TOP 10 NEWS TODAY: ଦଶମ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2198517

TOP 10 NEWS TODAY: ଦଶମ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Headlines Odisha: ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।    

TOP 10 NEWS TODAY: ଦଶମ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି; ପଢନ୍ତୁ ଦିନଯାକର ୧୦ ପ୍ରମୁଖ ଖବର

Top 10 News Today | 10 April | Evening 

1.Lok Sabha Election 2024: ଅପ୍ରେଲ ୧୦ ତାରିଖ ବୁଧବାର ଦଶମ ପର୍ଯ୍ୟାୟ ସାଂସଦ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ଏହି ତାଲିକାରେ ଦଳର ମୋଟ ୧୦ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ବୁଧବାର ବିଜେପି ଚଣ୍ଡିଗଡ଼ ସମେତ ପଶ୍ଚିମବଙ୍ଗର ଆସନସୋଲ, ଉତ୍ତର ପ୍ରଦେଶର ମୈନପୁରୀ, କୌଶାମ୍ବୀ, ଫୁଲପୁର, ଆହ୍ଲାବାଦ, ବଲିଆ, ମଛଲିସହର, ଗାଜିପୁର ଲୋକସଭା ଆସନ ପାଇଁ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। 

2.Calcutta High Court ordered CBI Probe in Sandeshkhali Case: ବହୁଚର୍ଚ୍ଚିତ ସନ୍ଦେଶଖାଲି ମାମଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କଲିକତା ହାଇକୋର୍ଟ। ଏହା ସହିତ କଲିକତା ହାଇକୋର୍ଟ ମଧ୍ୟ ପଶ୍ଚିମବଙ୍ଗ ରାଜ୍ୟ ସରକାରଙ୍କୁ ଏହି ପ୍ରସଙ୍ଗରେ ନିଜ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସହଯୋଗ ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୁଧବାର (ଅପ୍ରେଲ ୧୦) ହାଇକୋର୍ଟ କହିଛନ୍ତି ଯେ ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ହେବ। ଏହି ମାମଲାରେ ସେଠାକାର ଲୋକ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ସେମାନଙ୍କ ଅଭିଯୋଗ ସିଧାସଳଖ କହିପାରିବେ। ଏକ ପୋର୍ଟାଲ୍ ତିଆରି କରିବାକୁ କେନ୍ଦ୍ରୀୟ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ସିବିଆଇ ଜମି ଦଖଲ, ବଳାତ୍କାର, କୃଷି ଜମି ହସ୍ତାନ୍ତର ସମେତ ସମସ୍ତ ଅଭିଯୋଗ ଉପରେ ତଦନ୍ତ କରିବ। ଏହି ତଦନ୍ତ କଲିକତା ଉଚ୍ଚ ନ୍ୟାୟାଳୟଙ୍କ ତତ୍ତ୍ୱାବଧାନରେ ହେବ। 

3.ECI Notice for Political Hoarding: ସହରର ବିଭିନ୍ନ ରାସ୍ତା ଓ ଛକ ସ୍ଥାନମାନଙ୍କରେ ଲାଗୁଥିବା ରାଜନୀତିକ ହୋର୍ଡିଂରେ ଏଣିକି ମୁଦ୍ରାକର ଓ ପ୍ରକାଶକଙ୍କ ନାଁ ରହିବ। ଏହି ସ୍ଥାନମାନଙ୍କରେ ବିନା ପ୍ରକାଶକ ଓ ମୁଦ୍ରାକରଙ୍କ ନାଁରେ ଅନେକ ହୋର୍ଡିଂ ଲଗାଯାଉଥିବାରୁ ନିର୍ବାଚନ କମିଶନ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ମୁଖ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହା କୁହାଯାଇଛି। ଲୋକପ୍ରତିନିଧି ଆଇନ ୧୯୫୧ ଅନୁସାରେ ପ୍ରତିଟି ଛାପା ଯାଉଥିବା ପ୍ରଚାରପତ୍ର ଯେମିତି ପୋଷ୍ଟର, ଲିଫଲେଟ, ପ୍ଲାକାର୍ଡ, ପାମ୍ପଲେଟ୍‍ ଆଦିକୁ କିଏ ଛାପିଛି, କାହା ତରଫରୁ ଛପାଯାଇଛି ଏହାର ପ୍ରକାଶକ କିଏ ଏବଂ କେତେ ପରିମାଣରେ ଛପା ଯାଇଛି ତାହା ଉଲ୍ଲେଖ କରିବାର ବିଧି ରହିଛି। 

4.AAP Minister Rajkumar Anand Resignation: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି (ଆପ୍) ସରକାରକୁ ଲାଗିଛି ଜବରଦସ୍ତ ଝଟକା। ମଙ୍ଗଳବାର ଉଭୟ ଦଳ ଏବଂ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାଜ କୁମାର ଆନନ୍ଦ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କୁ ପ୍ରାୟ ମାସେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ପକ୍ଷରୁ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡି଼ଥିଲା। ଇଡି ତାଙ୍କ ସହ ଜଡ଼ିତ ବିଭିନ୍ନ ଠିକଣା ଉପରେ ଚଢାଉ କରିଥିଲା। ଇସ୍ତଫା ଦେବା ପରେ ରାଜକୁମାର ଆନନ୍ଦ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ଦୁର୍ନୀତିରେ ବୁଡ଼ି ରହିଛି। ମୁଁ ଦୁର୍ନୀତିଗ୍ରସ୍ତ ଲୋକଙ୍କ ସହିତ କାମ କରିପାରିବି ନାହିଁ।     

5.UP First Glass Bridge: କଂକ୍ରିଟ କିମ୍ବା କୌଣସି ଧାତବ ପଦାର୍ଥ ନୁହେଁ ବରଂ କାଚ ବ୍ୟବହାର ନିର୍ମାଣ କରାଯାଉଛି ପୋଲ। ଯାହାର ଆକାର ଧନୁ-ତୀର ଭଳି ହେବ। ଉତ୍ତର ପ୍ରଦେଶର ଚିତ୍ରକୂଟ ଜିଲ୍ଲାରେ ଅବସ୍ଥିତ ତୁଳସୀ ଜଳପ୍ରପାତ ଠାରେ ରାଜ୍ୟର ପ୍ରଥମ ଗ୍ଲାସ୍ ସ୍କାଏୱାଲ୍ ବ୍ରିଜ୍ ନିର୍ମାଣ କରାଯାଉଛି। କୋଦଣ୍ଡ ଜଙ୍ଗଲରେ ଅବସ୍ଥିତ ଏହି ଜଳ ପ୍ରପାତ ଉପରେ ପ୍ରାୟ ୩.୭୦ କୋଟି ଟଙ୍କା ବ୍ୟୟରେ ପ୍ରଭୁ ଶ୍ରରାମଙ୍କ ଧନୁ-ତୀର ଆକାରରେ ଏକ କାଚ ପୋଲ ନିର୍ମାଣ କରାଯାଇଛି। ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଲୋକସଭା ନିର୍ବାଚନ ପରେ ଏହି "ଗ୍ଲାସ୍ ସ୍କାଏ ୱାଲ୍ ବ୍ରିଜ୍" ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।

6.BJD Election Manifesto Committee: ଚଳିତ ବର୍ଷ ରାଜ୍ୟରେ ଅନୁଷ୍ଠିତ ହେଉଥିବା ବିଧାନସଭା-ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ବିଜେଡ଼ି ବୁଧବାର ଦଳୀୟ ଇସ୍ତାହାର କମିଟି ଗଠନ କରିଛି। ଦଳ କ୍ରମାଗତ ଷଷ୍ଠ ଥର ବିଜୟୀ ହେଲେ ଲୋକଙ୍କ ଲାଗି କ'ଣ କରିବ ସେ ସମ୍ପର୍କିତ ପ୍ରତିଶୃତି ପତ୍ର ମଧ୍ୟ ବିଜେଡି଼ ନିର୍ବାଚନ ଇସ୍ତହାର କମିଟି ପ୍ରସ୍ତୁତ କରିବ। ମୋଟ ୩୮ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି ବିଜେଡ଼ି ନିର୍ବାଚନ ଇସ୍ତାହାର କମିଟି।

7.Weather Update: ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ୧୩ ତାରିଖ ପର ଠାରୁ ପରବର୍ତ୍ତୀ ୨ ଦିନ ମଧ୍ୟରେ ରାଜ୍ୟରେ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ଦିନ ତାପମାତ୍ରା ୩-୪ ଡ଼ିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସେହିପରି ରାଜ୍ୟର ଆଭ୍ୟନ୍ତରୀଣ ଏବଂ ପଶ୍ଚିମାଞ୍ଚଳରେ ୪୦ ଡ଼ିଗ୍ରୀ କିମ୍ବା ଏହା ଠାରୁ ଅଧିକ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଥିବାର କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

8.Commissionerate Police guidelines for removal of tattoo: ରାଜଧାନୀ ପୋଲିସ କର୍ମଚାରୀଙ୍କୁ ଟାଟୁ ଅଡୁଆ ହୋଇଛି। ଏହା କମିଶନରେଟ ପୋଲିସ ତଥା ଓଡ଼ିଶା ପୋଲିସ ଗାରିମା କ୍ଷୁର୍ଣ୍ଣ କରୁଛି ବୋଲି ଅନୁଭବ କରିଛି କମିଶନରେଟ ପୋଲିସ। ପୋଲିସ ବିଭାଗ ପକ୍ଷରୁ ସମସ୍ତ ପୁଲିସ କର୍ମାଚାରୀଙ୍କୁ ଟାଟୁ ଲିଭାଇବାକୁ ଚରମବାଣୀ ଦିଆଯାଇଛି। ୧୫ ଦିନ ଭିତରେ ହାତ, ମୁହଁ, ବେକ ତଥା ପୋଷାକ ବାହାରେ ରହିଥିବା ଟାଟୁ ନ ଲିଭାଇଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି। 

9.Congress MLA Candidate Mohammad Mokim: କଟକ-ବାରବାଟି ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଲାଗଛି ଜବରଦସ୍ତ ଆଇନଗତ ଝଟକା। ଓଡ଼ିଶା ଗୃହ ଏବଂ ଗ୍ରାମାଞ୍ଚଳ ଗୃହ ଉନ୍ନୟନ ନିଗମ (ଓଏଚଆରଡିସି) ଦୁର୍ନୀତି ମାମଲାରେ ତାଙ୍କ ବିରୋଧରେ ରାୟ ଦେଇଛନ୍ତି ହାଇକୋର୍ଟ। ନିମ୍ନ ଅଦାଲତଙ୍କ ରାୟକୁ ହାଇକୋର୍ଟ କାଏମ ରଖିବା ପରେ ତାଙ୍କର ନିର୍ବାଚନ ଲଢିବା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ନିମ୍ନ ଅଦାଲତଙ୍କ ରାୟ ଅନୁସାରେ  ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ୍‍ ଦଣ୍ଡ ଭୋଗିବାକୁ ହେବ। ଏହା କେବଳ ତାଙ୍କୁ ନୁହେଁ ବରଂ କଂଗ୍ରେସ ଦଳ ପାଇଁ ମଧ୍ୟ ଏକ ଝଟକା ହେବ। କାରଣ ଗତ ୨୦୧୯ ବିଧାନସଭା ନିର୍ବାଚନରେ କଟକ ବାରବାଟୀ ବିଧାନସଭା ଆସନରୁ କଂଗ୍ରେସ ନେତା ଜଣଙ୍କ ବିଜେଡି ପ୍ରାର୍ଥୀଙ୍କୁ ପରାଜିତ କରିଥିଲେ। ଏକମାତ୍ର କଂଗ୍ରେସ ବିଧାୟକ ଭାବେ ଉପକୂଳ ଓଡ଼ିଶାରେ ନାଁ ରଖିଥିଲେ। ନିଜର ଲୋକସମ୍ପର୍କ ଲାଗି ପରିଚିତ ରହିଥିବା ମୋକିମଙ୍କ ଆସନରୁ ଏବେ କିଏ କଂଗ୍ରେସ ପ୍ରାର୍ଥୀ ହେବ ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। 

10. IMD Doppler Radar Sambalpur: ପାଣିପାଗ ସୂଚନାକୁ ଅଧିକ ସକ୍ରିୟ ତଥା ସ୍ଥାନୀୟ କୈନ୍ଦ୍ରିକ କରିବା ପାଇଁ ସମ୍ବଲପୁର ଠାରେ ସ୍ଥାପିତ ହେବ ଡୋପ୍ଲର ରାଡାର। ଆସନ୍ତା ୨-୩ ମାସ ଭିତରେ ଏହାକୁ କାର୍ଯ୍ୟକ୍ଷମ କରିବା ନେଇ ଭୁବନେଶ୍ୱସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସମ୍ବଲପୁର ଠାରେ ସି-ବ୍ୟାଣ୍ଡ ଡପ୍ଲର ରାଡାର ସ୍ଥାପନ ହେବ। ଏନେଇ ଆବଶ୍ୟକୀୟ ସମସ୍ତ ଯନ୍ତ୍ରାଂଶ ଭୁବନେଶ୍ୱର ଠାରେ ପହଞ୍ଚି ସାରିଛି। ଏସବୁ ନିର୍ଦ୍ଧାରିତ ସ୍ଥାନରେ ଲାଗିବା ପରେ ତାହାକୁ ଉପଗ୍ରହ ସହ ସଂଯୋଗ କରାଯିବ। ଏହା ମାଧ୍ୟମରେ ସମ୍ପୃକ୍ତ ସ୍ଥାନ ଏବଂ ଆଖପାଖ ଅଞ୍ଚଳରେ ଆକାଶ ତଥା ପବନକୁ ଅନୁଧ୍ୟାନ କରିବା ସହଜ ହେବ। ଏହି ଅନୁସାରେ ସ୍ଥାନୀୟ କୈନ୍ଦ୍ରିକ ସଠିକ୍‍ ପୂର୍ବାନୁମାନ କରିବା ପାଣିପାଗ ବୈଜ୍ଞାନିକଙ୍କ ଲାଗି ସହଜ ହେବ।