ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳତାର ମନ୍ତ୍ର ଜାଣିବାକୁ ଏକାଠି ହୋଇଛନ୍ତି ୫ଟି ରାଜ୍ୟ
Advertisement

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳତାର ମନ୍ତ୍ର ଜାଣିବାକୁ ଏକାଠି ହୋଇଛନ୍ତି ୫ଟି ରାଜ୍ୟ

ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ବିଶ୍ୱରେ ପ୍ରଶଂସିତ ଓଡ଼ିଶା

ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସାରା ବିଶ୍ୱରେ ପ୍ରଶଂସିତ ଓଡ଼ିଶା । ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳତାର ମନ୍ତ୍ର ଜାଣିବାକୁ ଓଡ଼ିଶାରେ ଏକାଠି ହୋଇଛନ୍ତି ଓଡ଼ିଶା ସମେତ ୫ଟି ରାଜ୍ୟ । ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ବିପର୍ଯ୍ୟୟଜନିତ କ୍ଷୟକ୍ଷତି କମ କରିବା ସଂକ୍ରାନ୍ତୀୟ ଆଞ୍ଚଳିକ କର୍ମଶାଳାରେ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଯୋଗ ଦେଇଛନ୍ତି । ଓଡ଼ିଶା ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି ସହାୟତାରେ ଜାତୀୟ ଡିଜାଷ୍ଟର ମ୍ୟାନେଜେମେଣ୍ଟ ଅଥରିଟି ଏହି କାର୍ଯ୍ୟକ୍ରମର ଆୟୋଜନ କରିବା ସହ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଓଡ଼ିଶାର କଳାକୌଶଳ ସଂପର୍କରେ ଶିକ୍ଷା ଦେଇଛନ୍ତି । ଏଥିସହିତ ବିଭିନ୍ନ ରାଜ୍ୟ ସେମାନଙ୍କ ଆଞ୍ଚଳିକ ବିପର୍ଯ୍ୟୟ ମୁକାବିଲା ସଂପର୍କରେ କଣ କଣ ପଦକ୍ଷେପ ନେଉଛନ୍ତି ସେ ସଂପର୍କରେ ମତ ରଖିଛନ୍ତି ।

ଏଥିସହିତ ରାଜ୍ୟମାନେ ବିପର୍ଯ୍ୟୟ ପ୍ରଶମନ ପାଇଁ ଆଗୁଆ ଯୋଜନା କରୁ ନ ଥିବାରୁ ନ୍ୟାସନାଲ ଡିଜାଷ୍ଟର ମିଟିଗେସନ ଅଥରିଟିର ସଦସ୍ୟ ଜି ଭି ଭି ଶର୍ମା ରାଜ୍ୟଗୁଡିକ ଉପରେ ବର୍ଷିଛନ୍ତି । କେନ୍ଦ୍ରକୁ ଅପେକ୍ଷା ନ କରି ବିପର୍ଯ୍ୟୟ ପୂର୍ବରୁ ସମସ୍ତ ରାଜ୍ୟ ସ୍ଥିତିକୁ ଦେଖି ପ୍ରସ୍ତୁତ ରହିବାକୁ କୁହାଯାଇଛି । ସେହିଭଳି ଚୀନରେ କରୋନା ଭଳି ଧ୍ୱଂସକାରୀ ଭାଇରସ ସ୍ଥିତିକୁ ଆଖି ଆଗରେ ରଖି ଆଗକୁ ଏଭଳି ସ୍ଥିତିକୁ ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ ରହିବାକୁ କର୍ମଶାଳାରେ କୁହାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ଓଡ଼ିଶାର ଚିର ସହଚର ହୋଇଥିବାବେଳେ ଗତ ୬ ବର୍ଷରେ ଓଡ଼ିଶା ୫ଟି ବାତ୍ୟା ଦେଖିଛି । ବର୍ତ୍ତମାନ ସମୟରେ ଅର୍ବାନ ଫ୍ଲଡିଂ, ବଜ୍ରପାତ, ହିଟ ୱେଭ, ସମୁଦ୍ର ଜଳପତ୍ତନ ବଢିବା ଆଦି ବଡ ଚ୍ୟାଲେଞ୍ଜ ହୋଇଛି । 

ବଜେଟରେ ସ୍ୱତନ୍ତ୍ର ଭାବେ ବିପର୍ଯ୍ୟୟ ପ୍ରଶମନ ପାଇଁ ଅଧିକ ଅର୍ଥ ବରାଦ କରାଯାଇଥିବାରୁ ପୂର୍ବରୁ ଯୋଜନା କରି କେନ୍ଦ୍ରକୁ ଅବଗତ କରାଯିବ ବୋଲି କୁହାଯାଇଛି । ଅନ୍ୟପକ୍ଷରେ କର୍ମଶାଳାରେ ଭାଗ ନେଇଥିବା ଅନ୍ୟ ରାଜ୍ୟର ଅଧିକାରୀମାନେ ଓଡ଼ିଶାଠାରୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ବହୁତ କିଛି ଶିଖିବାର ଅଛି ବୋଲି କହିଛନ୍ତି । ଏ ସବୁକୁ ସେମାନଙ୍କ ରାଜ୍ୟରେ କାର୍ଯ୍ଯ଼କାରୀ କରାଯିବ ବୋଲି ସେମାନେ କହିଛନ୍ତି । ଦୁଇଦିନ ଧରି ହେବାକୁ ଥିବା ବିପର୍ଯ୍ୟୟ ପ୍ରଶମନ ସଂପର୍କୀତ କର୍ମଶାଳାରେ ନ୍ୟାସନାଲ ସାଇକ୍ଲୋନ ରିସ୍କ ମିଟିଗେସନ ପ୍ରକଳ୍ପ, ସାଇକ୍ଲୋନ ଯ଼ାର୍ଲି ବାର୍ଣିଂ ସିଷ୍ଟମ, ସୁନାମୀ ଯ଼ାର୍ଲୀ ବାର୍ଣିଂ ସିଷ୍ଟମ, ଭୂମିକମ୍ପ ସଂପର୍କୀତ ରିସ୍କ ଏବଂ ସୂଚନା ତଥା ସତର୍କତା ସଂପର୍କରେ ବିଶଦ ଭାବେ ଆଲୋଚନା କରାଯିବ । ଏଥିସହିତ ଆଗୁଆ ସୂଚନା ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା ତଥା ସାଟେଲାଇଟ ବ୍ୟବହାର ଆଦି ସଂପର୍କରେ ଆଲୋଚନା କରାଯିବା ସହ ବିଭିନ୍ନ ରାଜ୍ୟ କିଭଳି ଉତ୍କୃଷ୍ଟ ବ୍ୟବସ୍ଥାକୁ କାର୍ଯ୍ଯ଼କାରୀ କରିବେ ସେ ନେଇ କାର୍ଯ୍ଯ଼କ୍ରମରେ ଗୁରୁତ୍ୱ ଦିଆଯାଇଛି ।