୭୨ ଘଣ୍ଟାରେ ଲଘୁଚାପ, ରାଜ୍ୟରେ କାଲିଠୁ ପ୍ରବଳ ବର୍ଷିବ
Advertisement

୭୨ ଘଣ୍ଟାରେ ଲଘୁଚାପ, ରାଜ୍ୟରେ କାଲିଠୁ ପ୍ରବଳ ବର୍ଷିବ

ଆସନ୍ତା ୨୪ ଘଣ୍ଟାରେ କୌଣସି ପ୍ରବଳ ବର୍ଷା ଜନିତ ସତର୍କତା ନଥିବା ବେଳେ କାଲିଠୁ ପାଗ ବଦଳିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ ।

୭୨ ଘଣ୍ଟାରେ ଲଘୁଚାପ, ରାଜ୍ୟରେ କାଲିଠୁ ପ୍ରବଳ ବର୍ଷିବ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ୭୨ ଘଣ୍ଟାରେ ଲଘୁଚାପ, କାଲିଠୁ ଢାଳିବ, ମେଣ୍ଟିବ ନିୟଣ୍ଟିଆ ବର୍ଷା । ଗତ ତିନି ତାରିଖରେ ସୃଷ୍ଟି ହୋଇଥିବା ଲଘୁଚାପ ଦୁର୍ବଳ ହୋଇସାରିଥିବା ବେଳେ ଆସନ୍ତା ୯ ତାରିଖରେ ଆଉ ଏକ ଲଘୁଚାପ ଘନୀଭୂତ ହେବାକୁ ଯାଉଛି । ଉତ୍ତର ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଏହି ଲଘୁଚାପ ପ୍ରଭାବରେ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଆସନ୍ତା ୨୪ ଘଣ୍ଟାରେ କୌଣସି ପ୍ରବଳ ବର୍ଷା ଜନିତ ସତର୍କତା ନଥିବା ବେଳେ କାଲିଠୁ ପାଗ ବଦଳିବା ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । କାଲି ଜଗତସିଂହପୁର, ପୁରୀ, ଗଂଜାମ ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, କେଉଁଝର, ମୟୂରଭଂଜ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରପଡା, ଜଗତସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳ ଘଡଘଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତା ୯ ତାରିଖରୁ ବର୍ଷାର ପରିମାଣ ବୃଦ୍ଧି ହେବା ସହ ଅତି ପ୍ରବଳ ନେଇ ୫ଟି ଜିଲ୍ଲା ଓ ୭ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି କେନ୍ଦ୍ର । ୧୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ପ୍ରବଳ ବର୍ଷା । ଏହାସହ ସମୁଦ୍ର ଅଶାନ୍ତ ହେତୁ ଆସନ୍ତା ୯ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ବାରଣ କରାଯାଇଛି । ସେପଟେ ଏଯାବତ ମୌସୁମୀ ଜନିତ ବର୍ଷା ୧୨ ପ୍ରତିଶତ କମ୍ ରେକର୍ଡ ହୋଇଥିବା ବେଳେ ଆଗାମୀ ଲଘୁଚାପ ପ୍ରଭାବରେ ନିଅଣ୍ଟିଆ ବର୍ଷା ଭରଣା ହେବାର ସମ୍ଭାବନା ରହିଛି ।