Pakistan Election 2024: ନିର୍ବାଚନ ଜିତି ମଧ୍ୟ ହାରି ଗଲେ ଇମ୍ରାନ ଖାନ; ଜାଣନ୍ତୁ କିପରି
Advertisement

Pakistan Election 2024: ନିର୍ବାଚନ ଜିତି ମଧ୍ୟ ହାରି ଗଲେ ଇମ୍ରାନ ଖାନ; ଜାଣନ୍ତୁ କିପରି

Pakistan General Election 2024: ପାକିସ୍ତାନ ସାଧାରଣ ନିର୍ବାଚନରେ ଅଧିକ ଆସନ ପାଇ ମଧ୍ୟ ଇମ୍ରାାନ ଖାନ ପରାସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ତାଙ୍କ ଦଳ ପିଟିଆଇ ସମର୍ଥକ ଏବଂ ଦେଶର ସେନାବାହିନୀ ଏବେ ପରସ୍ପରର ଶତ୍ରୁ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି।

 Pakistan Election 2024: ନିର୍ବାଚନ ଜିତି ମଧ୍ୟ ହାରି ଗଲେ ଇମ୍ରାନ ଖାନ; ଜାଣନ୍ତୁ କିପରି

Pakistan General Election 2024 Result: ପାକିସ୍ତାନ ସାଧାରଣ ନିର୍ବାଚନକୁ ୨ ଦିନ ବିତିଗଲାଣି। ହେଲେ ଦେଶରେ ନୂଆ ସରକାର ଗଠନ ହେବା ପରେ ଚିତ୍ର ସ୍ପଷ୍ଟ ହୋଇନାହିଁ। କିଏ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ତାହା  ସନ୍ଦେହ ଘେରରେ ରହିଛି। ଜେଲଦଣ୍ଡ ଭୋଗିବା ସତ୍ତ୍ୱେ ପାକିସ୍ତାନ ରାଜନୀତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପ୍ରଭାବ ଅକ୍ଷୁର୍ଣ୍ଣ ରହିଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ସାଧାରଣ ନିର୍ବାଚନ ଫଳାଫଳ ମଧ୍ୟ ଏହାର ସାକ୍ଷ୍ୟ ଦେଇଛି। ଯଦିଓ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ ଇ ଇନସାଫ ସମର୍ଥିତ ସ୍ୱାଧିନ ପ୍ରାର୍ଥୀ ଅଧିକ ଆସନରେ ବିଜୟୀ ହୋଇଛନ୍ତି। ହେଲେ ପାକିସ୍ତାନ ସେନା ସମର୍ଥନରେ ପିଏମଏଲ-ଏନ ନେତା ନୱାଜ ସରିଫ ସରକାର ଗଠନ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ଦେଶର ବର୍ତ୍ତମାନର ରାଜନୈକି ସମୀକରଣରେ ବିଲାୱାଲ ଭୁଟ୍ଟୋଙ୍କ ଦଳ ପିପିପି କିଙ୍ଗମେକର ଭୂମିକା ଗ୍ରହଣ କରିପାରେ। ବିନା ପିପିପି ସମର୍ଥନରେ ପିଏମଏଲ-ଏନ ସରକାର ଗଠନ କରିପାରିବ ନାହିଁ। ହେଲେ ବାସ୍ତବତା ହେଉଛି ଦେଶରେ ନୂତନ ସରକାର କିପରି ଗଠିତ ହେବ ତାହାର ଚୂଡ଼ାନ୍ତ ନିଷ୍ପତ୍ତି ପାକିସ୍ତାନୀ ସେନା ଗ୍ରହଣ କରିବ। କୁହାଯାଉଛି ଯେ ଏଥର ନୱାଜ ସରିଫ ସରକାର ଗଠନ କରିପାରନ୍ତି। ଯଦି ଏପରି ହୁଏ ପିପିପି ଉପରେ ପିଏମଏଲ-ଏନ ଭାରୀ ପଡ଼ିପାରେ।

ପାକିସ୍ତାନ ସଂସଦର ୨୬୫ ଆସନର ଫଳାଫଳ ଆସିସାରିଛି। ଇମ୍ରାନ ଖାନଙ୍କ ଦଳ ପିଟିଆଇ ସମର୍ଥିତ ୧୦୧ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଅନ୍ୟପଟେ ନୱାଜ ସରିଫଙ୍କ ପିଏମଏଲ-ଏନ ୭୭, ବିଲାୱାଲ ଭୁଟ୍ଟୋଙ୍କ ପିପିପି ୫୪ ସିଟ୍ ପାଇଛି। ଅଲଟାଫ୍ ହୁସେନ୍ ଙ୍କ ଏମକ୍ୟୁଏମ-ପି ୧୭ ସିଟ୍ ପାଇଛି। ପାକିସ୍ତାନ ଜାତୀୟ ସଭାର ୩୩୬ ସିଟ୍ ମଧ୍ୟରୁ କେବଳ ୨୬୬ ଆସନରେ ଭୋଟ୍ ଗ୍ରହଣ ହୋଇଥାଏ। ହେଲେ ଆକ୍ରମଣରେ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ଗୋଟିଏ ଆସନରେ ନିର୍ବାଚନ ହୋଇନାହିଁ। ଜାତୀୟ ସଭାରେ ୬୦ ସିଟ୍ ମହିଳା, ୧୦ ସଂଖ୍ୟାଲଘୁଙ୍କ ପାଇଁ ସଂରକ୍ଷିତ ରହିଛି। ଯାହାକୁ ଆନୁପାତିକ ପ୍ରତିନିଧିତ୍ୱ ଆଧାରରେ ବିଜୟୀ ଦଳଙ୍କ ମଧ୍ୟରେ ବଣ୍ଟନ କରାଯାଏ। ସରକାର ଗଠନ ପାଇଁ କୌଣସି ଦଳକୁ ୨୬୫ ସିଟ୍ ମଧ୍ୟରୁ ୧୩୩ ଆସନ ଆବଶ୍ୟକ।

ଗୋଟିଏ ପଟେ ଦେଶରେ ପାକିସ୍ତାନ ସେନା ନୂତନ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରିବାକୁ ପ୍ରସ୍ତୁତ ହେଉଛି। ଅନ୍ୟ ପଟେ ଇମ୍ରାନ ଖାନଙ୍କ ସମର୍ଥନରେ ସମଗ୍ର ଦେଶରେ ଏକ ନୂତନ ବାତାବରଣ ସୃଷ୍ଟି ହେଉଛି। କାରଣ ଇମ୍ରାନ ଖାନ ନିର୍ବାଚନ ଜିତିବା ପରେ ମଧ୍ୟ ହାରିଯାଇଛନ୍ତି। ଯାହାର ଅର୍ଥ ସ୍ପଷ୍ଟ ଯେ ସେନା ମୁଖ୍ୟା ଆସିଫ୍ ମୁନିର୍ ଯାହା ଚାହୁଁଥିଲେ ତାହାସ ହୋଇସାରିଛି। ସେନା କଳ ବଳେ କୌଶଳେ ଇମ୍ରାନ ଖାନଙ୍କୁ କ୍ଷମତାରୁ ବାହାରେ ରଖିବାକୁ ଚାହୁଁଛି। ନୱାଜ ସରିଫଙ୍କ ନିର୍ଦ୍ଦେଶ ଅନୁଯାୟୀ ଶାହବାଜ ସରିଫ ବିଲାୱାଲ ଭୁଟ୍ଟୋଙ୍କ ପିତା ଆସିଫ ଅଲି ଜରଦାରୀ ଏବଂ ମୌଲାନା ଫଜଲୁର ରେହମାନଙ୍କୁ ଭେଟିଥିଲେ। ଏହା ସମ୍ଭବ ଯେ ନୱାଜ ସରିଫଙ୍କ ଦଳ ପିଏମଏଳ-ଏନ, ବିଲାୱାଲ ଭୁଟ୍ଟୋଙ୍କ ପିପିପି ସମର୍ଥନରେ ନୂତନ ସରକାର ଗଠନ କରିପାରେ। ଅନ୍ୟପକ୍ଷରେ ଦେଶର ରାଜନୈନିକ ମଇଦାନରେ ସିଟ୍ ହାସଲ କରିବାରେ ଶତକ ହାସଲ କରିଥିବା ସତ୍ତ୍ୱେ ଇମ୍ରାନ ଖାନଙ୍କ ଦଳ ପାକିସ୍ତାନ ତେହେରିକ- ଇ-ଇନସାଫ ପରାସ୍ତ ହୋଇଛି।

ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ହୋଇଛି ଯେ କୌଣସି ଦଳକୁ ସରକାର ଗଠନ ଲାଗି ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ମିଳିନାହିଁ। ବର୍ତ୍ତମାନ ସମସ୍ତ ଦଳ ସରକାର ଗଠନ ପାଇଁ ସମର୍ଥନ ଯୋଗାଡ଼ କରିବାରେ ଲାଗିଛନ୍ତି। କଳେ ବଳେ କୌଶଳେ ନୱାଜ ସରିଫ ସରକାର ଗଠନ କରିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପକ୍ଷରେ ବିଲାୱାଲ ଭୂଟ୍ଟୋଙ୍କ ନଜର ପ୍ରଧାନମନ୍ତ୍ରୀ ଆସନ ଉପରେ ରହିଛି। ପାକିସ୍ତାନ ଜାତୀୟ ସଭାରେ ସରକାର ଗଠନ ପାଇଁ କୌଣସି ଦଳକୁ ୧୩୩ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ। ହେଲେ ଚଳିତ ବର୍ଷ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବଚନରେ କୌଣସି ଦଳକୁ ସରକାର ଗଠନ ଲାଗି ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ଏଭଳି ପରିସ୍ଥିତିରେ ନୱାଜ ସରିଫଙ୍କ ପିଏମଏଲ-ଏନ ଏବଂ ବିଲାୱାଲ ଭୂଟ୍ଟୋଙ୍କ ପିପିପି ଏକାଠି ହୋଇ ମେଣ୍ଟ ସରକାର ଗଠନ କରିପାରନ୍ତି। 

ଏବେ ପ୍ରଶ୍ନ ହେଉଛି ସେନା ସମର୍ଥିତ ସରକାରର ନେତୃତ୍ୱ କିଏ ନେବ? ପାକିସ୍ତାନ ପିପୁଲ୍ସ ପାର୍ଟି ମୁଖ୍ୟ ଆସିଫ ଅଲି ଜରଦାରୀଙ୍କ ସମ୍ପୂର୍ଣ୍ଣ ଯୋଜନା ହେଉଛି ପୁଅ ବିଲାୱାଲ ଭୂଟ୍ଟୋଙ୍କୁ ପ୍ରଧାନମନ୍ତ୍ରୀ କରିବା। ଶାହୱାଜ ସରିଫଙ୍କ ସହ ହୋଇଥିବା ବୈଠକରେ ପିପିପି ମୁଖ୍ୟ ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ଆସିଫ ଅଲି ଜରଦାରୀ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ହେଲେ ନୱାଜ ସରିଫ ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଚାହୁଁଛନ୍ତି। ସେନା ସମର୍ଥନ ହେତୁ ନୱାଜ ସରିଫ ଏବଂ ତାଙ୍କ ଦଳର ନେତା ବିଜୟକୁ ନେଇ ଉତ୍ସାହିତ ରହିଥିଲେ। ହେଲେ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ୱାଧିନ ପ୍ରାର୍ଥୀଙ୍କ ବିପୁଳ ବିଜୟ ପରେ ଚକିତ ହୋଇଯାଇଛନ୍ତି ଉଭୟ ପିଏମଏଲ-ଏନ ଏବଂ ପିପିପି। ବର୍ତ୍ତମାନ ନୱାଜ ସରିଫ ସମସ୍ତଙ୍କୁ ଏକାଠି ହେବାକୁ ଆମନ୍ତ୍ରଣ କରୁଛନ୍ତି। ହେଲେ ଦେଖିବାକୁ ବାକି ରହିଲା ଯେ ନିର୍ବାଚନ ଜିତିଥିବା ସ୍ୱାଧୀନ ପ୍ରାର୍ଥୀ ନୱାଜ ସରିଫଙ୍କ ପ୍ରସ୍ତାବ ଗ୍ରହଣ କରୁଛନ୍ତି ନାହିଁ ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କ ପ୍ରତି ବିଶ୍ୱସ୍ତ ରହୁଛନ୍ତି।

ପିଏମଏଲ-ଏନ ଏବଂ ପିପିପି ଅପେକ୍ଷା  ଅଧିକ ଆସନ ପାଇଥିବାରୁ ଇମ୍ରାନ ସମର୍ଥକଙ୍କ ଖୁସିର କୌଣସି ସୀମା ନାହିଁ।  ନିର୍ବାଚନ ଫଳାଫଳ ଆସିବା ପରେ ସେମାନେ ନୱାଜ ସରିଫ୍ ଏବଂ ବିଲାୱାଲ ଭୂଟ୍ଟୋଙ୍କୁ ପରିହାସ କରୁଛନ୍ତି | ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ଇମ୍ରାନ ଖାନ ନେବେ ବୋଲି କହିଛନ୍ତି ତାଙ୍କ ଦଳର ସମର୍ଥକ। ହେଲେ ଏହା ନିଶ୍ଚିତ ଯେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ସମର୍ଥକ ଏବଂ ସେନା ବର୍ତ୍ତମାନ ପରସ୍ପରର ଶତ୍ରୁ ପାଲଟି ଯାଇଛନ୍ତି।

ନୱାଜ ସରିଫ ଏବଂ ବିଲାୱାଲ ଭୂଟ୍ଟୋ ଏକାଠି ସରକାର ଗଠନ କରିବାକୁ ଚେଷ୍ଟା କରୁଛନ୍ତି। ପାକିସ୍ତାନ ନିର୍ବାଚନ ଫଳାଫଳ ଆସିବା ପରେ ସମଗ୍ର ଦେଶ ଜଳିଉଠିଛି। ଇମ୍ରାନ ଖାନଙ୍କ ସମର୍ଥକ ରାଜରାସ୍ତକୁ ଓହ୍ଲାଇ ଖୋଲାଖୋଲି ଭାବେ ସେନାକୁ ଚ୍ୟାଲେଞ୍ଜ କରୁଛନ୍ତି। ଏହି ନିର୍ବାଚନ ଫଳାଫଳ ଆସିବା ପରେ ଦେଶରେ ଗୃହଯୁଦ୍ଧ ହେବା ନେଇ ଯେଉଁ ଦାବି କରାଯାଇଥିଲା ତାହା ସତ ବୋଲି ପ୍ରମାଣିତ ହୋଇଛି। ନିର୍ବାଚନ ଫଳାଫଳ ପ୍ରକାଶନରେ ଅନିୟମିତତା କରାୟାଇଥିବାର ଭିଡିଓ ସାମ୍ନାକୁ ଆସିଛି। ଯାହା ପରେ ହିଂସାକାଣ୍ଡ ଆରମ୍ଭ ହୋଇଥିବାରୁ ଗୃହଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।