)
Odisha CM Naveen Patnaik: ରାଜ୍ୟବାସୀଙ୍କୁ ନୂଆବର୍ଷ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବହୁଦିନର ସ୍ୱପ୍ନ ସାକାର ହେବ। ଜାନୁଆରୀ ୧ ତାରିଖ ସୋମବାର ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜଧାନୀ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତଜାର୍ତୀୟ ବିମାନବନ୍ଦର ଠାରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ପାଇଁ ବାରଙ୍ଗ ରତାଗଡ ଲେଙ୍କା ସାହିରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ମେଟ୍ରୋ ପ୍ରକଳ୍ପର ଶୁଭାରମ୍ଭ କରିବା ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ରୋଡ୍ ଶୋ’ ମାଧ୍ୟମରେ ବାହାରି ରତାଗଡ ଲେଙ୍କାସାହି ଠାରେ ପହଞ୍ଚିଥିଲେ ମୁଖ୍ୟମନ୍ତ୍ରୀ । ରୋଡ ଶୋ’ ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ୧୨ ସ୍ଥାନରେ ଜୋରଦାର ସ୍ୱାଗତ କରାଯାଇଥିଲା।
୫ଟି ଉପକ୍ରମରେ ମେଟ୍ରୋ ରେଳ ପ୍ରକଳ୍ପ କାର୍ଯ୍ୟ ହେବ। ଏହି ପ୍ରକଳ୍ପ ପାଇଁ ୫୯୨୯ .୩୮ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଗତବର୍ଷ ଅପ୍ରେଲ ୧ ତାରିଖ ଉତ୍କଳ ଦିବସ ଅବସରରେ ରାଜ୍ୟର ପ୍ରଥମ ମେଟ୍ରୋ ପ୍ରକଳ୍ପ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାତ୍ର ୮ ମାସ ମଧ୍ୟରେ ପ୍ରକଳ୍ପ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ସହ ଅର୍ଥ ବରାଦ ହୋଇଛି। ଭୁବନେଶ୍ୱର ମେଟ୍ରୋ ରେଳ ନିଗମ ତତ୍ତ୍ଵାବଧାନରେ ଦିଲ୍ଲୀ ମେଟ୍ରୋ ରେଳ ନିଗମ ଟର୍ଣ୍ଣ କି’ ପରାମର୍ଶଦାତା ଭାବେ ପ୍ରକଳ୍ପକୁ କାର୍ଯ୍ୟ କରିବ। ୨୬ କିଲୋମିଟର ବିଶିଷ୍ଟ ମେଟ୍ରୋ ରେଳ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ୨୦ ଷ୍ଟେସନ ରହିବ। ପରବର୍ତ୍ତୀ ସମୟରେ ଉଭୟ ଦିଗରେ ପ୍ରକଳ୍ପକୁ କଟକ-ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ।
ରାଜଧାନୀରେ ଗମନାଗମନ ବ୍ୟବସ୍ଥାକୁ ସୁଗମ୍ୟ ଏବଂ ଆରାମଦାୟକ କରିବା ଲକ୍ଷ୍ୟରେ ଗତ ବର୍ଷ ନଭେମ୍ବର ୨୦ ତାରିଖରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍ ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିଲା। ଏହି ପ୍ରକଳ୍ପ ଅନୁସାରେ ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ରାଜଧାନୀ ଭୁବନେଶ୍ୱର ଠାରେ ମେଟ୍ରୋ ରେଳ ତିଆରି ପାଇଁ ଦାୟିତ୍ୱ ଗ୍ରହଣ କରିଥିଲା। ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ୨୬ କିଲୋମିଟର ରେଳ ନେଟୱାର୍କ ବିଛାଇବାକୁ ଚିନ୍ତା କରାଯାଇଛି। ଏଥିଲାଗି ୫୯୨୯ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ। ଆଗାମୀ ୪ ବର୍ଷରେ ଶେଷ ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ।
ଏହି ୨୬ କିଲୋମିଟର ମେଟ୍ରୋ ରେଳ ପ୍ରକଳ୍ପ ଅଧିନରେ ପ୍ରାୟ ୨୦ ଷ୍ଟେସନ୍ ନିର୍ମାଣ କରାଯିବ। ଅତ୍ୟାଧୁନିକ ଟିକେଟ ସହ ସିଗନାଲ୍ ବ୍ୟବସ୍ଥା କରାଯିବ। ଏହା ସହିତ ଯାତ୍ରୀଙ୍କ ସୁବିଧା ଲାଗି ଅତ୍ୟାଧୁନିକ କୋଚ୍ ମଧ୍ୟ ଲଗାଇବାକୁ ସରକାର ଯୋଜନା କରିଛନ୍ତି। ଭୁବନେଶ୍ୱର ବିମାନବନ୍ଦର ଠାରୁ ତ୍ରିଶୂଳିଆ ପର୍ଯ୍ୟନ୍ତ ୬୨୫୫ କୋଟି ଟଙ୍କା ବ୍ୟୟରେ ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟକୁ ଅନୁମୋଦନ କରିଛି। ଓଡିଶା ଇତିହାସରେ ଯେକୌଣସି ଭିତ୍ତିଭୂମି ପ୍ରକଳ୍ପରେ ଏହା ହେଉଛି ଏକମାତ୍ର ବୃହତ ବିନିଯୋଗ।