ରାଜନୀତି ମୁକ୍ତ ହେବ କଲେଜ କ୍ୟାମ୍ପସ!
Advertisement
Article Detail0/zeeodisha/odisha629302

ରାଜନୀତି ମୁକ୍ତ ହେବ କଲେଜ କ୍ୟାମ୍ପସ!

ଏଣିକି ରାଜ୍ୟରେ ଥିବା ମହାବିଦ୍ୟାଳୟର ଗଭର୍ଣ୍ଣିଂ ବଡିରେ ରହିପାରିବେନି ସ୍ଥାନୀୟ ବିଧାୟକ କି ରାଜନେତା ।  

ଫାଇଲ ଫଟୋ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କଲେଜ ପରିଚାଳନା କମିଟିରୁ ବିଧାୟକ ବିଦା । ଏଣିକି ରାଜ୍ୟରେ ଥିବା ମହାବିଦ୍ୟାଳୟର ଗଭର୍ଣ୍ଣିଂ ବଡିରେ ରହିପାରିବେନି ସ୍ଥାନୀୟ ବିଧାୟକ କି ରାଜନେତା ।  ଶିକ୍ଷାବିତ ଓ ଅଭିଭାବକଙ୍କୁ ନେଇ ଗଠନ ହେବ ପରିଚାଳନା କମିଟି । କଲେଜ କ୍ୟାମ୍ପସକୁ ରାଜନୀତି ମୁକ୍ତ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟରେ ଏପରି ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଭୁବନେଶ୍ୱରରେ ଓଡିଶା ଅଭିଭାବକ ମହାସଂଘ ପକ୍ଷରୁ ‘ଉଚ୍ଚଶିକ୍ଷାରେ ଅଭିଭାବକଙ୍କ ଭୂମିକା’ ସଂପର୍କିତ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ରରେ ଏହି ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଏପରି ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛି ଉଚ୍ଚଶିକ୍ଷା ବିଭାଗ । ଉପରୋକ୍ତ ଆଲୋଚନା ଚକ୍ରରେ ଅଭିଭାବକଙ୍କ ଅନୁରୋଧ ଓ ସହମତିରେ ଯୋଗ ଦେଇ ଏହି ଘୋଷଣା କରିଛନ୍ତି ବିଭାଗୀୟ ମନ୍ତ୍ରୀ । ରାଜ୍ୟରେ ଥିବା କଲେଜଗୁଡିକରେ ସୁସ୍ଥ ଓ ଶୃଙ୍ଗଳାଗତ ବାତାବରଣ ଉଦ୍ଦେଶ୍ୟରେ ଏପରି ନିଷ୍ପତ୍ତି ନିଆଯାଇଛି । ଗଭର୍ଣ୍ଣିଂ ବଡିରେ ଆଉ ସ୍ଥାନୀୟ ବିଧାୟକଙ୍କ ପରିବର୍ତ୍ତେ ସ୍ଥାନୀୟ ବରିଷ୍ଠ ଶିକ୍ଷାବତି ଓ ଅଭିଭାବକଙ୍କୁ ନେଇ ସ୍ୱତନ୍ତ୍ର କମିଟି ଗଠନ କରାଯିବ । ସେହିପରି ସରକାରୀ ଓ ଅନୁଦାନ ପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟାପକ ଘରୋଇ କୋଚିଂ ଦେଉଥିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି । ଅଭିଭାବକମାନେ ସିଧାସଳଖ ଏନେଇ ବିଭାଗକୁ ଜଣାଇବାକୁ ଆହ୍ୱାନ ଦେଇଛନ୍ତି ।

ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଅଭିଭାବକଙ୍କ ଭୂମିକା ନିର୍ଦ୍ଧାରଣ ହେବା ସହ ଆଗାମୀ ଦିନରେ ଗୁଣାତ୍ମକ ଶିକ୍ଷାରେ ଅଭିଭାବକଙ୍କ ଭାଗୀଦାରି, ପାଠ୍ୟକ୍ରମ ସଂପର୍କରେ ଜ୍ଞାନ ଓ ଚୟନ କରିବାରେ ଭୂମିକା, କର୍ମ ସଂସ୍ଥାନ ପାଇଁ ଦାୟିତ୍ୱ ଆଦି ସଂପର୍କରେ ବିସ୍ତୃତ ଭାବେ ମଧ୍ୟ ଆଲୋଚନା ହୋଇଥିବା ଓଡିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି । ଏହାସହ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମରେ କି ନୋଟ୍ ପବ୍ଲିକେସନକୁ ବନ୍ଦ କରି ପୁସ୍ତକ ଉପରେ ମନୋନିବେଶ କରିବା ଦିଗରେ ଗୁରୁତ୍ୱ ଦେବାକୁ ଶିକ୍ଷାବିତ ମତ ଦେଇଛନ୍ତି । ସେହିପରି ପରିଚାଳନା କମିଟିରେ କଲେଜ ଆଲୁମିନି ସଦସ୍ୟଙ୍କୁ ସ୍ଥାନ ଦେବାକୁ ଦାବୀ ଉପସ୍ଥାପନ ହୋଇଛି ।

ତେବେ ଏନେଇ ଖୁବଶୀଘ୍ର କ୍ୟାବିନେଟ୍ ମୋହର ବାଜିବା ପରେ ବିଧିବଦ୍ଧ ବିଜ୍ଞପ୍ତି ବାହାରିବ ବୋଲି ଜଣାପଡିଛି । ଏହାସହ ବେସରକାରୀ କଲେଜଗୁଡିକରେ ନିୟମ ଅନୁଯାୟୀ ଭିତ୍ତିଭୂମି ନଥିଲେ ସ୍ୱୀକୃତି ଦିଆଯାଉ ନଥିବା ବେଳେ ଆଗକୁ ଛତୁ ଫୁଟିବା ପରି ଶିକ୍ଷାନୁଷ୍ଠାନ ଖୋଲିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।