Tip 10 NewsHeadlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha1947414

Tip 10 NewsHeadlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର। 

Tip 10 NewsHeadlines: ସଂକ୍ଷେପରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

1. ବିଏମସିକୁ OHRCର ନୋଟିସ: ଭୁବନେଶ୍ୱର ଗାଢକଣ ମାମଲରେ ବିଏମସିକୁ ରାଜ୍ୟ ମାନବଧିକାର କମିଶନର ନୋଟିସ। ମାନବଧିକାର ଉଲ୍ଲଘଂନର ମାଗିଲେ ଜବାବ। ଡିସେମ୍ବର ୧୧ ସୁଦ୍ଧା ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ। ଅଳିଆ ଗଦା ପାଇଁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ। ଅନ୍ୟପଟେ ଭୁବନେଶ୍ୱର ଗାଢ଼କଣସ୍ଥିତ ଧିରିକୁଟି ବସ୍ତିରେ ଆଂଚଳିକ ସୁରକ୍ଷା ମଞ୍ଚର ଅଭିନବ ପ୍ରତିବାଦ କରିଛି। ଲୋକଙ୍କୁ ଯାଦୁ ମଲମ ବାଂଟିଛନ୍ତି ସ୍ୱେଚ୍ଛାସେବୀ। ସୈନିକ ସ୍କୁଲ ପାଖ ଡମ୍ପିଙ୍ଗୟାର୍ଡ଼ରୁ ବାହାରୁଥିବା ଦୁର୍ଗନ୍ଧ ପାଇଁ ନିଶ୍ୱାସ ନେବାରେ ସମସ୍ୟା ହେଉଥିବା ବେଳେ ଘରେ ଘରେ ବ୍ୟାପୁଛି ଚର୍ମରୋଗ। ଦୁର୍ଗନ୍ଧରେ ରହିବା କଷ୍ଟକର ହୋଇପଡ଼ୁଥିବା ବେଳେ ଚିନ୍ତା ବଢ଼ାଇଛି ଚର୍ମରୋଗ । ତେଣୁ ଡମ୍ପିଂ ୟାର୍ଡ ସ୍ଥାନାନ୍ତର କରିବାପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

2. ଖାଲି ପଡ଼ିଛି +୩ ଓ ପିଜି ସିଟ୍‍: ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ +୩ ଓ ସ୍ନାତ୍ତୋକତ୍ତର ସିଟ୍‍ ୩୦ ପ୍ରତିଶତ ଖାଲି ପଡ଼ିଛି। ସମୁଦାୟ ୨ଲକ୍ଷ ୭୧ ହଜାର ୯୧ ଟି +୩ ସିଟ୍‍ରୁ ୮୪ ହଜାର ୫୩ଟି ସିଟ୍‍ ଖାଲି ପଡ଼ିଥିବାବେଳେ ପିଜିରେ ୭ ହଜାର ୭୩୮ ସିଟ୍‍ ଖାଲି ପଡ଼ିଛି। ଚାହିଦା ଅନୁସାରେ ପାଠ୍ୟକ୍ରମର ଅଭାବ କାରଣ ବୋଲି କୁହାଯାଉଛି।

3. ନିଃସର୍ତ୍ତ କ୍ଷମା ମାଗ: ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ଆପ୍‍ ସଦସ୍ୟ ରାଘବ ଚଢ଼ାଙ୍କୁ ସୁପ୍ରିମ୍‍ କୋର୍ଟରୁ ଝଟ୍‍କା । ମାମଲାର ଶୁଣାଣି ବେଳେ କୋର୍ଟ ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ନିଃସର୍ତ୍ତ କ୍ଷମା ମାଗିବାକୁ ଆଦେଶ ଦେଇଛନ୍ତି। ଶ୍ରୀ ଚଢ଼ାଙ୍କୁ ଅଗଷ୍ଟ ୧୧ ତାରିଖରେ ରାଜ୍ୟସଭାରୁ ନିଲମ୍ବନ କରାଯାଇଥିଲା। କିଛି ସାଂସଦଙ୍କ ବିନା ସହମତିରେ ସେ ତାଙ୍କ ପକ୍ଷରୁ ଏକ ପ୍ରସ୍ତାବ ଆଗତ କରିଥିବା ନେଇ ସମ୍ପୃକ୍ତ ସଦସ୍ୟମାନେ ଅଧ୍ୟକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ବିଷୟକୁ ସ୍ୱାଧିକାର କମିଟିକୁ ପଠାଇବା ସହ ଅଧ୍ୟକ୍ଷ ତାଙ୍କୁ ସଭାରୁ ନିଲମ୍ବିତ କରିଥିଲେ।

4. ମହୂଆଙ୍କ ବିରୁଦ୍ଧରେ ହୋଇପାରେ କଠୋର କାର୍ଯ୍ୟାନୁଷ୍ଠାନ: ତୃଣମୂଳ ସାଂସଦ ମହୂଆ ମୈତ୍ରଙ୍କ ବିରୁଦ୍ଧରେ ଆସିଥିବା ‘ପ୍ରଶ୍ନ ପାଇଁ ଲାଞ୍ଚ’ ମାମଲାରେ ମଙ୍ଗଳବାର ସଦାଚାର କମିଟି ଡ୍ରାଫ୍ଟ ରିପୋର୍ଟ ପ୍ରସ୍ତୁତ କରିବେ। ଏଥିନେଇ କମିଟିର ସଦସ୍ୟମାନେ ଆଜି ଏକାଠି ହେବା ସ୍ଥିର ହୋଇଛି। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ, ଜଣେ ବ୍ୟବସାୟୀଙ୍କ ସତ୍ୟପାଠ ଓ ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇ ଅଧାରୁ ଉଠି ଚାଲିଯାଇଥିବା ମହୂଆ ଓ ତାଙ୍କ ସମର୍ଥକଙ୍କ ବିଷୟକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ ହେବା ସମ୍ଭାବନା ରହିଛି। ଏଥିରେ କଠୋର କାର୍ଯ୍ୟାନୁଷ୍ଠାନ ସୁପାରିସ ହେବାର ଆଶଙ୍କା ରହିଛି।

5. ଦିଲ୍ଲୀରେ ଲାଗୁ ହେବ ଅଡ଼-ଇଭେନ ଲାଗୁ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଛି। ବିଶ୍ୱର ସବୁଠାରୁ ପ୍ରଦୂଷିତ ସହର ମଧ୍ୟରେ ଦିଲ୍ଲୀ ରହିଛି। ତେବେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ୧୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର। ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି କେଜ୍ରିୱାଲ ସରକାର ଅଦ୍ଭୁତପୂର୍ବ କାର୍ଯ୍ୟାନ୍ୱୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଦୂଷଣ ପ୍ରସଙ୍ଗରେ ଆୟୋଜିତ ଏକ ବୈଠକରେ ଆଜି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୧୩ ରୁ ୨୦ ନଭେମ୍ବର ପର୍ଯ୍ୟନ୍ତ ଦିଲ୍ଲୀରେ ଅଡ଼ ଇଭେନ ନିୟମ ଲାଗୁ ହେବ, ଯେଉଁଥିରେ ରାଜଧାନୀରେ ବିଏସ ୩ ପେଟ୍ରୋଲ ଏବଂ ବିଏସ ୪ ଡିଜେଲ କାର ଉପରେ ଅଙ୍କୁଶ ଲାଗୁ ହେବ। 

6. ବଢିବ ଶୀତ: ରାଜ୍ୟରେ ପାଦ ଥାପିଲାଣି ଶୀତ। ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। ପାଣିପାଗର କେନ୍ଦ୍ରର ସୂଚନା ଅନୁସାରେ, ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୩ ରୁ ୪ ଡ଼ିଗ୍ରୀ ହ୍ରାସ ଘଟିବାରେ ସମ୍ଭାବନା ରହିଛି। ଦୁଇଦିନ ହେବ ରାଜ୍ୟରେ କୋହଲା ପାଗ ଲାଗି ରହିଛି। ଶନିବାର ରାଜ୍ୟରେ ବର୍ଷା ସହ ପବନ ହୋଇଥିଲା। ପାହାନ୍ତିଆ ଓ ସନ୍ଧ୍ୟା ସମୟରେ ଶୀତ ଅନୁଭୂତ ହେଉଛି। ଏହା ସହ କିଛି ସ୍ଥାନରେ କୁହୁଡ଼ି ପଡ଼ିଥିବା ଦେଖିବାକୁ ମିଳିଛି। ଦାରିଙ୍ଗିବାଡ଼ିରେ ଅଧିକ ଶୀତ ଅନୁଭୂତ ହେଉଛି।

7. ଆସନ୍ତାକାଲି ଛତିଶଗଡ଼ ନିର୍ବାଚନ: ଆସନ୍ତାକାଲି ଅର୍ଥାତ ନଭେମ୍ବର ୭ ତାରିଖ ମଙ୍ଗଳବାର ଦିନ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଗତକାଲି ଠାରୁ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ମତଦାନ ସଂଗ୍ରହ କରାଯିବ। ତେବେ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ପୋଲିଂ କର୍ମଚାରୀ । ସୁକମା ସଦରମହକୁମାଠାରେ ଥିବା କ୍ୟାମ୍ପରୁ ଇଭିଏମ୍ ସହ ଅନ୍ୟ ସରଞ୍ଜାମ ସଂଗ୍ରହ କରି ପୋଲିଂ ବୁଥ ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି କର୍ମଚାରୀ । 

8. ଭାରତକୁ ସୁନା: ଏସିଆନ୍ ମହିଳା ହକି ଚାମ୍ପିୟନସିପରେ ଭାରତ ଚାମ୍ପିୟନ ହୋଇଛି। ଗତଥରର ଚାମ୍ପିୟନ ଜାପାନକୁ ହରାଇ ସ୍ବର୍ଣ୍ଣ ପଦକ ପାଇଛି ଭାରତୀୟ ମହିଳା ହକି ଦଳ। ଭାରତ ଏକ ତରଫା ମ୍ୟାଚରେ ୪-୦ ଗୋଲରେ ଜାପାନକୁ ପରାସ୍ତ କରିଛି। ମ୍ୟାଚ ଆରମ୍ଭରୁ ଶେଷ ଯାଏ ପୁରା ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା ଭାରତୀୟ ମହିଳା ଟିମ୍। ଜାପାନକୁ କୌଣସି ପ୍ରକାର ସୁଯୋଗ ଦେଇନଥିଲା। ଟୁର୍ଣ୍ଣାମେଣ୍ଟର ୭ରୁ ୭ଟି ଯାକ ମ୍ୟାଚ ଜିତି ବିରଳ ରେକର୍ଡ କରିଛି ଏହି ମହିଳା ଟିମ୍। ପୁରା ପ୍ରତିଯୋଗିତାରେ ୨୭ଟି ଗୋଲ୍ ଦେଇଥିବା ବେଳେ ମାତ୍ର ୩ଟି ଗୋଲ୍ ଖାଇଥିଲା।

9. ଅପରାଜେୟ ଭାରତ: ବିଶ୍ୱକପରେ ଭାରତର ଅପରାଜେୟ ଧାରା ଜାରି ରହିଛି। ରବିବାର ୮ମ ମ୍ୟାଚ୍‍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୪୩ ରନ୍‍ ରେ ପରାସ୍ତ କରିଛି। ଉଭୟ ବ୍ୟାଟ୍ସମ୍ୟାନ୍‍ ଓ ବୋଲରଙ୍କ କୌଶଳ ଆଗରେ ଦକ୍ଷିଣ ଆଫ୍ରିକା ଧରାଶାୟୀ ହୋଇଥିଲା। ଏହି ମ୍ୟାଚ୍‍ ରେ ବିରାଟ କୋହଲି ନିଜର ୪୯ ତମ ଏକଦିବସୀୟ ଶତକ ହାସଲ କରି ମାଷ୍ଟର ବ୍ଲାଷ୍ଟର ସଚିନଙ୍କ ରେକର୍ଡ଼ ସହ ସମକକ୍ଷ ହୋଇଛନ୍ତି।

10 ବାଂଲାଦେଶ ବନାମ ଶ୍ରୀଲଙ୍କା: ଚଳିତ ବିଶ୍ୱକପରେ ଆଜି ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ୩୮ତମ ମ୍ୟାଚ ଖେଳାଯାଉଛି। ଏଥିରେ ବାଂଲାଦେଶ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ରିପୋର୍ଟ ଲେଖାଯିବା ବେଳକୁ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୨୪ ଓଭରରେ ୩ଟି ୱିକେଟ ହରାଇ ୧୩୧ ରନରେ ଖେଳ ଜାରି ରଖିଛି। ବାଂଲାଦେଶ ପକ୍ଷରୁ ସାକିବ ଅଲ ହାସନ ସର୍ବାଧିକ ୨ଟି ୱିକେଟ ହାସଲ କରିଥିବା ବେଳେ ତାଞ୍ଜିବ ହାସନ ସାକିବ ଓ ସୋରିଫୁଲ ଇସଲାମ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।