Supreme Court: ବଞ୍ଚିଗଲା ୫୦ ହଜାର ଲୋକଙ୍କ ଘର, ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
Advertisement
Article Detail0/zeeodisha/odisha1515797

Supreme Court: ବଞ୍ଚିଗଲା ୫୦ ହଜାର ଲୋକଙ୍କ ଘର, ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

Supreme Court on Haldwani Land Encroachment: କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପୁନର୍ବାସ ଯୋଜନା ରହିଛି। ପ୍ରଥମେ ସେହି ଲୋକଙ୍କ ସହ କଥାବାର୍ତ୍ତା ହେବା ଆବଶ୍ୟକ। ସେମାନଙ୍କୁ ଏକ ବିକଳ୍ପ ସ୍ଥାନ ଦିଆଯିବା ଉଚିତ। 

Supreme Court: ବଞ୍ଚିଗଲା ୫୦ ହଜାର ଲୋକଙ୍କ ଘର, ଭାଙ୍ଗିବା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

Haldwani Land Encroachment Case: ଉତ୍ତରାଖଣ୍ଡ ହଲଦ୍ୱାନୀ ରେଳ ଜମି ଅତିକ୍ରମଣ ମାମଲାରେ ଦାଏର ହୋଇଥିବା ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ରେଳବାଇ ଜମି ଖାଲି କରିବା ନେଇ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟୟାଳୟ। ପ୍ରାୟ ୭୮ ଏକର ଜମି ଉପରେ ରେଳବାଇ ପକ୍ଷରୁ କରାଯାଉଥିବା ଦାବିକୁ ଠିକ ବୋଲି ଗ୍ରହଣ କରିଥିଲେ ଉତ୍ତରାଖଣ୍ଡ ହାଇକୋର୍ଟ। ଏହି ଜମି ଖାଲି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ହେଲେ ଏହି ଜମି ଉପରେ ବସବାସ କରୁଥିବା ୫୦ ହଜାର ଲୋକଙ୍କୁ ହଟାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପ୍ରଥମେ ସେମାନଙ୍କୁ ପୁନର୍ବାସ କରିବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।  

ଗଫୁର ବସ୍ତି ଅଞ୍ଚଳରେ ବସବାସ କରୁଥିବା ଲୋକ କହିଛନ୍ତି ଯେ ସେମାନେ ସେଠାରେ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ରହିଆସୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ନିଲାମରେ ରାଜ୍ୟ ସରକାରଙ୍କ ଠାରୁ ଜମି ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପଟ୍ଟା ମିଳିଥିବା ବେଳେ କେତେକ ଲୋକଙ୍କୁ ଜମିର ମାଲିକାନାସତ୍ତ୍ୱ ମିଳିଛି। ସେମାନେ ଘର ଟ୍ୟାକ୍ସ ଦେଉଛନ୍ତି। ସେମାନଙ୍କ ପାଖରେ ବିଦ୍ୟୁତ ସଂଯୋଗ ରହିଛି। ସେହି ଅଞ୍ଚଳରେ ପ୍ରାୟ ୪୫୦୦ ଘର ରହିଛି। ସେଠାରେ ବିଦ୍ୟାଳୟ, ମନ୍ଦିର ଏବଂ ମସଜିଦ ମଧ୍ୟ ନିର୍ମାଣ କରାଯାଇଛି। ସୁପ୍ରିମକୋର୍ଟ ପାଖରେ ଆବେଦନ କରିଥିବା ଆବେଦନକାରୀ କହିଛନ୍ତି ଯେ ଏହା ରେଳବାଇ ଜମି ନୁହେଁ।

ଜାନୁଆରୀ ୫ ତାରିଖ ଗୁରୁବାର ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଅଭୟ ଏସ ଓକାଙ୍କ ଖଣ୍ଡପୀଠ ସମ୍ମୁଖକୁ ଏହି ମାମଲାକୁ ଅଣାଯାଇଥିଲା। ପ୍ରଥମ ଶୁଣାଣିରେ ବିଚାରପତି ଆବେଦନକାରୀଙ୍କ ଓକିଲ କଲିନ୍ ଗୋନସାଲଭସ୍ ଏବଂ ପ୍ରଶାନ୍ତ ଭୂଷଣ କିମ୍ବା ରେଳବାଇ ପକ୍ଷରୁ ଉପସ୍ଥାପନ କରାଯାଇଥିବା ଦାବିକୁ ଶୁଣିନଥିଲେ। ବିଚାରପତି କହିଛନ୍ତି ଯେ ପ୍ରଥମେ ଏହି କାର୍ଯ୍ୟକୁ ବନ୍ଦ କରିବା ଆବଶ୍ୟକ। କାରଣ ପାରାମିଲିଟାରୀ ଫୋର୍ସ ବ୍ୟବହାର କରି ସପ୍ତାହ ମଧ୍ୟରେ ହଜାର ହଜାର ଲୋକଙ୍କୁ ହଟାଇବା ଠିକ ନୁହେଁ।

ରେଳବାଇ ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭାଟି କହିଛନ୍ତି ଯେ ହଲଦ୍ୱାନୀ ହେଉଛି ଉତ୍ତରାଖଣ୍ଡର ପ୍ରବେଶ ଦ୍ୱାର। ହଲଦ୍ୱାନୀ ରେଳ ଷ୍ଟେସନ ଠାରେ ସମ୍ପ୍ରସାରଣ କାର୍ଯ୍ୟ କରାଯିବ। ସେଠାରେ ଅନେକ ବିକାଶ ମୂଳକ କରିବାକୁ ପଡିବ। ସେଠାରେ ଅଧିକ ବିକାଶମୂଳକ କାର୍ଯ୍ୟ କରାଯିବ। ହେଲେ ରେଳବାଇ ଜମିକୁ ଅବୈଧ ଭାବେ ଦଖଲ କରିନେବା ହେତୁ ସମ୍ପ୍ରସାରଣ କାର୍ଯ୍ୟ ହୋଇ ପାରୁନାହିଁ। ଏହା ଉପରେ ଜଷ୍ଟିସ ସଞ୍ଜୟ କିଶନ କୌଲ କହିଛନ୍ତି, ଯଦି ରେଳବାଇ ସେଠାରେ ବିକାଶ କରିବାକୁ ଚାହୁଁଛି ତାହେଲେ କରିପାରେ, ହେଲେ ହଠାତ୍ ସେଠାରୁ ଲୋକଙ୍କୁ ହଟାଇବା ଠିକ୍ ନୁହେଁ।

କୋର୍ଟ ଆହୁରି କହିଛନ୍ତି ଯେ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ପୁନର୍ବାସ ଯୋଜନା ରହିଛି। ପ୍ରଥମେ ସେହି ଲୋକଙ୍କ ସହ କଥାବାର୍ତ୍ତା ହେବା ଆବଶ୍ୟକ। ସେମାନଙ୍କୁ ଏକ ବିକଳ୍ପ ସ୍ଥାନ ଦିଆଯିବା ଉଚିତ। ଏହା ପରେ କୋର୍ଟ  ଜମି ଅତିକ୍ରମଣ ଉଚ୍ଛେଦ ପାଇଁ କରାଯାଉଥିବା କାର୍ଯ୍ୟାନୁଷ୍ଠାନ ଉପରେ ରୋକ ଲଗାଇଛନ୍ତି କୋର୍ଟ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୭ ଫେବୃଆରୀରେ ହେବ। ଏହି ମାମଲାରେ ସୁପ୍ରିମକୋର୍ଟ ରେଳବାଇ ଏବଂ ଉତ୍ତରାଖଣ୍ଡ ସରକାରଙ୍କୁ ନୋଟିସ ଜାରି କରିଛନ୍ତି।