ବନ୍ଦ ହେଇଯିବ କି ଆହିତ୍ୟ ଦାଶ ମୃତ୍ୟୁ ମାମଲାର ଫାଇଲ? ୨ ମାସରୁ ଊର୍ଦ୍ଧ୍ୱ ସମୟର ତଦନ୍ତ ପରେ ମିଳିଲାନି ହତ୍ୟାର ସୁରାକ।
Trending Photos
ଭୁବନେଶ୍ୱର: ମିଳିଲାନି ସମାଜସେବୀ ଆଦିତ୍ୟ ଦାଶ ହତ୍ୟାର ପ୍ରମାଣ। କେସ ବନ୍ଦ କରିପାରେ କ୍ରାଇମବ୍ରାଞ୍ଚ। ଆଜି ହାଇକୋର୍ଟରେ କ୍ରାଇମବ୍ରାଞ୍ଚ ଏକ ସତ୍ୟପାଠ ଦାଖଲ କରିଛି। ଯେଉଁଠାରେ ଆଦିତ୍ୟଙ୍କୁ ହତ୍ୟା କରାଯାଇଥିବା ଭଳି କୌଣସି ପ୍ରମାଣ ମିଳିନଥିବା କୁହାଯାଇଛି।
ଅଭିନେତା ସୁଶାନ୍ତ ସିଂହ ରାଜପୁତ ପରି ବଦଳିଗଲା ରାଜ୍ୟର ବହୁ ଚର୍ଚ୍ଚିତ ଆଦିତ୍ୟ ଦାଶ ମୃତ୍ୟୁ ମାମଲା। କମିସନରେଟ ପୋଲିସଠୁ କ୍ରାଇମବ୍ରାଞ୍ଚକୁ ଯାଇଥିବା କେସରେ ସ୍ପଷ୍ଟ ହେଲାନି ହତ୍ୟା। ଶେଷରେ ଆଦିତ୍ୟଙ୍କୁ ହତ୍ୟା କରାଯାଇନାହିଁ ବୋଲି ସଙ୍କେତ ଦେଇଛି କ୍ରାଇମବ୍ରାଞ୍ଚ। ୨ ମାସର ତନାଘନା ପରେ ବି ହତ୍ୟାର କୌଣସି ପ୍ରମାଣ ମିଳିନାହିଁ ବୋଲି ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି।
ହାଇକୋର୍ଟରେ ଦାଖଲ ସତ୍ୟପାଠରେ ଆଦିତ୍ୟଙ୍କ ମୃତ୍ୟୁ ହତ୍ୟା ଜନିତ ନୁହେଁ ବୋଲି କ୍ରାଇମବ୍ରାଞ୍ଚ ସ୍ପଷ୍ଟ କରିଛି। ତଦନ୍ତ ବେଳେ କୌଣସି ପ୍ରମାଣ ମିଳିନଥିବା କୁହାଯାଇଛି। ତଦନ୍ତକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ଥିବାରୁ କୋର୍ଟରେ ଅପଡେଟ୍ ରିପୋର୍ଟ ଦାଖଲ ହୋଇପାରିନାହିଁ। ତେବେ ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ସୂଚନାଯୋଗ୍ୟ, ଚଳିତବର୍ଷ ଜୁଲାଇ ୭ ତାରିଖରେ ଭାବନେଶ୍ୱର ଲିଙ୍ଗରାଜ ଷ୍ଟେସନ ନିକଟରୁ ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତଦେହ ମିଳିଥିଲା। ପ୍ରଥମେ ଏହାକୁ ଆତ୍ମହତ୍ୟା ଓ ପରେ ହତ୍ୟାର ଦିଗ ଦିଆଗଲା। ଆହିତ୍ୟଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ ବାରମ୍ବାର ବୟାନ ବଦଳାଇଲେ। କମିଶନରେଟ ପୋଲିସର ତଦନ୍ତ ବି ସନ୍ଦେହ ଘେରକୁ ଆସିଲା। ପରେ ମାମଲାଟି କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।
ଆଦିତ୍ୟ ଦାଶଙ୍କ ମୃତ ମାମଲାର ତଦନ୍ତ ବେଳେ ଅନେକ ତଥ୍ୟ ସାମନାକୁ ଆସିଲା। ତାଙ୍କର ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଲା। ବିଦ୍ୟାଶ୍ରୀଙ୍କ ଚରିତ୍ର ଉପରେ ବି ଆଙ୍ଗୁଠି ଉଠିଲା। ଆଦିତ୍ୟଙ୍କ ସାଙ୍ଗଙ୍କ ଉପରେ ବିଦ୍ୟାଶ୍ରୀ ସନ୍ଦେହ କରୁଥିବା ବେଳେ ବିଦ୍ୟାଶ୍ରୀଙ୍କ ଉପରେ ସାଙ୍ଗମାନେ ସନ୍ଦେହ କରୁଥିଲେ। ଏବେ ଏହି ମାମଲାରେ ଜବନିକା ପଡିବାକୁ ଯାଉଛି। କିନ୍ତୁ ଆଦିତ୍ୟଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ବି ସନ୍ଦେହ ଘରରେ ରହିଛି।