏକ ବେଞ୍ଚ ଏଜେନ୍ସି ନିର୍ଦ୍ଦେଶ ଦେବାବେଳେ କହିଛନ୍ତି ଯେ, ବର୍ତ୍ତମାନଠାରୁ ଗିରଫ ହେବାର କାରଣର କୌଣସି ବ୍ୟତିକ୍ରମ ବିନା ଗିରଫ ବ୍ୟକ୍ତିଙ୍କୁ ଦିଆଯିବା ଆବଶ୍ୟକ। ଏକ ନିରପେକ୍ଷ ଏବଂ ସ୍ୱଚ୍ଛ ଢଙ୍ଗରେ କାର୍ଯ୍ୟ କରନ୍ତୁ | ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିବା M3M ରିଏଲ୍ ଇଷ୍ଟେଟ୍ ଗ୍ରୁପ୍ ନିର୍ଦ୍ଦେଶକ ପଙ୍କଜ ବନସାଲ ଏବଂ ବସନ୍ତ ବନସଲଙ୍କ ଦ୍ୱାରା ଏହି ନିଷ୍ପତ୍ତି ନିଆଯାଇଛି। 

10. ଦିନକ ପୂର୍ବରୁ ଶେଷ ହେଲା ମୌସୁମୀ ଅଧିବେଶନ: ବିଧାନସଭାର ମୌସୁମୀ ଅଧିବେଶନ ଦିନକ ପୂର୍ବରୁ ଶେଷ ହୋଇଛି। ସମୁଦାୟ ୮ ଟି କାର୍ଯ୍ୟ ଦିବସରୁ ୪ଟି ସରକାରୀ କାର୍ଯ୍ୟ ଦିବସ ସହ ସାତ ଦିନରେ ସରିଛି ଅଧିବେଶନ। ଏହି ଅଧିବେଶନରେ ୧୦ଟି ବିଲ୍‍ ଉପସ୍ଥାପନ କରାଯିବା ସହ ୧୩ଟି ସରକାରୀ ବିଧେୟକ ପାରିତ କରାଯାଇଛି। ଅତିରିକ୍ତ ବଜେଟ୍‍ ସହ ସରକାର ୪ଟି ପ୍ରସଙ୍ଗରେ ଗୃହକୁ ବିବୃତ୍ତି ଦେଇଛନ୍ତି।  ଅଧିବେଶନରେ ସମୁଦାୟ ୭୭୦ଟି ତାରକା ଚିହ୍ନିତ ପ୍ରଶ୍ନର ଉତ୍ତର ଦେବାକୁ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ ସମୟ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ ଏଥିରୁ ମାତ୍ର ୮ଟି ପ୍ରଶ୍ନର ଉତ୍ତର ଆଲୋଚନା କରାଯାଇପାରିଥିଲା। ବିରୋଧୀ ଦଳର ହଟ୍ଟଗୋଳଯୋଗୁ  ବିଧାନସଭା ବାରମ୍ବାର ମୁଲତବୀ ହୋଇଥିଲା।

Also Read: Odisha GI Tag 2023: ରସଗୋଲା ପରେ ରସାବଳୀକୁ ମିଳିଲା ଜିଆର ଟ୍ୟାଗ

Also Read: Gold Price Update: ୧୦୦୦ ଟଙ୍କାରୁ ଅଧିକ ଶସ୍ତା ହେଲା ସୁନା ଭରି, ଜାଣିନିଅନ୍ତୁ କେତେ ରହିଛି ଦର

Also Read: World Animal Day 2023: ୪ ଅକ୍ଟୋବରରେ ବିଶ୍ୱ ପଶୁ ଦିବସ ଭାବେ କାହିଁକି ପାଳନ କରାଯାଏ ଜାଣିଛନ୍ତି କି, ଜାଣନ୍ତୁ ଏହାର ଇତିହାସ