କୋରୋନାର ମ୍ୟୁଟେସନ ସହିତ ଭାରତରେ ପ୍ରତିବର୍ଷ ଟିକାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ।ଯଦିଓ ଭାରତରେ ଏଭଳି ପରିସ୍ଥିତି ଆସିନାହିଁ ଯେ, ଏହାକୁ ନିୟମିତ ଟିକାକରଣରେ ସାମିଲ କରାଯିବ।
Trending Photos
ନୂଆଦିଲ୍ଲୀ: ଟଳିନି କୋରୋନା ସଙ୍କଟ । ବୁଧବାରଠାରୁ ୧୨ରୁ ୧୪ ବର୍ଷୀୟ ପିଲା ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ବୁଷ୍ଟର୍ ଡୋଜ ଦେବା ପାଇଁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । କୋରୋନା ମହାମାରୀ କବଳରୁ ଶିଶୁଙ୍କୁ ରକ୍ଷା କରିବାକୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଦେଶରେ ଗତ ୩ ଜାନୁଆରୀ ୨୦୨୨ରୁ ପ୍ରଥମ ଥର ପାଇଁ ୧୮ ବର୍ଷରୁ କମ୍ ବୟସ ବର୍ଗର ପିଲାଙ୍କୁ କୋଭିଡ ଟିକା ଦିଆଯାଇଥିଲା।
ବିଭିନ୍ନ ବର୍ଗର ଲୋକଙ୍କୁ ଟୀକା ଦିଆଯିବା ପରେ ଏବେ ପିଲାମାନେ ନେବେ ଟୀକା। ଏ ନେଇ ପୂର୍ବରୁ ଘୋଷଣା ହୋଇଥିଲେ ମଧ୍ୟ ଆସନ୍ତାକାଲିଠାରୁ ଆରମ୍ଭ ହେବ ୧୨ରୁ ୧୪ ବର୍ଷ ବୟସ୍କଙ୍କ ଟୀକାକରଣ। ଯେଉଁମାନେ ୨୦୧୫ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ ଟୀକା ଦିଆଯିବ। ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟୀକା ଦିଆଯିବ । ଟୀକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟୀକା ଦିଆଯିବ । ଏବେ cowin ପୋର୍ଟାଲ (Cowin Portal) ରେ ଏ ବର୍ଗଙ୍କ ଟୀକାକରଣ ଲାଗି ପଞ୍ଜିକରଣ ସୁବିଧା ନ ଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟୀକା ଦିଆଯିବ ଓ ସ୍କୁଲଗୁଡ଼ିକରେ ଟୀକା ଦିଆଯିବ ।
ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି ଟୀକାକରଣ କରାଯିବ । ପରବର୍ତ୍ତୀ ସମୟରେ ପିଲାଙ୍କ ଟୀକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ।ପିଲାମାନଙ୍କୁ କର୍ଭିଭାକ୍ସ ଟୀକା ଦିଆଯିବ । ୨୮ ଦିନ ବ୍ୟବଧାନରେ ଦୁଇଟି ଡୋଜ (Double Dose) ଟୀକା ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟୀକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ । ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କର୍ଭିଭାକ୍ସ ଟୀକା ମହଜୁଦ ଅଛି ।
କୋରୋନା ଭାଇରସ (Corona Virus) ଫ୍ଲୁ ପରି ଏଣ୍ଡମିକ୍ ସ୍ତରରେ ପହଞ୍ଚିଛି । ମ୍ୟୁଟେସନ ଫଳରେ ଆଗକୁ କୋରୋନାର ଅନେକ ନୂଆ ଭାରିଏଣ୍ଟ ଆସିବା ଆଶଙ୍କା ମଧ୍ୟ ରହିଛି । ବୁଷ୍ଟର ଡୋଜ ନେବା ପରେ ମଧ୍ୟ କୈଣସି ବ୍ୟକ୍ତି କୋରୋନା କବଳରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବା ସମ୍ଭାବନା ନାହିଁ । ଅନ୍ୟପଟେ କୋରୋନାର ମ୍ୟୁଟେସନ ସହିତ ଭାରତରେ ପ୍ରତିବର୍ଷ ଟିକାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ଯଦିଓ ଭାରତରେ ଏଭଳି ପରିସ୍ଥିତି ଆସିନାହିଁ ଯେ, ଏହାକୁ ନିୟମିତ ଟିକାକରଣରେ ସାମିଲ କରାଯିବ । ଏନେଇ ଆଇସିଏମଆର୍ , ଯୋଧପୁର ସ୍ଥିତ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ଇମ୍ପ୍ଲିମେଣ୍ଟେସନ୍ ରିସର୍ଚ୍ଚ ଅନ୍ ନନ୍-କମ୍ୟୁନିକେସନ୍ ଡିଜିଜ୍ ର ନିର୍ଦ୍ଦେଶକ କରୁଣ ଶର୍ମାଙ୍କ କହିବା ଅନୁସାରେ ଟିକା ଦୀର୍ଘକାଳୀନ ଭିତ୍ତିରେ ଶରୀରରେ ଆଣ୍ଟିବଡି ସୃଷ୍ଟି କରିବାରେ ଅକ୍ଷମ । ଟିକା ନେବା ପରେ ବି ଜୀବନଶୈଳିରେ ପରିବର୍ତ୍ତନ, ସୁଷମ ଖାଦ୍ୟ ଗ୍ରହଣକୁ ଜରୁରୀ ବୋଲି ସେ କହିଛନ୍ତି । କାରଣ ବୁଷ୍ଟର୍ ଡୋଜ୍ ଦେବା ପରେ ବି ଇମ୍ୟୁନିଟି କେବଳ ୬ ମାସ କିମ୍ବା ଅତିବେଶୀରେ ୧ ବର୍ଷ ପାଇଁ ରହୁଛି ।
ସେପଟେ ଭାରତରେ ଦୈନିକ କୋରୋନା ମାମଲା ହ୍ରାସ ପାଇବାରେ ଲାଗିଛି । କୋଭିଡ୍ ଭାଇରସର ନୂତନ ଭାରିଆଣ୍ଟ୍ ଓମିକ୍ରନ ମାମଲା କମିଥିବାରୁ ଆଶ୍ୱସ୍ତି ମିଳିଛି । ପ୍ରାଥମିକଭାବେ କୋରୋନା କବଳରୁ ରକ୍ଷା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ କୋଭିଡ ଟିକା (Covid Vaccine) ନେବାକୁ ଅପିଲ୍ କରୁଛନ୍ତି । କୋରୋନାର ଉଭୟ ଡୋଜ ବ୍ୟତୀତ, ଭାରତର ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ବୁଷ୍ଟର ଡୋଜ ମଧ୍ୟ ଦିଆଯାଉଛି । ୧୨ ବର୍ଷରୁ ଅଧିକ ପିଲାମାନଙ୍କୁ କୋରୋନା ଟିକା ଦେବା ପାଇଁ ଅନୁମୋଦନ କରାଯାଇଛି । ଏହାସହିତ ଛୋଟ ପିଲାମାନଙ୍କ ପାଇଁ ଟିକା ପରୀକ୍ଷଣ ଜାରି ରହିଛି । ଏବେ ଆମେରିକା, ବ୍ରିଟେନ ସମେତ କିଛି ଦେଶରେ ୧୨ ବର୍ଷରୁ କମ ପିଲାଙ୍କୁ ଟିକା ଦେବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି ।
ଆଜି ଦେଶରେ ଦିନକରେ ଆଉ ୨,୫୬୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ମୋଟ ଆକ୍ରାନ୍ତ ସଂଖ୍ୟା ୪,୨୯,୯୬,୦୬୨କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୯୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ମୋଟ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୧୫,୯୭୪ରେ ପହଞ୍ଚିଛି। ମୃତ୍ୟୁହାର ୧.୨୦ ପ୍ରତିଶତକୁ ଖସିଛି। ଦେଶରେ ୩୩,୯୧୭ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୪,୭୨୨ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ମୋଟ ୪,୨୪,୪୬,୧୭୧ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ଦେଶରେ ଆରୋଗ୍ୟହାର ୯୮.୭୨ ପ୍ରତିଶତରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତ ହାର ୦.୦୮% ରହିଛି ।
ଗୋଟିଏ ପଟେ ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଚୀନରେ ପୁଣିଥରେ କୋରୋନା ସଂକ୍ରମଣ ଘାତକ ରୂପ ନେଉଥିବାରୁ ସାରା ବିଶ୍ୱରେ ଆତଙ୍କ ବଢିଛି । ପୁଣିଥରେ ଟେନସନ ଦେଲାଣି ଚୀନ୍ (China)। କୋରୋନାର ନୂଆ ଭାରିଏଣ୍ଟ ସଂକ୍ରମଣ ରୋକିବାକୁ ସାଙ୍ଘାଇ, ଟେକ୍ ହବ୍ ସେନଞ୍ଜେନ ସମେତ ଚୀନର ୧୦ଟି ସହରରେ ଲକଡାଉନ ହୋଇଛି । ଦେଶର ୧.୭୦ କୋଟି ଲୋକ ଘରେ ବନ୍ଦୀ ହେବାକୁ ବାଧ୍ୟ ହୋଇଛନ୍ତି । ସୋମବାର ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୫,୨୮୦ ନୂଆ ମାମଲା ପଞ୍ଜିକୃତ ହୋଇଛି । କୋରୋନାର ଓମିକ୍ରନ୍ ଭାରିଆଣ୍ଟ ଚୀନରେ ଦ୍ରୁତ ଗତିରେ ବ୍ୟାପୁଛି । ସୋମବାର ଗୋଟିଏ ଦିନରେ ୩୦୦୦ରୁ ଅଧିକ ଡୋମେଷ୍ଟିକ ଟ୍ରାନ୍ସମିଶନ କେସ ନଜର ଆସିଛି। ଯାହା ଫଳରେ ପୁଣିଥରେ ଭାରତ ଚିନ୍ତାଗ୍ରସ୍ତ ହୋଇପଡ଼ିଛି।
Also Read: ପୁଣି ଫେରୁଛି କୋରୋନା! ଏହି ଦେଶର ୩ କୋଟି ଲୋକଙ୍କୁ କରାଯାଇଛି ଗୃହବନ୍ଦୀ
Also Read: ସଙ୍କଟରେ ଟିମ୍ ଇଣ୍ଡିଆର ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍, ଦିନେ ଏକାକି ଜିତାଉଥିଲେ ମ୍ୟାଚ୍