Trending Photos
Zumbi Virus:
ଜଳବାୟୁ ପରିବର୍ତନ କଥା ଉଠିଲେ ଦକ୍ଷିଣ ମେରୁର ବରଫ ତରଳିବାର ଚିତ୍ର ମନକୁ ଆସିଥାଏ। ଏହା ସତ ଯେ ବରଫ ତରଳିବା ଦ୍ୱାରା ଉପକୂଳବର୍ତ୍ତୀ ଦେଶଗୁଡ଼ିକ ସମୁଦ୍ରରେ ଜଳ ସମାଧି ନେବେ। କିନ୍ତୁ ଏହି ବରଫ ଭିତରେ ଏମିତି କିଛି ଲୁଚି ରହିଛି, ଯାହାର ବାହାରକୁ ଆସିବା ମାନବ ପ୍ରଜାତିର ଅସ୍ଥିତ୍ୱ ପାଇଁ ବିରାଟ ବିପଦ ହେବ।
ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି ଯେ ମେରୁର ବରଫରେ ବିପଜ୍ଜନକ ଗ୍ୟାସ୍ ମିଥେନ୍ ଜମା ହୋଇ ରହିଛି। ସବୁଠାରୁ ଚିନ୍ତାର ବିଷୟ ହେଉଛି ହଜାର ହଜାର ବର୍ଷ ପୁରୁଣା ଜୋମ୍ବି ଭୂତାଣୁ ବରଫ ଚାଦର ତଳେ ପୋତି ହୋଇ ରହିଛି। ଯଦି ବରଫ ତରଳିବାର ହାର ସମାନ ରହେ, ତେବେ ଖୁବ୍ ଶୀଘ୍ର ପୃଥିବୀ ଏକ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବ ଯାହାର ସମାଧାନ ସମ୍ଭବ ନୁହେଁ। ଆସନ୍ତୁ ଜାଣିବା ଏହି ଜୋମ୍ବି ଭୂତାଣୁ କ'ଣ ଏବଂ ଏହା ପୃଥିବୀ ପାଇଁ କେତେ ବିପଜ୍ଜନକ।
ହିମଖଣ୍ଡଠାରୁ ବଡ଼ ସମସ୍ୟା ହେଉଛି ପର୍ମାଫ୍ରଷ୍ଟ
ସାଧାରଣତଃ ଲୋକମାନେ ଭାବନ୍ତି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ କେବଳ ମେରୁର ଗ୍ଲେସିୟର ହିମଖଣ୍ଡ ତରଳିଯାଉଛି । କିନ୍ତୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇଁ ମେରୁର ପର୍ମାଫ୍ରଷ୍ଟ ମଧ୍ୟ ତରଳୁଛି। ପର୍ମାଫ୍ରଷ୍ଟ ତରଳିବା କାରଣରୁ ମନୁଷ୍ୟକୁ ଏକ ବହୁମୁଖୀ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିପାରେ । ଆଗକୁ ବଢ଼ିବା ପୂର୍ବରୁ ପର୍ମାଫ୍ରଷ୍ଟ ବାବଦରେ ଜାଣିବା ଜରୁରୀ ।
ନାସା ଅନୁଯାୟୀ, ପରମାଫ୍ରଷ୍ଟ ହେଉଛି ଏପରି ଏକ ଭୂମି ଯାହା କ୍ରମାଗତ ଭାବରେ ଅତି କମରେ ଦୁଇ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଜମାଟ ବାନ୍ଧି (୦ ଡିଗ୍ରୀ ସେଲସିୟସ୍ କିମ୍ବା ତା'ଠାରୁ କମ୍ ତାପମାତ୍ରା) ରହିଥାଏ । ଏହି ଭୂମି ଏପରି ମାଟି, ପଥର ଏବଂ ବାଲିରେ ନିର୍ମିତ ଯାହକୁ ବରଫ ଏକାଠି ଯୋଡ଼ି ରଖିଥାଏ। ପର୍ମାଫ୍ରଷ୍ଟରେ ମାଟି ଓ ବରଫ ବର୍ଷସାରା ଜମା ରହିଥାଏ। ପର୍ମାଫ୍ରଷ୍ଟ ମାଟିରେ ବିପୁଳ ପରିମାଣର ଜୈବିକ କାର୍ବନ ରହିଥାଏ । ଏହା ହେଉଛି ମୃତ ଗଛର ବଳକା ପଦାର୍ଥ ଯାହା ଥଣ୍ଡା କାରଣରୁ ପଚି ନଥାଏ । ଏହାବ୍ୟତୀତ ପର୍ମାଫ୍ରଷ୍ଟ ତଳେ ଥିବା ସ୍ତରଗୁଡ଼ିକ ମୁଖ୍ୟତଃ ଖଣିଜ ପଦାର୍ଥରେ ନିର୍ମିତ ମାଟି ହୋଇଥାଏ।
ଯଦି ପରମାଫ୍ରଷ୍ଟ ତରଳିଯାଏ ତେବେ କ'ଣ ହେବ?
ପୃଥିବୀର ତାପମାତ୍ରା ଯେତିକି ବୃଦ୍ଧି ପାଉଛି, ପର୍ମାଫ୍ରଷ୍ଟ ତରଳିବା ହାର ମଧ୍ୟ ସେତିକି ବଢ଼ିବାରେ ଲାଗିଛି। ଯଦି ପରମାଫ୍ରଷ୍ଟ ତରଳିଯାଏ, ତେବେ ବିଶ୍ୱ ପାଇଁ ଅନେକ ସମସ୍ୟା ସୃଷ୍ଚି ହେବ। ଯେତେବେଳେ ପର୍ମାଫ୍ରଷ୍ଟ ଜମା ହୁଏ ସେତେବେଳେ ମାଟିରେ ଥିବା ଜୈବିକ କାର୍ବନର ବିଘଟନ ହୋଇନଥାଏ କିମ୍ବା ପଚିଯାଏ ନାହିଁ । ପର୍ମାଫ୍ରଷ୍ଟ ତରଳିବା ମାତ୍ରେ ଜୀବାଣୁ ମାନେ ଏହି କାର୍ବନକୁ ଭାଙ୍ଗିବା ଆରମ୍ଭ କରିଦିଅନ୍ତି । ଏହି ପ୍ରକ୍ରିୟା ବାୟୁମଣ୍ଡଳରେ କାର୍ବନ ଡାଇଅକ୍ସାଇଡ୍ ଓ ମିଥେନ୍ ଭଳି ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗତ କରିଥାଏ। ଗ୍ରୀନହାଉସ୍ ଗ୍ୟାସ୍ ହେଉଛି ଏପରି ଗ୍ୟାସ୍ ଯାହା ପୃଥିବୀର ଉତ୍ତାପକୁ ମହାକାଶକୁ ଯିବାରୁ ରୋକିଥାଏ। ଫଳରେ ପୃଥିବୀର ତାପମାତ୍ରା ଆହୁରି ବୃଦ୍ଧି ପାଇଥାଏ। ଏପରି ଭାବରେ ଏମିତି ଏକ ଚକ୍ର ଆରମ୍ଭ ହୁଏ, ଯାହା ଧୀରେ ଧୀରେ ପରିବେଶକୁ ବାସ ଅନୁପଯୋଗୀ କରିଦେବ ।
ଜୋମ୍ବି ଭାଇରସ
ଯେତେବେଳେ ପର୍ମାଫ୍ରଷ୍ଟ ତରଳିଯାଏ, ବରଫ ଓ ମାଟିରେ ଦବି ରହିଥିବା ପ୍ରାଚୀନ ଜୀବାଣୁ ଏବଂ ଭୂତାଣୁ ମଧ୍ୟ ମଣିଷ ସଂସ୍ପର୍ଶରେ ଆସିଥାଏ । ସାଧାରଣ ଭାଷାରେ ଏମାନଙ୍କୁ ଜୋମ୍ବି ଭୂତାଣୁ କୁହାଯାଏ । ଆମେରିକୀୟ ସ୍ୱାସ୍ଥ୍ୟ ଏଜେନ୍ସି ଏନ୍ସିବିଆଇ ଅନୁଯାୟୀ, 'ଜୋମ୍ବି ଭାଇରସ୍' ଶବ୍ଦଟି ଦୀର୍ଘ ଦିନ ଧରି ନିଷ୍କ୍ରିୟ ଥିବା ଭୂତାଣୁକୁ ବୁଝାଏ।
୨୦୧୩ମସିହାରେ ସାଇବେରିଆର ପର୍ମାଫ୍ରଷ୍ଟରେ ୩୦ ହଜାର ବର୍ଷ ପୁରୁଣା ଭୂତାଣୁ ଚିହ୍ନଟ ହୋଇଥିଲା। କିଛି ଦିନ ତଳେ ଋଷିଆର ଏକ ଥଣ୍ଡା ହ୍ରଦରେ ୧୦ ହଜାର ବର୍ଷ ପୁରୁଣା ପାଣ୍ଡୋରା ଭାଇରସ୍ ୟେଡୋମା ଜୋମ୍ବି ଭୂତାଣୁ ଦେଖିବାକୁ ମିଳିଥିଲା। ରିପୋର୍ଟ ଅନୁଯାୟୀ, ସେଠାରେ ଏକ ଜମ୍ବି ଭୂତାଣୁ ଠାବ ହୋଇଛି ଯାହା ହଜାର ହଜାର ବର୍ଷ ଧରି ଜମା ରହିବା ପରେ ମଧ୍ୟ ସଂକ୍ରାମକ। ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ ଏହି ଭୂତାଣୁ ଉଭୟ ମଣିଷ ଏବଂ ପଶୁମାନଙ୍କ ପାଇଁ ଗୁରୁତର ରୋଗ ସୃଷ୍ଟି କରିପାରେ ।
ହଜାର ହଜାର ବର୍ଷ ପୁରୁଣା ଭୂତାଣୁ କାହିଁକି ଚିନ୍ତାର ବିଷୟ?
ଜୋମ୍ବି ଭୂତାଣୁ ଚିନ୍ତାର ବିଷୟ କାରଣ ଆମେ ମଣିଷର ରୋଗ ପ୍ରତିରୋଧକ ଶକ୍ତି ଏହି ପ୍ରାଚୀନ ଭୂତାଣୁର ମୁକାବିଲା ପାଇଁ ପ୍ରସ୍ତୁତ ନୁହେଁ । ବିଶେଷଜ୍ଞଙ୍କ ମତରେ ଯଦି ଜୋମ୍ବି ଭୂତାଣୁ ସଂକ୍ରମଣ ବ୍ୟାପିଯାଏ, ତେବେ ଆମର ରୋଗ ପ୍ରତିରୋଧକ ଶକ୍ତି ଏହାର ମୁକାବିଲା କରିବାରେ ସକ୍ଷମ ହୋଇନଥାଏ। ଯେହେତୁ ପ୍ରାଚୀନ ଭୂତାଣୁର ଗଠନ ଆଜିର ଭୂତାଣୁଠାରୁ ବହୁତ ଭିନ୍ନ ହେବ, ତେଣୁ ଜମ୍ବି ଭୂତାଣୁ ବିରୋଧରେ ଲଢ଼ିବା ପାଇଁ କୌଣସି ଔଷଧ ଏବଂ ଟିକା ମଧ୍ୟ ତୁରନ୍ତ ଉପଲବ୍ଧ ହେବ ନାହିଁ ।
ଗବେଷଣାରୁ ଜଣାପଡିଛି ଯେ ସମସ୍ତ ଜୋମ୍ବି ଭୂତାଣୁ ବ୍ୟାପିପାରେ ଏବଂ ନୂତନ ମହାମାରୀ ସୃଷ୍ଟି କରିପାରେ | ଉତ୍ତର ଗୋଲାର୍ଦ୍ଧର ଏକ ଚତୁର୍ଥାଂଶ ଭୂଭାଗ ପର୍ମାଫ୍ରଷ୍ଟଦ୍ୱାରା ଆଚ୍ଛାଦିତ, ଯେଉଁଥିରେ କଠିନ ଭାବରେ ଜମା ହୋଇଥିବା ଭୂତାଣୁ ଏବଂ ଜୀବାଣୁ ବାସ କରନ୍ତି । ଜଳବାୟୁ ପରିବର୍ତ୍ତନ ଓ ବଢୁଥିବା ତାପମାତ୍ରାପ୍ରତି ଧ୍ୟାନ ନଦେଲେ ପରମାଫ୍ରଷ୍ଟରେ ବନ୍ଦୀ ଥିବା ଭୂତାଣୁ ଓ ବ୍ୟାକ୍ଟେରିଆ ଖୁବ୍ ଶୀଘ୍ର ମଣିଷର ସବୁଠାରୁ ବଡ଼ ସମସ୍ୟା ପାଲଟିପାରେ।