Top 10 NewsHeadlines: ସଂକ୍ଷେପରେ ପଢି ନିଅନ୍ତୁ ଦିନ ତମାମର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର
Advertisement
Article Detail0/zeeodisha/odisha1949630

Top 10 NewsHeadlines: ସଂକ୍ଷେପରେ ପଢି ନିଅନ୍ତୁ ଦିନ ତମାମର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

1.

Top 10 NewsHeadlines: ସଂକ୍ଷେପରେ ପଢି ନିଅନ୍ତୁ ଦିନ ତମାମର ୧୦ ଗୁରୁତ୍ତ୍ୱପୂର୍ଣ୍ଣ ଖବର

1. ବିଲୀନ ହେଲେ ମହେଶ୍ୱର: ସ୍ୱର୍ଗଦ୍ୱାରରେ ଶେଷ ହୋଇଛି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଶେଷକୃତ୍ୟ। ଆଜି ସନ୍ଧ୍ୟା ପ୍ରାୟ ସାଢେ ୫ଟା ସମୟରେ ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି। ପଞ୍ଚଭୂତରେ ବିଲୀନ ହୋଇଛନ୍ତି ମହେଶ୍ୱର। ପୁଅ ସୁନିଲ ମହାନ୍ତି ମୁଖାଗ୍ନି ଦେଇଛନ୍ତି । ଶେଷ ଦର୍ଶନ ପାଇଁ ସ୍ବର୍ଗଦ୍ବାରରେ ଲାଗିଛି ଲୋକଙ୍କ ଭିଡ଼ । ଏକ ଶୋକାକୂଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି ଶେଷକୃତ୍ୟ।

2. ଇସ୍ତଫା ଦେବେ ରଜନୀକାନ୍ତ: ବରିଷ୍ଠ ବିଜେଡି ନେତା ରଜନୀକାନ୍ତ ସିଂହଙ୍କୁ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ନିଜ ଅଂଚଳରେ ଦଳୀୟ ସଂଗଠନକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସେ ଇସ୍ତଫା ଦେବେ। ସେ ଆସନ୍ତାକାଲି ବିଧିବଦ୍ଧ ଭାବେ ବାଚସ୍ପତିଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେବେ ବୋଲି ଜଣାପଡ଼ିଛି। ବିଜେଡି ସମାନ ଢଙ୍ଗରେ ଗତ ୫ମାସ ପୂର୍ବରୁ ବିକ୍ରମ କେଶରୀ ଆରୁଖଙ୍କୁ ବାଚସ୍ପତି ପଦରୁ ପ୍ରତ୍ୟାହାର କରିନେଇଥିଲା।

3. ହାଜର ହେଲେ ସୋମାଲିକା: କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ନିକଟରେ ହାଜର ହେଲେ ସୋମାଲିକା ଦାଶ। ହେଲେ ବିଜୟଶଙ୍କର ଦାସ ଓ ତାଙ୍କ ଭାବିପତ୍ନୀ ପ୍ରତ୍ୟୁଷା ନନ୍ଦଙ୍କ ଦେଖାନଥିଲା। ଆଜି ସମସ୍ତ ୩ ଜଣଙ୍କୁ ହାଜର ହେବା ପାଇଁ କଟକ ବିବାହ ପଞ୍ଜିକରଣ ଅଧିକାରୀଙ୍କ ପକ୍ଷରୁ ନୋଟିସ୍‌ ହୋଇଥିଲା।

4. ୨୨୦୦ ଗାଡ଼ି ଉପରେ ପଡ଼ିଲା ଫାଇନ୍‌: ଦିଲ୍ଲୀର ବାୟୁ ପ୍ରଦୂଷଣ ଏବେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ବିଷାକ୍ତ ବାୟୁ କବଳରେ ଛଟପଟ ହେଉଛନ୍ତି ଦିଲ୍ଲୀବାସୀ। ଲଗାତର ଭାବେ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ନିମ୍ନମାନକୁ ଚାଲିଯିବା ପରେ ରାଜଧାନୀରେ ବହୁ କଟକଣା ଲାଗୁ କରାଯାଇଛି। ମାତ୍ର ନିୟମ ଉଲ୍ଲଘଂନ ଅଭିଯୋଗରେ ୨୨୦୦ ଗାଡ଼ି ଉପରେ ପଡ଼ିଛି ଫାଇନ। ଜରୁରୀ ସାମଗ୍ରୀ କାଟାଗୋରିରେ ଯାଉ ନ ଥିବା ଜିନିଷ ପରିବହନ କରୁଥିବା ପୁରୁଣା ଡିଜେଲ, ପେଟ୍ରୋଲ ବାଇକ୍‌ ଓ ଟ୍ରକ୍‌ ଉପରେ ଚାଲାଣ କଟିଛି। ଗାଡ଼ି ପିଛା ୨୦ ହଜାର ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି।

5. ମୋହୁଆ ମୈତ୍ରଙ୍କ ବିରୋଧରେ ଆଉ ଏକ ମାମଲା: ଟିଏମସି ସାଂସଦ ମହୁଆ ମିତ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ତାଙ୍କୁ କୁହାଯାଇଛି ଯେ ତାଙ୍କ ବିରୋଧରେ ଜଣେ ପୂର୍ବତନ ସହକର୍ମୀ ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଓକିଲ ଜୟ ଅନନ୍ତ ଦେହଦ୍ରା ଏବଂ ମୋହୁଆ ମୈତ୍ରଙ୍କର ପୂର୍ବତନ ସହଯୋଗୀ ସାଂସଦଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଯେ ସେ ସେମାନଙ୍କ ଘରକୁ କବଜା କରି ରଖିଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇଛି।  ଅଭିଯୋଗରେ କୁହାଯାଇଛି କି ଗତ ୫ ଓ ୬ ତାରିଖରେ ସେ ବିନା ଅନୁମତି ତାଙ୍କ ଘରେ ପ୍ରବେଶ କରିଥିଲେ। 

6 ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଆଜି ମିଜୋରାମ ଓ ଛତିଶଗଡ଼ରେ ନିର୍ବାଚନ ଶେଷ ହୋଇଛି। ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ମିଜୋରାମରେ ଭୋଟ ଗ୍ରହଣ ଶେଷ ହୋଇଛି। ଛତିଶଗଡ଼ର ନକ୍ସଲ ଓ ମାଓବାଦୀ ଅଞ୍ଚଳ ବସ୍ତରରେ ମତଦାନ ଶେଷ ହୋଇଛି। ତେବେ ଛତିଶଗଡ଼ରେ ହୋଇଥିବା ପ୍ରଥମ ପର୍ଯ୍ୟାୟରେ ୭୦.୮୭ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ସେହିପରି ମିଜୋରାମରେ ଆଜି ମତଦାନ ପ୍ରକ୍ରିୟା ଶେଷ ହୋଇଛି। ମିଜୋରାମରେ ମୋଟ ୭୫.୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ରହିଛି। ଡିସେମ୍ବର ୩ ତାରିଖରେ ଫଳାଫଳ ସାମ୍ନାକୁ ଆସିବ। 

7. କାଲିଠୁ ବଦଳିପାରେ ପାଗ: ରାଜ୍ୟରେ କାଲିଠୁ ବଦଳିପାରେ ପାଗ। ତାତି ଖସିବା ସହିତ ବଢିବ ଥଣ୍ଡା। ଏହା ସହିତ ସ୍ୱାଭାବିକ ଠାରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବ। ଫଳରେ ସାରା ରାଜ୍ୟରେ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ସାରା ରାଜ୍ୟରେ ଆସନ୍ତା କାଲିଠାରୁ ପଶ୍ଚିମା ଝଡର ପ୍ରଭାବ କମିବା ସହ ଓଡ଼ିଶାକୁ ପ୍ରବେଶ କରୁଥିବା ପୂର୍ବାଳୀ ତରଙ୍ଗାୟିତ ଗରମ ଶୁଷ୍କ ବାୟୁ ପ୍ରବାହ କମିବ । ଏହାସହ ଦେଶର ମଧ୍ୟଭାଗରେ ଏକ ଗୁରୁଚାପ ବଳୟ ସ୍ରକିୟ ହେବାକୁ ଯାଉଛି । ଯାହାର ପ୍ରଭାବରେ ରାଜ୍ୟକୁ ଉତ୍ତର-ପଶ୍ଚିମ ତଥା ଉତ୍ତର ଦିଗରୁ ଶୁଷ୍କ-ଥଣ୍ଡା ବାୟୁ ପ୍ରବାହ ବଢିବ।

8. ଫୁଟିବନି ବାଣ, ବିକ୍ରି ଉପରେ ନିଷେଧାଦେଶ: ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ୨୦୧୮ରେ ସୁପ୍ରିମକୋର୍ଟ ଜାରି କରିଥିବା ନିଷେଧାଦେଶ ଦେଶର ସମସ୍ତ ରାଜ୍ୟ ପାଇଁ ଲାଗୁ ବୋଲି ଆଜି ସ୍ପଷ୍ଟ କରିଛନ୍ତି କୋର୍ଟ। ରାଜସ୍ଥାନର ଉଦୟପୁର ବାୟୁମଣ୍ଡଳ ବିଷାକ୍ତ ହେବା ନେଇ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ଏପରି ସ୍ପଷ୍ଟୀକରଣ ଦେଇଛନ୍ତି ସୁପ୍ରିମ କୋର୍ଟ। ଏବେ ବିଷାକ୍ତ ବାୟୁ ବଳୟରେ କବଳିତ ହୋଇଛି ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ। ମାତ୍ର କେବଳ ଦିଲ୍ଲୀ ନୁହେଁ, ରାଜସ୍ଥାନର ଉଦୟପୁରରେ ବି ସମାନ ଅବସ୍ଥା। ସେଠାରେ ବି ବିଷାକ୍ତ ବାୟୁର ଜ୍ୱଳାରେ ଛଟପଟ ହେଉଛନ୍ତି ଲୋକେ। ଏପରି ସ୍ଥିତିରେ ରାଜଧାନୀ ଦିଲ୍ଲୀରେ ବାଣ ବିକ୍ରି ଓ ବ୍ୟବହାର ଉପରେ ନିଷେଧାଦେଶ ଲାଗୁ କରାଯାଇଥିବା ବେଳେ ଏହା ସମଗ୍ର ଦେଶ ପାଇଁ ଲାଗୁ ହେବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।

9. ବିବାଦ ପରେ ବାଦ ପଡ଼ିଲେ ଶାକିବ: ଟାଇମ ଆଉଟ ବିବାଦ ପରେ ଏବେ ବାଂଲାଦେଶ କ୍ରିକେଟ ଟିମକୁ ଏକ ବଡ଼ ଝଟକା ଲାଗିଛି। ଦଳର ଅଧିନାୟକ ଶାକିବ ଅଲ ହାସନଙ୍କ ବାମ ହାତର କାଣି ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ଚଳିତ ବିଶ୍ୱକପର ଅବଶିଷ୍ଟ ମ୍ୟାଚରୁ ବାଦ ପଡିଛନ୍ତି। ଗତକାଲି ୬ ନଭେମ୍ବର ୨୦୨୩ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ବ୍ୟାଟିଂ କରୁଥିବା ବେଳେ ବାଂଲାଦେଶ ଅଧିନାୟକ ଆହତ ହୋଇଥିଲେ। ମ୍ୟାଚ୍ ପରେ ତାଙ୍କ ଆଙ୍ଗୁଠିର ଏକ୍ସ-ରେ ନିଆଯାଇଥିଲା, ଯେଉଁଥିରେ ଆଙ୍ଗୁଠିରେ ଆଘାତ ଲାଗିଥିବା ନେଇ ସ୍ପଷ୍ଟ ହୋଇଥିଲା। ଫଳରେ ସେ ଚିକିତ୍ସା ପାଇଁ ବାଂଲାଦେଶ ଫେରିଯାଇଛନ୍ତି। 

10. ଆଫଗାନିସ୍ତାନ ବନାମ ଅଷ୍ଟ୍ରେଲିଆ: ଚଳିତ ବିଶ୍ୱକପର ୩୯ତମ ମ୍ୟାଚରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିଛନ୍ତି। ଆଫଗାନିସ୍ତାନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୫ଟି ଓ୍ୱିକେଟ ହରାଇ ୨୯୧ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଇବ୍ରାହିମ ଜର୍ଦ୍ଦାନ ୧୨୯ ରନର ଶତକୀୟ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରସିଦ ଖାନ ୩୫, ରେହମତ ୩୦ ରନର ସ୍କୋର କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ହେଜଲଉଡ଼ ସର୍ବାଧିକ ୨ଟି ଓ୍ୱିକେଟ ନେଇଥିବା ବେଳେ ଷ୍ଟାର୍କ, ମ୍ୟାକ୍ସୱେଲ ଓ ଆଡ଼ମ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ। ଜବାବରେ ଅଷ୍ଟ୍ରେଲିଆ ୪୬.୫ ଓଭରରେ ବିଜୟ ଲକ୍ଷ୍ୟକୁ ହାସଲ କରିନେଇଥିଲା। ତେବେ ଏହି ବିଜୟରେ ମ୍ୟାକ୍ସୱେଲ ଦ୍ୱିଶତକ ହାସଲ କରିନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସେଭଳି କୌଣସି ବ୍ୟାଟସ ମ୍ୟାନ ଆଖିଦୃଶିଆ ସ୍କୋର କରିପାରିନଥିଲେ। ଆଫଗାନିସ୍ତାନ ପକ୍ଷରୁ ନବୀନ ଉଲ ହକ, ଆଜମାତୁଲ୍ଲହା ଓମରଜାଇ ଓ ରସିଦ ଖାନ ଦୁଇଟି ଲେଖାଏଁ ୱିକେଟ ହାସଲ କରିଥିଲେ।