ବୌଦ୍ଧ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଛୁଇଁଲା କୋରୋନା
Advertisement

ବୌଦ୍ଧ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଛୁଇଁଲା କୋରୋନା

ଜିଲ୍ଲାରେ ଗୋଟିଏ ଦିନରେ ୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମଣ ରୋକିବା ପାଇଁ ସମସ୍ତ ଡାକ୍ତରଖାନା, ଥାନାକୁ ବାଦ ଦେଇ ସମସ୍ତ ସରକାରୀ କାର୍ଯ୍ୟାଳୟ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ଘୋଷଣା କରିଛନ୍ତି ଜିଲ୍ଲାପାଳ ।

ଫାଇଲ ଫଟୋ

ବୌଦ୍ଧ: ଜିଲ୍ଲାରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୪୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୩ରେ ପହଁଚିଛି । ସେଥିରୁ ମଧ୍ୟରୁ ୫୧ ଜଣ ଟିଏମସି ସେଟଂରରୁ ଚିହ୍ନଟ ହୋଇଥିବାବେଳେ ୫ ଜଣ ଗୃହ ସଂଘରୋଧରୁ, ୯ ଜଣ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଏବଂ ସବୁଠାରୁ ବଡକଥା ହେଲା ୫୮ ଜଣ ସ୍ଥାନୀୟ ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଉ ୬୩ ଜଣ ବୌଦ୍ଧ କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଛନ୍ତି ।

ଅନ୍ୟପଟେ ଜିଲ୍ଲାରେ ମହାମାରୀ କୋରୋନା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମେତ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଏବଂ ବୌଦ୍ଧ ମୁଖ୍ୟ ଡାକ୍ତରଖାନାକୁ ଛୁଇଁଛି । ଗୋଟିଏ ଦିନରେ ୪୧ କୋରୋନା ପଜେଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନର ଚିନ୍ତା ବଢାଇଛି । ସେମାନଙ୍କ ମଧ୍ୟରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଣେ, ପ୍ରକଳ୍ପ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ୭ ଜଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ୭ ଜଣ , ଜିଲ୍ଲା ଅବକାରୀ ବିଭାଗରୁ ୫ ଜଣ ଚିହ୍ନଟ ହୋଇଥିବାବେଳେ ଅବଶିଷ୍ଟ ୧୪ ଜଣ ସଂକ୍ରମିତ ଜିଲ୍ଲାର ବିଭିନ୍ନ ଅଚଂଳରୁ ଚିହ୍ନଟ ହୋଇଛନ୍ତି ।
            
ଜିଲ୍ଲାରେ ଦିନକୁ ଦିନ ମହାମାରୀ କୋରୋନା କାୟା ମେଲାଇ ଚାଲୁଥିବାବେଳେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ବାହାରି ଏବେ ସ୍ଥାନୀୟ ସଂକ୍ରମଣକୁ ବ୍ୟାପିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ବୌଦ୍ଧ ଜିଲ୍ଲା ପ୍ରଶାସନ ତପ୍ତର ହୋଇପଡିଛି । ଜିଲ୍ଲାର ସମସ୍ତ ଡାକ୍ତରଖାନା ଏବଂ ଥାନା କାର୍ଯ୍ୟାଳୟକୁ ଛାଡି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ଯାଏଁ ବନ୍ଦ ରଖିବା ପାଇଁ ଘୋଷଣା କରିଛନ୍ତି ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଅନ୍ୟପଟେ ପୂର୍ବରୁ ଜିଲ୍ଲାରେ ସଟଡାଉନ ବଳବତ୍ତର ରହିଥିବାବେଳେ କଂଟେନମେଂଟ ଜୋନ ସଂଖ୍ୟା ବୃଦ୍ଧି ପାଇ ପହଚିଂଛି ୨୦ରେ । 

ଜିଲ୍ଲାରେ ସକାଳ ୭ ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଜରୁରୀକାଳୀନ ସେବା ଯୋଗାଉଥିବା ସଂସ୍ଥା, ପ୍ରତିଷ୍ଠାନ ତଥା ପେଟ୍ରୋଲ ପମ୍ପ, ଗ୍ୟାସ, ବ୍ୟାଙ୍କ,  କ୍ଷୀର, ଅଣ୍ଡା ଦୋକାନ ଖୋଲିବାକୁ ଅନୁମତି ଦେଇଥିବାବେଳେ ଜିଲ୍ଲା ସାରା ଦିନ ୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା ହୋଇଛି । ଜିଲ୍ଲାରେ ଜାରି ହୋଇଥିବା କୋରୋନା କଟକଣାକୁ ବେଖାତିର କରୁଥିବା ଲୋକମାନଙ୍କୁ ବୌଦ୍ଧ ପୋଲିସ ପକ୍ଷରୁ ସାବାଡ କରାଯାଉଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୟାଇ.ରଘୁନାଥ ରାଓ । 

ଅନ୍ୟପଟେ ଜିଲ୍ଲା ପ୍ରଶାସନ ପାଖରୁ ହସ୍ତଗତ ହୋଇଥିବା ସୂଚନା ମୁତାବକ ଜିଲ୍ଲାରୁ ସମୁଦାୟ ୩୧୨୫ ଜଣଙ୍କ କୋରୋନା ପରୀକ୍ଷା ପାଇଁ ସ୍ୱାବ ନମୁନା ସଂଗ୍ରହ କରାଯାଇଥିବାବେଳେ ସେଥିରୁ ୨୯୨୯ ଜଣଙ୍କର ରିପୋର୍ଟ ହସ୍ତଗତ ହୋଇଛି । ସେଥି ମଧ୍ୟରୁ ୨୮୦୬ ଜଣଙ୍କ ନେଗେଟିଭ ବାହାରିଥିବାବେଳେ ୧୨୩ ପଜେଟିଭ ଚିହ୍ନଟ ଏବଂ ୧୯୬ ଜଣଙ୍କ ରିପୋର୍ଟ ହସ୍ତଗତ ହୋଇନଥିବା ଜଣାପଡିଛି ।