Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha1880831

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର..

ସୌ(ସୋସିଆଲ ମିଡିଆ)

Top 10 News Headlines: 1. ଘଣ୍ଟା ଭିତରେ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain warning): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୪୨% ଅଧିକ ବର୍ଷା ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ବଙ୍ଗାପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ମଙ୍ଗଳବାରଠାରୁ ବର୍ଷା ଲାଗି ରହିଛି। ଆଜି ମଧ୍ୟାହ୍ନରେ ୩ ଘଣ୍ଟା ଧରି ପ୍ରାୟ ୯ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସେହି ଜିଲ୍ଲା ଗୁଡିକ ହେଉଛି, କଳାହାଣ୍ଡି, କନ୍ଧମାଳ , ବୌଦ୍ଧ, ଝାରସୁଗୁଡ଼ାର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ କେନ୍ଦୁଝର ।

2. ୩୩% ଆରକ୍ଷଣ ( 33% Reservation Bill): ଆଜି ସନ୍ଧ୍ୟା ସୁଦ୍ଧା ରାଜ୍ୟସଭାରେ ମହିଳା ଆରକ୍ଷଣ ବିଲ୍‍ ପାରିତ ହେବାର ସମ୍ଭାବନା ରହିଛି । ବୁଧବାର ଦିନ ଲୋକସଭାରେ ୪୫୪-୨ ଭୋଟରେ ଲୋକସଭାରେ ପାରିତ ହୋଇଥିବା ଏହି ବିଲ୍‍ ଲୋକସଭା ଓ ବିଧାନସଭାଗୁଡ଼ିକରେ ଥିବା ସମୁଦାୟ ଆସନରୁ ୩୩% ପ୍ରତିଶତ ଆସନ ମହିଳାମାନଙ୍କ ପାଇଁ ସଂରକ୍ଷିତ ରଖିବ। ଏହାକୁ ସମ୍ବିଧାନର ୧୨୮ତମ ସଂଶୋଧନ ବିଧେୟକ ଭାବେ ଗ୍ରହଣ କରାଯାଉଛି।  ୧୯୯୬ ମସିହାରୁ ୧୧ ଥର ଏହା ସଂସଦରେ ଉପସ୍ଥାପିତ ହୋଇଛି କିନ୍ତୁ, କେବେ ତାହା ପାରିତ ହୋଇପାରିନାହିଁ। ବୁଧବାର ସଂସଦର ସ୍ୱତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଏହି ବିଲ୍‍କୁ ଉପସ୍ଥାପନ କରାଯାଇଥିଲା। ନୂତନ ସୌଧରେ ଏହା ପ୍ରଥମ ବିଲ୍‍ ଭାବେ ଉପସ୍ଥାପନ ହୋଇଥିଲା।

3.ମହିଳା ବିଲ୍କୁ ଓଓ୍ୱେସୀଙ୍କ ବିରୋଧ( Owaisi Opposed): ଲୋକସଭାରେ କେବଳ ଦୁଇଜଣ ସାଂସଦ ଅସଦୁଦ୍ଦିନ ଓଓ୍ୱେସୀ ଓ ଇମ୍‍ତିଆଜ୍‍ ଜଲୀଲ୍‍ ୩୩% ମହିଳା ସଂରକ୍ଷଣ ବିଲ୍‍କୁ ବିରୋଧ କରି ଭୋଟ୍‍ ଦେଇଛନ୍ତି। ଏମାନେ ହେଉଛନ୍ତି ଏଆଇଏମ୍‍ଆଇଏମ୍‍ର ପ୍ରତିନିଧି। ଓବିସି ଓ ମୁସ୍‍ଲିମ୍‍ ମହିଳାଙ୍କ ପାଇଁ ଆରକ୍ଷଣ ବ୍ୟବସ୍ଥା ଲାଗୁ କରିବା ନେଇ ଦାବି କରି ସେ ଏହି ନିଷ୍ପତ୍ତି ନେଇଛନ୍ତି।

4.ଓଡ଼ିଆ ବୈଜ୍ଞାନିକଙ୍କୁ ପୁରସ୍କାର (Swati Nayak to receive Agri Award): ଓଡ଼ିଆ କୃଷି ବିଜ୍ଞାନୀ ସ୍ୱାତୀ ନାୟକଙ୍କୁ ବିଶ୍ୱ ଖାଦ୍ୟ ପୁରସ୍କାର ଫାଉଣ୍ଡେସନ୍‍ ପକ୍ଷରୁ ‘ବୋରଲଗ୍‍ ଫିଲ୍ଡ’ ପୁରସ୍କାର ପ୍ରଦାନ କରାଯାଇଛି । ସେ ୨୦୨୩ ପାଇଁ ନିଜର ନବସୃଜନ ଲାଗି ଏହି ପୁରସ୍କାର ପାଇବେ। କୃଷକମାନଙ୍କ ଚାହିଦା ଥିବା ଧାନ ବିହନ ବ୍ୟବସ୍ଥା ସହ ସଂସ୍ଳିଷ୍ଟ କରାଇବା  ପାଇଁ ତାଙ୍କ ଦ୍ୱାରା ତିଆାରି ବ୍ୟବସ୍ଥା ଲାଗି ସେ ଏହି ପୁରସ୍କାର ପାଇବେ। ସ୍ୱାତୀ ଏବେ ଆନ୍ତର୍ଜାତିକ ଧାନ ଗବେଷଣା କେନ୍ଦ୍ରର ଦକ୍ଷିଣ ଏସିଆ ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି । ଆସନ୍ତା ମାସରେ ତାଙ୍କୁ ଆମେରିକାରେ ସମ୍ମାନିତ କରାଯିବ।

5.ପ୍ରମିଳା ହେବେ ବାଚସ୍ପତି ( Pramila to be next Speaker): ବରିଷ୍ଠ ମହିଳା ବିଧାୟକ ପ୍ରମିଳା ମଲ୍ଲିକ ହେବେ ରାଜ୍ୟର ପ୍ରଥମ ମହିଳା ବାଚସ୍ପତି। ଏନେଇ ଶାସକ ବିଜୁ ଜନତା ଦଳ ପକ୍ଷରୁ ତାଙ୍କ ପ୍ରାର୍ଥୀତ୍ୱ ଘୋଷଣା କରାଯାଇଛି। ଶାସକ ଦଳର ପୂର୍ଣ୍ଣ ବହୁମତ ସହ ସେ ଏକମାତ୍ର ପ୍ରାର୍ଥୀ ହୋଇଛନ୍ତି, ଏଣୁ ବିନା ନିର୍ବାଚନରେ ସେ ବାଚସ୍ପତି ଭାବେ ଶପଥ ନେବା ନିଶ୍ଚିତ। ପ୍ରମିଳା ମଲ୍ଲିକ ଆାସନ୍ତାକାଲି ନାମାଙ୍କନପତ୍ର ଦାଖଲ କରିବେ। ଯଦି ଏହି ସାମ୍ବିଧାନିକ ପଦ ପାଇଁ ଏକରୁ ଅଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରନ୍ତି, ତେବେ ସେପ୍ଟେମ୍ବର ୨୨ ତାରିଖରେ ଏକ ନିର୍ବାଚନ ଅନୁଷ୍ଠିତ ହେବ।

6.ବାଇଡେନ୍ହେବେ ଗଣତନ୍ତ୍ର ଦିବସ ଅତିଥି ( Biden invited AS Chief guest): ଗଣତନ୍ତ୍ର ଦିବସର ଅତିଥି ଭାବେ ଯୋଗଦେବାକୁ ଭାରତ ପକ୍ଷରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‍ଙ୍କୁ ନିମନ୍ତ୍ରଣ କରାଯାଇଛି । ଆମେରିକାର ରାଷ୍ଟ୍ରଦୂତ ଏରିକ୍‍ଗାର୍‍ସେଟି ଏ ବିଷୟରେ ସୂଚନା ଦେଇଛନ୍ତି। ଗଣତନ୍ତ୍ର ଦିବସରେ ଉପଲକ୍ଷେ ସାଧାରଣତଃ ଦେଶର ସହଯୋଗୀ ରାଷ୍ଟ୍ର ମୁଖ୍ୟଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯାଇଥାଏ ।

7.କାନାଡ଼ା- ଭାରତ ( Canada Vs India): ଭାରତ କାନାଡ଼ା ମଧ୍ୟରେ କୂଟନୀତିକ ସମ୍ପର୍କ ବିଗିଡ଼ିବାରେ ଲାଗିଛି । ଏହାକୁ ନେଇ ଆମେରିକା ଓ ଅଷ୍ଟ୍ରଲିଆ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ଅପରପକ୍ଷେ କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‍ ଟ୍ରୁଡ୍ୟୁ ଭାରତକୁ ଯାତ୍ରା କରୁଥିବା କାନାଡ଼ା ନାଗରିକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। କାନାଡ଼ାରେ ‘ଘୃଣା ଅପରାଧ’ ବଢ଼ିବାରେ ଲାଗିଥିବାରୁ ଭାରତ ପକ୍ଷରୁ ପରାମର୍ଶ ଜାରି ହୋଇଛି। ଏହିଭଳି ଅପରାଧ ଲାଗି ପରିଚିତ ସ୍ଥାନଗୁଡ଼ିକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ସୋମବାର ଦିନ ଜଣେ ଖଲିସ୍ତାନୀ ନେତାଙ୍କ ହତ୍ୟା ପ୍ରସଙ୍ଗରେ ଭାରତର ଜଣେ କୂଟନୀତିଜ୍ଞଙ୍କୁ କାନାଡ଼ା ବହିଷ୍କାର କରିବା ପରେ ଭାରତ ତତ୍‍କ୍ଷଣାତ୍‍ କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାନାଡ଼ାର ଜଣେ ଉଚ୍ଚପଦସ୍ଥ କୂଟନୀତିଜ୍ଞଙ୍କୁ ତୁରନ୍ତ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲା। ଏହାପରେ କାନାଡ଼ା ୫ ସହଯୋଗୀ ରାଷ୍ଟ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମେରିକା, ଅଷ୍ଟ୍ରଲିଆ ଓ ୟୁକେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଅପରପକ୍ଷେ ଭାରତ ବିରୋଧୀ ତତ୍ତ୍ୱଙ୍କୁ ତାଙ୍କ ମାଟିରେ ପ୍ରୋତ୍ସାହନ ନଦେବାକୁ କାନାଡ଼ାକୁ କହିଛନ୍ତି।

8.ମିଳିଲା ୨୦୦୦ ଟଙ୍କା (Farmers get KALIA help):  ନୂଆଖାଇ ଅବସରରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ଚଳିତ ବର୍ଷର ଦ୍ୱିତୀୟ କାଳିଆ ସହାୟତା ରାଶି। ଯୋଗ୍ୟ ବିବେଚିତ ୪୪ ଲକ୍ଷ ୫୬ ହଜାର କ୍ଷୁଦ୍ର, ନାମମାତ୍ର ଓ ଭୂମିହୀନ ଚାଷୀଙ୍କ ଏହି ସହାୟତା ରାଶି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ଦ୍ୱାରା ସ୍ଥାନାନ୍ତର କରିଛନ୍ତି। ମୁଖ୍ୟମନ୍ତ୍ରୀ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି ଅର୍ଥ ପ୍ରଦାନ କରିଥିଲେ। ରବି ଫସଲ ପାଇଁ ଏହି ସହାୟତା ଭାବେ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ କାଳିଆ ଯୋଜନାରେ ୧୨୫୦୦ କୋଟି ଟଙ୍କା ସହାୟତା ଦିଆାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

9.୨୦୨୪ରେ ଜନଗଣନା ( India to start Censes): ନିର୍ବାଚନ ପରେ ହେବ ଜନଗଣନା। ଗୃହମନ୍ତ୍ରୀ ଅମିତ ଶାହ ଏନେଇ ସୂଚନା ଦେଇଛନ୍ତି । ମହିଳା ଆରକ୍ଷଣ ବିଲ୍‍ ସମ୍ପର୍କରେ ନିଜର ମନ୍ତବ୍ୟ ରଖି ସେ କହିଛନ୍ତି, ପରବର୍ତ୍ତୀ ସରକାର ଆସିଲା କ୍ଷଣି ଜନଗଣନା କାର୍ଯ୍ୟ ଆରମ୍ଭ ହେବ। ଏହା ସରିଲେ ସୀମା ପୁନଃନିର୍ଦ୍ଧାରଣ କାର୍ଯ୍ୟ ଆରମ୍ଭ କରାଯିବ।

10.ଚନ୍ଦ୍ରଯାନର ଆଉ ଏକ ପରୀକ୍ଷା (wakeup call to Pragyan): ଆସନ୍ତାକାଲି ଚନ୍ଦ୍ର ପୃଷ୍ଠରେ ରାତି ଶେଷ ହେବ। ଅନ୍ଧାର ସରି ଉଷା ଆସିବ। ପୃଥିବୀ ପୃଷ୍ଠର ୧୪ ଦିନ ପରେ ଚନ୍ଦ୍ର ପୃଷ୍ଠରେ ଗୋଟିଏ ଦିନ ହୋଇଥାଏ। ରାତିର ଅନ୍ଧାର ହେତୁ ସେଠାରେ  ଭାରତର ଚନ୍ଦ୍ରଯାନ -୩ ମିଶନ ଦ୍ୱାରା ଅବତରଣ କରିଥିବା ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ ଶୁପ୍ତ ଅବସ୍ଥାକୁ ନିଆଯାଇଥିଲା। ଏହାଦ୍ୱାରା ଶକ୍ତି ସଂରକ୍ଷଣ କରିବାର ସମ୍ଭାବନାକୁ ବଢ଼ାଯାଇଥିଲା। ମାଇନସ୍‍ ୨୦୦ ଡିଗ୍ରୀ ସେଲ୍ସିୟସ୍‍ ରେ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରୁ ତଥ୍ୟ ଯୋଗାଡ଼ କରୁଥିବା ଏହି ରୋଭର ଓ ଲ୍ୟାଣ୍ଡରକୁ ଉଷା ଆସିଲେ ଅର୍ଥାତ୍‍ ଶୁକ୍ରବାର ଦିନ ପୁଣିଥରେ ଜାଗ୍ରତ କରିବାକୁ ‘ଇସ୍ରା’ ଉଦ୍ୟମ ଆରମ୍ଭ କରିବ। ଏହା ଇସ୍ରୋ ବୈଜ୍ଞାନିକଙ୍କୁ ଚନ୍ଦ୍ର ପୃଷ୍ଠରେ ଆଉ ଏକ ଅଭିଜ୍ଞତା ପ୍ରଦାନ କରିବ ବୋଲି ଆଶା କରାଯାଇଛି ।