ପୁରୀ ସୁବର୍ଣ୍ଣ ବେଳାଭୂମିକୁ ମିଳିଲା ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା। ଆନ୍ତର୍ଜାତୀୟ ଜୁରୀ ସୁପାରିଶ କରିବା ପରେ ଡେନମାର୍କର ଫି ସଂସ୍ଥା ଦେଲା ମାନ୍ୟତା। ପ୍ରଦୁଷଣ ମୁକ୍ତ ବେଳାଭୂମି ଭାବେ ଭାରତର ପୁରୀ ସୁବର୍ଣ୍ଣ ବେଳାଭୂମି ବେଷ୍ଟ ପ୍ରାକ୍ଟିସ ଆୱାର୍ଡରେ ମଧ୍ୟ ତୃତୀୟ ସ୍ଥାନ ହାସଲ କରିଛି ।
Trending Photos
ସଞ୍ଜୟ ପଟ୍ଟନାୟକ, ପୁରୀ: ପୁରୀ ସୁବର୍ଣ୍ଣ ବେଳାଭୂମିକୁ ମିଳିଲା ଆନ୍ତର୍ଜାତୀୟ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା। ଆନ୍ତର୍ଜାତୀୟ ଜୁରୀ ସୁପାରିଶ କରିବା ପରେ ଡେନମାର୍କର ଫି ସଂସ୍ଥା ଦେଲା ମାନ୍ୟତା। ପ୍ରଦୁଷଣ ମୁକ୍ତ ବେଳାଭୂମି ଭାବେ ଭାରତର ପୁରୀ ସୁବର୍ଣ୍ଣ ବେଳାଭୂମି ବେଷ୍ଟ ପ୍ରାକ୍ଟିସ ଆୱାର୍ଡରେ ମଧ୍ୟ ତୃତୀୟ ସ୍ଥାନ ହାସଲ କରିଛି । ସିକୋମ ସଂସ୍ଥାର ଜାତୀୟ ପ୍ରକଳ୍ପ ନିର୍ଦ୍ଦେଶକ ଅରବିନ୍ଦ ନୌଟିଆଲ ଏନେଇ ସୂଚନା ଦେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି। ସେପଟେ ପୁରୀ ବେଳାଭୂମିକୁ ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ବ୍ଲୁ ଫ୍ଲାଗ ମାନ୍ୟତା ମିଳିଥିବାରୁ ଏଥିରେ ସହଯୋଗ କରିଥିବାରୁ ମୋ ବିଚ ଟିମ, ଗଣମାଧ୍ୟମ ପ୍ରତିନିଧି ପୁରୀବାସୀଙ୍କ ଠାରୁ ଆରମ୍ଭ କରି ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ବଲୱନ୍ତ ସିଂ ଧନ୍ୟବାଦ ଜଣେଇବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ପୁରୀକୁ ଏହି ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ପରେ ଆନ୍ତରାଷ୍ଚ୍ରୀୟ ପର୍ଯ୍ୟଟନ ମାନଚିତ୍ରରେ ପୁରୀର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି ହୋଇପାରିଲା ବୋଲି କହିଛନ୍ତି ସହରର ବୁଦ୍ଧିଜିବୀ ।
ପର୍ଯ୍ୟଟନର ବିକାଶରେ ଆଉ ପାଦେ ଆଗେଇଲା ଓଡିଶା। ପୁଣି ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମିଲ କରିବା ପାଇଁ କରାଯାଇଛି ବ୍ଲୁ ଫ୍ଲାଗ ବିଚ। ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ପୁରୀ ଗୋଲ୍ଡେନ ବିଚକୁ ମିଳିଛି ବ୍ଲୁ ଫ୍ଲାଗ୍ ବିଚର ମାନ୍ୟତା । ଡେନମାର୍କର ଫି ସଂସ୍ଥା ପକ୍ଷରୁ ଆନ୍ତର୍ଜାତିକ ଜୁରୀ ଭାରତର ୮ଟି ବିଚକୁ ବ୍ଲୁ ଫ୍ଲାଗ୍ ମାନ୍ୟତା ଦେଇଥିବା ବେଳେ ସେଥିରେ ପୁରୀ ବିଚ୍ ମଧ୍ୟ ସ୍ଥାନ ପାଇଛି । ତା ସହିତ ପରିବେଶ ଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମସ) କାର୍ଯ୍ୟକ୍ରମ ଅଧୀନରେ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଦେଶର ୮ଟି ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀର ସ୍ଥାନ ରହିଛି ।
ସିସକମ୍ ଦୀର୍ଘ ଅଢେଇ ବର୍ଷରେ ୮.୫ କୋଟି ଖର୍ଚ୍ଚ କରି ବ୍ଲୁ ଫ୍ଲାଗ ପାଇଁ ରହିଥିବା ୩୩ଟି ମାନଦଣ୍ଡକୁ ପୁରଣ କରିପାରଛି । ସୋସାଇଟି ଅଫ ଇଣ୍ଟିଗ୍ରେଟେଡ କୋଷ୍ଟାଲ ମ୍ୟାନେଜମେଣ୍ଟ ବା ସିସକମ୍ ଓ ଭାରତ ସରକାରଙ୍କ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଦ୍ୱାରା ପାଇଲଟ୍ ବ୍ଲୁ ଫ୍ଲାଗ ବିଚ ଭାବେ ଚିହ୍ନଟ କରାଯାଇଥିଲା । ପୁରୀ ବେଳାଭୂମିରେ ସ୍ୱଚ୍ଛତା, ବସିବା ପାଇଁ ଛତ୍ରୀ, ବାଥିଂ ଜୋନ, ଅତ୍ୟାଧୁନିକ ଶୌଚାଳୟର ସୁବିଧା, ପାନୀୟ ଜଳ ବ୍ୟବସ୍ଥା, ସୌରଶକ୍ତିର ଉପଯୋଗ କରାଯିବ ସହ ଜୈବ ଆବର୍ଜନାର ବ୍ୟବହାର, ବର୍ଜ୍ୟବସ୍ତୁ ପରିଚାଳନା ଓ ପାର୍କିଂ ଆଦିର ଆନୁଷଙ୍ଗିକ ବ୍ୟବସ୍ଥାକୁ ୮୦୦ ମିଟର ବେଳାଭୂମିରେ କରାଯାଇଛି ।
ତେଣୁ ପୁରୀ ବେଳାଭୂମିକୁ ଅନ୍ତରାଷ୍ଟ୍ରୀୟ ସ୍ୱୀକୃତି ବ୍ଲୁ ଫ୍ଲାଗ ମାନ୍ୟତା ମିଳିଥିବାରୁ ଏଥିରେ ସହଯୋଗ କରିଥିବାରୁ ମୋ ବିଚ ଟିମ, ଗଣମାଧ୍ୟମ ପ୍ରତିନିଧି ପୁରୀବାସୀଙ୍କ ଠାରୁ ଆରମ୍ଭ କରି ସଂପୃକ୍ତ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାପାଳ ଶ୍ରୀ ବଲୱନ୍ତ ସିଂ ଧନ୍ୟବାଦ ଜଣେଇବା ସହ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
ବ୍ଲୁ ଫ୍ଲାଗ ବିଚରେ ସମ୍ପୁର୍ଣ ପରିବେଶ ଅନୂକୁଳ ବ୍ୟବସ୍ଥା କରାଯାଇଛି । ପୁଣି ପର୍ଯ୍ୟଟନ ମନୋରଞ୍ଜନ ସୁବିଧା ଗୁଡିକରେ ବାଉଁଶର ବ୍ୟାପକ ବ୍ୟବହାର, ବିଶୁଦ୍ଧ ପାନୀୟ ଜଳ, ୱାଚ ଟାୱାର ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ସିସିଟିଭି ବ୍ୟବସ୍ଥା, ଲାଇଫ ଗାର୍ଡ ଓ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ବିଶ୍ୱସ୍ତରୀୟ ହେବା ଦ୍ୱାରା ପୁରୀରେ ପର୍ଯ୍ୟଟକଙ୍କର ବୃଦ୍ଧି ହୋଇପାରିବ। ବ୍ଲୁ ଫ୍ଲାଗ ଉପକୂଳର ମାନଦଣ୍ଡକୁ ଅକ୍ଷୁର୍ଣ୍ଣ ରଖିବା ସହ ବ୍ଲୁ ଫ୍ଲାଗର ମାନ୍ୟତାକୁ ମଧ୍ୟ ବଜାୟ ରଖିବା ପାଇଁ ସହରବାସୀଙ୍କର ସହଯୋଗ ରହିବା ଆବଶ୍ୟକ । ସେପଟେ ସମସ୍ତଙ୍କ ସହଯୋଗ ରହିଲେ ବ୍ଲୁ ଫ୍ଲାଗ ବିଚକୁ ପ୍ଲାଷ୍ଟିକ ଫ୍ରି , ଆଲକହଲ ଫ୍ରି, ସ୍ମୋକିଂ ଫ୍ରି, ଶୃଙ୍ଖଳା ଓ ସ୍ୱଛତା ରହିପାରିବ । ତେଣୁ ଆନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀକୁ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ମିଳିବା ପରେ ଆନ୍ତର୍ଜାତୀୟ ପର୍ଯ୍ୟଟନ ମାନଚିତ୍ରରେ ମିଳିଥିବା ସଫଳତାକୁ ନେଇ ପୁରୀବାସୀ ବେଶ ଖୁସି ଅନୁଭବ କରିଛନ୍ତି ।
ପୁରୀର ବ୍ଲୁ ଫ୍ଲାଗ ବିଚ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି କରିବା ସହ ଅନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଠ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ ଯୋଗେ ମଧ୍ୟ ପୂର୍ବରୁ କହିଛନ୍ତି । ଦେଶର ୮ଟି ବେଳାଭୂମି ମଧ୍ୟରେ ପୁରୀ ବିଚ ବ୍ଲୁ ଫ୍ଲାଗ ବିଚ ମାନ୍ୟତା ପାଇଁ ମନୋନୀତ ହୋଇଥିବାରୁ ପୁରୀ ସହରବାସୀଙ୍କ ପାଇଁ ଏହା ବେଶ ଖିୁସି ଆଣିଦେଇଛି