)
ପୁରୀ: ଶେଷରେ ପିପିଲି ଉପନିର୍ବାଚନ ପାଇଁ ଆଜି ବିଜେଡି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ସ୍ୱର୍ଗତଃ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ ଦଳ ପ୍ରାର୍ଥୀ କରିଥିବା ନେଇ ବିଜେଡି ଘୋଷଣା କରିଛି । ଯାହାଫଳରେ ଲାଗି ରହିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଗତକାଲି ଏହି ଆସନ ପାଇଁ ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଥିଲା। ବିଜେପି ଆଶ୍ରିତ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଆଜି ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି ।
ଗତବର୍ଷ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରଠାରୁ ପିପିଲି (Pipili Assembly Seat) ବିଧାନସଭା ଆସନ ଖାଲିପଡ଼ିଛି। କିଛିଦିନ ତଳେ ଗଣମାଧ୍ୟମରେ ସ୍ୱର୍ଗତଃ ମହାରଥୀଙ୍କ ପତ୍ନୀ ଓ ପୁତ୍ର ଉଭୟ ନିର୍ବାଚନ ଲଢ଼ିବାକୁ ଇଚ୍ଛୁକ ବୋଲି କହିଥିଲେ । ଆଉ ଏହା ପରେ ଲାଗିରହିଥିଲା ଜୋରଦାର ଚର୍ଚ୍ଚା କି କାହାକୁ ଦଳର ମୁଖିଆ ଭରସିବେ । ଆଉ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ରୁଦ୍ର ମହାରଥୀ (Rudra Maharathy) ଙ୍କୁ ଭରସିଛନ୍ତି ନବୀନ ।
ସେପଟେ ରୁଦ୍ର ମହାରଥୀ (Rudra Maharathy) ପ୍ରଥମ ଥର ପାଇଁ ନିର୍ବାଚନୀ ମୈଦାନକୁ ଓହ୍ଲାଇଥିବା ବେଳେ ୨୦୧୯ ନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ବିରୋଧରେ ଲଢ଼ି ସାରିଛନ୍ତି ବିଜେପିର ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ। ହେଲେ ପ୍ରଦୀପ ମହାରଥୀ (Pradeep Maharathy)ତାଙ୍କୁ ପରାସ୍ତ କରିଥିଲେ । ବିଜେପି (BJP) ଏଥର ପୁଣିଥରେ ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିବା ବେଳେ ଦେଖିବାକୁ ବାକି ରହିଲା ରୁଦ୍ରଙ୍କୁ ବିଜେଡି ଭରସା କରିଛି ତେବେ ଏଠାରେ ଦ୍ୱି-ମୁଖୀ ଲଢେଇ ହେଉଛି ନା ତ୍ରିମୁଖୀ ଲଢେଇ । କାରଣ କଂଗ୍ରେସ (Congress) ବର୍ତ୍ତମାନ ସୁଦ୍ଧା ତାର ପ୍ରାର୍ଥୀ ଘୋଷଣା କରିନାହିଁ ।
ପିପିଲି ଉପନିର୍ବାଚନ (Pipili By poll)ପାଇଁ ତାରିଖ ଘୋଷଣା ପରେ ଆଚରଣ ବିଧି ଲାଗୁ ହୋଇଛି । ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ । ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଥିବା ବେଳେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ତାରିଖକୁ ଧାର୍ଯ୍ୟ କରାଯାଇଛି । ମେ ୨ ତାରିଖରେ ଭୋଟ ଗଣତି ସହ ରେଜଲ୍ଟ (By poll Election Result) ପ୍ରକାଶ କରାଯିବ ।