ବନ୍ଧାହେଲେ କୋଟିପତି ଫରେଷ୍ଟ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ପୁଳା ପୁଳା ଟଙ୍କା ସାଙ୍ଗକୁ ରଖିଥିଲେ ବନ୍ୟପ୍ରାଣୀ
Advertisement
Article Detail0/zeeodisha/odisha2396380

ବନ୍ଧାହେଲେ କୋଟିପତି ଫରେଷ୍ଟ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ପୁଳା ପୁଳା ଟଙ୍କା ସାଙ୍ଗକୁ ରଖିଥିଲେ ବନ୍ୟପ୍ରାଣୀ

Vigilance Arrested: ସେଠାରେ ଦୁଇଟି ବ୍ରଏଲର କୁକୁଡ଼ା ଫାର୍ମ ଥିବାବେଳେ ଏକାଥରକେ ୨୨ ହଜାର କୁକୁଡ଼ାର ରଖାଯିବାର ବ୍ୟବସ୍ଥା ରହିଛି। ଫାର୍ମ ଭିତର ତଥା ମୁଖ୍ୟ ଫାଟକ ନିକଟରେ ରହିଛି ଆଖି ଝଲସିବା ଭଳି ପାର୍କ ବା ପ୍ରମୋଦ ଉଦ୍ୟାନ।

ବନ୍ଧାହେଲେ କୋଟିପତି ଫରେଷ୍ଟ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ପୁଳା ପୁଳା ଟଙ୍କା ସାଙ୍ଗକୁ ରଖିଥିଲେ ବନ୍ୟପ୍ରାଣୀ

ଢେଙ୍କାନାଳ: ବନ୍ଧାହେଲେ ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ର। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ। ଏହାସହିତ ବନ୍ୟଜନ୍ତୁଙ୍କୁ ବନ୍ଦୀ କରି ରଖିବା ପାଇଁ ମଧ୍ୟ ତାଙ୍କ ବିରୁଦ୍ଧରେ ଡବ୍ଲୁଏଲପି ଆକ୍ଟ ୧୯୭୨ ଅନୁଯାୟର ମାମଲା ରୁଜ୍ଜୁ ହୋଇଛି। ଚଢ଼ଉ ବେଳେ ଭୁବନେଶ୍ବରରେ ଗୋଟିଏ ମୂଲ୍ୟବାନ୍ ଫ୍ଲାଟ, ହାଇଦ୍ରାବାଦରେ ୨ଟି ଫ୍ଲାଟ, ଭୁବନେଶ୍ବର ଏବଂ ଢେଙ୍କାନାଳରେ ୮ଟି ପ୍ଲଟ, ଆଠଗଡରେ ପାଖାପାଖି ୨ କୋଟି ଟଙ୍କାର ଗୋଟିଏ ଫାର୍ମ ହାଉସ, ୧ କୋଟି ଟଙ୍କାର ଡିପୋଜିଟ୍, ନଗଦ ୫ ଲକ୍ଷ ୧୫ ହଜାର ଟଙ୍କା, ୫୫୭ ଗ୍ରାମର ସୁନା, ୨ଟି ଚାରି ଚକିଆ ଠାବ କରିଛି ଭିଜିଲାନ୍ସ। 

ରେଞ୍ଜର୍‌ ଶ୍ରୀ ମିଶ୍ରଙ୍କର ଢେଙ୍କାନାଳ ସହର କାଲଟାକ୍ସ ଷ୍ଟେସନ୍‌ ରୋଡ୍‌ ରତ୍ନ ବଜାରରେ ଏକ ୩ ମହଲା କୋଠା ଓ ୨ ମହଲା କୋଠା, ସହରସ୍ଥିତ ସଂପର୍କୀୟଙ୍କ ଘର, କାର୍ଯ୍ୟାଳୟ, ସରକାରୀ ବାସଭବନ, କଟକ ଆଠଗଡ଼ ଥାନା ରାହାଙ୍ଗୁଳସ୍ଥିତ ଇସି ବ୍ରଏଲର୍‌ ଫାର୍ମ (ମିଶ୍ର ଫାର୍ମହାଉସ୍‌), ଆଠଗଡ଼ ବୀରକିଶୋରପୁରସ୍ଥିତ ପୈତୃକ ଘର, ଭୁବନେଶ୍ୱର ରସୁଲଗଡ଼ ଜିଜିପି କଲୋନିସ୍ଥିତ ‘ବ୍ରିନ୍ଦା ବସେରା’ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍‌ ଆଦି ୮ଟି ସ୍ଥାନରେ ଚଢ଼ଉ କରାଯାଇଛି। ୭ ଜଣ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୬ ଇନ୍‌ସପେକ୍ଟର, ୬ ଜଣ ଏସ୍‌ଆଇ ଓ ଅନ୍ୟ କର୍ମଚାରୀ ଚଢ଼ଉରେ ସାମିଲ ହୋଇଥିଲେ।

ଘର ଭିତର, ବାହାର ସାଜସଜ୍ଜା ଓ ଟଙ୍କାପଇସା ଦେଖି ଭିଜିଲାନ୍ସ ଅଧିକାରୀଙ୍କ ଆଖି ଖୋସି ହୋଇ ଯାଇଥିଲା। ଚଢ଼ଉ ଚାଲିଥିବାବେଳେ ଶ୍ରୀ ମିଶ୍ର ୫୦୦ ଟଙ୍କିଆ ୨ଟି ନୋଟ୍‌ ବିଡ଼ା ଟଏଲେଟ୍‌ ଫ୍ଲସ୍‌ ଟ୍ୟାଙ୍କରେ ପୂରେଇ ଦେଇଥିଲେ। ସେହିପରି ଘର ପରିସରରେ ରହିଥିବା ଏକ ଗାଡ଼ି ଭିତରେ ଲୁଚାଇ ରଖାଯାଇଥିବା ୪ ଲକ୍ଷ ୯୨ ହଜାର ଟଙ୍କାକୁ ମଧ୍ୟ ଜବତ କରାଯାଇଛି। ଘରେ ଶାଗୁଆନ କାଠର ଫର୍ଣ୍ଣିଚର, କବାଟ, ସିଲିଂ, କପ୍‌ବୋର୍ଡ ଆଦି ସୌଖୀନ ସାମଗ୍ରୀର ସାଜସଜ୍ଜା ସାଙ୍ଗକୁ ଭଳିକି ଭଳି ଦାମୀ ହାତଘଣ୍ଟା, ହୀରା, ସୁନାରୁପା ଅଳଙ୍କାର, କାର, ୨ଟି ଆକ୍ଟିଭା ସ୍କୁଟର, ଗୋଟିଏ ମଟରସାଇକେଲ ସମେତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଆଠଗଡ଼ ରାହାଙ୍ଗୁଳସ୍ଥିତ ୮ ଏକର ଜମି ଉପରେ ଶ୍ରୀ ମିଶ୍ରଙ୍କର ଏକ ବିଶାଳ ଫାର୍ମହାଉସ ମଧ୍ୟ ଠାବ କରିଛି ଭିଜିଲାନ୍ସ। ସେଠାରେ ଦୁଇଟି ବ୍ରଏଲର କୁକୁଡ଼ା ଫାର୍ମ ଥିବାବେଳେ ଏକାଥରକେ ୨୨ ହଜାର କୁକୁଡ଼ାର ରଖାଯିବାର ବ୍ୟବସ୍ଥା ରହିଛି। ଫାର୍ମ ଭିତର ତଥା ମୁଖ୍ୟ ଫାଟକ ନିକଟରେ ରହିଛି ଆଖି ଝଲସିବା ଭଳି ପାର୍କ ବା ପ୍ରମୋଦ ଉଦ୍ୟାନ। ଏହି ପାର୍କରେ ବିଭିନ୍ନ କିସମର ଫୁଲଫଳ, ଗଛ, ଘାସର ସୁଦୀର୍ଘ ଗାଲିଚା, ସିମେଣ୍ଟରେ ତିଆରି ଭାଲୁ, କଇଁଛ, ବୁଦ୍ଧଦେବ ଓ ଶିବଲିଙ୍ଗ, ମନୋରଞ୍ଜନ ପାଇଁ ବିଭିନ୍ନ ପ୍ରକାରର ଦୋଳି, ଆଖିଦୃଶିଆ ଖୋଲା ଡାଇନିଂ ପ୍ଲେସ, ଏକାଧିକ କଂକ୍ରିଟ୍‌ ବେଞ୍ଚ, ବିଶ୍ରାମ ନେବା ପାଇଁ ଦ୍ବିତଳ ପ୍ରାସାଦ ଇତ୍ୟାଦି ରହିଛି। ଆହୁରି ମଧ୍ୟ ଫାର୍ମ ହାଉସ୍‌ର ପାର୍କକୁ ଲାଗି ତାରଜାଲି ଘେରା ଛୋଟଛୋଟ ଆଜବେଷ୍ଟସ୍‌ ସେଡ୍‌ରେ ଠେକୁଆ, ମୟୂର, ଶୁଆ, ହଂସ ଆଦି ରଙ୍ଗବେରଙ୍ଗର ବନ୍ୟ ପଶୁପକ୍ଷୀଙ୍କୁ ରଖାଯାଇଛି। ବନ ଅଧିକାରୀ ହୋଇଥିଲେ ମଧ୍ୟ ରେଞ୍ଜର ଶ୍ରୀ ମିଶ୍ର କିଭଳି ବେଆଇନ ଭାବେ ଆବଦ୍ଧ କରି ବନ୍ୟ ପଶୁପକ୍ଷୀଙ୍କୁ ରଖିଛନ୍ତି, ତାହା ଭିଜିଲାନ୍ସ ଟିମ୍‌କୁ ଚକିତ କରିଛି। ଏଥିସହ ଦେଶୀ ବନରାଜ କୁକୁଡ଼ା, ବତକ, ବିଭିନ୍ନ ରଙ୍ଗର ପାରା ମଧ୍ୟ ଏଠାରେ ରହିଥିବା ଦେଖିବାକୁ ମିଳିଛି।