)
H.1-୧୬ ନମ୍ୱର ଜାତୀୟ ରାଜପଥ ନିକଟ ବାରବାଟିଠାରେ ବସ୍ ଦୁର୍ଘଟଣା । ଓଭରବ୍ରିଜରୁ ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି ଯାତ୍ରୀବାହୀ ବସ୍ । ଫଳରେ ୫ ଜଣ ମତ୍ୟୁବରଣ କରିଥିବାବେଳେ ୫ଜଣଙ୍କ ଅବସ୍ଥା ଅଧିକ ଗୁରୁତର ରହିଛି । ଏଥିସହ ୪୦ରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ବସରେ ସମୁଦାୟ ୫୦ରୁ ଉର୍ଦ୍ଧ ଯାତ୍ରୀଥିଲେ ବୋଲି ସୂଚନା ମିଳିଛି ।ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏଥି ସହିତ ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ନିମନ୍ତେ ୩ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।
H.2-ଆଜି ପବିତ୍ର ଅଶୋକାଷ୍ଟମୀ । ଏନେଇ ଚଳଚଞ୍ଚଳ ପ୍ରଭୁ ଲିଙ୍ଗରାଜଙ୍କ ପୀଠ। ଶ୍ରୀ-ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ ରୁକୁଣା ରଥଯାତ୍ରା ନୀତିକାନ୍ତି ଆଜି ସକାଳ ୫ ଟାରୁ ଆରମ୍ଭ ହୋଇଛି। ନୀତିକାନ୍ତି ଶେଷ ପରେ ଅପରାହ୍ନ ୩:୩୦ରେ ରଥ ଟଣା ଆରମ୍ଭ ହେବ ବୋଲି ସୂଚାନ ମିଳିଛି। ରଥଯାତ୍ରାକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ମନ୍ଦିର କମିଟି ଓ କମିସନରେଟ ପୋଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।
H.3-ଜନସାଧାରଣ ପ୍ରକଳ୍ପ ବା ସରକାରୀ ପ୍ରକଳ୍ପକୁ ସ୍ଥଗିତ ରଖିବା ଏବଂ ଭାରତର ଆର୍ଥିକ ସ୍ୱାର୍ଥକୁ ପ୍ରଭାବିତ କରିବା ପାଇଁ ଭାରତୀୟ ଏନଜିଓ / ଟ୍ରଷ୍ଟକୁ ଅର୍ଥ ପ୍ରଦାନରେ ବିଦେଶୀ ସଂସ୍ଥାଗୁଡ଼ିକର ମିଳିତ ପ୍ରୟାସ ରହିଛି ବୋଲି ଆୟକର ବିଭାଗ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେଇଛି। ଟ୍ୟାକ୍ସ ରିଟର୍ଣ୍ଣର ପୁନଃ ମୂଲ୍ୟାଙ୍କନ ପାଇଁ ଏହାକୁ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି।ସର୍ବୋଚ୍ଚ ଅଦାଲତରେ ଦାଖଲ ହୋଇଥିବା ଏକ ଆଫିଡେଭିଟ୍ରେ ଆଇଟି ବିଭାଗ କହିଛି ଯେ ଏହାର ଅନୁସନ୍ଧାନ ୱିଙ୍ଗ ସେପ୍ଟେମ୍ବର ୭, ୨୦୨୨ ରେ ଏନଜିଓ ବିରୋଧରେ ଏକ ସର୍ଭେ ଆରମ୍ଭ କରିଛି ଏବଂ “ସାମଗ୍ରୀ ବିଶ୍ଳେଷଣ କରିବା ପରେ ଏବଂ ପ୍ରମାଣ ଉପରେ ନିରପେକ୍ଷ ପ୍ରୟୋଗ ଉପରେ ଆଧାର କରି ଏହା ଜଣାପଡିଛି।” ଏହାର “କାର୍ଯ୍ୟକଳାପଗୁଡ଼ିକ ନା ବାସ୍ତବିକ କିମ୍ବା ଟ୍ରଷ୍ଟର ହୀତକୁ ଦୃଷ୍ଟିରେ ରଖି କରାଯାଉଛି”।
H.4-ରାଜ୍ୟରେ ଗ୍ରୀଷ୍ମର ଉତ୍ତାପ ଧିରେ ଧିରେ ବଢ଼ିବାରେ ଲାଗିଛି । ଭୁବନେଶ୍ୱର ସବୁଠୁ ଉତ୍ତପ୍ତ ସ୍ଥାନ ପାଲଟିଥିବାବେଳେ ଗତକାଲି ତାପମାତ୍ରା ୪୧.୨°C ରେକର୍ଡ କରାଯାଇଛି । ସେହିପରି ଚାନ୍ଦବାଲିରେ ୪୧.୧°C, ଝାରସୁଗୁଡାରେ ୪୧°C, ବାଲେଶ୍ୱରରେ ୪୦°C ରେକର୍ଡ କରାଯାଇଛି । ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ କରୁଛି। ତଥା ସୂର୍ଯ୍ୟ କିରଣର ତୀବ୍ରତା ବୃଦ୍ଧି ପାଉଥିବାରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ଧୀରେ ଧୀରେ ୪ ରୁ ୬ ଡ଼ିଗ୍ରୀ ଯାଇଁ ବୃଦ୍ଧି ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ତାପମାତ୍ରା ୪୦ଡ଼ିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡ଼ିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଏହି ପାଣିପାଗ ସ୍ତିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି।
H.5-ସ୍ୱଚ୍ଛ ଋଣ କାରବାରକୁ ପ୍ରୋତ୍ସାହନ ଦେବାକୁ ଯାଇ ଭାରତର ରିଜର୍ଭ ବ୍ୟାଙ୍କ ତତ୍ପର ହୋଇଛନ୍ତି। ବ୍ୟାଙ୍କଗୁଡ଼ିକ ଯେଉଁଭଳି ଭାବେ ଗୋପନୀୟ ସର୍ତ୍ତ ( ହିଡେନ୍ ଟର୍ମସ) ବ୍ୟବହାର କରୁଛନ୍ତି ସେଥିରୁ ଗ୍ରାହକଙ୍କୁ ମୁକ୍ତି ଦେବା ଲାଗି ବ୍ୟବସ୍ଥା କରିଛନ୍ତି। ଏହି ଅନୁସାରେ ଗ୍ରହକ ନେଇଥିବା ଋଣର ମୌଳିକ ସୂଚନାକୁ ପ୍ରତିବର୍ଷ ଅକ୍ଟୋବର ୧ ତାରିଖ ଦିନ ଗ୍ରାହକଙ୍କୁ ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରିଜର୍ଭ ବ୍ୟାଙ୍କ। ଏହାକୁ ବ୍ୟାଙ୍କ ‘କି’ ଫ୍ୟାକ୍ଟସ ଷ୍ଟେଟମେଣ୍ଟ’ ବା ‘ମୌଳିକ ସୂଚନାପତ୍ର’ ଭାବେ ଅଭିହିତ କରାଯିବ।ଏହି ମୌଳିକ ସୂଚନାପତ୍ରରେ ଗ୍ରାହକ ନେଇଥିବା ଋଣର ସମସ୍ତ ମୌଳିକ ବିବରଣୀ ରହିବ। ସେ ବ୍ୟବସାୟିକ ଋଣ ହେଉ ବା ବ୍ୟକ୍ତିଗତ ଋଣ ସବୁ କ୍ଷେତ୍ରରେ ଏହା ଲାଗୁ ହେବ। ଏହି ସୂଚନା ପତ୍ରରେ ଋଣ ବାବଦୀୟ ସୁଧ, ଋଣ ଆଦାୟ କରିବା ନୀତି, ଏଜେଣ୍ଟ ନୀତି, କାହାକୁ ସମ୍ପର୍କ କରିବେ ତାଙ୍କ ସୂଚନା, ଋଣ ଆଉ କାହାକୁ ବିକ୍ରି ହେବାର ସୂଚନା, ସହ ସାଧାରଣ ଋଣ ସଳଚନା ସବୁ ରହିବ।
H.6-ମଧ୍ୟ ପୂର୍ବରେ ଇସ୍ରାଏଲ-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଶିଖରରେ ପହଞ୍ଚିସାରିଛି। ଗତ ଶନିବାର ରାତିରେ ଇରାନ ପକ୍ଷରୁ ଇସ୍ରାଏଲ ଉପରେ ଶହ ଶହ ଡ୍ରୋନ୍, କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସହ ଆକ୍ରମଣ କରାଯାଇଥିଲା। ଏହି ଯୁଦ୍ଧକୁ ନେଇ ସୃଷ୍ଟି ହୋଇଥିବା ଉତ୍ତେଜନାର ପ୍ରଭାବ ସାମଗ୍ର ବିଶ୍ୱରେ ଦେଖିବାକୁ ମିଳିଥିଲା। ଏହି ଯୁଦ୍ଧ ହେତୁ ସମଗ୍ର ବିଶ୍ୱରେ ଦରଦାମ ବୃଦ୍ଧି ହୋଇପାରେ। ଏହା ସହିତ ଅଶୋଧିତ ତୈଳ ମୂଲ୍ୟରେ ମଧ୍ୟ ବୃଦ୍ଧି ହୋଇପାରେ।
H.7-ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚାନ୍ଦିପୁଟ ସ୍ଥିତ ଇଣ୍ଡିଆନ ବ୍ୟାଙ୍କ ବାମ ପାର୍ଶ୍ୱରେ ଥିବା ଘରେ ପସି କେହି ଦୁର୍ବୁତ୍ତ ଚୋରି କରିନେଇଥିବା ମୋହନା ଥାନାରେ ଅଭିଯୋଗ ହୋଇଛି। ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ଶିବ ମନ୍ଦିରର ପୂଜକ ତଥା ଅବସର ପ୍ରାପ୍ତ ଶିକ୍ଷକ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଉଦୟନାଥଙ୍କ ସ୍ତ୍ରୀ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ହେତୁ ଚିକିତ୍ସା ପାଇଁ କିଛି ଦିନ ବ୍ରହ୍ମପୁର ମେଡ଼ିକାଲ ରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଯାହା ଫଳରେ ଘରେ କେହି ରହୁନଥିବା ସୁଯୋଗ ନେଇ କେହି ଦୁର୍ବୃତମାନେ ଘରେ ପସି ଆଲମିରା ଭାଙ୍ଗି ଗଚ୍ଛିତ ୨୫ ଭରି ସୁନା ଓ ପ୍ରାୟ ୪୦ ରୁ ୪୫ ହଜାର ଟଙ୍କା ଚୋର ଚୋରିକରି ନେଇଥିବା ଉଦୟନାଥ କହିଛନ୍ତି।
H.8-ବଦଳିଛି ପୁରୀ ବିଜେଡିର ରାଜନୀତି ସମିକରଣ। ରାଗ ଅଭିମାନ ଛାଡି ଏକଜୁଟ ହୋଇଛନ୍ତି ସମସ୍ତ ବିଜେଡି ନେତା ଓ କର୍ମୀ। ପୁରୀ ସଂସଦୀୟ କ୍ଷେତ୍ରରୁ ସାଂସଦ ପ୍ରାର୍ଥୀଙ୍କ ସମେତ ସମସ୍ତ ବିଧାୟକ ପ୍ରାର୍ଥିଙ୍କୁ ନିର୍ବାଚିତ କରିବାକୁ ଅଣ୍ଟା ଭିଡିଛି ଦଳ। ଦଳର ସୁପ୍ରୀମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଆଗାମୀ ନିର୍ବାଚନ ପାଇଁ ସାଂସଦ ଶୁଭାଶିଷ ଖୁଣ୍ଟିଆଙ୍କୁ ପୁରୀ ସଂସଦୀୟ କ୍ଷେତ୍ରର ଦାୟିତ୍ବ ଦେଇଛନ୍ତି। ଏମିତିବି ଦଳ ମଧ୍ୟରେ ଥିବା ଅସନ୍ତୋଷ ଦୁର କରିବା ପାଇଁ ଶଂଖଭବନକୁ ଡାକି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମନମାଳିନ୍ଯ ଦୂର କରାଯାଇଛି। ଯାହା ଆଜିର ବିଜୁ ଶ୍ରମିକ ସାମୁଖ୍ଯ ସମାବେଶ ଉତ୍ସବରେ ଦେଖିବାକୁ ମିଳିଛି।
H.9-ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ କରିବାକୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି କରିସାରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ। ଏହି କ୍ରମରେ ନିର୍ବାଚନକୁ ଅର୍ଥବଳ ପ୍ରଭାବରୁ ମୁକ୍ତ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରଖିଛନ୍ତି ନିର୍ବାଚନ ଆୟୋଗ। ବର୍ତ୍ତମାନ ପର୍ଯ୍ୟନ୍ତ ୪୬୫୦ କୋଟିରୁ ଅଧିକ ଟଙ୍କା ଜବତ କରିଯାଇଛି। ସୋମବାର ନିର୍ବାଚନ ଆୟୋଗ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
H.10-ଦଳ ବିରୋଧୀ କାମ କରୁଥିବା କାରଣରୁ ସୁରଙ୍କୁ ଦଳରୁ ୬ ବର୍ଷ ପାଇଁ ବହିଷ୍କାର କରିଛି କଂଗ୍ରେସ । ରାଜନୈତିକ ଜୀବନରେ ବୋଧହୁଏ ପ୍ରଥମ ଥର ସୁରଙ୍କୁ ଏପରି ଏକ ଛଟକା ଲାଗିଛି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ପ୍ରେସ୍ ରିଲିଜରେ ଖୁବ ଅଳ୍ପରେ ସୁରଙ୍କୁ ବହିଷ୍କାର କରାଯିବା କଥା ଲେଖାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଲେଖିଛନ୍ତି ଯେ, ଦଳ ବିରୋଧୀ କାର୍ଯ୍ୟ କରିବା କାରଣରୁ ଏବଂ ବିଶୃଙ୍ଖଳିତ ଆଚରଣ ପାଇଁ ସୁରଙ୍କୁ ୬ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଗଲା । କିଛିଦିନ ତଳେ ସୁର ଭୁବନେଶ୍ୱରର ଗଳି କନ୍ଦି ବୁଲି ବିଜେଡି ନେତା ଓ କର୍ମୀଙ୍କ ଗହଣରେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିଥିବା ଦେଖିବାକୁ ମିଳିଥିଲା । ତେବେ ପୁଅଙ୍କ ପାଇଁ ପ୍ରଚାର କରିବା ଆଜି ବାପାଙ୍କୁ ମହଙ୍ଗା ପଡି଼ଛି।