ଜାତୀୟ କଳାବସ୍ତୁ ମେଳା : ଆକର୍ଷଣରେ ଧାନ ଶସ୍ୟରୁ ପ୍ରସ୍ତୁତ କଳାକୃତି
Advertisement
Article Detail0/zeeodisha/odisha600881

ଜାତୀୟ କଳାବସ୍ତୁ ମେଳା : ଆକର୍ଷଣରେ ଧାନ ଶସ୍ୟରୁ ପ୍ରସ୍ତୁତ କଳାକୃତି

 ସେମାନଙ୍କ ହାତ ତିଆରି ସୁକ୍ଷ୍ମ କଳାକୃତିକୁ ଦେଖିଲେ ଏସବୁ କଥା ସତେଜ ହୋଇଯାଏ ଆଉ ମନେହୁଏ ସତରେ ଆଦିବାସୀ ଓ ତାଙ୍କ ହାତତିଆରି ପଦାର୍ଥ ସତରେ କେଡେ ନିଆରା ।

 ଜାତୀୟ କଳାବସ୍ତୁ ମେଳା : ଆକର୍ଷଣରେ ଧାନ ଶସ୍ୟରୁ ପ୍ରସ୍ତୁତ କଳାକୃତି

ଶାନ୍ତସ୍ୱରୂପ ରାଉତ ,ଭୁବନେଶ୍ୱର: ଆମ ରାଜ୍ୟର କଳା, ସଂସ୍କୃତି, ପରଂପରା ଓ ଭାସ୍କର୍ଯ୍ୟ ସବୁଠାରୁ ନିଆରା ।  ପାଣିପବନ ବେଶ ଭୂଷା ଚାଲିଚଳନ ସବୁକିଛିର ରହିଛି ସ୍ଵତନ୍ତ୍ରତା ।  ଆଉ ଏସବୁ କ୍ଷେତ୍ରରେ ଆଦିବାସୀ ସଂପ୍ରଦାୟ ଲୋକ ମାନଙ୍କର ଅବଦାନ ଅଧିକା । ବିଶେଷ କରି ସେମାନଙ୍କ ହାତ ତିଆରି ସୁକ୍ଷ୍ମ କଳାକୃତିକୁ ଦେଖିଲେ ଏସବୁ କଥା ସତେଜ ହୋଇଯାଏ ଆଉ ମନେହୁଏ ସତରେ ଆଦିବାସୀ ଓ ତାଙ୍କ ହାତତିଆରି ପଦାର୍ଥ ସତରେ କେଡେ ନିଆରା । ତେବେ ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଜନଜାତି ସଂଗ୍ରହାଳୟରେ ଆୟୋଜିତ ‘ଜନଜାତି କଳାବସ୍ତୁ ମେଳା’ ରେ ଏପରି କିଛି ସାମଗ୍ରୀ ଆମ ନଜରକୁ ଆସିଛି, ଯାହା ଆପଣଙ୍କ ଆଗରେ ଉପସ୍ଥାପନ କରୁଛୁ । 

ରାଜ୍ୟର ପ୍ରମୁଖ ଶସ୍ୟ ଧାନକୁ ବ୍ୟବହାର କରି ସମସ୍ତ ଏଥିରୁ ପ୍ରସ୍ତୁତ ଉପଦାନକୁ ଖାଦ୍ୟ ପଦାର୍ଥରେ ତ ବ୍ୟବହାର କରୁଛନ୍ତି । ହେଲେ ଧାନକୁ ବ୍ୟବହାର କରି ସୁନ୍ଦର କଳାକୃତି ମଧ୍ୟ ସମ୍ଭବ । ନବରଙ୍ଗପୁରରୁ ଆସିଥିବା ଆଦିବାସୀ ସଂପ୍ରଦାୟର ଲୋକେ ଏପରି ଏକ ନିଆରା ସାମଗ୍ରୀ ପ୍ରସ୍ତୁତ କରିଦେଖାଇଛନ୍ତି । ଧାନରେ ତିଆରି ମୂର୍ତି, ହାତି, କଳସ, କାନ ଫୁଲ ଆଦି ନାନା ରକମର ପସରା ମେଲିଛନ୍ତି । ଆଉ ପ୍ରମାଣ କରି ଦେଖାଇଦେଇଛନ୍ତି ଯେ, କେବଳ ଦାମୀ ମୂଲ୍ୟବାନ ବସ୍ତୁ ଓ ପଦାର୍ଥକୁ ନେଇ ସାଜସଜ୍ଜା ଓ ଘରକରଣା ସାମଗ୍ରୀ ତିଆରି ହୁଏନି, ବରଂ ଧାନ ଶସ୍ୟ ଭଳି ପଦାର୍ଥକୁ ନେଇ ଖୁବ ସୁନ୍ଦର ଆଖି ଝଲସିଲା ଭଳି କଳାକୃତି ମାନ ତିଆରି କରିହେବ । ଯାହାକୁ ସ୍ୱଳ୍ପ ଟଙ୍କାରେ ଯେକୌଣସି ବ୍ୟକ୍ତି ନିଜ ଘର ସାଜସଜ୍ଜା ଆଦି ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରିପାରିବେ । ତେବେ ଉପକରଣ ଭାବେ ଧାନ, ପତଳା ବାଉଁଶ, ସୁତା ଓ ଅଠାକୁ ବ୍ୟବହାର କରି ସେମାନେ ଏହାକୁ ପୀଢି ପରେ ପିଢ଼ି  ବନାଇଆସୁଥିବା କହିଛନ୍ତି । ଏହି  ସ୍ଵତନ୍ତ୍ର ମେଳାରେ ସୁନ୍ଦର କଳାକୃତି ମାନ ତିଆରି କରିବା ସହ ପ୍ରଦର୍ଶନ ସାଙ୍ଗକୁ ବିପଣନ ମଧ୍ୟ କରୁଛନ୍ତି। ଯାହାକୁ ରାଜଧାନୀ ଲୋକେ ବେଶ ପସନ୍ଦ କରିଛନ୍ତି ।

fallbackଧାନକୁ ବ୍ୟବହାର କରି କଳାକୃତି ବିଷୟରେ ତ ଜାଣିଲେ, ଏବେ ପତ୍ରକୁ ବ୍ୟବହାର କରି କିପରି ଆକର୍ଷଣୀୟ ଟୋପି ଓ ଫୁଲ ପ୍ରସ୍ତୁତ କରାଯାଇଛି ଆସନ୍ତୁ ଜାଣିବା । ବାଲେଶ୍ୱର ନିଳିଗିରି ଅଂଚଳରୁ ଆସିଥିବା କିଛି ଆଦିବାସୀ ସଂପ୍ରଦାୟର ଲୋକେ ଏପରି ଏକ ନୂତନ ସ୍ଵତନ୍ତ୍ର ଟୋପି ପ୍ରସ୍ତୁତ କରିଛନ୍ତି । ସିଆଳି ପତ୍ରକୁ ବ୍ୟବହାର କରି ବର୍ଷାରୁ ରକ୍ଷାପାଇବା ଭଳି ୱାଟର ପ୍ରୁଫ୍ ହ୍ୟାଟ୍ ପ୍ରସ୍ତୁତ କରିଛନ୍ତି ।  ସେହିପରି ଖଜୁରୀ ଗଛର ପତ୍ରକୁ ବ୍ୟବହାର କରି ସ୍ଵତନ୍ତ୍ର ଫୁଲ ମଧ୍ୟ ତିଆରି କରିଛନ୍ତି । ତେବେ ଏହାକୁ କେବଳ ପ୍ରଦର୍ଶନ ପାଇଁ ରଖାଯାଇଥିବା ବେଳେ ରାଜଧାନୀବାସୀଙ୍କ ମଧ୍ୟରେ କଳାବସ୍ତୁକୁ ଦେଖିବା ସହ ଫଟୋ ଉଠାବା ପାଇଁ ବେଶ୍ କ୍ରେଜ୍ ଦେଖିବାକୁ ମିଳିଛି । ଆବାଳ ବୃଦ୍ଧ ବନିତା ସଭିଏଁ ଏହି ଷ୍ଟଲ ପାଖରେ ଘଡିଏ ଅଟକି ଏହାର ମଜା ଉଠାଉଛନ୍ତି। 

ତେବେ କେବଳ ଏହି ଦୁଇପ୍ରକାରର ନୁହେଁ ଆହୁରି ରାଜ୍ୟ ରାଜ୍ୟ ବାହାରରୁ ଅନେକ ଆଦିବାସୀ ସଂପ୍ରଦାୟର ବ୍ୟବସାୟୀ ସେମାନଙ୍କ ହସ୍ତତନ୍ତ ଓ କଳାକୃତି ମାନ ପ୍ରଦର୍ଶନ ଓ ବିପଣନ କରିଛନ୍ତି । ଢୋକରା, ହେଉ କି ବାଉଁଶ ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀ, ଶୀତ ବସ୍ତ୍ର ହେଉ ଅବା କାଠ, ପଥର, କାଗଜକୁ ନେଇ ସ୍ବତନ୍ତ୍ର ସାମଗ୍ରୀର ପସରା ମେଲିଛନ୍ତି । ଏହି ‘ଜନଜାତି କଳାବସ୍ତୁ ମେଳା’ ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ।