Moscow Crocus City Hall Russia: ଶୁକ୍ରବାର ରାତିରେ ହୋଇଥିବା ଆକ୍ରମଣରେ କମ୍ପିଉଠିଛି ଋଷିଆ ରାଜଧାନୀ ମସ୍କୋ ସହରରେ ଅବସ୍ଥିତ କ୍ରୋକସ୍ ସିଟି ମ୍ୟୁଜିକ୍ ହଲ୍। ଏହି ଆକ୍ରମଣରେ ୧୫ ଜଣଙ୍କ ମୃତ୍ୟୁ ହୋଇଛି।
Trending Photos
Russia Terror Attack: ମାର୍ଚ୍ଚ ୨୨ ତାରିଖ ଶୁକ୍ରବାର ରାତିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ କମ୍ପିଉଠିଲା ଋଷିଆ ରାଜଧାନୀ ମସ୍କୋ ସହର। ଗୁଳି ବିନିମୟ ପରେ ବର୍ତ୍ତମାନ ପର୍ଯ୍ୟନ୍ତ ଅତି କମରେ ୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର କୁହାଯାଉଛି। ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ। ଋଷୀୟ ସରକାରୀ ନ୍ୟୁଜ ଏଜେନ୍ସି ଆରଆଇଏ ନୋଭୋସ୍ତି ଅନୁଯାୟୀ ରାଜଧାନୀ ମସ୍କୋ ଠାରେ ଏକ ସମାରୋହ ସ୍ଥଳରେ ଅନେକ ବନ୍ଧୁକଧାରୀ ଗୁଳିମାଡ଼ କରିବା ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଲୋକ ଗୁଳି ମାଡ଼ରେ ଆହତ ହୋଇଛନ୍ତି।
ଏହି ଘଟଣାରେ ମୃତାହତଙ୍କ ସଂଖ୍ୟା ଆହୁରି ଅଧିକ ବଢିପାରେ ବୋଲି କୁହାଯାଉଛି। ଏହି ଘଟଣାର କିଛି ଫଟୋ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଦେଖିବାକୁ ମିଳିଛି କ୍ରୋକସ୍ ସିଟି ମ୍ୟୁଜିକ୍ ହଲ୍ ଅଗ୍ନିକାଣ୍ଡରେ ଛାରଖାର ହୋଇଯାଉଛି। ଅଗ୍ନିକାଣ୍ଡ ପୂର୍ବରୁ କ୍ରୋକସ୍ ସିଟି ମ୍ୟୁଜିକ୍ ହଲ୍ ଠାରେ ବିସ୍ଫୋରଣ ହୋଇଥିବାର ଖବର ଆସିଛି। କନସର୍ଟ ହଲ ଉପରେ ହୋଇଥିବା ଆକ୍ରମଣର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଠାରେ ଅନେକ ବନ୍ଧୁକଧାରୀ ଅତର୍କିତ ଗୁଳି ମାଡ଼ କରୁଥିବାର ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ଲୋକ ସେମାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ଦୌଡ଼ି ପଳାଉଛନ୍ତି।
Terrorist attack in Moscow.
Three armed men wearing camouflage opened fire at people in a very crowded and popular mall in Moscow. More than 100 people trapped inside due to fire. pic.twitter.com/LzksHCtiS8
— The Poll Lady (@ThePollLady) March 22, 2024
ଲୋକଙ୍କ ଉପରକୁ ଅତି ପାଖରୁ ଗୁଳିମାଡ଼ କରିଥିଲେ ଆକ୍ରମଣକାରୀ
ଏହି ଘଟଣାରେ ଭାଇରାଲ ହୋଇଥିବା ଭିଡିଓ ଦର୍ଶାଉଛି ଯେ ରାଇଫଲ ସହିତ ୟୁନିଫର୍ମ ପିନ୍ଧିଥିବା ୩ ଜଣ ବ୍ୟକ୍ତି କନସର୍ଟ ହଲ୍ ଲବି ଠାରେ ଉପସ୍ଥିତ ରହିଥିବା ଲୋକଙ୍କ ଉପରେ ଅତି ନିକଟରୁ ଗୁଳିମାଡ଼ କରୁଛନ୍ତି। ଆକ୍ରମଣ ବେଳେ ହୋଇଥିବା ବିସ୍ଫୋରଣର ଶବ୍ଦ ଶୁଣାଯାଉଛି। ଆକ୍ରମଣକାରୀ ବିସ୍ଫୋରକ ସାମଗ୍ରୀ ବ୍ୟବହାର କରିଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ଫୋର୍ସ ଘଟଣାସ୍ଥଳରେ ସକ୍ରିୟ ହୋଇଛନ୍ତି। ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କୁ ଡାକ୍ତରଖାନାକୁ ନିଆଯାଉଛି।
ଆକ୍ରମଣ ଘଟଣାକୁ ବିପର୍ଯ୍ୟୟ ସହ ତୁଳନା କଲେ ମସ୍କୋ ମେୟର
ମସ୍କୋ ମେୟର ସର୍ଗେଇ ସୋବୟାନିନ ନ୍ୟୁଜ ଏଜେନ୍ସି ରଏଟର୍ସ ସହ କଥାବାର୍ତ୍ତା କରିବା ବେଳେ ଏହି ଆକ୍ରମଣକୁ ବିପର୍ଯ୍ୟୟ ସହ ତୁଳନା କରିଛନ୍ତି। ବର୍ତ୍ତମାନ ଘଟଣାସ୍ଥଳକୁ ଅତି କମରେ ପ୍ରାୟ ୫୦ ଆମ୍ବୁଲାନ୍ସ ପଠାଯାଇ ସାରିଛି। ଋଷିଆ ଜରୁରୀକାଳୀନ ସେବା ପକ୍ଷରୁ କୁହାଯାଇଛି ଯେ ଆକ୍ରମଣକାରୀ ସମ୍ଭବତଃ ଏକ ସଙ୍ଗୀତ କାର୍ଯ୍ୟକ୍ରମ ସମୟରେ ସ୍ୱୟଂଚାଳିତ ଅସ୍ତ୍ର ସହ ଆସିଥିଲେ। ଯେଉଁଠାରେ ସଙ୍ଗୀତ କାର୍ଯ୍ୟକ୍ରମ ଚାଲୁଥିଲା ସେଠାକାର ପ୍ରବେଶ ପଥରେ ଗୁଳିମାଡ଼ କରିଥିଲେ। ଯାହା ପରେ ସେଠାରେ ନିଆଁ ଲାଗି ଯାଇଥିଲା। ବର୍ତ୍ତମାନ ଘଟଣାସ୍ଥଳକୁ ଅନେକ ପୋଲିସ ୟୁନିଟ୍ ପଠାଯାଇଛି। ସେଠାରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଉଛି।