Top 10 News Headlines: ଆଗତ ହେଲା ୨୦୨୪-୨୫ ବର୍ଷର ବଜେଟ୍‍; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2101180

Top 10 News Headlines: ଆଗତ ହେଲା ୨୦୨୪-୨୫ ବର୍ଷର ବଜେଟ୍‍; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।    

Top 10 News Headlines: ଆଗତ ହେଲା ୨୦୨୪-୨୫ ବର୍ଷର ବଜେଟ୍‍; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines | 8 February 2024 | Evening    

1.Odisha Interim Budget 2024-25: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୮ ତାରିଖ ଗୁରୁବାର ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨ ଲକ୍ଷ ୫୫ ହଜାର କୋଟିର କାମଚଳା ବଜେଟ୍ ଆଗତ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ କାମଚଳା ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ। ବଜେଟ୍ ଉପସ୍ଥାପନ କରିବା ବେଳେ ଅର୍ଥମନ୍ତ୍ରୀ କହିଛନ୍ତି ରାଜ୍ୟର ଅଭିବୃଦ୍ଧି ହାର ୭.୨୫ ପ୍ରତିଶତ ରହିଛି। ଯାହା ଜାତୀୟ ହାର ଠାରୁ ୧ ପ୍ରତିଶତ ଅଧିକ। ଆଗାମୀ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୮.୫ ପ୍ରତିଶତ ଆକଳନ କରାଯାଇଛି। ସବୁ ବର୍ଗର ବିକାଶ ପାଇଁ ସରକାର କାମ କରୁଛନ୍ତି। ଦୃଢ ଆର୍ଥିକ ଅଭିବୃଦ୍ଧି କାରଣରୁ ଦାରିଦ୍ର୍ୟ କମିଛି। 

2.Odisha Interim Budget 2024-25 Allocation: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଫେବୃଆରୀ ୮ ତାରିଖ ଗୁରୁବାର ବିଧାନସଭାରେ ଆଗତ ହୋଇଛି ୨ ଲକ୍ଷ ୫୫ ହଜାର କୋଟିର କାମଚଳା ବଜେଟ୍। ଏଥର ନିର୍ମାଣ ବିଭାଗକୁ ୧୦,୯୫୦ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୯୩୩୦ କୋଟି, ଗୃହ ବିଭାଗକୁ ୮୬୪୧ କୋଟି, ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗକୁ ୨୪,୭୬୪ କୋଟି, ପଞ୍ଚାୟତିରାଜ ବିଭାଗକୁ ୨୨,୫୪୩ କୋଟି, ସ୍ୱାସ୍ଥ୍ୟ ବିଭାଗକୁ  ୧୯,୭୨୯ କୋଟି, ଜଳସମ୍ପଦ ବିଭାଗକୁ ୧୩,୨୬୭ କୋଟି, ଯୋଜନା ଏବଂ ସଂଯୋଜନା ବିଭାଗକୁ ୧୨,୦୪୩ କୋଟି ଟଙ୍କା ଆବଣ୍ଟିତ ହୋଇଛି।

3. One Nation One Student ID Card: ବିଦ୍ୟାଳୟ ଶିକ୍ଷା ବିଭାଗ ଦେଶର ସୁଦୂର ଗ୍ରାମାଞ୍ଚଳରେ ସାଧାରଣ ସେବା କେନ୍ଦ୍ର ବ୍ୟବହାର କରି ଅଟୋମେଟେଡ ପାରମାନେଣ୍ଟ ଏକାଡେମିକ୍ ଆକାଉଣ୍ଟ୍ ରେଜିଷ୍ଟ୍ରି (APAAR) ଆରମ୍ଭ କରିଛି। "ଗୋଟିଏ ଦେଶ ଗୋଟିଏ ଛାତ୍ର ପରିଚୟ" ନାମକ ଏକ ସମନ୍ୱିତ ଛାତ୍ର ପରିଚୟ ପ୍ରଣାଳୀ ପ୍ରତିଷ୍ଠା କରିବାକୁ "APAAR" ଲକ୍ଷ୍ୟ ଧାର୍ଯ୍ୟ କରିଛି। "APAAR" ହେଉଛି ଜାତୀୟ ଶିକ୍ଷା ନୀତିର (National Education Policy 2020) ଏକ ଅଂଶ। ଯାହା ମାଧ୍ୟମରେ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ (Academic Bank of Credit) ଠାରେ ପଞ୍ଜୀକରଣ କରିବା ଆବଶ୍ୟକ। ନୂତନ ନିୟମ ଅନୁଯାୟୀ, କଲେଜ କିମ୍ବା ବିଶ୍ୱବିଦ୍ୟାଳୟରେ ଆଡମିଶନ ପାଇଁ ଏକାଡେମିକ୍ ବ୍ୟାଙ୍କ ଅଫ୍ କ୍ରେଡିଟ୍ ପରିଚୟ ପତ୍ର (Academic Bank of Credit Identity Card) ରହିବା ଆବଶ୍ୟକ।

4. Congress Releases Black Paper Against Modi Govt: ମୋଦି ସରକାରଙ୍କ ଶ୍ୱେତ ପତ୍ର ଜବାବ କଂଗ୍ରେସ "ବ୍ଲାକ୍ ପେପର" (Black Paper) ପ୍ରକାଶ କରିଥିଲା। ଯେଉଁଥିରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳର ବିବରଣୀ ଉପସ୍ଥାପନ କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗ ସଂସଦ ଭବନ ପରିସରରେ "ବ୍ଲାକ୍ ପେପର" ଉପସ୍ଥାପନ କରିଛନ୍ତି। କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର କଂଗ୍ରେସ "ବ୍ଲାକ୍ ପେପର" ପ୍ରକାଶ କରିଥିଲେ। ଯାହା ମାଧ୍ୟମରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିବାକୁ ଚେଷ୍ଟା କରିଥିଲେ। ଗୁରୁବାର "ବ୍ଲାକ୍ ପେପର" ପ୍ରକାଶ କରିବା ଅବସରରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ତାଙ୍କର ୧୦ ବର୍ଷ କାର୍ଯ୍ୟକାଳ ମଧ୍ୟରେ କେତେ ଲୋକ ଚାକିରି ପାଇଛନ୍ତି ତାହା ଜଣାଇବାକୁ ମୋଦି ସରକାର ଚେଷ୍ଟା କରିବେ ନାହିଁ। ସେ ମନରେଗା ପାଣ୍ଠି ଯୋଗାଣରେ ବିଭିନ୍ନ ରାଜ୍ୟ ମଧ୍ୟରେ ଭେଦଭାବ କରୁଛନ୍ତି। 

5.Modi Govt Releases White Paper on UPA Govt Failures: ବିଗତ ୧୦ ବର୍ଷ ଧରି ଦେଶର ସର୍ବ ପୁରାତନ ରାଜନୈତିକ ଦଳ କଂଗ୍ରେସ ବର୍ତ୍ତମାନ ନିର୍ବାଚନ ଇତିହାସରେ ସର୍ବନିମ୍ନ ସ୍ତରରେ ପହଞ୍ଚି ସାରିଛି। ଅନ୍ୟପଟେ କେନ୍ଦ୍ରରେ କ୍ଷମତାସୀନ ମୋଦି ସରକାର ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସ ଦଳକୁ ଘେରିବାରେ କୌଣସି ସୁଯୋଗ ହାତଛଡ଼ା କରୁନାହିଁ। ବିଜେପି କେବଳ ନିର୍ବାଚନରେ କଂଗ୍ରେସକୁ ପରାସ୍ତ କରୁନାହିଁ। ବରଂ ସଂସଦରେ କୌଣସି ପ୍ରସଙ୍ଗରେ କଂଗ୍ରେସକୁ ଜବାବ ଦେବାରେ ​​ବିଜେପି ପଛଘୁଞ୍ଚା ଦେଉନାହିଁ। ଏବେ ସଂସଦରେ ଏହାର ଉଦାହରଣ ଦେଖିବାକୁ ମିଳିଛି। ବର୍ତ୍ତମାନର ମୋଦି ସରକାର କଂଗ୍ରେସ ନେତୃତ୍ୱାଧିନ ୟୁପିଏ ସରକାରଙ୍କ କାର୍ଯ୍ୟକାଳରେ ହୋଇଥିବା ବିଫଳତା ଉପରେ ଏକ ଶ୍ୱେତପତ୍ର ଆଣିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳ ସମ୍ପର୍କରେ ଅର୍ଥମନ୍ତ୍ରୀ ନିର୍ମଳ ସୀତାରମଣ ଆନୁଷ୍ଠାନିକ ଭାବରେ ଏକ ଶ୍ୱେତପତ୍ର ସଂସଦରେ ଉପସ୍ଥାପନ କରିଛନ୍ତି।

6. India-Myanmar Border Fence: ଭାରତ-ମିଆଁମାର ସୀମାରେ ଲାଗିବ ବାଡ଼। ଉଭୟ ଦେଶର ସୀମାରେ ବାଡ଼ ଲଗାଯିବା ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି। ମୋଦି ସରକାରଙ୍କ ଏପରି ନିଷ୍ପତ୍ତି ଆସିବା ପରେ ଏହି ପ୍ରସଙ୍ଗରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ସୀମାରେ ବାଡ଼ ଲଗାଇବାର ମୂଲ୍ୟ ଏବଂ ଏହାର ଅନ୍ୟାନ୍ୟ ବିକଳ୍ପକୁ ନେଇ ବିତର୍କ ଜାରି ରହିଛି। ଭାରତ-ମିଆଁମାର ମଧ୍ୟରେ ପ୍ରାୟ ୧୬୪୩ କିଲୋମିଟର ଲମ୍ବା ସୀମା ରେଖା ରହିଛି।  ଉଭୟ ଦେଶ ମଧ୍ୟରେ ରହିଥିବା ୧୬୪୩ କିଲୋମିଟର ସୀମାରେଖା ବାଡ଼ ଲଗାଇବା ପାଇଁ ୩୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ।  

7. Union Minister Nitin Gadkari on Toll Plaza: ଦେଶର ପ୍ରମୁଖ ରାଜପଥରେ ଅବସ୍ଥିତ ରହିଥିବା ଟୋଲ୍ ପ୍ଲାଜା ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଏକ ନୂତନ ଯୋଜନା ପ୍ରସ୍ତୁତ କରୁଛନ୍ତି। ଏ ସମ୍ପର୍କରେ ରାଜ୍ୟସଭାରେ ମତ ରଖି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଯେ ସ୍ଥାନୀୟ ତଥା କାର୍ଯ୍ୟରତ ଲୋକଙ୍କୁ ଧ୍ୟାନରେ ରଖି ସହର ଏବଂ ଶିଳ୍ପାଞ୍ଚଳରେ ୬-୭ କିମି ଭିତରେ ଟୋଲ ପ୍ଲାଜା ନିର୍ମାଣରୁ ଦୂରେଇ ରହିବେ। କେନ୍ଦ୍ର ସରକାର ଏମସିସି ଲାଗୁ କରିବା ପୂର୍ବରୁ ରାଜପଥରେ ଜିପିଏସ୍ ଆଧାରିତ ଟୋଲ୍ ସିଷ୍ଟମ ଆରମ୍ଭ କରିବାକୁ ଚେଷ୍ଟା କରୁଛନ୍ତି।

8.Hands cut off for Handcuffs in US: ହାତକଡ଼ି ପାଇଁ କଟାଗଲା ହାତ। ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯାଉଥିବେ। ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଆଲବାମା ରାଜ୍ୟରେ ଘଟିଯାଇଛି ଏଭଳି ଘଟଣା। ଜିଓଭାନି ଲୋୟୋଲା ନାମକ ଜଣେ ବ୍ୟକ୍ତି ପୋଲିସ ବିରୋଧରେ ମକଦ୍ଦମା ଦାୟର କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ପୋଲିସ ତାଙ୍କୁ ଗିରଫ କରିବା ସମୟରେ ଅତ୍ୟଧିକ ବଳ ପ୍ରୟୋଗ କରିଥିଲା। ତାଙ୍କର ନାଗରିକ ଅଧିକାର ମଧ୍ୟ ଉଲ୍ଲଂଘନ କରାଯାଇଥିଲା। ତାଙ୍କ ଆବେଦନ ଉପରେ ଜେଫରସନ କାଉଣ୍ଟି ସରିଫ୍ ବିଭାଗ ବିରୋଧରେ ଶୁଣାଣି ଆସନ୍ତା ଅପ୍ରେଲ୍ ୧୫ ତାରିଖରୁ ଆରମ୍ଭ ହେବ।

9. West Bengal Jail: ପଶ୍ଚିମବଙ୍ଗରୁ ଆସିଛି ଚାଞ୍ଚଲ୍ୟ କରିବା ଭଳି ଖବର ସାମ୍ନାକୁ ଆସିଛି। ରାଜ୍ୟର ସମସ୍ତ ସୁଧାର ଗୃହର ସ୍ଥିତି ଉପରେ ନ୍ୟାୟ ମିତ୍ର ବା ଆମିକସ୍ କ୍ୟୁରି କଲିକତା ହାଇକୋର୍ଟ ଠାରେ ଦାଖଲ କରିଥିବା ରିପୋର୍ଟରେ କହିଛନ୍ତି ଯେ ରାଜ୍ୟର ଜେଲ ଠାରେ ରହୁଥିବା ମହିଳା କଏଦୀ ଗର୍ଭବତୀ ହେଉଛନ୍ତି। ହାଇକୋର୍ଟ ଠାରେ ଦାଖଲ ହୋଇଥିବା ରିପୋର୍ଟ ମାଧ୍ୟମରେ କୁହାଯାଇଛି ଯେ ମହିଳା କଏଦୀ କାରାଗାରରେ ରହିବା ସମୟରେ ଗର୍ଭବତୀ ହେଉଛନ୍ତି। ଏହି କାରଣରୁ ରାଜ୍ୟରେ ଜେଲ ପରିସରରେ ଅତି କମରେ ୧୯୬ ପିଲା ଜନ୍ମ ହୋଇଛନ୍ତି।

10.Election Commission Odisha Tour: ଆସନ୍ତା ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ନିର୍ବାଚନ କମିଶନ। ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅବସ୍ଥାନ କରିବାର ରହିଛି କାର୍ଯ୍ୟକ୍ରମ। ଆଗାମୀ ଲୋକସଭା ନିର୍ବାଚନ ପରିଚାଳନା ନେଇ କରିବେ ସମୀକ୍ଷା। ମୁଖ୍ଯ ନିର୍ବାଚନ କମିଶନର ରାଜୀବ କୁମାର, ଅନ୍ଯତମ କମିଶନର ଅରୁଣ ଗୋୟଲ, ସିନିୟର ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦର ଶର୍ମା, ସିନିୟର ଡେପୁଟି ଇଲେକସନ କମିଶନର ନୀତେଶ ବ୍ଯାସଙ୍କ ସମେତ ୮ ଜଣ ଓଡ଼ିଶା ଗସ୍ତରେ ଆସିବେ। ୧୬ ତାରିଖରେ ଜାତୀୟ ତଥା ରାଜ୍ୟର ସ୍ବୀକୃତିପ୍ରାପ୍ତ ରାଜନୈତିକ ଦଳ, ଡିଇଓ, ଏସପି, ସିପି, ଡିଭିଜନାଲ କମିଶନର ଆଇଜିଙ୍କ ସହ ନିର୍ବାଚନ କମିଶନ ଆଲୋଚନା କରିବେ।