ମାର୍କରେ ତ୍ରୁଟି ଥିଲେ ୨୩ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଥିବା ବେଳେ ଅଫଲାଇନ ପରୀକ୍ଷା ଲାଗି ଆସନ୍ତା ୨୧ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ।
Trending Photos
ଭୁବନେଶ୍ୱର: ୨୦୨୦-୨୧ ଶିକ୍ଷାବର୍ଷରେ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳାଫଳ ଶନିବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପ୍ରକାଶ ପାଇଛି। କଳାରେ ମୋଟ ପାସ୍ ହାର ୮୯.୪୯ ପ୍ରତିଶତ ଥିବା ବେଳେ ଧନ୍ଦାମୂଳକରେ ୮୬.୦୨ ପ୍ରତିଶତ ରହିଛି। ମାର୍କରେ ତ୍ରୁଟି ଥିଲେ ୨୩ ତାରିଖ ସୁଦ୍ଧା ଜଣାଇବାକୁ କୁହାଯାଇଥିବା ବେଳେ ଅଫଲାଇନ ପରୀକ୍ଷା ଲାଗି ଆସନ୍ତା ୨୧ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ପାଇବ। ତେବେ ଲଗାତର ଦୁଇ ବର୍ଷ ହେବ କୋଭିଡ ସ୍ଥିତି ହେତୁ ପରୀକ୍ଷା ଓ ମୂଲ୍ୟାୟନର ସମସ୍ୟାକୁ ଦେଖି ଆସନ୍ତା ବର୍ଷ ପାଇଁ ବିକଳ୍ପ ମୂଲ୍ୟାୟନ ପାଇଁ ପରିଷଦ ବ୍ୟବସ୍ଥା କରୁଛି।
ବିଜ୍ଞାନ ଓ ବାଣିଜ୍ୟରୁ କମିଲା କଳା ଓ ଧନ୍ଦାମୂଳକ ଫଳ। ଶୁକ୍ରବାର ଦିନ ୧ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହି ବିଭାଗର ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ବିଭାଗୀୟ ମନ୍ତ୍ରୀ, ସଚିବ ଓ ପରିଷଦର ବରିଷ୍ଠ ଅଧିକାରୀ। ଏଥର କଳାରେ ୮୯.୪୯ ପ୍ରତିଶତ ରହିଥିବା ବେଳେ ଧନ୍ଦାମୂଳକରେ ୮୬.୦୨ ଓ ମଦ୍ରାସା ବୋର୍ଡ ପରୀକ୍ଷାରେ ୯୬.୭ ପ୍ରତିଶତ ପାସ୍ ହାର ରହିଛି। ଉଭୟ ପରୀକ୍ଷାରେ ଛାତ୍ରଙ୍କ ଠାରୁ ଛାତ୍ରୀ ବାଜିମାତ କରିଛନ୍ତି। କଳାରେ ଛାତ୍ରଙ୍କ ପାସ୍ ହାର ୮୫.୯୮ ପ୍ରତିଶତ ଥିବା ବେଳେ ୯୨.୩୪ ପ୍ରତିଶତ ଛାତ୍ରୀ ପାସ୍ କରିଛନ୍ତି।
Also Read: ସେପ୍ଟେମ୍ବର ୬ରୁ OJEE-2021, ଦେଖନ୍ତୁ ସମ୍ପୂର୍ଣ୍ଣ Schedule
ସେହିପରି ଧନ୍ଦାମୂଳକରେ ଛାତ୍ରଙ୍କ ପାସ୍ ହାର ୮୩.୮୫ ଓ ଛାତ୍ରୀଙ୍କ ପାସ୍ ହାର ୮୮.୪ ପ୍ରତିଶତ ରହିଛି। ତେବେ ଚଳିତବର୍ଷ ବିକଳ୍ପ ମୂଲ୍ୟାୟନ ଆଧାରରେ ଫଳ ପ୍ରକାଶ ପାଇଥିବାରୁ ପରୀକ୍ଷା ମାର୍କରେ ତ୍ରୁଟି ଥିଲେ ୨୩ ତାରିଖ ସୁଦ୍ଧା ଉପଯୁକ୍ତ ପ୍ରମାଣ ସହ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। ସେହିପରି ଯେଉଁମାନେ ପରୀକ୍ଷା ଫଳରେ ଅସନ୍ତୁଷ୍ଟ ରହି ଅଫଲାଇନରେ ପରୀକ୍ଷା ଦେବେ ସେମାନଙ୍କ ଲାଗି ଆସନ୍ତା ୨୧ ତାରିଖ ସୁଦ୍ଧା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ।
ପରୀକ୍ଷା ଫଳ ଘୋଷଣା ପରେ ପରୀକ୍ଷାର୍ଥୀମାନେ www.orissaresult.nic.in ଓ୍ବେବସାଇଟରୁ ମାର୍କସିଟ୍ ଡାଉନଲୋଡ୍ କରିପାରିବେ। ଜୁନିୟର କଲେଜର ସାମ୍ସ ଇ-ସ୍ପେଶରେ ମଧ୍ୟ ଫଳ ଉପଲବ୍ଧ। ୦୬୭୪-୨୩୦୧୦୯୮ ହେଲ୍ପ ଲାଇନ ନମ୍ବରରୁ ଆବଶ୍ୟକୀୟ ସୂଚନା ଦିଆଯିବ। ତେବେ କଳାରେ ଏଥର ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ୯୫.୨୯ ପ୍ରତିଶତ ଓ ସର୍ବନିମ୍ନ କୋରାପୁଟ ଜିଲ୍ଲାରେ ୮୧.୨୩ ପାସ ହାର ରହିଥିବା ବେଳେ ଧନ୍ଦାମୂଳକରେ ସର୍ବାଧିକ ନୟାଗଡ ଜିଲ୍ଲାରେ ୯୫.୬୫ ପ୍ରତିଶତ ଏବଂ ନବରଙ୍ଗପୁର ଜିଲ୍ଲାରେ ଶୂନ ପ୍ରତିଶତ ପାସ ହାର ରହିଛି।
Also Read: ଆସନ୍ତାକାଲି ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ
ଅପରପକ୍ଷେ କ୍ରମାଗତ ଦୁଇ ବର୍ଷ ହେବ ମହାମାରୀ କୋରୋନା ହେତୁ ବୋର୍ଡ ପରୀକ୍ଷା ଓ ମୂଲ୍ୟାୟନରେ ବିରାଟ ସମସ୍ୟା ଦେଖାଦେଉଛି। ଯେଉଁଥିପାଇଁ ଆଗାମୀ ଶିକ୍ଷାବର୍ଷ ପାଇଁ ଏକ କମିଟି ଆଧାରରେ ବିକଳ୍ପ ମୂଲ୍ୟାୟନ ପଦ୍ଧତି ନେଇ ଗାଇଡଲାଇନ ପ୍ରକାଶ କରାଯିବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହାକୁ ମିଶାଇ ରାଜ୍ୟ ଓଡିଆ ବୋର୍ଡ ଦ୍ବାରା ପରିଚାଳିତ ସମସ୍ତ ଅର୍ଥାତ ମାଟ୍ରିକ ଓ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ବାର୍ଷିକ ବୋର୍ଡ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। ସମସ୍ତ ବିଭାଗର ଫଳ ଏଥର ୯୦ ପ୍ରତିଶତ ପାର କରିଥିବା ବେଳେ କଳା ଓ ଧନ୍ଦାମୂଳକରେ ଏହି ହାର ୯୦ ପ୍ରତିଶତ ତଳେ ରହିଛି।