Advertisement
Article Detail0/zeeodisha/odisha2281319
Zee OdishaOdisha TrendingSabitri Amabasya : ଯମ ଦ୍ୱାରରୁ ଟାଣି ଆଣିଲେ ଏ ଯୁଗର ସାବିତ୍ରୀ

Sabitri Amabasya : ଯମ ଦ୍ୱାରରୁ ଟାଣି ଆଣିଲେ 'ଏ ଯୁଗର ସାବିତ୍ରୀ'

 କିଛିଦିନ ହସ୍ପିଟାଲରେ ରହିବା ପରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଲେ । ଏବେ ଦୂହେଁ ଖୁବ୍ ଖୁସିରେ ଅଛନ୍ତି, ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ, କିନ୍ତୁ ତାଙ୍କ ଜୀବନରେ ଘଟିଥିବା ଏହି ସତ୍ୟ ଘଟଣା ପ୍ରମାଣ କରିଦେଲା ଆଜି ବି ପ୍ରେମ ଶାଶ୍ୱତ ଓ ଚିରନ୍ତନ। 

Sabitri Amabasya : ଯମ ଦ୍ୱାରରୁ ଟାଣି ଆଣିଲେ 'ଏ ଯୁଗର ସାବିତ୍ରୀ'

Sabitri Amabasya: ଭୁବନେଶ୍ୱର(ସୌଭାଗ୍ୟ ରଞ୍ଜନ ମିଶ୍ର): ଆଜି ସାବିତ୍ରୀ ବ୍ରତ(Savitri Brata) । ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ପ୍ରତ୍ୟକ ହିନ୍ଦୁ ସଧବା ମହିଳା । ସାବିତ୍ରୀଙ୍କ (Savitri) ପତିଭକ୍ତିକୁ ମନେ ପକାଇ ପୂଜାର୍ଚ୍ଚନା କରୁଛନ୍ତି। ସକାଳ ହେଉ ହେଉ ମଥାରେ ସିନ୍ଦୁର, ହାତରେ ନୂଆ ଚୁଡି, ରଙ୍ଗ ବେରଙ୍ଗ ଶାଢୀରେ ସଜେଇ ହୋଇ କେହି କେହି ସଧବା ମହିଳା ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରନ୍ତି । କିନ୍ତୁ ଆଜି ଜଣେ ଏଭଳି ସାବିତ୍ରୀଙ୍କ କଥା କହିବୁ ଯେକି ନିଜ ସ୍ବାମୀଙ୍କୁ ଯମ ମୁହଁରୁ ଫେରାଇ ଆଣିଛନ୍ତି। ଏଭଳି ଜଣେ ସାବିତ୍ରୀ ହେଉଛନ୍ତି ନିହାରିକା ମିଶ୍ର, ଯାହା ତାଙ୍କୁ  ଆଣି ଦେଇଛି ଏକ ନୂଆ ପରିଚୟ ।

ବିବାହର କିଛିବର୍ଷ ମଧ୍ୟରେ ହଠାତ୍ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ପଡ଼ିଥିଲେ ନିହାରିକାଙ୍କ ସ୍ୱାମୀ ଲକ୍ଷ୍ମଣ ମିଶ୍ର । ସେତେବେଳକୁ ତାଙ୍କ ବୟସ ମାତ୍ର ୩୦ ଓ ପତ୍ନୀ ନିହାରିକାଙ୍କ ବୟସ ୨୯ ।  ଲକ୍ଷ୍ମଣଙ୍କ  ନିଜ ଘର ଯାଜପୁର ଜିଲ୍ଲାର ବାଙ୍କିପାଳ ଗାଁରେ କିନ୍ତୁ ପିଲାଦିନରୁ ସ୍ଥାୟୀ ବାସିନ୍ଦା ଭାବେ ସେ ବଲାଙ୍ଗିରରେ ରହି ଆସୁଥିଲେ । ଏକ ଘରୋଇ ହସ୍ପିଟାଲରେ ଚେକଅପ୍ କରିବାରୁ ଜଣାପଡିଲା ଲକ୍ଷ୍ମଣଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି  । ଘର ଲୋକ, ବନ୍ଧୁବାନ୍ଧବଙ୍କ ସହ ଲକ୍ଷ୍ମଣଙ୍କ ପତ୍ନୀ ସମସ୍ତେ ଖୁବ୍ ଚିନ୍ତିତ ହୋଇପଡିଥିଲେ ।  ଦୁନିଆ ବିଷୟରେ ଭଲଭାବେ ଜାଣିନଥିବା ତାଙ୍କ ଆଠ ବର୍ଷର ଝିଅ ବର୍ଷା ଓ ୩ ବର୍ଷର ପୁଅ ବାଦଲର ଭବିଷ୍ୟତ କଥା ଭାବି ଭାବି ଲକ୍ଷ୍ମଣ ଓ ନିହାରିକା ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିଲେ ।  ଚିକିତ୍ସା ପାଇଁ ସବୁଠୁ ବଡ଼ ବାଧକ ଥିଲା ଅର୍ଥ । 

କିଛିଦିନ ମଧ୍ୟରେ  ଧାର ଉଧାର ଏବଂ ସହୃଦୟ ବ୍ୟକ୍ତିଙ୍କ ସାହାଯ୍ୟ ପରେ ଲକ୍ଷ୍ମଣଙ୍କୁ ନିଆଯାଇଥିଲା ଅପରେସନ ଥିଏଟର ଏବଂ ତାଙ୍କ ଚେତା ହଜାଇବା ପାଇଁ ଦିଆଯାଇଥିଲା ଇଞ୍ଜେକସନ ।  କିଛି ସମୟ ମଧ୍ୟରେ ଆରମ୍ଭ ହୋଇଥିଲା ଅପରେସନ । ସେପଟେ  ନିଜ ସମ୍ପର୍କୀୟ ଓଟି ବାହାରେ ବ୍ୟସ୍ତତାର ସହ ଅପେକ୍ଷା କରିଥାଆନ୍ତି । ସମସ୍ତେ ଭଗବାନଙ୍କୁ କେବଳ ପ୍ରାର୍ଥନା କରିବା ବ୍ୟତୀତ ଆଉ କୌଣସି ଭରସା ନ ଥିଲା ।   କିଛି ସମୟ ମଧ୍ୟରେ ଶେଷ ହେଲା ଅପରେସନ, ଆଉ ଯେତେବେଳେ  ଲକ୍ଷ୍ମଣଙ୍କର ଚେତା ଫେରିଲା, ସେ ନିଜେ ତାଙ୍କ ଅବସ୍ଥା ଦେଖି ହତବାକ ହୋଇଗଲେ ।  ପେଟ ବ୍ୟାଣ୍ଡେଜ୍ ହେବା ସହ ସେ ଥିଲେ ଆଇସିୟୁରେ । ଏଭଳି ସ୍ଥିତି ଦେଖି ଡାକ୍ତର କହିଲେ, ତାଙ୍କର କିଡନୀ ଅପରେସନ ସଫଳ ହୋଇଛି , କେହି ଜଣେ ତାଙ୍କୁ କିଡନୀ ଦାନ କରିଛନ୍ତି । ତେବେ ଆଜିର ସ୍ୱାର୍ଥପର ଯୁଗରେ ଟଙ୍କାଟିଏ ଦେବାକୁ ଲୋକେ କୁଣ୍ଠାବୋଧ କରୁଥିବା ବେଳେ ତାଙ୍କୁ କିଡନୀ ଦେଇଥିବା କିଏ ସେହି ମହାନ୍ ମଣିଷ ଜାଣିବାକୁ ଚେଷ୍ଟା କରିଥିଲେ  ଲକ୍ଷ୍ମଣ । କିନ୍ତୁ ସେପଟେ କିଡନୀ ଦାନ କରିଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ତାଙ୍କୁ ସ୍ୱତନ୍ତ୍ର ବିଭାଗରେ ରଖାଯାଇ ଚିକିତ୍ସା କରାଯାଉଥିଲା । ଡାକ୍ତରଙ୍କ ସହ କଥାବାର୍ତ୍ତା ମଧ୍ୟରେ  ଲକ୍ଷ୍ମଣ ଜାଣି ସାରିଥିଲେ ତାଙ୍କୁ କିଡନୀ ଦାନ କରିଥିବା ବ୍ୟକ୍ତି ଜଣଙ୍କ କିଏ । ସେ ଆଉ କେହି ନୁହନ୍ତି ନିଜ ପତ୍ନୀ ନିହାରିକା ।

Add Zee News as a Preferred Source

 ଲକ୍ଷ୍ମଣଙ୍କୁ ବଞ୍ଚାଇବା ଖୁବ୍ ଜଟିଳ କିନ୍ତୁ ଅସମ୍ଭବ ନୁହେଁ...ଯଦି କୌଣସି ବି ପଜେଟିଭ୍ ବ୍ଲଡ୍ ଗ୍ରୁପ ବ୍ୟକ୍ତି କିଡନୀ ଦାନ କରନ୍ତି ତେବେ ଲକ୍ଷ୍ମଣଙ୍କର ଅସ୍ତ୍ରୋପଚାର କରାଯାଇପାରିବ ବୋଲି ଡାକ୍ତର କହିଥିଲେ... ଏକଥା ଜାଣିବା ପରେ ତତକ୍ଷଣାତ୍ ନିଜ କିଡନୀ ସ୍ୱାମୀଙ୍କୁ ଦେବାପାଇଁ ପ୍ରସ୍ତୁତ ହୋଇଥିଲେ ନିହାରିକା । ଦୁହିଁଙ୍କ ଜୀବନ ବିପଦରେ ପଡ଼ିପାରେ, ଛୋଟ ଛୁଆ ଦୁଇଜଣଙ୍କ ଭବିଷ୍ୟତ କ'ଣ ହେବ ଏମିତି ଅନେକ କଥା ଅନ୍ୟମାନେ ବୁଝାଇଥିଲେ। କିନ୍ତୁ ନିଜ ଭଲପାଇବା ଆଗରେ ଯେମିତି ଫିକା ପଡ଼ିଯାଇଥିଲା ସବୁକିଛି,  ସ୍ୱାମୀଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବାଜି ଲଗାଇଥିବା ନିହାରିକା ସାବିତ୍ରୀଙ୍କ ପରି ଯମଦ୍ୱାରରୁ ଛଡ଼ାଇ ଆଣିଲେ ସ୍ୱାମୀଙ୍କ ଜୀବନ । କିଛିଦିନ ହସ୍ପିଟାଲରେ ରହିବା ପରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଲେ । ଏବେ ଦୂହେଁ ଖୁବ୍ ଖୁସିରେ ଅଛନ୍ତି, ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ଭଲ, କିନ୍ତୁ ତାଙ୍କ ଜୀବନରେ ଘଟିଥିବା ଏହି ସତ୍ୟ ଘଟଣା ପ୍ରମାଣ କରିଦେଲା ଆଜି ବି ପ୍ରେମ ଶାଶ୍ୱତ ଓ ଚିରନ୍ତନ। ଭାଲେଣ୍ଟାଇନ୍ ଡେ ସମସ୍ତେ ଭିନ୍ନ ଭିନ୍ନ ପ୍ରକାରରେ ମନାଉଥିବା ବେଳେ ଏ ସତ୍ୟ ଘଟଣା ନିଶ୍ଚିତ ଭାବେ ପ୍ରେମୀଯୁଗଳଙ୍କୁ ତ୍ୟାଗର ପରିଭାଷା ଶିଖାଇବ। ଏହା ହିଁ ପ୍ରକୃତ ଭାଲେଣ୍ଟାଇନ୍।

About the Author