ମିଶନ ଶକ୍ତି ମେଳା: ମାଟି ତିଆରି ଛତୁ ପାଇଁ ଜମୁଛି ଭିଡ
Advertisement

ମିଶନ ଶକ୍ତି ମେଳା: ମାଟି ତିଆରି ଛତୁ ପାଇଁ ଜମୁଛି ଭିଡ

ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ମିଶନ ଶକ୍ତି ମେଳାରେ ଦେଖିବାକୁ ମିଳିଛି ମାଟି ତିଆରି ଛତୁର କ୍ରେଜ୍ 

 ମିଶନ ଶକ୍ତି ମେଳା: ମାଟି ତିଆରି ଛତୁ ପାଇଁ ଜମୁଛି ଭିଡ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜଧାନୀରେ ମାଟି ଛତୁର ଆକର୍ଷଣ । ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆୟୋଜିତ ମିଶନ ଶକ୍ତି ମେଳାରେ ଦେଖିବାକୁ ମିଳିଛି ମାଟି ତିଆରି ଛତୁର କ୍ରେଜ୍ । ମିଶନ ଶକ୍ତି ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ  ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ମାନଙ୍କୁ ନେଇ ପ୍ରଦର୍ଶିତ ଏହି ମେଳାରେ ବିଭିନ୍ନ ଜିଲ୍ଲାରୁ ମହିଳା ମାନେ ଯୋଗ ଦେଇ ସେମାନଙ୍କ ହାତ ତିଆରି ସାମଗ୍ରୀର ବିକ୍ରି ବଟା କରୁଥିବା ବେଳେ ତନ୍ମଧ୍ୟରୁ ମାଟି ଜାତିୟ ପଦାର୍ଥରେ ଛତୁ, ଘରକରଣା ସାମଗ୍ରୀ ସହ ଗୁଆ, ନଡିଆରେ ଲାଖ ଦେଇ ତିଆରି କରିଛନ୍ତି ସୁନ୍ଦର ସୁନ୍ଦର କଳାକୃତି ଓ ବ୍ୟବହୃତ ସାମଗ୍ରୀ ।

ମାଟିରେ ତିଆରି ଛତୁ ଦେଖିବାକୁ ମେଳାରେ ଦର୍ଶକଙ୍କ ଜବରଦସ୍ତ ଭିଡ ମଧ୍ୟ ଦେଖିବାକୁ ମିଳିଛି । ଯାହା ମେଳାର ସ୍ୱତନ୍ତ୍ର ଆକର୍ଷଣ ପାଲଟିଛି । କେନ୍ଦ୍ରପଡା ଜିଲ୍ଲା ମହାକାଳପଡା ବ୍ଲକରୁ ଆସିଥିବା ଏକ ସ୍ୱୟଂ  ସହାୟକ ଗୋଷ୍ଠୀର ମହିଳା ମାନେ ପ୍ରଦର୍ଶନ କରିଛନ୍ତି ଏହି ମାଟି ତିଆରି ଛତୁ । ତେବେ ଏହା ଖାଇବା ପାଇଁ ନୁହେଁ ବରଂ ସାଜସଜ୍ଜା ପାଇଁ ପ୍ରଦର୍ଶନ ହୋଇଛି । ଏହାସାଙ୍ଗକୁ ଭଳିକି ଭଳି ମାଟିରୁ ତିଆରି ମ୍ୟୁଜିକ ସେଟ୍ କଣ୍ଡେଇ, ଗଛ, କଇଁଛ, ବେଙ୍ଗ, ହାତି, ଘୋଡା, ଭଗବାନ ଗଣେଶ ଆଦି ଖେଳଣା ପ୍ରଭୃତି ଏଠାରେ ପ୍ରଦର୍ଶନ ଓ ବିକ୍ରୟ କରାଯାଉଛି । ଏସବକୁ ଘରେ,ପାର୍କ ଓ ହୋଟେଲ ଭଳି ବିଭିନ୍ନ ସାଜସଜ୍ଜା କ୍ଷେତ୍ରରେ ବ୍ୟବହାର କରିହେବ ବୋଲି ଗୋଷ୍ଠୀର ମହିଳା ସବିତା ବେହେରା କହିଛନ୍ତି । 

ସେହିପରି ବରଗଡ଼ ବରପାଲିରୁ ଆସିଥିବା ଏକ ମହିଳା ଗୋଷ୍ଠି ମାଟିରେ ତିଆରି ଘରକରଣା ସାମଗ୍ରୀ ଯଥା ହାଣ୍ଡି, ମାଠିଆ, କଡେଇ, ଡେକଚି ଆଦି ରୋଷେଇ ସଂରଜାମ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।  ଏହାସହ ମାଟିରେ ହାତି, କାତି, ଫୁଲଦାନୀ ଆଦି ସାଜସଜ୍ଜା ସାମଗ୍ରୀ ବି ବ୍ୟବସାୟ କରୁଛନ୍ତି  । ସେହିପରି ରାୟଗଡା ପଦ୍ମପୁରରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠିର ମହିଳା ଜଙ୍ଗଲ ଜାତ ସାମଗ୍ରୀ ଗୁଆ, ବେଲ, ନଡିଆ, ଅଁଳା କାଠ ଓ ବାଉଁଶ ସଂଗ୍ରହ କରି ତା ଉପରେ ରଙ୍ଗ ମିଶ୍ରିତ ଲାଖ ର ଲେପ ଦେଇ ବିଭିନ୍ନ ପଦାର୍ଥ ତିଆରି କରିଛନ୍ତି ।  ଯାହାକୁ ବିଭନ୍ନ ସମୟରେ ପୂଜା ସମୟରେ ବ୍ୟବହାର କରାଯାଉଥିବା ସସ୍ମିତା ସାହୁ ନାମକ ମହିଳା କହିଛନ୍ତି । 

ଏହି ମେଳା ଗତ ୫ ତାରିଖରୁ ଉଦଘାଟନ ହୋଇଥିବା ବେଳେ ଡିସେମ୍ବର ୧୬ ତାରିଖରେ ଉଦଯାପନ ହେବ  । ଯେଉଁଥିରେ ରାଜ୍ୟର ସମସ୍ତ ଜିଲ୍ଲାରୁ ୨୫୧ଟି ସ୍ୱୟଂ  ସହାୟକ ଗୋଷ୍ଠୀ ଯୋଗ ଦେଇ ୨୦୦ ପ୍ରକାରର ଦ୍ରବ୍ୟ ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି ।