Budget 2024: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅନ୍ତରୀଣ ବଜେଟ୍‌‌ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହି ବଜେଟ୍‌‌ ମୋଦି ସରକାରଙ୍କ ୨ୟ ପାଳି କାର୍ଯ୍ୟକାଳର ଅନ୍ତିମ ବଜେଟ୍‌‌। ଅର୍ଥମନ୍ତ୍ରୀ ଚଳିତ ଥର ୬ଷ୍ଠ ବଜେଟ୍‌‌ ସଂସଦରେ ଉପସ୍ଥାପନ କରିଛନ୍ତି। ପ୍ରଥମ ଏବଂ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛିା ସବ୍‌‌କା ସାଥ୍‌‌ ,ସବ୍‌‌କା ବିକାଶ ଓ ସବ୍‌‌କା ପ୍ରୟାସ ଚାଲୁ ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଅର୍ଥମନ୍ତ୍ରୀ କହିଛନ୍ତି,୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳଲକ୍ଷ୍ୟ। ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସୁବିଧା ଯୋଗାଉଛନ୍ତି ସରକାର। 


COMMERCIAL BREAK
SCROLL TO CONTINUE READING

ଗରିବ, ମହିଳା, ଯୁବ ଏବଂ ଅନ୍ନଦାତାଙ୍କ ଉନ୍ନତିକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଗରିବ କଲ୍ୟାଣ, ଦେଶର କଲ୍ୟାଣ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ। ତେବେ ନିର୍ବାଚନ ପୂର୍ବରୁ କୁହାଯାଉଥିବା ଲୋଭନୀୟ ବଜେଟ୍ ହୋଇନାହିଁ ଚଳିତଥରର ଅନ୍ତରୀଣ ବଜେଟ୍ । କାରଣ କୁହାଯାଉଛି ଯେ, ଅନ୍ତରୀଣ ବଜେଟ୍(Interim Budget) ରେ ଏତେଟା ସୁବିଧା କରାଯାଇନାହିଁ । କାରଣ ଭିତ୍ତିଭୂମି ଉପରେ ଅଧିକ ନଜର ରଖିଛନ୍ତି ସରକାର । ଅର୍ଥାତ୍ ରେଳ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଭିତ୍ତିଭୂମିର ବିକାଶ କରାଇ ରୋଜଗାର ଯୋଗାଇଦେବା ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି। ଅନ୍ୟପଟେ ଯୁବପୀଢି ଓ ମହିଳାଙ୍କ କ୍ଷେତ୍ରରେ ଅଧିକ ଯୋଜନା କରିଛନ୍ତି ସରକାର। 


ଦେଶର  ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଅର୍ଥମନ୍ତ୍ରୀ (Finance Minister Nirmala Sitharaman) ଘୋଷଣା କରିଛନ୍ତି। ଅଗଷ୍ଟ ୧୫, ମସିହା ୨୦୨୩ ରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲକ୍ଷପତି ଦିଦି ଯୋଜନା(Lakhpati Didi Scheme) ଆରମ୍ଭ କରିବାକୁ ଘୋଷଣା କରିଥିଲେ। ସେ ଦେଶରେ ଦୁଇ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବାର ଲକ୍ଷ୍ୟ ରଖିଥିଲେ। ବର୍ତ୍ତମାନ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ଲକ୍ଷ୍ୟକୁ ୩କୋଟିକୁ ବୃଦ୍ଧି କରିଛନ୍ତି। ଲକ୍ଷପତି ଦିଦି ଯୋଜନାର ଉଦ୍ଦେଶ୍ୟ ହେଉଛି ଦାରିଦ୍ର୍ୟ ଦୂରୀକରଣ ଏବଂ ଆର୍ଥିକ ସଶକ୍ତିକରଣ । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବର୍ଷକୁ  ଏକ ଲକ୍ଷରୁ ଅଧିକ ରୋଜଗାର କରିପାରିବେ। ଏହି ଯୋଜନା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ତ୍ରୁଣମୂଳ ସ୍ତରରେ କାର୍ଯ୍ୟକାରୀ ହେବ । ମହିଳାମାନଙ୍କୁ ଲକ୍ଷପତି ଦିଦି ହେବାକୁ ବିଭିନ୍ନ ପ୍ରକାରର ତାଲିମ ଦିଆଯିବ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଗ୍ରୁପ କୁ ଡ୍ରୋନ୍ ଯୋଗାଇ ସେମାନଙ୍କୁ ଡ୍ରୋନ୍ କାର୍ଯ୍ୟ ଏବଂ ମରାମତି ପାଇଁ ତାଲିମ ଦିଆଯିବ ।


ଅନ୍ୟପଟେ ପ୍ରାୟ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତ କରିବାରେ ସଫଳ ହୋଇଛନ୍ତି ସରକାର । କେବଳ ସେତିକି ନୁହେଁ ପ୍ରାୟଃ ସମସ୍ତ ବର୍ଗର ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ସରକାରୀ ସ୍ତରରେ କାର୍ଯ୍ୟକ୍ରମମାନ କରାଯାଉଛି । ସବକା ସାଥ ସବକା ବିକାଶ ନାରା ସଠିକ୍ ଭାବରେ ଚାଲୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ନିଜ ମନ୍ତବ୍ୟରେ ନିର୍ମଳା କହିଛନ୍ତି ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରାଯାଉଛି । ଆସନ୍ତା ୨୦୪୭ ମସିହା ସୁଦ୍ଧା ଦେଶ ବିକଶିତ ରାଷ୍ଟ୍ର ଭାବେ ଗଣନା ହେବ ବୋଲି ଲକ୍ଷ ରଖାଯାଇଛି । ଏଥିସହିତ ଅର୍ଥମନ୍ତ୍ରୀ ପିଏମ କୃଷକ ସମ୍ମାନ ନିଧି ଲାଭ, ଡିବିଟି ଏବଂ ଜନଧନ ଆକାଉଣ୍ଟ ମାଧ୍ୟମରେ ଲୋକଙ୍କୁ ସହାୟତା ମିଳୁଥିବା କଥା କହିଥିଲେ ।


Also Read: 


Budget 2024: ଦେଶର ତିନି କୋଟି ମହିଳା ହେବେ ଲକ୍ଷପତି ଦିଦି, ଜାଣନ୍ତୁ କେମିତି?