Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2197224

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.ଛତିଶଗଡ଼ର ଦୁର୍ଗ ନିକଟସ୍ଥ କୁମହରୀଠାରେ ଏକ ଟ୍ରକ ମୋରମ ଖଣି ମଧ୍ୟକୁ ଖସି ପଡ଼ିବାରୁ ୧୨ଜଣଙ୍କ ମୃତ୍ୟୁ ଆଶଙ୍କା କରାଯାଇଛି। ଅନ୍ୟ ୧୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ଆଠଟା ବେଳେ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ଟ୍ରକ ଏପରି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଏମ୍ସ ହସ୍ପିଟାଲ୍‍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। 

2.ଆସନ୍ତା ମୌସୁମୀ ସ୍ୱାଭାବିକ ରହିବ। ଭାରତର ବିଭିନ୍ନ ସ୍ଥାନରେ ଯେମିତି ବର୍ଷା ହେବା କଥା ତାହା ହେବ ବୋଲି ପୂର୍ବାନୁମାନ କରିଛି ସ୍କାଏମେଟ୍‍ ପାଣିପାଗ ସଂସ୍ଥା। ଜୁନରୁ ସେପ୍ଟେମ୍ବର ମାସ ଯାଏ ଏହି ବର୍ଷା ଆକଳନ କରିଛି ସ୍କାଏମେଟ୍‍। ସ୍କାଏମେଟ୍‍ ପରିଚାଳନା ନିର୍ଦ୍ଦେଶକ ଜତୀନ ସିଂହ କହିଛନ୍ତି ଏଲ୍‍ନିନୋ କ୍ରମଶଃ ଲା ନିନାରେ ପରିଣତ ହୋଇଛି। ଏବଂ ଏହି ସମୟରେ ମୌସୁମି ପ୍ରବାହ ଭଲ ରହିଥାଏ। ତଥାପି ପ୍ରଥମାର୍ଦ୍ଧରେ ବିଳମ୍ବ ବର୍ଷା ହୋଇପାରେ। କିନ୍ତୁ ଏହି ମୌସୁମୀ ଋତୁର ଶେଷ ଆଡ଼କୁ ଭଲ ବର୍ଷା ହେବ। 

3.ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନଙ୍କୁ ସମସ୍ତ ସମ୍ପତ୍ତିର ହିସାବ ଦେବା ଆବଶ୍ୟକ ନାହିଁ। କେବଳ ଯେଉଁ ସମ୍ପତ୍ତି ସବୁ ସେମାନଙ୍କ ସାଧାରଣ ପ୍ରତିଛବିକୁ ପ୍ରଭାବିତ କରୁଥିବା ତାହା ଦର୍ଶାଇପାରିବେ ବୋଲି କହିଛନ୍ତି ସୁପ୍ରିମ କୋର୍ଟ। ବ୍ୟକ୍ତିଗତ ଗୋପନୀୟତାକୁ ଦୃଷ୍ଟିରେ ରଖି କୋର୍ଟ ଏହି ରାୟ ଦେଇଛନ୍ତି। 

4.ବିଦେଶର ୨୫ ରାଜନୀତିକ ଦଳଙ୍କୁ ଭାରତର ଲୋକସଭା ନିର୍ବାଚନ, ପ୍ରଚାର ବିଷୟରେ ସାକ୍ଷୀ ହେବା ଲାଗି ବିଜେପି ନିମନ୍ତ୍ରଣ କରିଛି। ସେମାନଙ୍କ ଭିତରୁ ୧୩ ଦେଶର ରାଜନୀତିକ ଦଳ ଭାରତକୁ ସେମାନଙ୍କ ପ୍ରତିନିଧି ପଠାଇବାକୁ ସହତି ପଠାଇଥିବା ଜଣାପଡ଼ିଛ। ଦଳ ପକ୍ଷରୁ ପରବର୍ତ୍ତୀ ସମୟରେ ଏହା ସ୍ପଷ୍ଟ କରାଯିବ ବୋଲି ସୂଚନା ମିଳିଛି। ଆମେରିକା, ଇଂଲଣ୍ଡ ଭଳି ସଂସଦୀୟ ଗଣତନ୍ତ୍ରର ଜନକ ଭାବେ ପରିଚିତ ରାଷ୍ଟ୍ରଙ୍କ ଉଭୟ ଶାସକ ଏବଂ ବିରୋଧୀ ଦଳଙ୍କୁ ନିମନ୍ତ୍ରଣ କରିଛି ବିଜେପି। ହେଲେ ପଡ଼ୋଶୀ ଚୀନ ଓ ପାକିସ୍ତାନକୁ ନିମନ୍ତ୍ରଣ କାଯାଇ ନାହିଁ।
 
5.ଆସନ୍ତା ଦିନମାନଙ୍କରେ ଦେଶରେ ହରଡ଼ ଡାଲି ଦାମ ବଢ଼ିପାରେ।  କେନ୍ଦ୍ର ସରକାରଙ୍କ ସମ୍ପୃକ୍ତ ବିଭାଗ ଏହା ଉପେ ନଜର ରଖି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଏ ବିଷୟରେ ଷ୍ଟକ୍‍ ଯାଞ୍ଚ ଓ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ନିରଦ୍ଦେଶ ଦେଇଛନ୍ତି। ଭାରତ ଆମଦାନୀ କରିଥିବା ହରଡ଼ ଡାଲି ଏବଂ ମଟର ଏବେ ବ୍ୟବସାୟୀଙ୍କ ପାଖରେ ପହଞ୍ଚି ନାହିଁ। କଷ୍ଟମ୍‍ ବିଭାଗ ପାଖରେ ଏହା ପଡ଼ି ରହିଥିବା କହିଛି ମନ୍ତ୍ରଣାଳୟ। 

6.ବାବା ରାମଦେବ ଏବଂ ପାତଞ୍ଜଳି ଆୟୁର୍ବେଦର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲାକ୍ରିଷ୍ଣନ୍‍ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି। ସୁପ୍ରିମ୍‍ କୋର୍ଟଙ୍କ ପାଖରେ ଏକ ସତ୍ୟପାଠ ଏହି ଉଦ୍ଦେଶ୍ୟରେ ମଧ୍ୟ ଦାଖଲ କରିଛନ୍ତି।   ବିଭିନ୍ନ ରୋଗ ଭଲ କରିଦେବା ତଥା ଆଲୋପାଥିକୁ ବ୍ୟଙ୍ଗ କରିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ମାମଲା ଚାଲିଛି। 

7.ମେ’ମାସ ୧୩ ତାରିଖ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷାଫଳ ପ୍ରକାଶ ପାଇବ। ସାଧାରଣ ନିର୍ବାଚନ ପୂର୍ବରୁ ଫଳ ପ୍ରକାଶ ପାଇଁ ସିଏଚ୍‍ଏସ୍‍ଇ ନିଷ୍ପତ୍ତି ନେଇଛି। ଖାଲି ସେତିକି ନୁହେଁ ଗୋଟିଏ ସମୟରେ ସମସ୍ତ ବିଭାଗର ଫଳାଫଳ ପ୍ରକାଶ କରିବାକୁ କେନ୍ଦ୍ର ଲକ୍ଷ ରଖିଛି। ମାର୍ଚ୍ଚ ୨୦ରେ ଯୁକ୍ତ ଦୁଇ ପରୀକ୍ଷା ଶେଷ ହୋଇ ଏବେ ମୂଲ୍ୟାୟନ ଚାଲିଛି। 

8.ପଣାସଂକ୍ରାନ୍ତି ଯାଏ କାଁଭାଁ ବର୍ଷା ହେବ। ଏହାପରେ ରାଜ୍ୟର ସମସ୍ତ ଅଞ୍ଚଳରେ ତାତି ବଢ଼ିବ। ଏପରିକି କେତେକ ସ୍ଥାନରେ ଏପ୍ରିଲ୍‍ ୧୬ରୁ ୧୮ ମଧ୍ୟରେ ୪୨ ଡିଗ୍ରୀ ତାପମାତ୍ରା ଛୁଇଁବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

9.ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ବନକ ଲାଗି ନୀତି ଯୋଗୁ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ପରେ ଏହି ନୀତି ଅନୁଷ୍ଠିତ ହେବ। ପ୍ରାୟ ୪ଟା ବେଳୁ ଦର୍ଶନ ବାରଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। 

10.ପଣା ସଂକ୍ରାନ୍ତିକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଶ୍ରୀମନ୍ଦିର ମୁକ୍ତି ମଣ୍ଡପ ପଣ୍ଡିତ ସଭା ଅନୁମୋଦନ ଦେଇଥିବା କିଛି ପଞ୍ଜିକାରେ ଏପ୍ରିଲ୍‍ ୧୪ ତାରିଖ ସଂଗ୍ରାନ୍ତି ବୋଲି ଉଲ୍ଲଖ ରହିଛି କିନ୍ତୁ ସୂର୍ଯ୍ୟ ସିଦ୍ଧାନ୍ତ, ରାଷ୍ଟ୍ରୀୟ ପଞ୍ଚାଙ୍ଗ ପ୍ରଭୃତି ସମସ୍ତ ଗଣନାରେ ଏହା ଏପ୍ରିଲ୍‍ ୧୩ ତାରିଖ ଉଲ୍ଲେଖ ଥିବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ସାମନ୍ତ  ଚନ୍ଦ୍ରଶେଖର ସ୍ମୃତି ପରିଷଦର କୋଷାଗାର ତଥା ଗଣନାକାର ଦୋଳଗୋବିନ୍ଦ ପଣ୍ଡା।