ନୂଆବର୍ଷକୁ ଲୋକସେବା ଭବନର ସ୍ୱାଗତ
Advertisement
Article Detail0/zeeodisha/odisha618303

ନୂଆବର୍ଷକୁ ଲୋକସେବା ଭବନର ସ୍ୱାଗତ

ତେବେ ଏହି ନୂଆବର୍ଷକୁ ବେଶ ଧୁମଧାମର ସହ ପାଳନ କରିଛି ଲୋକସେବା ଭବନ । 

ନୂଆବର୍ଷକୁ ଲୋକସେବା ଭବନର ସ୍ୱାଗତ

ଯଯାତି ମହାନ୍ତି,ଭୁବନେଶ୍ୱର: ନୂଆବର୍ଷ ପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟ । ବେସରକାରୀ ଠାରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ, ସବୁସ୍ତରରେ ଦେଖିବାକୁ ମିଳିଛି ଉତ୍ସାହର ମାହୋଲ । ତେବେ ଏହି ନୂଆବର୍ଷକୁ ବେଶ ଧୁମଧାମର ସହ ପାଳନ କରିଛି ଲୋକସେବା ଭବନ । ଭବନରେ ଥିବା ସବୁ ଦପ୍ତର ରଙ୍ଗବେରଙ୍ଗ ଆଲୋକମାଳାରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି ।

ମୁଖ୍ୟ ଶାସନ ସଚିବଙ୍କ ଦପ୍ତରରୁ ଆରମ୍ଭ କରି ଉନ୍ନୟନ କମିଶନରଙ୍କ ଦପ୍ତର, ଗୃହ ବିଭାଗ, ଅର୍ଥ ବିଭାଗ, ଲବି ଓ ଲନରେ ଦେଖିବାକୁ ମିଳିଥିବା ନୂଆ ଉତ୍ସାହ ଏବଂ ଉଦ୍ଦିପନାର ଝଲକ୍ । ଆଇଏଏସ୍ ସଂଘ ଠାରୁ ଆରମ୍ଭ କରି ଆଇପିଏସ୍ ସଂଘ, ସଚିବାଳୟ ସେବା ସଂଘ, ମୋଟର ଚାଳକ ସଂଘ, ଚତୁର୍ଥ ଶ୍ରେଣୀ କର୍ମଚାରୀଠାରୁ ଆରମ୍ଭ ଶିକ୍ଷକ/ଅଧ୍ୟାପକ ସଂଘ ମଧ୍ୟ ଏହି ମାହୋଲରୁ ବର୍ତ୍ତିନଥିଲେ । ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ପରଠାରୁ ହିଁ ଆରମ୍ଭ ହୋଇଯାଇଥିଲା ଶୁଭେଚ୍ଛା ଦିଆନିଆ କାର୍ଯ୍ୟକ୍ରମ । ଫୁଲତୋଡ଼ା ମାଧ୍ୟମରେ କିଏ ଶୁଭେଚ୍ଛା ଜଣାଇଥିଲା ତ ଆଉ କିଏ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରି ନୂଆ ବର୍ଷ ପାଳନ କରିଛି । ଆଉ କିଏ ନୂଆ ସଂକଳ୍ପ ନେଇଛି । କାହା ପାଇଁ ପୁରୀ ଓ ଲିଙ୍ଗରାଜ ମନ୍ଦିରର ବିକାଶ ଏକ ଆହ୍ୱାନ ତ ଆଉ କାହାର ଚାଷୀଙ୍କ ଆୟ ବୃଦ୍ଧି ଲକ୍ଷ୍ୟ ।

ନୂଆ ଦଶନ୍ଧିର ପ୍ରଥମ ଦିନ, ଜାନୁଆରୀ ପହିଲା ୨୦୨୦ । ସଚିବାଳୟ ଭବନ ପରିବର୍ତ୍ତେ ନୂଆ ପରିଚୟ ପାଇଥିବା ଲୋକସେବା ଭବନ ପ୍ରତିଦିନ ଭଳି ଆଜି ବି ଥିଲା ଚଳଚଞ୍ଚଳ। ଲବି ଠାରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ ଦପ୍ତର ପର୍ଯ୍ୟନ୍ତ, ସବୁ ବିଭାଗରେ ରଙ୍ଗବେରଙ୍ଗ ଫୁଲତୋଡ଼ା ଧରି ପହଞ୍ଚିଯାଇଥିଲେ ଶୁଭେଚ୍ଛୁ । ଆଇଏଏସ୍ ସଂଘ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବରିଷ୍ଠ ଅଧିକାରୀମାନେ, ସଚିବାଳୟ ସେବା ସଂଘ, ମୋଟର କର୍ମଚାରୀ ସଂଘ, ଓଏଏସ୍ ସଂଘର କର୍ମକର୍ତ୍ତାମାନେ ମୁଖ୍ୟ ଶାସନ ସଚିବ ଓ ଉନ୍ନୟନ କମିଶନରଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ ଜଚ୍ଚାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ଅନେକ ମାଇଲଖୁଣ୍ଟ  ଅତିକ୍ରମ କରିଛି । ଆଗକୁ ଆହୁରି ଭଲ କାମ କରିବାକୁ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ସେହିପରି ପୁରୀ ଓ ଲିଙ୍ଗରାଜ ମନ୍ଦିରର ବିକାଶ ସରକାରଙ୍କ ପାଇଁ ଏକ ଆହ୍ୱାନ ବୋଲି ଉନ୍ନୟନ କମିଶନର କହିଛନ୍ତି । ଏବେ ୪ ହଜାରରୁ ଊର୍ଦ୍ଧ୍ୱ ଗାଁକୁ ରାସ୍ତା ନାହିଁ । ଫେବୃଆରୀ ପହିଲାରୁ ଗ୍ରାମ୍ୟ ଉନ୍ନୟନ ବିଭାଗ 'ମୋ ସରକାର'ରେ ସାମିଲ ହେବ । ସବୁ ଗାଁକୁ ସଂଯୋଗୀକରଣ ରାସ୍ତା କରାଯିବ ବୋଲି ନୂଆ ବର୍ଷରେ ସଂକଳ୍ପ ନେଇଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ସେହିପରି ଚାଷୀଙ୍କ ଆୟ ଦୁଇଗୁଣା କରିବା ବିଭାଗର ପ୍ରଥମ ଲକ୍ଷ୍ୟ । କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନର ବ୍ୟବହାର ହେବା ସହିତ ସ୍ୱତନ୍ତ୍ର ପଲିସି ଆସିଛି ବୋଲି କୃଷି ସଚିବ କହିଛନ୍ତି ।

ପ୍ରଶାସନର କେବଳ ଉପରସ୍ତର ନୁହେଁ, ତଳ ସ୍ତରରେ ଥିବା କର୍ମଚାରୀମାନେ ମଧ୍ୟ ନୂଆ ବର୍ଷରେ ନୂଆ ଉତ୍ସାହ ଦେଖାଇଛନ୍ତି । ସଚିବାଳୟ ପରିସରରେ କୌଣସି ଗାଡ଼ି ହର୍ଣ୍ଣ ନ ବଜାଇବାକୁ ମୁଖ୍ୟ ଶାସନ ସଚିବ ମୋଟର ଚାଳକ ସଂଘକୁ ପରାମର୍ଶ ଦେଇଛନ୍ତି । ଏହାକୁ ପାଳନ କରାଯିବ ବୋଲି ମୋଟର ଚାଳକ ସଂଘ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ଏଥର ଅଧିକ ଉତ୍ସାହ ଦେଖିବାକୁ ମିଳିଥିଲା ନବ ନିଯୁକ୍ତ ଏଏସ୍ଓମାନଙ୍କ କ୍ଷେତ୍ରରେ । ସେମାନେ ମଧ୍ୟ ବେଶ ଧୁମଧାମରେ ନୂଆବର୍ଷକୁ ପାଳନ କରିଥିବା ଦେଖିବାକୁ ମିଳିଛି । ସେହିପରି ଟ୍ୟାକ୍ସ ଅଧିକାରୀମାନେ ରାଜ୍ୟକୁ ଅଧିକ ରାଜସ୍ୱ ଆଣିବା ପାଇଁ କାମ କରିବେ ବୋଲି କହିଛନ୍ତି । ଦପ୍ତର ଭିତରେ ଫୁଲତୋଡ଼ାର ଦିଆନିଆ, କରମର୍ଦ୍ଦନ, ହାପି ନିୟୁ ଇୟରର ଶୁଭେଚ୍ଛା ସାଙ୍ଗକୁ ଦପ୍ତର ବାହାରେ ସଚିବାଳୟ ଲନରେ  ବିଭିନ୍ନ ବିଭାଗୀୟ କର୍ମଚାରୀମାନେ ଭୋଜିଭାତର ଆୟୋଜନ ମଧ୍ୟ କରିଥିଲେ ।