ଦେଶରେ ଅଦୃଶ୍ୟ ଶତ୍ରୁ କୋରୋନାର ଭୟାବହତା ଥମିବାର ନା ନେଉ ନଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଅବଧିକୁ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟାନ୍ତ ବୃଦ୍ଧି କରାଯାଇଛି।
Trending Photos
ବ୍ରହ୍ମପୁର: ଦେଶରେ ଅଦୃଶ୍ୟ ଶତ୍ରୁ କୋରୋନାର ଭୟାବହତା ଥମିବାର ନା ନେଉ ନଥିବା ବେଳେ ତୃତୀୟ ପର୍ଯ୍ୟାୟ ଲକ ଡାଉନ ଅବଧିକୁ ଆଗାମୀ ଦୁଇ ସପ୍ତାହ ପର୍ଯ୍ୟାନ୍ତ ବୃଦ୍ଧି କରାଯାଇଛି। ହେଲେ କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରେଡ, ଗ୍ରୀନ ଓ ଅରେଞ୍ଜ ଜୋନରେ ଜିଲ୍ଲା ଗୁଡିକୁ ବିଭକ୍ତ କରାଯାଇଥିବା ବେଳେ ପ୍ରତ୍ୟେକଟି ଜୋନର ଗାଇଡ ଲାଇନ ଭିନ୍ନ ରହିଛି। ଏଭଳି ସ୍ଥିତିରେ ଗ୍ରୀନଜୋନ ତାଲିକାରେ ଗଞ୍ଜାମ ଜିଲ୍ଲା ସାମିଲ ହୋଇଛି। ଫଳରେ ଜିଲ୍ଲାବାସୀଙ୍କୁ ଆସ୍ୱସ୍ଥି ମିଳିଥିବା ବେଳେ କେନ୍ଦ୍ରର ପ୍ରତିଟି ନିୟମକୁ ଜିଲ୍ଲାରେ ବଳବତ୍ତର ରଖିବା ଲାଗି ନିଷ୍ପତି ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ।
ତୃତୀୟ ପର୍ଯ୍ୟାୟ ଲକ ଡାଉନରେ ଗଞ୍ଜାମବାସୀଙ୍କୁ ମିଳିବ ଅନେକ ମାତ୍ରାରେ ଆସ୍ୱସ୍ତି। କୋହଳ ହୋଇଛି ଲକ ଡାଉନ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଗୁ ହୋଇଥିବା ସମସ୍ତ କଟକଣା। ଆସନ୍ତା ୪ ତାରିଖ ଠାରୁ ଧିରେଧିରେ କୋହଳ ହୋଇ ସ୍ୱାଭାବିକ ହେବ ଜୀବନ। କୋରୋନା ଯୁଦ୍ଧରେ ଦୀର୍ଘ ୪୦ ଦିନର ସଂଘର୍ଷରେ ଜିଲ୍ଲାର ପ୍ରତ୍ୟେକଟି ଯୋଦ୍ଧା ପ୍ରଶାସନର ନିୟମକୁ ସମର୍ଥନ ଦେଇ ଆସିଛନ୍ତି। ଫଳରେ କେନ୍ଦ୍ରର ପ୍ରତ୍ୟେକଟି ନିଷ୍ପତ୍ତି ଏଥର ବଳବତ୍ତର ରଖିବା ଲାଗି ମନସ୍ଥ କରିଛି ଗଞ୍ଜାମ ପ୍ରଶାସନ। କିନ୍ତୁ ପୂର୍ବଭଳି ମାଙ୍ଗଳିକ ,ସାଂସ୍କୃତିକ ଓ ସମାଜିକ କାର୍ଯ଼୍ୟକ୍ରମ ସହ ମନ୍ଦିର,ମସଜିଦ,ଚର୍ଚ୍ଚ ଗୁଡିକରେ କଟକଣା ଜାରି ରହିବ।
କୋରୋନା ଯୁଦ୍ଧରେ ଗଞ୍ଜାମ ଜିଲ୍ଲାବାସୀଙ୍କ ଲାଗି ସୁରକ୍ଷା କବଚ ସାଜି ଜିଲ୍ଲାପାଳ ପ୍ରତ୍ୟେକଟି ସମୟରେ ନୂତନ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରି ପାଦେ ଆଗରେ ରହିଆସିଥିବା ନଜର ରହିଛି। ଜାହା ଫଳରେ ଜିଲ୍ଲାବାସୀଙ୍କୁ କଟକଣାରୁ କିଛିଟା କୋହଳ କରିବା ଲାଗି ଜିଲ୍ଲାର ସମସ୍ତ ବିଡିଓ ଓ ତହସିଲଦାରଙ୍କ ସହ ଭିଡିଓ କନଫ୍ରେନସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। କେନ୍ଦ୍ର ନିଷ୍ପତି ଅନୁଯାୟୀ ଦୋକାନ ବଜାର ଦିନ ୧୨ଟା ପରିବର୍ତ୍ତେ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲାରହିବ।
ଏଥିସହ ମଟର ସାଇକଲରେ 2 ଜଣ ମାସ୍କ ଓ ହେଲମେଟ ପିନ୍ଧି ଯାତ୍ରା କରିପାରିବେ। ବସ ଗୁଡିକରେ ୫୦ ପ୍ରତିଶତ ଯାତ୍ରୀ ଯାଆସ କରିପାରିବେ। ଗ୍ରୀନ ଜୋନ ମଧ୍ୟରେ ଚଳପ୍ରଚଳ କରିବାକୁ ଅନୁମତି ପ୍ରଦାନ କରାଯାଇଛି। ଏହା ସହିତ ଚା, ପାନ ଓ ମଦ ଦୋକାନକୁ ସାମାଜିକ ଦୂରତା ରଖି ଖୋଲିବା ଲାଗି ନିଷ୍ପତି ହୋଇଛି।