Bageshwar Dham: ବାଗେଶ୍ୱର ଧାମ ବାବାଙ୍କ ପାଖକୁ ନେଲାନି ସ୍ବାମୀ, ଆତ୍ମହତ୍ୟା କରିଦେଲା ସ୍ତ୍ରୀ
Advertisement
Article Detail0/zeeodisha/odisha1636573

Bageshwar Dham: ବାଗେଶ୍ୱର ଧାମ ବାବାଙ୍କ ପାଖକୁ ନେଲାନି ସ୍ବାମୀ, ଆତ୍ମହତ୍ୟା କରିଦେଲା ସ୍ତ୍ରୀ

Bageshwar Dham News: ପୁଣି ଚର୍ଚ୍ଚାରେ ବାଗେଶ୍ୱର ଧାମ । ବାବାଙ୍କ ଦର୍ଶନ ନ ମିଳିବାରୁ ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ଏବେ ହଇଚଇ ସୃଷ୍ଟି କରିଛି । ମହିଳାଙ୍କୁ ତାଙ୍କ ସ୍ୱାମୀ ବାଗେଶ୍ୱର ବାବାଙ୍କ ନିକଟକୁ ନ ନେବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ସୌ(ସୋସିଆଲ ମିଡିଆ)

Bageshwar Dham News: ଗତ କିଛି ମାସ ଧରି ବାଗେଶ୍ୱର ଧାମକୁ(Bageshwar dham) ନେଇ ସାରା ଦେଶରେ ଚର୍ଚ୍ଚା ଜୋରଦାର ଲାଗି ରହିଛି। ନିଜର ଅଦ୍ଭୁତ ଦୈବିକ ଶକ୍ତି ଦ୍ୱାରା ଭକ୍ତ ମାନଙ୍କର ସମସ୍ୟା ଜାଣିବା ସହ ସମାଧାନ କରି ପାରୁଥିବା ନେଇ ଦାବି କରି ଆସୁଥିବା ବାବା ଧୀରେନ୍ଦ୍ର ଶାସ୍ତ୍ରୀ(Bageshwar Dham Dhirendra Shastri) ବେଶ କିଛି ଦିନ ଧରି ଚର୍ଚ୍ଚାରେ ରହିଛନ୍ତି । କିଏ ତାଙ୍କ ଚମତ୍କାରକୁ ବିଶ୍ୱାସ କରି ତାଙ୍କ ସରଣରେ ପଡି଼ ଯାଉଛି ତ କେହି କେହି ତାଙ୍କୁ ଅନ୍ଧବିଶ୍ୱାସୀ ବୋଲି କହୁଛନ୍ତି। ତେବେ ବିଭିନ୍ନ ବାଦ ବିବାଦରେ ଘେରି ରହିଥିବା ବାବା ଏବେ ପୁଣି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ବାବାଙ୍କ ଦର୍ଶନ ନ ମିଳିବାରୁ ଜଣେ ମହିଳା ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କୁ ତାଙ୍କ ସ୍ୱାମୀ ବାଗେଶ୍ୱର ବାବାଙ୍କ ନିକଟକୁ ନ ନେବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଏହି ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଜବଲପୁର(Jabalpur) ଅଞ୍ଚଳରେ। ମୃତ ମହିଳାଙ୍କର ନାମ ପଲ୍ଲବୀ ଚୌଧୁରୀ ଅଟେ। ସେ ତାଙ୍କ ସ୍ୱାମୀ ସନ୍ଦୀପ ଚୌଧୁରୀ ଓ ଶାଶୁଙ୍କ ସହ ଜବଲପୁର ଥାନା ଅନ୍ତର୍ଗତ କଞ୍ଚନପୁରରେ ରହୁଥିଲେ। ବାଗେଶ୍ୱର ଧାମ ବାବାଙ୍କ ଉପରେ ତାଙ୍କର ଅତୁଟ ବିଶ୍ୱାସ ଓ ଭକ୍ତି ରହିଥିଲା ।  ସେ ବାଗେଶ୍ୱର ଧାମ ଯିବା ପାଇଁ ତାଙ୍କ ସ୍ୱାମୀଙ୍କୁ କହି ଆସୁଥିଲେ। ବାରମ୍ବାର କହିବା ସତ୍ତ୍ୱେ ସନ୍ଦୀପ ପଲ୍ଲବୀଙ୍କୁ ବାଗେଶ୍ୱର ଧାମ ନେବାରେ ଅସମର୍ଥ ହେବାରୁ ଦୁଃଖରେ ଭାଙ୍ଗି ପଡି଼ ସେ ଏହିପରି ପଦକ୍ଷେପ ନେଇଥିବା ଜଣାପଡି଼ଛି। ମୃତ ମହିଳାଙ୍କର ସ୍ୱାମୀ ସନ୍ଦୀପଙ୍କ କହିବା ଅନୁସାରେ, ତାଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସେ ସ୍ତ୍ରୀଙ୍କୁ ବାଗେଶ୍ୱର ଧାମ ନେଇପାରିନଥିଲେ । ସେ ଦୈନିକ ଯାହା ରୋଜଗାର କରନ୍ତି ସେତିକିରେ ତାଙ୍କ ପରିବାର ଚଳେ। ଘରେ ୨ଟି ଛୋଟ ପିଲା ଥିବାବେଳେ ତାଙ୍କର ପାଠପଢା ଖର୍ଚ୍ଚ ସନ୍ଦୀପ ବହନ କରୁଥାଆନ୍ତି। ଏହାସହ ମାଆଙ୍କ ଦେହ ଖରାପ ଥିବାରୁ ତାଙ୍କର ଚିକିତ୍ସାରେ ଅଧିକ ଟଙ୍କା ଖର୍ଚ୍ଚ ହେଉଥିଲା । ଏହି ପରି ଖରାପ ସମୟ ମଧ୍ୟରେ ସେ ନିଜ ସ୍ତ୍ରୀଙ୍କୁ ବାଗେଶ୍ୱର ଧାମ ନେବା ପରିବର୍ତ୍ତେ ମାଆଙ୍କର ଚିକିତ୍ସା କରେଇବା ଉଚିତ୍ ମଣିଥିଲେ। ବାଗେଶ୍ୱର ଧାମ ବାବଙ୍କ ପାଖକୁ ନେବା ପାଇଁ ମନା କରିଦେବାରୁ ପଲ୍ଲବୀ ଦୁଃଖରେ ଭାଙ୍ଗିପଡି଼ ଆତ୍ମହତ୍ୟା(Suicide) କରିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- National News in Odia: ନାବାଳିକା ଛାତ୍ରୀଙ୍କୁ ବିବାହ କରି ବନ୍ଧା ହେଲା ରସିକିଆ ଶିକ୍ଷକ

କାହିଁକି ଜିଦି କରୁଥିଲେ ପଲ୍ଲବୀ?

ସନ୍ଦୀପ କହିଛନ୍ତି ଯେ, ପଲ୍ଲବୀ ପ୍ରତ୍ୟେକ ଦିନ ଧୀରେନ୍ଦ୍ର ଶାସ୍ତ୍ରୀଙ୍କର ପ୍ରବଚନ ଶୁଣୁଥିଲେ। ଏହାସହ ଘରେ ଲାଗି ରହିଥିବା ସମସ୍ୟା ଗୁଡିକୁ ଦୂର କରିବା ପାଇଁ ପ୍ରବଚନରେ କୁହାଯାଉଥିବା ଉପାୟ ମଧ୍ଯ ପାଳନ କରୁଥିଲେ। ଗତ ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଜବଲପୁରରେ ବାଗେଶ୍ୱର ବାବାଙ୍କର ଦରବାର ଆୟୋଜନ ହେବାର ଥିଲା। ମାର୍ଚ୍ଚ ୨୭ ତାରିଖରେ ଏନେଇ ଖବର ପାଇବା ପରେ ପଲ୍ଲବୀ ବାବାଙ୍କୁ ଦର୍ଶନ କରିବା ପାଇଁ ସେ ସନ୍ଦୀପଙ୍କୁ କହିଥିଲେ। କିନ୍ତୁ ପଲ୍ଲବୀଙ୍କ କଥା ନ ଶୁଣି ସେହି ଦିନ ମାଆଙ୍କୁ ନେଇ ସନ୍ଦୀପ ଡାକ୍ତରଖାନା ଚାଲିଯାଇଥିଲେ। ସେଠାରେ ଡାକ୍ଚର ନ ଥିବାରୁ ଘରକୁ ଆସିବାରେ ତାଙ୍କୁ ବିଳମ୍ବ ହୋଇଥିଲା।

ଘରକୁ ଫେରିବା ପରେ କବାଟ ବନ୍ଦ ଥିଲା। ବାରମ୍ବାର ଡାକିବା ସତ୍ତ୍ୱେ କୌଣସି ଉତ୍ତର ନ ମିଳିବାରୁ ପାଖ ପଡୋଶୀଙ୍କୁ ଡା଼କି କବାଟ ଭାଙ୍ଗିଥିଲେ ସନ୍ଦୀପ। ପଲ୍ଲବୀଙ୍କୁ ଫାଶୀରେ ଝୁଲିଥିବାର ଦେଖି ସଙ୍ଗେ ସଙ୍ଗେ ସେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ବ୍ୟବଚ୍ଛେଦ କରି ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। କିଛି ଲୋକଙ୍କ କହିବା ଅନୁସାରେ ପଲ୍ଲବୀ ତାଙ୍କ ସ୍ୱାମୀଙ୍କ ପରିସ୍ଥିତି ନ ବୁଝିପାରି ଏତେ ବଡ ପଦକ୍ଷେପ ନେଇଛନ୍ତି। ଏହା ବାବାଙ୍କ ପ୍ରତି ଅନ୍ଧ ଭକ୍ତିର କରୁଣ ପରିଣତି ବୋଲି ଆଉ କିଛି ଲୋକ ମତବ୍ୟକ୍ତ କରିଛନ୍ତି।