କୃଷି ବିଲ ବିରୋଧରେ ସୋମବାର କ୍ଷେତ ବଞ୍ଚାଅ ଅଭିଯାନ କରିବ କଂଗ୍ରେସ
Advertisement
Article Detail0/zeeodisha/odisha781948

କୃଷି ବିଲ ବିରୋଧରେ ସୋମବାର କ୍ଷେତ ବଞ୍ଚାଅ ଅଭିଯାନ କରିବ କଂଗ୍ରେସ

କୃଷି ଆଇନକୁ ବିରୋଧ କରି ଏବେ ଆରପାରର ଲଢେଇ। ନବନିର୍ମାଣ କୃଷକ ସଂଗଠନଠାରୁ ଆରମ୍ଭ କରି ବିଭିନ୍ନ କୃଷକ ସଂଗଠନ ଏହି ଆଇନକୁ ବିରୋଧ କରି ରାଜ୍ଯର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଥିବାବେଳେ ଏହାକୁ ଆଗକୁ ବ୍ଯାପକ କରିବାକୁ ଯୋଜନା କରିଛନ୍ତି।

କୃଷି ବିଲ ବିରୋଧରେ ସୋମବାର କ୍ଷେତ ବଞ୍ଚାଅ ଅଭିଯାନ କରିବ କଂଗ୍ରେସ

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: କୃଷି ଆଇନକୁ ବିରୋଧ କରି ଏବେ ଆରପାରର ଲଢେଇ। ନବନିର୍ମାଣ କୃଷକ ସଂଗଠନଠାରୁ ଆରମ୍ଭ କରି ବିଭିନ୍ନ କୃଷକ ସଂଗଠନ ଏହି ଆଇନକୁ ବିରୋଧ କରି ରାଜ୍ଯର ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରଖିଥିବାବେଳେ ଏହାକୁ ଆଗକୁ ବ୍ଯାପକ କରିବାକୁ ଯୋଜନା କରିଛନ୍ତି। ଏହି ଆଇନ ଦ୍ବାରା ରାଜ୍ଯର କୃଷକମାନଙ୍କର ସ୍ବାଧୀନତା ଲୋପ ପାଇବା ସହ ଧୀରେ ଧୀରେ କର୍ପୋରେଟ ଅଧିନକୁ ଚାଷୀ ଏବଂ ଚାଷ ଚାଲିଯିବ ବୋଲି ଅଭିଯୋଗ ହୋଇଛି। ଏହା ବିରୋଧରେ କଂଗ୍ରେସ ମଧ୍ଯ ରାଜ୍ଯବ୍ଯାପୀ କ୍ଷେତ ବଞ୍ଚାଓ ଯାତ୍ରା କରିବାକୁ ଯାଉଛି। 

ଏଥିପାଇଁ କଂଗ୍ରେସ ରାତି ପାହିଲେ ଅର୍ଥାତ ସୋମବାର ଦିନ ଭୁବନେଶ୍ବରରୁ ଏକ ଟ୍ରାକ୍ଟର ଶୋଭାଯାତ୍ରା ଆୟୋଜନ କରିବ। ଦଳ ପକ୍ଷରୁ କଂଗ୍ରେସ ଭବନରୁ ଏହି ଶୋଭାଯାତ୍ରା ବାହାରି କଟକ ଜିଲ୍ଲା ପ୍ରତାପନଗରୀସ୍ଥିତ ଧାକୁଲେଇ ମନ୍ଦିର , ୪୨ ମଉଜା ଏବଂ ପ୍ରେସ ଛକ ଦେଇ ଶକ୍ତିନଗରରେ ପହଞ୍ଚିବ। ଏପରିକି କେବଳ ଏତିକି ନୁହେଁ ଗାଁ ଗାଁରେ କୃଷକମାନଙ୍କୁ ଏକାଠି କରି କୃଷକ ଆଇନ ବିରୋଧରେ ଏକ ଶକ୍ତ ଆନ୍ଦୋଳନ ଗଢି ତୋଳିବାକୁ କଂଗ୍ରେସ ଯୋଜନା କରିଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି। 

ସେହିଭଳି ବିଭିନ୍ନ କୃଷକ ସଂଗଠନ ଏହା ବିରୋଧରେ ଆନ୍ଦୋଳନ ଚଳାଇ ଥିବାବେଳେ ଫେବୃୟାରୀ ପର୍ଯ୍ୟନ୍ତ ସରକାରଙ୍କୁ ସମୟ ଦେଇଛନ୍ତି। ନଚେତ ଫେବୃୟାରୀ ପରେ ରାଜରାସ୍ତା ସମେତ ରେଳପଥ ଆଦି ସମସ୍ତ ବାଟକୁ ପ୍ରାୟ 10 ଲକ୍ଷ ଚାଷୀ ସମ୍ପୂର୍ଣ ଠପ କରିଦେବେ ବୋଲି କହିଛନ୍ତି ନବନିର୍ମାଣ କୃଷକ ସଂଗଠନ ମୁଖପାତ୍ର ଦୁର୍ଗା ଦାସ। 

ଅନ୍ଯପକ୍ଷରେ ବିଜେଡି ମଧ୍ଯ ଏ ପ୍ରସଙ୍ଗରେ କୃଷକଙ୍କ ସହ ଛିଡା ହୋଇଛି। କୃଷକ ଆଇନରେ ଥିବା ବିଭିନ୍ନ ଦିଗ ସଂପର୍କରେ ବିଚାରବିମର୍ଷ ଚାଲିଥିବା ବେଳେ ତର୍ଜମା ମଧ୍ଯ ଚାଲିଛି। ଏଥିରେ ଭଲ ବ୍ଯବସ୍ଥାକୁ ସ୍ବାଗତ କରାଯିବା ସହ କୃଷକ ବିରୋଧୀ କଥାକୁ ଗ୍ରହଣ କରାଯିବ ନାହିଁ ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି। ଏପରିକି ଏ ପ୍ରସଙ୍ଗରେ ବ୍ଯାପକ ଚର୍ଚ୍ଚା ଆଲୋଚନା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। 

ଅନ୍ଯପକ୍ଷରେ ବିଜେପିର କହିବା କଥା କୃଷି କ୍ଷେତ୍ରରେ ବ୍ଯାପକ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି। ଏପରିକି ଏହାଦ୍ବାରା ଚାଷୀଙ୍କ ଆୟ ଦ୍ବିଗୁଣିତ ହେବା ସହ ଚାଷୀମାନେ ସ୍ବାଧୀନ ଭାବେ ନିଜ ସାମଗ୍ରୀ ବିଭିନ୍ନ ଅଞ୍ଚଳରେ ବିକ୍ରି କରିପାରିବେ। ତେଣୁ ବିରୋଧୀମାନେ ଚାଷୀଙ୍କ ମଧ୍ଯରେ ଏକ ଭ୍ରମ ସୃଷ୍ଟି କରିବା ପାଇଁ ଏଭଳି ଉଦ୍ଯମ କରୁଥିବା ବିଜେପି କୃଷକ ମୋର୍ଚା ସଭାପତି ପ୍ରଦୀପ ପୁରୋହିତ କହିଛନ୍ତି। ନୂଆ କୃଷି ଆଇନରେ ଏମଏସପି ବ୍ଯବସ୍ଥା ନ ଥିବା ତଥା କର୍ପୋରେଟ ହାତକୁ ସମସ୍ତ ବ୍ଯବସ୍ଥା ଚାଲିଯିବା ଅଭିଯୋଗ କରି ବିରୋଧୀମାନେ ଆନ୍ଦୋଳନ କରି ଆସୁଛନ୍ତି. ଏପରିକି କୃଷକ ସଂଗଠନ ଏହାକୁ ବିରୋଧ କରି ଜୋରଦାର ଆନ୍ଦୋଳନ କରିଥିବାବେଳେ ବିଭିନ୍ନ ରାଜ୍ଯରେ ଏହି ଆଇନ ବିରୋଧରେ କୃଷକ ଆନ୍ଦୋଳନ ଉଗ୍ର ହେବାରେ ଲାଗିଛି।