Indo Myanmar Border Length: ଭାରତ-ମିଆଁମାର ମଧ୍ୟରେ ରହିଥିବା ପ୍ରାୟ ୧୬୪୩ କିଲୋମିଟର ଲମ୍ବା ସୀମା ରେଖାରେ ବାଡ଼ ସ୍ଥାପନ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିଛନ୍ତି।
Trending Photos
India-Myanmar Border Fence: ଭାରତ-ମିଆଁମାର ସୀମାରେ ଲାଗିବ ବାଡ଼। ଉଭୟ ଦେଶର ସୀମାରେ ବାଡ଼ ଲଗାଯିବା ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି। ମୋଦି ସରକାରଙ୍କ ଏପରି ନିଷ୍ପତ୍ତି ଆସିବା ପରେ ଏହି ପ୍ରସଙ୍ଗରେ ଏବେ ବିତର୍କ ଆରମ୍ଭ ହୋଇଯାଇଛି। ସୀମାରେ ବାଡ଼ ଲଗାଇବାର ମୂଲ୍ୟ ଏବଂ ଏହାର ଅନ୍ୟାନ୍ୟ ବିକଳ୍ପକୁ ନେଇ ବିତର୍କ ଜାରି ରହିଛି। ଭାରତ-ମିଆଁମାର ମଧ୍ୟରେ ପ୍ରାୟ ୧୬୪୩ କିଲୋମିଟର ଲମ୍ବା ସୀମା ରେଖା ରହିଛି। ଭାରତ-ମିଆଁମାର ସୀମାରେ ବାଡ଼ ଲାଗିଯିବା ପରେ ଉଭୟ ଦେଶର ଲୋକଙ୍କ ମଧ୍ୟରେ ହେଉଥିବା ମୁକ୍ତ ଚଳ ପ୍ରଚଳ ବନ୍ଦ ହୋଇଯିବ। ଯଦି ଭାରତ-ମିଆଁମାର ବାଡ଼ ଲଗାଯାଏ ତାହେଲେ କେତେ ଟଙ୍କା ଖର୍ଚ୍ଚ ହେବ ଏବଂ ଏହା ଦ୍ୱାରା ସୁବିଧା ଏବଂ ଅସୁବିଧା କ'ଣ ହେବ?
ଭାରତ-ମିଆଁମାର ସୀମାରେ ବାଡ଼ ଲଗାଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ?
ଭାରତ-ମିଆଁମାର ସୀମାରେ ବାଡ଼ ଲଗାଇବା କୌଣସି ଚ୍ୟାଲେଞ୍ଜ ଠାରୁ କମ ନୁହେଁ। କୌଣସି ଘଞ୍ଚ ଜଙ୍ଗଲ କିମ୍ବା ପାହାଡ଼ିଆ ଅଞ୍ଚଳରେ ବାଡ଼ ନିର୍ମାଣ କରିବା ସହଜ ନୁହେଁ। ପୂର୍ବତନ ସେନା ମୁଖ୍ୟ ଜେନେରାଲ୍ ଏମ୍ ନରୱଣେ, ଭାରତ-ମିଆଁମାର ସୀମାରେ ବାଡ଼ ଲଗାଇଲେ କେତେ ଟଙ୍କା ଖର୍ଚ୍ଚ ହେବ ତାହାର ମୂଲ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି। ଭାରତ-ମିଆଁମାର ସୀମାରେ ବାଡ଼ ନିର୍ମାଣ କରିବା ଶବ୍ଦରେ ଯେତିକି ସହଜ, ଏହାକୁ ବାସ୍ତବ ରୂପରେ କାର୍ଯ୍ୟକାରୀ କରିବା ମଧ୍ୟ ସେତିକି କଷ୍ଟକର। ଯଦି ପ୍ରଥମେ ଖର୍ଚ୍ଚ ବିଷୟରେ ଆଲୋଚନା କରାଯାଏ ତାହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ବାଡ଼ ଲଗାଇବାର ଖର୍ଚ୍ଚ ସମ୍ପର୍କରେ ସଠିକ୍ ଆକଳନ ହୋଇନାହିଁ। ହେଲେ ଏକ ଆନୁମାନିକ ଆକଳନ ଅନୁଯାୟୀ ଭାରତ-ମିଆଁମାର ସୀମାରେ ବାଡ଼ ଲଗାଉବା ପାଇଁ କିଲୋମିଟର ପିଛା ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ। ଭାରତ-ମିଆଁମାର ସୀମାରେ ବାଡ଼ ସେତେବେଳେ ଲଗାୟାଇ ପାରିବ ଯେତେବେଳେ ଉପଯୁକ୍ତ ପାଗ ରହିବ ଏବଂ ଏହି କାର୍ଯ୍ୟରେ କୌଣସି ବଡ଼ ସମସ୍ୟା କିମ୍ବା ବାଧା ନଥିବ।
ଭାରତ-ମିଆଁମାର ସୀମାରେ ଲଗାଯାଇଥିବା ବାଡ଼ର ମରାମତି ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ?
ଭାରତ-ବାଂଲାଦେଶ ସୀମାରେ ସ୍ଥାପିତ ହୋଇଥିବା ବାଡରୁ ଏହି ଖର୍ଚ୍ଚ ସମ୍ପର୍କରେ ଆକଳନ କରାଯାଇପାରେ। ଭାରତ-ବାଂଲାଦେଶ ମଧ୍ୟରେ ରହିଥିବା ୪୦୦୦ କିଲୋମିଟର ସୀମା ମଧ୍ୟରୁ ୩୩୨୬ କିଲୋମିଟର ସୀମାରେ ବାଡ଼ ଲଗାଇବାକୁ ସରକାର ଅନୁମୋଦନ କରିଛନ୍ତି। ଦୁଇଟି ପର୍ଯ୍ୟାୟରେ ଭାରତ-ବାଂଲାଦେଶ ସୀମାରେ ବାଡ଼ ଲଗା ଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ବାଡ଼ ଲଗାଇବା ପାଇଁ ଆନୁମାନିକ ୧୦୫୯ କୋଟି ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଆନୁମାନିକ ୪୩୯୩.୬୯ କୋଟି ଟଙ୍କା ଖର୍ଚ୍ଚ ହେବ। ଯଦି ମିଆଁମାର ସୀମାରେ ସମାନ ସୂତ୍ର ପ୍ରୟୋଗ କରାଯାଏ, ତାହେଲେ ଉଭୟ ଦେଶ ମଧ୍ୟରେ ରହିଥିବା ୧୬୪୩ କିଲୋମିଟର ସୀମାରେଖା ବାଡ଼ ଲଗାଇବା ପାଇଁ ୩୨୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ଆପଣଙ୍କୁ କହିରଖୁଛୁ ଯେ ଭାରତ-ମିଆଁମାର ସୀମାରେ ବାଡ଼ ସ୍ଥାପନ କରିବା କାର୍ଯ୍ୟ ଅଧିକ ଚ୍ୟାଲେଞ୍ଜିଂ ହେବ। କେବଳ ସୀମାରେ ବାଡ଼ ଲଗାଇଦେଲେ ସବୁ ସମସ୍ୟାର ସମାଧାନ ହୋଇଯିବ ନାହିଁ। ବରଂ ଲଗାଯାଇଥିବା ବାଡ଼କୁ ପ୍ରତିବର୍ଷ ମରାମତି କରିବା ଆବଶ୍ୟକ। ଯାହାର ଅର୍ଥ ହେଉଛି ବାଡ଼ ଲଗାଇବା ସହ ପ୍ରତିବର୍ଷ ଏହାର ରକ୍ଷଣାବେକ୍ଷଣ କରିବାକୁ ହେବ।