Trending Photos
ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ସତର୍କବାଣୀ ଟାଣ ଖରାରେ ବାହାରକୁ ବାହର ନାହିଁ। ଟାଣ ଖରାରେ ହୋଇପାରେ ଅଶୁଂଘାତ। ଖରା ସମୟରେ ଘର ଭିତରେ ରୁହ। ହେଲେ ସେପଟେ ଖରା ସମୟରେ ବିଦ୍ୟୁତ କାଟି ଦେଇ ଗୁଳୁଗୁଳିରେ ସିଝାଉଛନ୍ତି। ପଙ୍ଖା ବୁଲୁ ନାହିଁ କି ବିଦ୍ୟୁତ କେତେବେଳ ଆସିବ ଯିବ ଜଣା ନାହିଁ। ତେଣୁ ଘର ବାହାର ସବୁ ଏବେ ସମାନ ହୋଇ ଯାଇଛି। ରାଜ୍ୟ ଶକ୍ତି ବିଭାଗ ଏବେ ଶକ୍ତି ହୀନ। ୪୩.୩ ଡିଗ୍ରୀ ତାପମାତ୍ରରେ ସିଝୁଛନ୍ତି ରାଜଧାନୀବାସୀ। ସୋନପୁରରେ ୪୩. ଡିଗ୍ରୀ, ଅନୁଗୁଳର ତାପମାତ୍ରା ମଧ୍ୟ ୪୩.୧। ରାଜ୍ୟରେ ୮ ଜିଲାର ତାପମାତ୍ରା ୪୨ ଡିଗ୍ରୀ ଉପରେ। ଉପକୂଳ ଓଡିଶା ସହ ଆଭ୍ୟନ୍ତରୀଣ ଓଡିଶାର ସମସ୍ତ ଜିଲାକୁ ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ସତର୍କବାଣୀ। ଟାଣ ଖରାରେ ବାହାରକୁ ନ ବାହାରିବା ପାଇଁ ଘନ ଘନ ସରକାରଙ୍କ ପ୍ରଚାର। ଖରା ସମୟରେ ଘରା ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକଙ୍କୁ କୁହା ଯାଉଛି। ହେଲେ ବାହାର ଅପେକ୍ଷା ଲୋକେ ଘରେ ମଧ୍ୟରେ ଅଧିକ ସିଝୁଛନ୍ତି। ବାହାରେ ଟାଣ ଖରା। ଘର ଭିତରେ ବିଦ୍ୟୁତ ନଥିବାରୁ ପଙ୍ଖା ନ ବୁଲି ଅସହ୍ୟ ଗୁଳୁଗୁଳିରେ ସଢୁଛନ୍ତି ଲୋକ। ଏଭଳି ପରିସ୍ଥିତିରେ ବାରମ୍ବାର ହେଉଛି ଅଘୋଷିତ ବିଦ୍ୟୁତ କାଟ। ପିକ ସମୟରେ ହେଉଛି ବିଦ୍ୟୁତ କାଟ। ଦ୍ବିପ୍ରହର ସମୟରେ ଗାଁ ଗହଳିରେ ୩ ଘଣ୍ଟା ସହରାଞ୍ଚଳରେ ୧ ଘଣ୍ଟାରୁ ୨ ଘଣ୍ଟା ହେଉଛି ବିଦ୍ୟୁତ କାଟ। ଫଳରେ ଲୋକେ ବାହାର ଅପେକ୍ଷା ଘର ଭିତରେ ବେଶି ସିଝୁଛନ୍ତି। ଏନେଇ ବିଦ୍ୟୁତ ବିତରକ ସଂସ୍ଥା ଟାଟା ପାୱାରକୁ ଜଣାଇଲେ କୌଣସି ଫଳ ମିଳୁ ନାହିଁ। ଯାହାକୁ ନେଇ ରାଜ୍ୟ ତମାମ ଏବେ ଅସନ୍ତୋଷର ବାତାବାରଣ। ଏନେଇ ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି ରାଜ୍ୟ ସରକାର ବିଦ୍ୟୁତ ବଳକା ରାଜ୍ୟକୁ ଏବେ ନିଅଣ୍ଟିଆରେ ପହଞ୍ଚାଇ ସାରିଲେଣି। ବିଜେପି ମଧ୍ୟ ସମାନ ଅଭିଯୋଗ କରିଛିୁ। ରାଜ୍ୟ ବିଦ୍ୟୁତ ଖାଉଟି ମହାସଂଘ ପକ୍ଷରୁ ଅଭିଯୋଗ କଲେ ମଧ୍ୟ ତାହାକୁ କର୍ଣ୍ଣପାତ କରୁନାହାଁନ୍ତି ରାଜ୍ୟ ସରକାର।
ସେପଟେ ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟକୁ ନେଇ ସମୀକ୍ଷା କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ମୁଖ୍ୟ ସଚିବ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ପରିସ୍ଥିତି ସମୀକ୍ଷା କରିଛନ୍ତି। ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଆୟୋଜିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ସ୍ଥିତିର ସମୀକ୍ଷା କରିଛନ୍ତି। ଗ୍ରୀଡକୋ, OPTCL, OHPC, OPGC ସହିତ ଅନ୍ୟ ଶକ୍ତି ଉତ୍ପାଦନକାରୀ କମ୍ପାନୀ ଏବଂ DISCOM ଗୁଡ଼ିକ ଆଲୋଚନାରେ ଭାଗ ନେଇଥିଲେ। ଗ୍ରାମ ତଥା ସହରାଞ୍ଚଳର ସମସ୍ତ ଅଞ୍ଚଳକୁ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତାପ ବୃଦ୍ଧି ପାଉଥିବାରୁ ଖୁବ୍ ଶୀଘ୍ର ଆରମ୍ଭ ହେବ DISCOM। ଯାହା ଘରୋଇ ଉପଭୋକ୍ତା ଏବଂ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକୁ ପ୍ରାଥମିକତା ଭିତ୍ତିରେ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଉଚିତ୍ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। ଅଘୋଷିତ ବିଦ୍ୟୁତ କାଟ ନେଇ ମୁଖ୍ୟ ଶାସନ ସଚିବଙ୍କ ବୈଠକ ପରେ ପ୍ରତିକ୍ରିୟା ରଖି ଗ୍ରୀଡକୋ ଏମଡି କହିଛନ୍ତି ବିଦ୍ୟୁତ କାଟ ସାମୟିକ ହେଉଛି। ଏକ ସପ୍ତାହ ମଧ୍ୟରେ ସୁଧାର ଆସିବ। ଆଗୁଆ ଖରା ଆସିଛି। ମେ ମାସ ପାଇଁ ପ୍ରସ୍ତୁତ ରହିଥିଲୁ। ମେ ମାସରେ ଯାହା ଚାହିଦା ରହିବା କଥା ତାହା ଏପ୍ରିଲ ମାସରୁ ଦେଖାଯାଇଛି। ଯାହା ଫଳରେ ଆବଶ୍ୟକତା ଠାରୁ ଅଧିକ ବିଦ୍ୟୁତ ଦରକାର ହେଉଛି। ଆଭରେଜ ଡିମାଣ୍ଡ ଠାରୁ ପିକ ଡିମାଣ୍ଡ ୧୦ ପ୍ରତିଶତ ଅଧିକ ହୋଇଛି। ପିକ ସମୟରେ 4 ହଜାର 400 ମେଗାୱାଟ ଆବଶ୍ୟକ ହେଉଛି। ୪୫୦ ମେଗାୱାଟ ନିଅଣ୍ଟ ହେଉଛି। ଜଳ ସହ ତାପଜ ବିଦ୍ୟୁତ ଅଭାବ ଦେଖାଯାଇଛି। ଯାହାକୁ ଖୁବଶୀଘ୍ର ସମାଧାନ ପାଇଁ ଚେଷ୍ଟା କରାଯାଉଛି। ରାଜ୍ୟରେ ସ୍ଥିତି ଏତେ ଖରାପ ନାହିଁ। ଯାହା ବି ଅସୁବିଧା ଅଛି ଏକ ସପ୍ତାହମଧ୍ୟରେ ସମାଧାନ କରାଯିବ। ଟାଟା ପାୱାର ଆଗରେ ବନ୍ଧା ପଡିଛି ରାଜ୍ୟ ଶକ୍ତି ବିଭାଗ। ଶକ୍ତି ବିଭାଗ ଶକ୍ତି ହୀନ। କୁଆଡେ ଗଲା ରାଜ୍ୟ ସରକାରଙ୍କ ୨୪ ଘଣ୍ଟିଆ ନିରନ୍ତର ବିଦ୍ୟୁତ ଯୋଗାଣ ପ୍ରତିଶୃତି।