Olive Ridley Turtle: ଅଲିଭ ରିଡଲେ କଇଁଛଙ୍କ ଆଗମନ ପାଇଁ ବନ ବିଭାଗର ପୂର୍ବ ପ୍ରସ୍ତୁତି
Advertisement
Article Detail0/zeeodisha/odisha1988192

Olive Ridley Turtle: ଅଲିଭ ରିଡଲେ କଇଁଛଙ୍କ ଆଗମନ ପାଇଁ ବନ ବିଭାଗର ପୂର୍ବ ପ୍ରସ୍ତୁତି

Olive Ridley SeaTurtle: ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେ ଙ୍କ ଆଗମନକୁ ନେଇ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଯାଇଛି ପୂର୍ବ ପ୍ରସ୍ତୁତି।

Olive Ridley Turtle: ଅଲିଭ ରିଡଲେ କଇଁଛଙ୍କ ଆଗମନ ପାଇଁ ବନ ବିଭାଗର ପୂର୍ବ ପ୍ରସ୍ତୁତି

Forest Department Preparation for arrival of Olive Ridley Turtle: ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକଙ୍କ ସମ୍ମିଳନୀ ଗୃହ ଠାରେ ଶୁକ୍ରବାର ବିରଳ ଅଲିଭ ରିଡଲେ କଇଁଛଙ୍କ ଆଗମନକୁ ନେଇ ବନ ବିଭାଗ ପକ୍ଷରୁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନୀ ଖୋଖର୍ ଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସଞ୍ଜୟ ସ୍ୱାଇଁ ଯୋଗଦାନ କରିଥିଲେ। ଆଗାମୀ ଦିନରେ ଅଲିଭ ରିଡଲେ କଇଁଛ ମିଳନ ଏବଂ ଗଣ ଅଣ୍ଡାଦାନ ପାଇଁ ଋଷିକୂଲ୍ୟା ନଦୀ ମୁହାଣକୁ ଆସିବେ। ଏହାକୁ ନଜରରେ ରଖି ସେମାନଙ୍କ ସୁରକ୍ଷା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଆଗଧାଡି଼ର କର୍ମଚାରୀ ଏବଂ ସଙ୍ଗଠନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଗତ ବର୍ଷ ଋଷିକୂଲ୍ୟା ନଦୀ ମୂହାଣକୁ ସର୍ବାଧିକ ସଂଖ୍ୟକ କଇଁଛ ଗଣ ଅଣ୍ଡାଦାନ ପାଇଁ ଆସିଥିବା ବେଳେ ଚଳିତ ଥର ମଧ୍ୟ ତାହାକୁ ନଜରରେ ରଖି ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। 

ବ୍ରହ୍ମପୁର ବନଖଣ୍ଡ ଅଧିନରେ ପ୍ରୟାଗୀ ଠାରୁ ଅନନ୍ତରାୟପୁର ପର୍ଯ୍ୟନ୍ତ ପାଖାପାଖି ୫୨ କିଲୋ ମିଟର ସୁଦୀର୍ଘ ବେଳାଭୂମୀରେ କଇଁଛ ଗଣ ଅଣ୍ଡାଦାନ କରିଥାନ୍ତି। ସେଥି ମଧ୍ୟରୁ ପୋଡମପେଟା ଠାରୁ ପୁରୁଣାବନ୍ଧ ଦୀର୍ଘ ୫ କିଲୋମିଟର ବେଳାଭୂମୀରେ ସବୁଠାରୁ ଅଧିକ କଇଁଛ ଗଣ ଅଣ୍ଡାଦାନ କରୁଥିବା ବେଳେ ଅନ୍ୟ ସମସ୍ତ ସ୍ଥାନରେ ସ୍ୱଳ୍ପ ପରିମାଣରେ ଅଣ୍ଡାଦାନ କରିଥାନ୍ତି। ବନ ବିଭାଗ ପକ୍ଷରୁ ଅଣ୍ଡାଦାନ ପାଇଁ ପୋଡମପେଟା ଠାରୁ ପୁରୁଣାବନ୍ଧ ପର୍ଯ୍ୟନ୍ତ ମୋଟ ୫୦ ଜୋନ୍ କରାଯାଇଛି। ପ୍ରତି ଜୋନ ଠାରେ ୫ ଜଣିଆ ଟିମ କଇଁଛ ଏବଂ ସେମାନଙ୍କର ଅଣ୍ଡାର ସୁରକ୍ଷା ପାଇଁ ନିୟୋଜିତ ହୋଇଥାନ୍ତି। ସେହିପରି ବିଗତ ବର୍ଷ ସମସ୍ତ ବିଭାଗର ସମ୍ମନ୍ୱୟ ଏବଂ ସହଯୋଗ କାରଣରୁ ସଫଳତାର ସହ ବନ ବିଭାଗ ଏହାକୁ ପରିଚାଳନା କରି ଗଣ ଅଣ୍ଡାଦାନରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲା। ଚଳିତ ଥର ମଧ୍ୟ ସମସ୍ତ ବିଭାଗ ସମାନ ସହଯୋଗ କରିବେ ବୋଲି ଆରସିସିଏଫ ସଞ୍ଜୟ ସ୍ୱାଇଁ କହିଥିଲେ। 

ଏଥର ଗ୍ରୀନ ସାମୁଦ୍ରିକ କଇଁଛର ଆଗମନ ଏବଂ ତାହାର ସ୍ଥିତିକୁ ବେଶ ଗୁରୁତ୍ଵ ଦିଆଯିବ। ସେହିପରି ବିଗତ ଦିନରେ  ଋଷିକୂଲ୍ୟା ନଦୀ ମୁହାଣରେ ଜଙ୍ଗଲି ଜୀବ ଜନ୍ତୁ କଇଁଛ ଅଣ୍ଡାକୁ ନଷ୍ଟ କରିବାର ଭୟ ରହିଥିବା ବେଳେ ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସବୁଠାରୁ ଅଧିକ ଗଣ ଅଣ୍ଡାଦାନ ହେଉଥିବା ଏକ କିଲୋମିଟରରେ ଜିଆଇ ତାରର ସୁରକ୍ଷା ବାଡ ନିର୍ମାଣ କରାଯିବ। ଏକଥା କହିଛନ୍ତି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନୀ ଖୋଖର୍। 

ଶୁକ୍ରବାର ଅନୁଷ୍ଠିତ ହୋଇଥିବା ପ୍ରସ୍ତୁତି ବୈଠକରେ ଗୋପାଳପୁର ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ ପରିଚାଳନା ମୁଖ୍ୟ ଅନିଲ ମହାପାତ୍ର, ଟାଟା ଏସଈଜେଡ ପରିଚାଳନା ମୁଖ୍ୟ ରକି ମାର୍ଟିନ, ଅତିରିକ୍ତ ବନ ସଂରକ୍ଷକ ପ୍ରଭାକର ନାୟକ, ମନୋଜ ପାତ୍ର, ମାଣିକେଶ୍ଵରୀ ହାଁସଦା, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ରବିନ୍ଦ୍ରନାଥ ସାହୁ, ଡବ୍ଲୁଡବ୍ଲୁଏଫର ରାଜ୍ୟ ସଂଯୋଜିକା ସ୍ୱାଧି ସିନ୍ଦୁରା, ବନାଞ୍ଚଳ ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ଦିବ୍ୟ ରଞ୍ଜନ ସାହୁ, ତଟରକ୍ଷୀ ବାହିନିର କମାଣ୍ଡିଂ ଅଧିକାରୀ କମାଣ୍ଟାଣ୍ଟ୍ ପ୍ରତିପ ମୋଦକ୍, ମତ୍ସ୍ୟ ବିଭାଗ ଅଧିକାରୀ ସୁବ୍ରତ ପଟ୍ଟନାୟକ, ପୋଲିସ ଅଧିକାରୀ, ମତ୍ସ୍ୟଜୀବୀ ସଂଘ, ସ୍ଥାନୀୟ ଗ୍ରାମବାସୀ, ଗୋପାଳପୁର ବନ୍ଦର କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ବନପାଳ ବାବୁ ସେଠୀ, କିରାଣୀ ଦିଗାମ୍ବର ହୋତା ଏବଂ ଅନ୍ୟାନ୍ୟ କର୍ମଚାରୀ ପରିଚାଳନା କରିଥିଲେ।