Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1952748

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.ଲସ୍କର କମାଣ୍ଡରଙ୍କୁ ହତ୍ୟା: ପାକିସ୍ତାନର ଖାଇବର ଅଞ୍ଚଳରେ ଲସ୍କର-ଏ-ତୋଇବା ଆତଙ୍କବାଦୀ ସଂଗଠନର କମାଣ୍ଡର ଆକ୍ରାମ ଖାନ୍‍ଙ୍କୁ ଅଜଣା ଆତତାୟୀ ହତ୍ୟା କରିଛନ୍ତି। ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର ତଥା ଅନେକ ଆକ୍ରମଣରେ ଲିପ୍ତ ଆତଙ୍କବାଦୀଙ୍କ ଭିତରେ ଆକ୍ରାମ ଅନ୍ୟତମ।  କିଛିଦିନ ପୂର୍ବରୁ ରବିବାର ଦିନ ଖ୍ୱାଜା ସହିଦଙ୍କୁ ଏହି ପରି ଅଜଣା ଆତତାୟୀ ହତ୍ୟା କରିଥିଲେ। ସଂଗଠନ ଭିତରେ ବିଭାଜନ ଓ କନ୍ଦଳ ଏହାର କାରଣ ହୋଇପାରେ ବୋଲି ଆଶଙ୍କା କରାଯାଇଛି। 

2. ଗ୍ୟାରେଣ୍ଟର ଦେବାଳିଆ ଘୋଷଣା ହୋଇପାରନ୍ତି: ଋଣ ପାଇଁ ଗ୍ୟାରେଣ୍ଟର ହେଉଥିଲେ ସାବଧାନ। ଯଦି ସମ୍ପୃକ୍ତ ଋଣ ଗ୍ରହୀତା ଶୁଝିଲେ ନାହିଁ ତେବେ ବ୍ୟାଙ୍କ ଆପଣଙ୍କ ବିରୁଦ୍ଧରେ ଆଇନ ଅନୁସାରେ ଦେବାଳିଆ ଘୋଷଣା ପାଇଁ କାର୍ଯ୍ୟାନୁଷ୍ଠାନ ନେଇପାରେ। ବିଭିନ୍ନ କମ୍ପାନୀରେ ବାହାରେ ଥିବା ପ୍ରୋତ୍ସାହନକାରୀଙ୍କୁ ଏହା ପ୍ରଭାବିତ କରିବ। ସୁପ୍ରିମ୍‍କୋର୍ଟ ଦେବାଳିଆପଣ ଆଇନକୁ ତର୍ଜମା କରି ଏହି ରାୟ ଶୁଣାଇଛନ୍ତି। ଏଯାଏ ଦେଶରେ ଦେବାଳିଆପଣ ଆଇନ ଅନୁସାରା ୨୩୦୦ ମାମଲା ଦାୟର ହୋଇଛି।  ଯେଉଁଥିରେ ୧.୬ ଲକ୍ଷ କୋଟି ଟଙ୍କା ଅଭିଯୋଗ ସମ୍ପୃକ୍ତ। 

3.ଜାପାନରେ ଚାଲିବ ୟୁପିଆଇ: ଭାରତର ସୁରକ୍ଷିତ ଡିଜିଟାଲ୍‍ ପେମେଣ୍ଟ ବ୍ୟବସ୍ଥା ‘ୟୁପିଆଇ’ ଜାପାନରେ ବି ଚାଲିବ। ସିଙ୍ଗାପୁର ପରେ ଏହି ଆହ୍ୱାନ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ଏହାଦ୍ୱାରା ସୀମା ପାର କାରବାରରେ ବ୍ୟୟ କମିବ ବୋଲି ସେ ଆଶା କରିଛନ୍ତି। 

4.ଇଂଲଣ୍ଡର ‘ନିରାପଦ ତାଲିକା’ରେ ଭାରତ: ଇଂଲଣ୍ଡର ସଂସଦ ଭାରତକୁ ‘ନିରାପଦ ଦେଶ ତାଲିକା’ରେ ସାମିଲ୍‍ କରିବାକୁ ଯାଉଛି। ହାଉସ୍‍ ଅଫ୍‍ କମନ୍ସରେ ଏନେଇ ଏକ ପ୍ରସ୍ତାବ ଆଗତ କରାଯାଇଛି। ଏହାଦ୍ୱାରା ଭାରତରୁ ବେଆଇନ ଭାବେ ଯାଇ ତାଙ୍କ ଦେଶରେ କେହି ଶରଣାର୍ଥୀ ହୋଇପାରିବେ ନାହିଁ। ଭାରତ ସହ ଜର୍ଜିଆ ମଧ୍ୟ ଏହି ତାଲିକାରେ ସାମିଲ୍‍ ହେବ। ଇଂଲଣ୍ଡ ଉପକୂଳରେ ବିଭିନ୍ନ ସମୟରେ ଏପରି ବେଆଇନ ଭାବେ ଆସିଥିବା ଲୋକଙ୍କୁ ନେଇ ରାଜନୀତିକ ସମସ୍ୟା ସୃଷ୍ଟି ହୋଇଥିଲା। ଯାହାକୁ ଦାୟିତ୍ୱପୂର୍ଣ୍ଣ ସହକାରେ ସମାଧାନ କରିବା ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପାଇଁ ଆହ୍ୱାନ ହୋଇରହିଥିଲା। 

5. ମହୂଆଙ୍କ ବିରୁଦ୍ଧରେ ସଦାଚାର କମିଟିର ରିପୋର୍ଟ: ଲୋକସଭାର ସଦାଚାର କମିଟି ଗୁରୁବାର ଅପରାହ୍ଣରେ ସାଂସଦ ମହୂଆ ମୈତ୍ରଙ୍କ ବିରୁଦ୍ଧରେ ସୁପାରିସ ପ୍ରସ୍ତାବକୁ ଗ୍ରହଣ କରିଛି। ଏଥିରେ ସାଂସଦ ମୈତ୍ରଙ୍କ ସାଂସଦ ପଦକୁ ରଦ୍ଦ କରିବା ପାଇଁ କମିଟି ସୁପାରିସ କରିଛି। ୫୦୦ ପୃଷ୍ଠାର ଏହି ରିପୋର୍ଟକୁ ନେଇ ବିରୋଧୀ ଦଳ ଆପତ୍ତି ଉଠାଇଛି। ଏହା ‘କଙ୍ଗାରୁ’ କୋର୍ଟଙ୍କ ନିଷ୍ପତ୍ତି ବୋଲି ବିରୋଧୀ ଦଳ କହିଛି। ଏହି ରିପୋର୍ଟକୁ ବାଚସ୍ପତି ଓମ୍‍ ବିର୍ଲାଙ୍କୁ କମିଟି ପ୍ରଦାନ କରିବ। ଗୃହରେ ଉପସ୍ଥାପନ ପରେ ଯଦି ଗୃହ ଏହାକୁ ଗ୍ରହଣ କରେ ତେବେ ମହୂଆଙ୍କ ସାଂସଦ ପଦବୀ ରଦ୍ଦ ହେବ। 

6.ଡିସେମ୍ବର ୪ରୁ ସଂସଦର ଶୀତ ଅଧିବେଶନ: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ରୁ ଆରମ୍ଭ ହୋଇ ୨୨ ତାରିଖ ଯାଏ ଚାଲିବ। ଏହି ୧୯ ଦିନ ସମୟରେ ୧୫ଟି କାର୍ଯ୍ୟ ଦିବସ ରହିବ। ନୂଆ ସଦନରେ ପ୍ରଥମ ସାଧାରଣ ଅଧିବେଶନ ଭାବେ ଏହି ଶୀତକାଳୀନ ଅଧିବେଶନ ପରିଗଣିତ ହେବ। ଏ ବିଷୟରେ ସଂସଦୀୟ ବ୍ୟପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶନର ଠିକ୍‍ ପରଦିନ ଏହି ଅଧିବେଶନ ଆରମ୍ଭ ହେବାକୁ ଯାଉଛି। 

7.୧୪ରେ ଲଘୁଚାପ: ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ୧୫ ତାରିଖ ଦିନ ଏବଂ ଉପକୂଳରେ ୧୬ ତାରିଖ ଦିନ ବର୍ଷା ହୋଇପାରେ। ଏହାପର ତାପମାତ୍ରା ଆହୁରି ଖସିବାର ସମ୍ଭାବନା ରହିଛି। 

8.ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ମାମଲାର ତ୍ୱରିତ ବିଚାର: ନିର୍ବାଚିତ ସାଂସଦ ଓ ବିଧାୟକଙ୍କ ବିରୁଦ୍ଧରେ ଥିବା ବିଭିନ୍ନ ଫୌଜଦାରୀ ମାମଲା ଯେଉଁଗୁଡ଼ିକରେ ଅତିକମ୍‍ରେ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ ସେଗୁଡ଼ିକୁ ତ୍ୱରିତ ବିଚାର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ ସେମାନଙ୍କ ସୁବିଧା ଅନୁସାରେ ଏପରି ମାମଲା ଗୁଡ଼ିକୁ ଧ୍ୟାନ ଦେବାକୁ କହିଛନ୍ତି। ଏଥିପାଇଁ ଆବଶ୍ୟକ ହେଲେ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ ନିୟମିତ ଶୁଣାଣିକୁ କୋର୍ଟ ଧ୍ୟାନ ଦେଇପାରନ୍ତି। 

9.ଆୟୁର୍ବେଦୀୟ ଡାକ୍ତରଙ୍କ ଘରେ ଚଢ଼ଉ: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବଲାଙ୍ଗୀର ଆୟୁର୍ବୀୟ କଲେଜ ଅଧ୍ୟକ୍ଷ ସୁଦର୍ଶନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଭୁବନେଶ୍ବର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ର କ୍ଷମତା ବଳରେ ୮ ଜଣ ଡିଏସପି, ୬ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକକାଳୀନ ୬ ସ୍ଥାନରେ ଚଢ଼ଉ ହୋଇଛି। ତାଙ୍କ ନାଁରେ  ୨୮ଟି ଜମି ଦଲିଲ ଏବଂ ୩ଟି କୋଠା ସହ ତିନିଟି ଦାମୀ କାର୍ ଓ  ଗୋଟିଏ ବାଇକ୍ ଥିବା ମଧ୍ୟ ଜାଣିବାକୁ ପାଇଛି ଭିଜିଲାନ୍ସ।  

10.ନୂଆ ଅବକାରୀ ନିୟମ: ମଦ ଦୋକାନରେ ମଦ ବିକ୍ରି ବେଳେ ଗ୍ରାହକଙ୍କୁ ସାମଗ୍ରୀ ସହ ବିଲ୍‍ ଦେବାକୁ ହେବ। ଯଦି ଏଥିରେ ଖିଲାଫ କରିବେ ତେବେ ଏକ ଲକ୍ଷ ଟଙ୍କା ଯାଏ ତଣ୍ଡ ଗଣିବାକୁ ହେବ। ଏପରିକି ଦେକାନୀଙ୍କ ଲାଇସେନ୍ସ ରଦ୍ଦ କରାଯାଇ ଦୋକାନ ସିଲ୍‍ କରିଦିଆଯାଇପାରେ। ରାଜ୍ୟ ସରକାର ଅବକାରୀ ନିୟମକୁ କଡ଼ାକଡ଼ି କାର୍ଯ୍ୟ କରିବାକୁ ଯାଇ ଏହି ନିୟମ ପ୍ରଣୟନ କରିଛନ୍ତି। ଏହାଦ୍ୱାରା ଚୋରା କାରବାର, ଟିକସ ଠକେଇକୁ ରୋକାଯାଇପାରିବ ବୋଲି ଆଶା କରାଯାଇଛି।