Operation Ajay India: ସୁରକ୍ଷିତ ଭାବେ ସ୍ୱଦେଶ ଫେରିବେ ଭାରତୀୟ; ଆରମ୍ଭ ହେଲା ଅପରେସନ 'ଅଜୟ'
Advertisement
Article Detail0/zeeodisha/odisha1912208

Operation Ajay India: ସୁରକ୍ଷିତ ଭାବେ ସ୍ୱଦେଶ ଫେରିବେ ଭାରତୀୟ; ଆରମ୍ଭ ହେଲା ଅପରେସନ 'ଅଜୟ'

Indian Rescue Mission in Israel: ଇସ୍ରାଏଲ-ହମାସ ଯୁଦ୍ଧ କାରଣରୁ ଇସ୍ରାଏଲ-ପାଲେଷ୍ଟାଇନ ଠାରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଛି ଉଦ୍ଧାର ଅଭିଯାନ। ଯାହାର ନାଁ ହେଉଛି ଅପରେସନ 'ଅଜୟ'।

 

Operation Ajay India: ସୁରକ୍ଷିତ ଭାବେ ସ୍ୱଦେଶ ଫେରିବେ ଭାରତୀୟ; ଆରମ୍ଭ ହେଲା ଅପରେସନ 'ଅଜୟ'

Israel-Hamas War Latest Update: ଯୁଦ୍ଧଗ୍ରସ୍ତ ଇସ୍ରାଏଲ ଠାରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ଏନେଇ ଭାରତ ସରକାରଙ୍କ ପକ୍ଷରୁ "ଅପରେସନ ଅଜୟ" ନାମରେ ଏକ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଯାଇଛି। ଭାରତ ସରକାରଙ୍କ ପକ୍ଷରୁ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ ହେବା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଅକ୍ଟୋବର ୧୧ ତାରିଖ ବୁଧବାର ଜଣାଇଛନ୍ତି। ଏହି ଘୋଷଣା ଏପରି ଏକ ସମୟରେ କରାଯାଇଛି ଯେତେବେଳେ ହାମାସ ଆତଙ୍କବାଦୀ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ପଞ୍ଚମ ଦିନ ପର୍ଯ୍ୟନ୍ତ ଜାରି ରହିଛି।

ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ମିଡିଆ ପ୍ଲାଟଫର୍ମ "ଏକ୍ସ" ମାଧ୍ୟମରେ ଏକ ପୋଷ୍ଟ କରିଛନ୍ତି। ଏନେଇ ବିଦେଶ ମନ୍ତ୍ରୀ କହିଛନ୍ତି ଇସ୍ରାଏଲ ଠାରୁ ସ୍ୱଦେଶ ଫେରିବାକୁ ଚାହୁଁଥିବା ଭାରତୀୟ ନାଗରିକଙ୍କ ପ୍ରତ୍ୟାବର୍ତ୍ତନ ପାଇଁ ଆମେ 'ଅପରେସନ୍ ଅଜୟ' ନାମରେ ଏକ ଉଦ୍ଧାର ଅଭିଯାନ ଆରମ୍ଭ କରୁଛୁ। ବିଦେଶରେ ଆମର ନାଗରିକଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରତିବଦ୍ଧ।

ଏହା ପୂର୍ବରୁ ଭାରତୀୟ ଦୂତାବାସ ବୁଧବାର ଇସ୍ରାଏଲ ଠାର ରହୁଥିବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛି ଏବଂ ଏହା ନିଶ୍ଚିତ କରାଯାଇଛି ଯେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଇସ୍ରାଏଲ ଠାରେ ଭାରତୀୟ ନାଗରିକଙ୍କୁ ସାହାଯ୍ୟ କରିବା ପାଇଁ ନିରନ୍ତର କାର୍ଯ୍ୟ କରାଯାଉଛି। ସୋସିଆଲ ମିଡିଆ ପ୍ଲାଟଫର୍ମ "ଏକ୍ସ" (ପୂର୍ବରୁ ଟ୍ୱିଟର) ମାଧ୍ୟମରେ ଇସ୍ରାଏଲ ଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗଲା କହିଛନ୍ତି, ଆପଣଙ୍କୁ ନିଶ୍ଚିତ କରୁଛି ଯେ ଦୂତାବାସ ଆପଣଙ୍କ ସୁରକ୍ଷା ଏବଂ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରୁଛି। ଆମେ ସମସ୍ତେ ବହୁତ କଷ୍ଟଦାୟକ ସମୟ ଦେଇ ଗତି କରୁଛୁ। ଦୟାକରି ସତର୍କ ରୁହନ୍ତୁ ଏବଂ ସ୍ଥାନୀୟ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ।

ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୀବ ସିଙ୍ଗଲା କହିଛନ୍ତି ଯେ ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଆସିଛୁ। ଆମକୁ ବହୁତ କୃତଜ୍ଞତାର ବାର୍ତ୍ତା ପଠାଇଥିବା ଲୋକଙ୍କୁ ଆମେ ଧନ୍ୟବାଦ ଦେଉଛୁ। ଆମେ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛୁ ଏବଂ କୌଣସି ଅଧିକ ସୂଚନା ପାଇଁ ଦୂତାବାସ ସହିତ ଯୋଗାଯୋଗରେ ରୁହନ୍ତୁ। "ଜୟ ହିନ୍ଦ" 

ଗୁରୁବାର ଦିନ ଇସ୍ରାଏଲ ଠାର ପ୍ରଥମ ବିମାନ ଭାରତୀୟଙ୍କୁ ନେଇ ସ୍ୱଦେଶ ଫେରିବ। ଏହି ଯାତ୍ରୀଙ୍କ ଠାରୁ ଭାରତ ସରକାର କୌଣସି ଭଡ଼ା ମଧ୍ୟ ଆଦାୟ କରୁନାହାଁନ୍ତି। ଏହି ସମୟରେ ଭାରତ ପ୍ରଥମେ ନିଜ ନାଗରିକଙ୍କ ବିଷୟରେ ନିର୍ଦ୍ଦେଶାବଳୀ ଜାରି କରିଥିଲା। ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର 'ଅପରେସନ୍ ଅଜୟ' ଆରମ୍ଭ କରିବା ସମ୍ପର୍କରେ ଘୋଷଣା କରିଛନ୍ତି। ଇସ୍ରାଏଲ ଠାରୁ ଭାରତ ଫେରିବାକୁ ଚାହୁଁଥିବା ଭାରତୀୟ  ନାଗରିକଙ୍କ ପ୍ରତ୍ୟାବର୍ତ୍ତନକୁ ସୁଗମ କରିବା ପାଇଁ ଆମେ "ଅପରେସନ୍ ଅଜୟ" ଆରମ୍ଭ କରୁଛୁ। ସ୍ୱତନ୍ତ୍ର ଚାର୍ଟର୍ ଫ୍ଲାଇଟ୍ ଏବଂ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। 

ପ୍ରଥମ ବିମାନରେ ଆସୁଥିବା ୨୩୦ ଭାରତୀୟ ଗୁରୁବାର ସନ୍ଧ୍ୟାରେ ଇସ୍ରାଏଲ ରାଜଧାନୀ ତେଲ ଆଭିଭ ସ୍ଥିତ ଡେଭିଡ ବେନ୍ ଗୁରିଅନ ବିମାନ ବନ୍ଦରରୁ ଉଡ଼ାଣ କରିବ। ଅକ୍ଟୋବର ୭ ତାରିଖରେ ହୋଇଥିବା ଆକ୍ରମଣ ପରେ ଏୟାର ଇଣ୍ଡିଆ ତୁରନ୍ତ ବିମାନ ଉଡ଼ାଣ ସ୍ଥଗିତ ରଖିଥିଲା। ଯେଉଁମାନେ ଇସ୍ରାଏଲ ଠାରୁ ଭାରତ ଫେରୁଛନ୍ତି ସେମାନଙ୍କୁ କୌଣସି ଭଡା଼ ଦେବାକୁ ପଡିବ ନାହିଁ। ସେମାନଙ୍କ ଫେରସ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି। ଡେଭିଡ ବେନ୍ ଗୁରିଅନ୍ ହେଉଛି ଇସ୍ରାଏଲ ରାଜଧାନୀ ତେଲ ଅଭିଭ ଠାରେ ଅବସ୍ଥିତ ଦେଶର ମୁଖ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର। ଯାହା ଲୋଦ ସହରର ଉତ୍ତର ସୀମାରେ ଅବସ୍ଥିତ। ଇସ୍ରାଏଲ ଠାରେ ପ୍ରାୟ ୧୮ ହଜାର ଭାରତୀୟ ବସବାସ କରିଥାନ୍ତି। ବିଦେଶ ମନ୍ତ୍ରୀଙ୍କ ଜୟଶଙ୍କରଙ୍କ ଘୋଷଣା ପରେ ତୁରନ୍ତ ଇସ୍ରାଏଲ ଠାରେ ଅବସ୍ଥାପିତ ଭାରତୀୟ ଦୂତାବାସ କହିଛି ଯେ ଗୁରୁବାର ଦିନ ସ୍ୱତନ୍ତ୍ର ବିମାନ ଯୋଗେ ଆସୁଥିବା ଭାରତୀୟ ନାଗରିକଙ୍କ ପ୍ରଥମ ବ୍ୟାଚ୍ ତାଲିକାକୁ ଆମେ ଇ-ମେଲ କରିଛୁ। ପରବର୍ତ୍ତୀ ବିମାନ ପାଇଁ ଅନ୍ୟମାନଙ୍କ ତାଲିକା ଶୀଘ୍ର ପଠାଯିବ। 

ଜାରି ହେଲା ହେଲପ୍ ଲାଇନ ନମ୍ବର
ଇସ୍ରାଏଲ-ପାଲେଷ୍ଟାଇନ ସ୍ଥିତି ଉପରେ ନଜର ରଖିବା ଏବଂ ସୂଚନା ଏବଂ ସହାୟତା ପ୍ରଦାନ କରିବା ପାଇଁ ଦିଲ୍ଲୀ ଠାରେ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ଏହା ବ୍ୟତୀତ ଇସ୍ରାଏଲ ରାଜଧାନୀ ତେଲ ଆଭିଭ ଏବଂ ରାମଲାଲାରେ ଅଲଗା ଜରୁରୀକାଳୀନ ହେଲ୍ପଲାଇନ ଚାଲୁଛି। ଦିଲ୍ଲୀ ସ୍ଥିତ କଣ୍ଟ୍ରୋଲ ରୁମ୍ ଫୋନ୍ ନମ୍ବର ହେଉଛି ୧୮୦୦୧୧୮୭୯୭ (ଟୋଲ୍ ଫ୍ରି), +୯୧-୧୧-୨୩୦୧୨୧୧୩, +୯୧-୧୧- ୨୩୦୧୪୧୦୪, +୯୧- ୧୧-୨୩୦୧୭୯୦୫ ଏବଂ +୯୧୯୯୬୮୨୯୧୯୮୮ ଏବଂ ଇ-ମେଲ୍ ଆଇଡ଼ି ହେଉଛି situationroom@mea.gov.in। 

ଇସ୍ରାଏଲ-ହମାସ ସଂଘର୍ଷ କାରଣରୁ କେରଳର ଜଣେ ଯୁବତୀ ଆହତ ହୋଇଥିଲେ। ଯିଏ ସେଠାରେ କାର୍ଯ୍ୟ କରୁଛନ୍ତି। ଏନେଇ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ଆମେ ତାଙ୍କ ଏବଂ ତାଙ୍କ ପରିବାର ସହିତ ନିରନ୍ତର ଯୋଗାଯୋଗରେ ଅଛୁ। ଇସ୍ରାଏଲ ଠାରେ ରହୁଥିବା ପ୍ରବାସୀ ଭାରତୀୟ ତାଙ୍କର ଯତ୍ନ ନେଉଛନ୍ତି। ତାଙ୍କୁ ଡାକ୍ତରଖାନାରେ ଭେଟିଛୁ। ତାଙ୍କ ଅବସ୍ଥା ସ୍ଥିର ରହିଛି। ଇସ୍ରାଏଲ ଠାରେ ବାସ କରୁଥିବା ବହୁ ସଂଖ୍ୟକ ଭାରତୀୟ ତାଙ୍କର ଯତ୍ନ ନେଉଛନ୍ତି। ଏହି ସମୟରେ ପାଲେଷ୍ଟାଇନ ରାମଲ୍ଲା ଠାରେ ରହିଥିବା ଭାରତୀୟ ପ୍ରତିନିଧି କାର୍ଯ୍ୟାଳୟ ଗାଜା ଠାରେ ରହୁଥିବା ୪ ଜଣ ଭାରତୀୟଙ୍କ ସହ ନିରନ୍ତର ଯୋଗାଯୋଗରେ ରହିଛି। ତେଲ ଆଭିଭ ଠାରେ ମଧ୍ୟ ଭାରତୀୟଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ଉଦ୍ୟମ କରାଯାଉଛି। ପ୍ରାୟ ୮୫୦୦୦ ଭାରତୀୟ ବଂଶୋଦ୍ଭବ ଇହୁଦୀ ମଧ୍ୟ ଇସ୍ରାଏଲ ଠାରେ ବସବାସ କରନ୍ତି। ଇସ୍ରାଏଲ୍ ମଧ୍ୟ ଭାରତୀୟଙ୍କ ପାଇଁ ଏକ ଆକର୍ଷଣୀୟ ଦେଶ ହୋଇପାରିଛି। ଭଲ ଦରମା ପାଇବା ବ୍ୟତୀତ ସେମାନେ ମାଗଣା ଖାଦ୍ୟ, ରହିବା ଏବଂ ସ୍ୱାସ୍ଥ୍ୟ ସେବା ମଧ୍ୟ ପାଇଥାନ୍ତି। ପ୍ରାୟ ୧୦୦୦ ଭାରତୀୟ ଛାତ୍ର ଇସ୍ରାଏଲ ଠାରେ ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡକ୍ଟରେଟ ଅଧ୍ୟୟନ କରନ୍ତି। 

Also Read: 'ଅପରେସନ୍ ଗଙ୍ଗା' ପୂର୍ବରୁ ଅନେକ ଉଦ୍ଧାର ଅଭିଯାନ କାର୍ଯ୍ୟକାରୀ କରିଛି ଭାରତ; ପଢନ୍ତୁ ସମ୍ପୂର୍ଣ୍ଣ ତାଲିକା