ଫେକ ୱେବସାଇଟ ଖୋଲି ଲୁଟିନେଲେ ୪୦ ଲକ୍ଷ, ଜାଣନ୍ତୁ ଘଟଣା ସମ୍ପର୍କରେ
Advertisement

ଫେକ ୱେବସାଇଟ ଖୋଲି ଲୁଟିନେଲେ ୪୦ ଲକ୍ଷ, ଜାଣନ୍ତୁ ଘଟଣା ସମ୍ପର୍କରେ

ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଫେକ ୱେବସାଇଟ୍‌ରେ ଲୁଟି ନେଇଛନ୍ତି ୪୦ ଲକ୍ଷ ଟଙ୍କା

ସୌଜନ୍ୟ: ସୋସିଆଲ ମିଡିଆ

ଜଗନ୍ନାଥ ପାତ୍ର, କଟକ: ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଫେକ ୱେବସାଇଟ୍‌ରେ ଲୁଟି ନେଇଛନ୍ତି ୪୦ ଲକ୍ଷ ଟଙ୍କା । ଏ ହେଉଛନ୍ତି ସେହି ଅଭିଯୁକ୍ତ ଯେଉଁ ମାନେ କିଛି କ୍ଷଣକ ମଧ୍ୟରେ ଲୁଟିଥଲେ ୪୦ ଲକ୍ଷ ଟଙ୍କା । ସମସ୍ତ ଅଭିଯୁକ୍ତଙ୍କ ଘର ବିହାର ରାଜ୍ୟର ପାଟନା ଅଞ୍ଚଳରେ ।  ଅଭିଯୁକ୍ତ ମଧ୍ୟରେ ରହିଛନ୍ତି ଆକାଶ କୁମା, ଶୁଭମ ପ୍ରିୟଦର୍ଶୀ ଓ କୌଶେଳନ୍ଦ୍ର କୁମାର । ଏହି ସମସ୍ତଙ୍କ ବୟସ ୧୯ରୁ ୨୩ ବର୍ଷ ମଧ୍ୟରେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ଟେକନିକାଲ ଇଞ୍ଜିନିୟରିଂ । ଲୋକଙ୍କୁ ଟଙ୍କା ଠକିବା ନିଶାରେ ଚୁର ହୋଇଥିବା ଏହି ତିନି ଯୁବ ବୟସ ଅଭିଯୁକ୍ତଙ୍କୁ ଆଜି ଟ୍ରାନଜିଟ ରିମାଣ୍ଡରେ ଓଡ଼ିଶାକୁ ଅଣାଯାଇଛି । 
 
ତିନିଜମ ଅପରାଧୀ ହେଉଛନ୍ତି ୩ ସାଙ୍ଗ । ଏମାନେ ରିଲାନ୍ସ କମ୍ପାନୀର ପେଟ୍ରୋଲ ପମ୍ପ ଲାଗି ଏକ ଫେକ ୱେବସାଇଟ୍‌ ପ୍ରସ୍ତୁତ କରିଥିଲେ । ଯାହାର ନାଁ ଦେଇଥିଲେ RELIANCEPETROLEUM.ORG  । ଏହି ୱେବସାଇଟ୍‌ ମାଧ୍ୟମରେ ଓଡ଼ିଶାର କିଛି ଡିଲରଙ୍କ ସହିତ ସମ୍ପର୍କ ବଢାଇଥିଲେ । ବିଭିନ୍ନ କର୍ପୋରେଟର ସେକ୍ଟର ଭଳି ପ୍ରତିଟି କଥାରେ ଇମେଲ୍‌ ଓ ମ୍ୟାସେଜ ଜରିଆରେ ଡିଲରଙ୍କ ସହିତ ଯୋଡି ହୋଇଥିଲେ । ଓଡିଶାର କିଛି ଇଚ୍ଛୁକ ଡିଲର ମଧ୍ୟ ଏହି ଅଭିଯୁକ୍ତଙ୍କ ଠକେଇ ଜାଲରେ ଏପରି ବାନ୍ଧି ହୋଇଥିଲେ ଯେ ବିଭିନ୍ନ ସମୟରେ  ୪୦ ଲକ୍ଷ ଟଙ୍କା ଡିପୋଜିଟ କରିଥିଲେ । ଟଙ୍କା ଡିପୋଜିଟ ହେବା ପରେ ଏହାର କୌଣସି ଟେର ପାଇପାରି ନ ଥିଲେ ପେଟ୍ରୋଲ ପମ୍ପ ପାଇଁ ଇଚ୍ଛୁକ ଡିଲର ମାନେ । ଏହା ପରେ ଏହି ଘଟଣା ପହଞ୍ଚିଥିଲା କ୍ରାଇମବ୍ରାଞ୍ଚର ସାଇବର ସେଲ୍‌ରେ ।  ସାଇବର ସେଲ୍‌ ଘଟଣାର ଛାନବିନ କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଗଲା । ଏହି ଟିମ ଆରମ୍ଭ କରିଥିଲା ତନାଘନା । ଅନେକ ବିଫଳତା ପରେ ଡିଲର ମାନଙ୍କୁ ଆସୁଥିଲା ଇମେଲର ଯାଞ୍ଚ କରିଥିଲେ । ଯାହା ତଦନ୍ତକୁ ଦେଇଥିଲା ନୂଆ ଦିଗ । ଏହି ଇ-ମେଲର ସର୍ଭରକୁ ଟ୍ରେସ କରି ପାଟନା ଲିଙ୍କ ପାଇଥିଲା ସାଇବର ପୋଲିସ । ପାଟନାର ହାୱାଇ ଆଡ୍ଡା ପୋଲିସ ଥାନା ଅଞ୍ଚଳରେ ଅଭିଯୁକ୍ତଙ୍କୁ ଟ୍ରେସ କରିବା ସଙ୍ଗେ ସଙ୍ଗେ ଆରମ୍ଭ ହୋଇଥିଲା ଚଡାଉ । ଚଡାଉ ସମୟରେ ୮ ଲକ୍ଷ ୫୯ ହଜାର ଟଙ୍କା ସହିତ ୪୭ଟି ବିଭିନ୍ନ କମ୍ପାନୀର ଏଟିଏମ, ଚେକ୍‌ ବୁକ୍‌, ଆଧାର କାର୍ଡ, ପାନ କାର୍ଡ, ରିଲାନ୍ସ କମ୍ପାନୀର ନାଁର ନୋଟ ବୁକ୍‌ ଆଜି ଜବତ କରାଯାଇଥିଲା । ଫେକ୍‌ ୱେବସାଇଡ୍‌ ଓ ଅନଲାଇନ ଟ୍ରାନଜାକ୍ସନ ପାଇଁ ବ୍ୟବହୃତ ଲ୍ୟାପଟପକୁ ମଧ୍ୟ ଧରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହି ୩ ଅଭିଯୁକ୍ତଙ୍କୁ ଟ୍ରାନଜିଟ ରିମାଣ୍ଡରେ ଅଣାଯାଇଥିବା ବେଳେ ଆଜି ଭୁବନ କୋର୍ଟରେ ହାଜର କରାଯିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ମିଲିଛି ।