Top 10 News Headlines: ସକାଳର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha1912801

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଚୁଟକିରେ ଜାଣି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର । କ'ଣ ରହିଛି ରାଜ୍ୟର ଓ ଦେଶର ବଡ଼ ଖବର। ନଜର ପକାନ୍ତୁ...

Top 10 News Headlines: ସକାଳର ୧୦ ପ୍ରମୁଖ ଖବର

ଆଜିର ଦିନଟିକୁ ଭାରତରେ ଜାତୀୟ ସିନେମା ଦିବସ ଏବଂ ଆନ୍ତର୍ଜାତିକ ସ୍ତରରେ ବିଶ୍ୱ ଅଣ୍ଡା ଦିବସ ଭାବେ ପାଳନ କରାଯାଉଛି। ଜାତୀୟ ସିନେମା ଦିବସ ପାଳନ ୨୦୨୨ ମସିହାରୁ ଆରମ୍ଭ ହୋଇଛି। କୋଭିଡ୍‍ ମହାମାରୀ ପରେ ପୁଣିଥରେ ସିନେମା ହଲ୍‍ ଖୋଲିବା ଯେଉଁ ଆଶାର ସଞ୍ଚାର କରିଥିଲା ତାହାକୁ ସ୍ମରଣୀୟ କରିବା ପାଇଁ ଭାରତର ମଲ୍ଟିପ୍ଲକ୍ସ ଆସୋସିଏସନ୍‍ ପକ୍ଷରୁ ଏହି ଦିବସ ପାଳନ କରାଯାଉଛି। ଆଜି ବିଭିନ୍ନ ମଲ୍ଟିପ୍ଲକ୍ସରେ ଟିକଟ ଦର ଶସ୍ତା କରାଯାଇଛି।  ସେହିପରି ୧୯୯୯ ମସିହାରୁ ଆନ୍ତର୍ଜାତିକ ଅଣ୍ଡା ପରିଷଦର ନିସ୍ପତ୍ତି ଅନୁସାରେ ବିଶ୍ୱ ଅଣ୍ଡା ଦିବସ ପାଳନ କରାଯାଇ ଆସୁଛି। ଆମ ଖାଦ୍ୟରେ ଅଣ୍ଡାର ଭୂମିକା, ଏହା କିପରି ଆମକୁ ପୁଷ୍ଟି ଯୋଗାଇଥାଏ ସେ ବିଷୟରେ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଉଛି।  ଏବେ ଆସନ୍ତୁ ନଜର ପକାଇବା ଆଜି ସକାଳର ୧୦ ପ୍ରମୁଖ ଖବର ଉପରେ ।

1.‘ଅଜୟ’ ଫେରାଇ ଆଣିଲା ୨୧୨ ଭାରତୀୟ: ଇସ୍ରାଏଲ୍‍ ରେ ଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଲାଗି ଭାରତ ସରକାରଙ୍କ ପକ୍ଷରୁ ଅପରେସନ୍‍ ଅଜୟ ଆରମ୍ଭ କରାଯାଇଛି। ଯେଉଁମାନେ ଏବେକାର ଇସ୍ରାଏଲ ସ୍ଥିତିକୁ ଦେଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି ତାଙ୍କ ପାଇଁ ସ୍ୱତନ୍ତ୍ର ବିମାନ ବ୍ୟବସ୍ଥା କରିବାକୁ ଏହି ମିଶନର ଲକ୍ଷ୍ୟ ରହିଛି।  ଏହିକ୍ରମରେ ଗତକାଲି ରାତିରେ ପ୍ରଥମ ବିମାନ ଇସ୍ରାଏଲ୍‍ରୁ ଭାରତ ଅଭିମୁଖେ ଆସିଛି।  ଏହି ସ୍ୱତନ୍ତ୍ର ବିମାନରେ ୨୧୨ ଜଣ ଭାରତୀୟ ସୁରକ୍ଷିତ ନିଜ ମାତୃଭୂମି ସ୍ପର୍ଶ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ମୁଖପାତ୍ର ଅରିନ୍ଦମ ବାଗ୍‍ଚି ଏ ବାବଦରେ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି।  ଗତକାଲି ବୈଦେଶିକ ମନ୍ତ୍ରୀ ଏସ୍‍ ଜୟଶଙ୍କର ଏନେଇ ଟ୍ୱିଟ୍‍ ଯୋଗେ ସୂଚନା ଦେଇଥିଲେ। ଯେମିତି ୟୁକ୍ରେନ-ଋଷ ଯୁଦ୍ଧ ଆରମ୍ଭ ସମୟରେ ୟୁକ୍ରେନ୍‍ର ଥିବା ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା ଠିକ୍‍ ସେହି ବ୍ୟବସ୍ଥା ଆପଣାଯାଇଥିବା ସେ କହିଥିଲେ। 

2.ଡାକ୍ତରଙ୍କ ଘରେ ସିବିଆଇ ରେଡ୍‍: ପାରାଦୀପର ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ଆାର୍‍ଏନ ପାଣିଗ୍ରାହୀଙ୍କ ଘରେ ସିବିଆଇ ଚଢ଼ାଉ ଜାରି ରହିଛି। ଆଜି ସକାଳେ ତାଙ୍କ ଘରୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଜବତ କରାଯାଇଛି। ଗତକାଲି  ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଥିଲେ ଡାକ୍ତର ପାଣିଗ୍ରାହୀ। ୭୦ ଜଣ କ୍ରିୟୁ ସଦସ୍ୟଙ୍କୁ ଜାହାଜ ଯାତ୍ରା ସମୟରେ ଆବଶ୍ୟକ କୋଭିଡ୍‍ କ୍ଲିୟରାନ୍ସ ପ୍ରମାଣପତ୍ର ଦେବାଲାଗି  ଜଣେ ଶିପିଂ ଏଜେଣ୍ଟଙ୍କ ଠାରୁ ସେ ଏହି ଟଙ୍କା ଗ୍ରହଣ କରୁଥିଲେ। ଜଣଙ୍କୁ ବିନା ପରୀକ୍ଷାରେ ପ୍ରମାଣପତ୍ର ଦେବାକୁ ୧୫୦୦ ଟଙ୍କା ନେଉଥିଲେ। 

3.ରାଜ୍ୟ ସରକାରଙ୍କ ଚାକିରି କରିବାକୁ ଅମଙ୍ଗ ଡାକ୍ତର: ରାଜ୍ୟରୁ ହେଉ ବା ବାହାର ରାଜ୍ୟରୁ ଡାକ୍ତରୀ ପାସ୍‍ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଚାକିରି କରିବାକୁ ଡାକ୍ତର ଅମଙ୍ଗ ହେଉଛନ୍ତି। ଏହାଦ୍ୱାରା ବର୍ଷକୁ ନିଯୁକ୍ତି ବିଜ୍ଞାପନ ପ୍ରକାଶ ହେଉଥିଲେ ମଧ୍ୟ ଖାଲି ପଦବୀ ପାଇଁ ମିଳୁ ନାହାନ୍ତି ଡାକ୍ତର। ଫଳରେ ୫୦ ପ୍ରତିଶତ ଖାଲି ପଦବୀ ପୂରଣ ହୋଇପାରୁନି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ହାଇକୋର୍ଟଙ୍କ ପାଖରେ ସତ୍ୟପାଠ ଦାଖଲ କରିଛି। ସେଥିଲାଗି ବିଭିନ୍ନ ଡାକ୍ତରଖାନାରେ ଡାକ୍ତର ପଦବୀ ଖାଲି ରହିଛି ବୋଲି ବିଭାଗ ଯୁକ୍ତି ବାଢ଼ିଛି।
 
4.ଡାକ୍ତରଙ୍କୁ ଛୁଟି ବଦଳରେ ଛୁଟି: ରାଜ୍ୟ ସରକାରଙ୍କ ପାଖରେ କାର୍ଯ୍ୟରତ ଡାକ୍ତରଙ୍କୁ କମ୍ପେନସେଟୋରୀ ଛୁଟି (Compensatory Leave) ମିଳିବ। ଏଥିଲାଗି ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଯେଉଁମାନେ ସରକାରୀ ଛୁଟି ଦିବସରେ ଡାକ୍ତରଖାନାରେ ସେବା ଦେଉଛନ୍ତି ସେମାନଙ୍କ ଲାଗି ଏହି ବ୍ୟବସ୍ଥା ଲାଗୁ ହେବ। 

5.ଆଜି ବୁର୍ଲାବନ୍ଦ: ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏ ଆଜି ବୁର୍ଲା ବନ୍ଦ ଡାକରା ଦିଆଯାଇଛି। ଜବରଦଖଲ ଉଚ୍ଛଦ ପ୍ରତିବାଦରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ଡାକରାରେ ସହରର ଦୋକାନ, ବଜାର, ବ୍ୟବସାୟିକ ଅନୁଷ୍ଠାନ ବନ୍ଦ ରହିଛି। 

6.ବଳିଆ ଟଙ୍କା ବଢ଼ିଲା: ବୁଣାକାରଙ୍କ ଜୀବୀକା ଓ ଆୟବୃଦ୍ଧି ( ବଳିଆ) ଯୋଜନାରେ ରାଜ୍ୟର ବୁଣାକାରଙ୍କୁ ମିଳୁଥିବା ସହାୟତା ଋଣ ରାଶିର ପରିମାଣ ବୃଦ୍ଧି କରାଯାଇଛି। ପୂର୍ବରୁ ଏହା ୫୦ ହଜାର ଟଙ୍କା ଥିଲା। ଏବେ  ୧ ଲକ୍ଷ ଟଙ୍କାକୁ ଏହି ଋଣ ରାଶି ବୃଦ୍ଧି କରାଯାଇଛି। ଏହି ଋଣ ରାଶି ସମ୍ପୂର୍ଣ୍ଣ ଭାବେ ସୁଧ ମୁକ୍ତ ରହିବ। ଗତକାଲି ମୁଖ୍ୟମନ୍ତ୍ରୀ ମହିଳାଙ୍କୁ ସ୍କୁଟି ଯୋଜନାର ଶୁଭାରମ୍ଭ କରି ସ୍କୁଟି କିଣିବା ଲାଗି ୧ ଲକ୍ଷ ଟଙ୍କାର ବିନା ସୁଧରେ ଋଣ ବ୍ୟବସ୍ଥା କରିଛନ୍ତି। 

7.ସୋଶାଲ୍‍ ମିଡିଆ ସିଇଓଙ୍କୁ ‘ଇଣ୍ଡିଆ’ ପତ୍ର: ନିର୍ବାଚନ ସମୟରେ ସେଶାଲ୍‍ ପ୍ଲାଟ୍‍ଫର୍ମକୁ ନିରପେକ୍ଷ ରଖବା ଲାଗି ବିରୋଧୀ ଦଳ ମେଣ୍ଟ ‘ଇଣ୍ଡିଆ’ ଗୁଗଲ, ଫେସବୁକ୍‍ ସିଇଓଙ୍କୁ ଚିଠି ଲେଖିଛି। ଓ୍ୱାସିଂଟନ୍‍ ପୋଷ୍ଟରେ ଏପରି ଏକ ଖବର ପ୍ରକାଶ ପାଇବା ପରେ ‘ଇଣ୍ଡିଆ’ ଏପରି ଚିଠି ଲେଖି ସାମ୍ପ୍ରଦାୟିକ ଘୃଣା ପ୍ରଚାରରୁ ବିରତ ରହିବାକୁ କହିଛି। ହ୍ୱାଟ୍ସଆପ, ଫେସବୁକ୍‍, ୟୁଟ୍ୟୁବ୍‍ ଭଳି ସଂସ୍ଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଡ଼କୁ ଢଳି ପ୍ରଚାର କରୁଥିବା ଏହି ଖବରକାଗଜରେ ପ୍ରକାଶ ପାଇଥିଲା।

8.ଅଷ୍ଟ୍ରେଲିଆ ହାରିଲା: ବିଶ୍ୱକପ୍‍ କ୍ରିକେଟ୍‍ ୨୦୨୩ରେ କ୍ରମାଗତ ଭାବେ ଦୁଇଟି ମ୍ୟାଚ୍‍ ଅଷ୍ଟ୍ରେଲିଆ ପରାଜୟ ସ୍ୱୀକାର କରିଛି। ଆଜି ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ଖଳାଯାଇଥିବା ଆସିସି ବିଶ୍ୱକପ୍‍ କ୍ରିକେଟ୍‍ର ୧୦ମ ମ୍ୟାଚ ରେ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲଲିଆକୁ ୧୩୪ ରନରେ ହରାଇଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୩୧୨ ରନ୍‍ର ଟାର୍ଗେଟ୍‍  ଅଷ୍ଟ୍ରଲିଆ  ଆଗରେ ରଖିଥିଲା। ଏହାର ଉତ୍ତରରେ ଅଷ୍ଟ୍ରେଲିଆ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ପ୍ରଦର୍ଶନ କରି ଶେଷରେ ପରାଜିତ ହୋଇଥିଲା। ଏହା ପୂର୍ବରୁ ଭାରତ ବିପକ୍ଷରେ ଅଷ୍ଟ୍ରେଲିଆ ହାରିଥିଲା। 

9.ଋଷ ଉପରେ ଅଲମ୍ପିକ ପ୍ରତିବନ୍ଧକ: ୟୁକ୍ରେନ୍‍ ର କ୍ରୀଡ଼ା ସଂଗଠନଗୁଡ଼ିକୁ ଜବରଦଖଲ କରିବା ଅଭିଯୋଗରେ ଆନ୍ତର୍ଜାତୀୟ ଅଲମ୍ପିକ ସଂଘ ଋଷକୁ ନିଲମ୍ବିତ କରିଛି। ସଂଘର କାର୍ଯ୍ୟ ନିର୍ବାହୀ ବୋର୍ଡ ଏହି ନିଷ୍ପତ୍ତି ନେଇଛି। ତେବେ ଯେଉଁ ଋଷ ଖେଳାଳି ଏବେ ବିଭିନ୍ନ ଆନ୍ତର୍ଜାତିକ କ୍ରୀଡ଼ାରେ ଭାଗ ନେଇଛନ୍ତି ତାଙ୍କ ପାଇଁ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି ଗୁରୁବାର ଆଇଓସି ପକ୍ଷରୁ କୁହାଯାଇଛି।

10.ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏଥର ଦୁର୍ଗା ପୂଜା ବର୍ଷାରେ ଭିଜିବାର ସମ୍ଭାବନା ରହିଛି । ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ଅଧିକ ଅପଡେଟ୍‌ ଦିଆଯିବ। ପୂଜାକୁ ଆହୁରି କିଛି ଦିନ ସମୟ ଥିବାରୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପରବର୍ତ୍ତୀ ସମୟରେ ପାଣିପାଗ ବିଭାଗ ବିସ୍ତୃତ ସୂଚନା ଦେବ।