ମମିତା ମେହେର ଅପହରଣ ଓ ହତ୍ୟା ମାମଲା: ପରଦା ପଛର ମୁଖ୍ୟ ଖଳନାୟକ କିଏ ?
Advertisement

ମମିତା ମେହେର ଅପହରଣ ଓ ହତ୍ୟା ମାମଲା: ପରଦା ପଛର ମୁଖ୍ୟ ଖଳନାୟକ କିଏ ?

ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ କାର୍ଯ୍ୟ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିକଟତମ ବ୍ୟକ୍ତି ଗୋବିନ୍ଦ ସାହୁଙ୍କ ତତ୍ୱାବଧାନରେ ଚାଲିଥିଲା ।

ମମିତା ମେହେର ଅପହରଣ ଓ ହତ୍ୟା ମାମଲା: ପରଦା ପଛର ମୁଖ୍ୟ ଖଳନାୟକ କିଏ ?

ଭୁବନେଶ୍ୱର: ଆଜି ସକାଳେ ସିନ୍ଧେକେଲା ପୋଲିସ ଅଭିଯୁକ୍ତ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବଙ୍ଗୋମୁଣ୍ଡା SDJM କୋର୍ଟକୁ ଚାଲାଣ କରିଛି ।ଅନ୍ୟପକ୍ଷରେ ବିଜେପି ନେତୃବୃନ୍ଦ ଗଭର୍ଣ୍ଣର ପ୍ରଫେସର ଗଣେଶୀ ଲାଲ ଙ୍କୁ ଭେଟି ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କର ଇସ୍ତଫା ଦାବି କରିଛନ୍ତି । ଗୋବିନ୍ଦ ସାହୁର ଆତ୍ମସମର୍ପଣ ଓ ସ୍ୱୀକାରୋକ୍ତି ପରେ ଏକଥା ସ୍ପଷ୍ଟ ହୋଇଛି ଯେ, ମମିତା ମେହେରଙ୍କୁ ଅପହରଣ ପରେ ହତ୍ୟା କରି ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ ପରିସରରେ ପୋତି ଦିଆଯାଇଛି । ତେବେ ଅଭିଯୁକ୍ତ ମନ୍ତ୍ରୀଙ୍କ ଅତି ନିକଟତମ ହୋଇଥିବାରୁ ଘଟଣାର ନିରପେକ୍ଷ ତଦନ୍ତ ନେଇ ସନ୍ଦେହ ଉପୁଜିଛି । 

ମହାଲିଙ୍ଗ ହାଇସ୍କୁଲ ଷ୍ଟାଡିୟମ କାର୍ଯ୍ୟ ଗୃହରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନିକଟତମ ବ୍ୟକ୍ତି ଗୋବିନ୍ଦ ସାହୁଙ୍କ ତତ୍ୱାବଧାନରେ ଚାଲିଥିଲା । ଷ୍ଟାଡିୟମ ପରିସରରୁ ୭ଫୁଟ ଗଭୀରତାରେ ଅଧାପୋଡ଼ା ଶବ ମିଳିବା ଏବଂ ଶବପାଖରୁ ମମିତାଙ୍କର ଅଳଙ୍କାର ମିଳିବା ଗୋବିନ୍ଦଙ୍କର  ସଂପୃକ୍ତିକୁ ପ୍ରମାଣିତ କରୁଛି । ତେବେ ପରଦା ପଛର ମୁଖ୍ୟ ଖଳନାୟକ କିଏ ?

ମମିତା ମେହେରଙ୍କର କକା କୌଷିକ ମେହେର ଅଭିଯୋଗ କରିଛନ୍ତି ଯେ ତାଙ୍କ ଝିଆରୀ ଓ ଗୋବିନ୍ଦ ସାହୁଙ୍କ ମଧ୍ୟରେ ପୂର୍ବରୁ କଥାବାର୍ତ୍ତା ହୋଇଛି ତେବେ ମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର ସ୍କୁଲରେ ରାତ୍ରୀ ଯାପନ କରିବା କଥା ଲୋକଙ୍କମୁଖରୁ ଶୁଣିବାକୁ ମିଳୁଛି । ଯଦି ଏହା ସତ୍ୟ ହୋଇଥାଏ ତେବେ ମନ୍ତ୍ରୀ କାହିଁକି ଓ କେଉଁ ପରିସ୍ଥିତିରେ ରାତିରେ ସ୍କୁଲରେ ରହୁଥିଲେ ତାହା ତଦନ୍ତ ସାପେକ୍ଷ।

ମମିତା ମେହେରଙ୍କ ବାପା ଅଭିଯୋଗ କରିଛନ୍ତି ଯେ, ସ୍କୁଲରେ ଦେହ ବ୍ୟବସାୟ ଭଳି କାର୍ଯ୍ୟ କରାଯାଉଥିଲା ଓ ଏହା ମନ୍ତ୍ରୀଙ୍କ ଜ୍ଞାତସାରରେ ହେଉଥିଲା । ମମିତାଙ୍କ ପାଖରେ ଏହାର କିଛି ପ୍ରମାଣ ଥିବାରୁ ହୁଏତ ମନ୍ତ୍ରୀ ଗୋବିନ୍ଦ ସାହୁ ମାଧ୍ୟମରେ ମମିତାଙ୍କୁ ଅପହରଣ କରି ହତ୍ୟା କରିଛନ୍ତି ।

ସିନ୍ଧେକେଲା ପୋଲିସ୍ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ତାକୁ ଫେରାର ହେବାକୁ ପୋଲିସର କାମକୁ ନେଇ ସନ୍ଦେହ ସୃଷ୍ଟି କରୁଛି । ଅଭିଯୁକ୍ତ ଆତ୍ମସମର୍ପଣ କରିବା ପରେ ବରିଷ୍ଠ ପୋଲିସ ଅଧିକାରୀ ପୋଲିସ କର୍ମୀଙ୍କୁ ଧନ୍ୟବାଦ ଜଣାଇବା କେଉଁ ପ୍ରକାର ତଦନ୍ତ ? 

ତେବେ ସମ୍ପୃକ୍ତ ପୋଲିସ କର୍ମୀଙ୍କୁ ଅଭିଯୁକ୍ତଙ୍କୁ ଛାଡ଼ିବା ପାଇଁ ଧନ୍ୟବାଦ ଜଣାଯାଇଛି ନା ଅଭିଯୁକ୍ତ ଆତ୍ମସମର୍ପଣ କରିବା ପାଇଁ ଜଣାଯାଇଛି ତାହା ଜଣାପଡ଼ୁନି । କାହା ନିର୍ଦ୍ଦେଶରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫେରାର କରି ଗିରଫ କରିବାର ନାଟକ କରାଗଲା । ଏହି ସମୟ ଭିତରେ ଅଭିଯୁକ୍ତ କାହା ସମ୍ପର୍କରେ ଥିଲା ?

ମମିତା ମେହେରଙ୍କ ଲାପଟପ, ପେନ ଡ୍ରାଇଭ ଇତ୍ୟାଦିରେ କ'ଣ ତଥ୍ୟ ରହିଛି ? ପୋଲିସ ଏସମ୍ପର୍କରେ ପ୍ରେସ କନ୍ଫରେନ୍ସ ମାଧ୍ୟମରେ ଜଣାଉନାହିଁ କାହିଁଛି ? ଲାପଟପ ଓ ପେନ-ଡ୍ରାଇଭରେ ଥିବା ପ୍ରମାଣକୁ ଯୋଜନାବଦ୍ଧ ଭାବେ ନଷ୍ଟ କରାଯାଇନାହିଁ ତ ?

ଅକ୍ଟୋବର ୮ ତାରିଖ (ଶୁକ୍ରବାର) ସକାଳ ୫.୪୫ ମି ରେ ଜୟ ବଜରଙ୍ଗବାଲି ବସରେ ମମିତା କେଉଁ ସ୍ଥାନକୁ ଯାଉଥିଲେ ? ତାଙ୍କ ଯାତ୍ରା ବିଷୟରେ କେଉଁମାନେ ଜାଣିଥିଲେ ଓ ସେ କାହା ସହିତ କଥାହୋଇଥିଲେ , ତାହା କଲ୍ ରେକର୍ଡରୁ ଜାଣିବା ଆବଶ୍ୟକ । ଯଦି ଗୋବିନ୍ଦ ସାହୁ ମମିତାଙ୍କ ସହ କଥା ହୋଇଥିଲେ ତେବେ ଗୋବିନ୍ଦ ତା' ପୂର୍ବରୁ ମନ୍ତ୍ରୀଙ୍କ ସହ କଥା ହୋଇଥିଲେ କି ?

ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଗୋବିନ୍ଦ ସାହୁ ଅଧାରାସ୍ତାରେ ମମିତାଙ୍କୁ ବସରୁ ଓହ୍ଲାଇ ନିଜ କାର (OD08K 1002) ରେ ବସାଇ ନେଇ ଯାଇଥିଲେ ଏବଂ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ସପିଂ କରାଇଥିଲେ। ସପିଂର ଭିଡିଓ ଫୁଟେଜର ପୁଙ୍ଖାନୁପୁଙ୍ଖ ତଦନ୍ତ ହେଉ । ଗୋବିନ୍ଦଙ୍କ ସହ କାରରେ ଏକୁଟିଆ ମମିତା ଥିଲେ ନା ଗାଡ଼ିରେ ଆଉକିଏ ଥିଲେ ତାହା ସ୍ପଷ୍ଟ ହେଉ । କାରଣ ସପିଂ କରିବା ପରଠାରୁ ମମିତା ନିଖୋଜ ହୋଇଥିଲେ ।

ମମିତାଙ୍କ ପରିବାର ଅକ୍ଟୋବର ୧୩ ତାରିଖରେ ସିନ୍ଧେକେଲା ଥାନାରେ ଗୋବିନ୍ଦ ସାହୁଙ୍କ ନାଁରେ ଅପହରଣ ଜନିତ ମାମଲା ନଂ ୦୦୯୭/୨୧ ରୁଜୁ କରିଥିଲେ । ପୋଲିସ ଉକ୍ତ FIR କପିକୁ ସାର୍ବଜନୀନ କରୁ । ଗୋବିନ୍ଦ ସାହୁ ଫେରାର ହେବା ପୂର୍ବରୁ FIR କପିକୁ ନେଇ ଥାନାକୁ କାହାର ଫୋନ ଆସିଥିଲା କି ?

ପୋଲିସ୍ ଗୋବିନ୍ଦ ସାହୁଙ୍କୁ ୪ଦିନ ଧରି ଥାନାରେ ଅଟକ ରଖିବା ପରେ  ଅକ୍ଟୋବର ୧୭ ତାରିଖରେ ଛାଡ଼ି ଦେଇଥିଲା । ତେବେ ଅଭିଯୁକ୍ତକୁ ଧରିଆଣିବାର ୨୪ ଘଣ୍ଟା ଭିତରେ ମାନ୍ୟବର ଅଦାଲତଙ୍କ ପାଖରେ ପୋଲିସ କାହିଁକି ହାଜର କରାଇଲାନାହିଁ ? କାହା ନିର୍ଦ୍ଦେଶକୁ ଅପେକ୍ଷା କରିଥିଲା ?

ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆରେ ମମିତାଙ୍କ ନାଁରେ ଥିବା ଆକାଉଣ୍ଟ ନମ୍ବର -୩୫୩୩୫୪୩୩୯୮ କୁ କେଉଁ କେଉଁ ତାରିଖରେ କେତେ ଟଙ୍କା ଆସିଛି ? ଟଙ୍କା ପଠାଇଥିବା ବ୍ୟକ୍ତି ବିଶେଷ କିଏ ? ମମିତା ନିଖୋଜ ହେବା ଦିନ ତାଙ୍କ ଆକାଉଣ୍ଟକୁ ଗୋବିନ୍ଦ ୮ ହଜାର ଟଙ୍କା କାହିଁକି ପଠାଇଥିଲେ

ସନସାଇନ ସ୍କୁଲରେ ଥିବା ଗୁପ୍ତ କୋଠରୀର ସତ୍ୟତା କଣ ? ଗଣମାଧ୍ୟମର ଉପସ୍ଥିତିରେ ସ୍ଥାନୀୟ ପୋଲିସ ଏବଂ କ୍ରାଇମବ୍ରାଞ୍ଚ କାହିଁକି ଏହାର ତଦନ୍ତ କରୁନାହିଁ ?

ସନସାଇନ ସ୍କୁଲର ଛାତ୍ରୀମାନେ ୮-୧୦ ଦିନ ଧରି ସ୍କୁଲ ପରିସରରୁ ନିଖୋଜ ହେବା ଘଟଣା ବିଷୟରେ ଗୋବିନ୍ଦ ସାହୁଙ୍କୁ ଜେରା କରାଗଲେ ପ୍ରକୃତ ତଥ୍ଯ ସାମ୍ନାକୁ ଆସନ୍ତା , କିନ୍ତୁ ସ୍ଥାନୀୟ ପୋଲିସର ଅପରାଧୀକୁ ଘଣ୍ଟଘୋଡ଼ାଇବା କାର୍ଯ୍ୟ ଯୋଗୁଁ ରାଜ୍ୟବାସୀ ଓ ପୀଡ଼ିତାଙ୍କ ପରିବାର ନ୍ୟାୟ ପାଇବାର କୌଣସି ସମ୍ଭାବନା ନାହିଁ । ତେଣୁ ଖୁବଶୀଘ୍ର CBI ଘଟଣାର ତଦନ୍ତ କରୁ । ଅଭିଯୁକ୍ତମାନେ ପ୍ରଭାବଶାଳୀ ଏବଂ କ୍ଷମତାଶାଳୀ  ହୋଇଥିବାରୁ ମମିତାଙ୍କୁ ମାରି ଶବ ଲୁଚାଇବା ବୋଲି ପ୍ରମାଣକୁ ମଧ୍ୟ ସେମାନେ ଲୁଚାଇଦେଇପାରନ୍ତି ବା ନଷ୍ଟ କରିଦେଇପାରନ୍ତି ।