ଭିଜିଲାନ୍ସ ଜାଲରେ ଆଇଏଫଏସ ଅଧିକାରୀ । ଓଡିଶା କ୍ୟାଡର ଜଣେ କୋଟି ପତି ଆଇଏଫଏସ୍ (IFS Officer) ବା ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍ (Indian Forrest Service) ଅଧିକାରୀଙ୍କ ଘରେ ଆଜି କଟକ ଭିଜିଲାନ୍ସ ସେଲ (Cuttack Vigilance cell) ପକ୍ଷରୁ ଚଢାଉ କରା ଯାଇଛି ।
Trending Photos
ରାଜେଶ ସାମନ୍ତରାୟ, ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଇଏଫଏସ ଅଧିକାରୀ । ଓଡିଶା କ୍ୟାଡର ଜଣେ କୋଟି ପତି ଆଇଏଫଏସ୍ (IFS Officer) ବା ଇଣ୍ଡିଆନ୍ ଫରେଷ୍ଟ ସର୍ଭିସ୍ (Indian Forrest Service) ଅଧିକାରୀଙ୍କ ଘରେ ଆଜି କଟକ ଭିଜିଲାନ୍ସ ସେଲ (Cuttack Vigilance cell) ପକ୍ଷରୁ ଚଢାଉ କରା ଯାଇଛି । ଏହି ଆଇଏଫଏସ ଅଧିକାରୀଙ୍କ ନାମ ହେଉଛି ଅଭୟ କାନ୍ତ ପାଠକ (Abhayakant Pathak) 0 ସେ ରାଜ୍ୟ ବନ ବିଭାଗରେ ବନୀକରଣ , ପ୍ଲାନ ଓ ପ୍ରୋଗ୍ରାମ ଡିଭିଜନର ଅତିରିକ୍ତ ପିସିସିଏଫ୍ ଭାବେ ଅରଣ୍ୟ ଭବନ ଅଫିସରେ କାର୍ଯ୍ୟରତ 0 ଆୟ ବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସେଲ ପକ୍ଷରୁ ମୋଟ ୧୧ଟି ସ୍ଥାନରେ ଚଢାଉ କରାଯାଇଛି 0 ଦେଶର ମୋଟ ୪ଟି ରାଜ୍ୟରେ ଷ୍ଟେଟ୍ ଭିଜିଲାନ୍ସ ଟିମ୍ ଚଢାଉ କରିଛି 0
ଭୁବନେଶ୍ବରର ୫ଟି ସ୍ଥାନ ସମେତ ମହାରାଷ୍ଟ୍ରର ମୁମ୍ବାଇ, ପୁନେ, ରାଜସ୍ଥାନର ଉଦୟପୁର, ସହ ବିହାରସ୍ଥିତ ପୈତୃକ ବାସଭବନରେ ମଧ୍ୟ ଚଢାଉ କରାଯାଇଛି 0 ଏହି ଚଢାଉରେ ମୋଟ ୧୫୦ ଜଣ ଭିଜିଲାନ୍ସ ଅଧିକାରୀ ନିୟୋଜିତ ଅଛନ୍ତି । ଭୁବନେଶ୍ବର ୟୁନିଟ୍ ୯ ଫ୍ଲାଟ ଅଞ୍ଚଳରେ ଥିବା ସରକାରୀ ବାସଭବନ ସହ ଖଣ୍ଡଗିରି ଘାଟିକିଆର ଏକ ଆପାର୍ଟମେଣ୍ଟ ଓ ପିପିଲିରେ ବି ଟିମ୍ ଚଢାଉ କରିଛି। ଘାଟିକିଆ ଆପାର୍ଟମେଣ୍ଟରେ ନିଜର ଜଣେ ପୁତୁରା ରହୁଥିବା ବେଳେ ପିପିଲିରେ ତାଙ୍କ ଡ୍ରାଇଭରଙ୍କ ଘରେ ବି ଭିଜିଲାନ୍ସ ଟିମ୍ ଚଢାଉ କରିଛି ।
ମିଳିଥିବା ସୁଚନା ଅନୁସାରେ ଶ୍ରୀ ପାଠକଙ୍କ ସରକାରୀ ବାସଭବନରୁ ୩ଟି ବିଳାସପୂର୍ଣ୍ଣ କାର ମର୍ସିଡିଜ୍, ଟାଟା ସଫାରୀ ଓ ଟାଟା ହାରିଅର କାର୍ ଠାବ କରିଛି ଭିଜିଲାନ୍ସ । ଏହା ସହ ଅନେକ ବ୍ୟାଙ୍କ ଆକାଉଣ୍ଟ, ଜମା ଖାତା, ବଣ୍ଡ, ଗୋଲ୍ଡ ବଣ୍ଡ, ଜମିର କାଗଜ ପତ୍ର, ନଗଦ ଟଙ୍କା ସୁନା ରୂପା ଓ ଦାମୀ ଅଳଙ୍କାର ମଧ୍ୟ ଜବତ ହୋଇଛି । ଖଣ୍ଡଗିରି ଘାଟିକିଆରେ ଥିବା ନିଜ ପୁତୁରାଙ୍କ ଆପାର୍ଟମେଣ୍ଟରୁ ନଗଦ ୫୦ ଲକ୍ଷ ଟଙ୍କା ଜବତ କରିଛି ବିଭାଗ । ସେହିପରି ପିପିଲିରେ ରହୁଥିବା ନିଜ ଡ୍ରାଇଭର ଘରୁ ମଧ୍ୟ ୨୦ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି । ଅରଣ୍ୟ ଭବନରେ ଥିବା ଶ୍ରୀ ପାଠକଙ୍କ ସରକାରୀ କାର୍ଯାଳୟରେ ବି ଟିମ୍ କାଗଜ ପତ୍ର ଯାଞ୍ଚ କରିଛି । ଏହା ବାଦ ରାଜ୍ୟ ବାହାରେ ଥିବା ସଂପତ୍ତିର ପରିମାଣର କେତେ ତାହା ବି ଭିଜିଲାନ୍ସ ଆକଳନ କରୁଛି । ଖବର ମୁତାବକ ପୁନେରେ ଥିବା ତାଙ୍କର ଏକ ଜମିରେ ସେ ଫାର୍ମ ହାଉସ ତିଆରି କରିଛନ୍ତି, ଯାହାକି ଅତି ବିଳାସପୂର୍ଣ୍ଣ । ଏହି ଫାର୍ମ ହାଉସରେ ସେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ।
ଏ ସବୁକୁ ଛାଡି ଦେଲେ ଆହୁରି ରୋଚକ ତତ୍ୟ ହେଉଛି ଶ୍ରୀ ପାଠକ ଲକ୍ ଡାଉନ ବେଳେ ଚାଟାର୍ଡ ଫ୍ଲାଇଟ୍ ବୁକ୍ କରି ବିଦେଶ ଗସ୍ତ କରିଥିଲେ । ବିଦେଶରେ ରହୁଥିବା ନିଜ ପୁଅକୁ ଦେଖା କରିବା ପାଇଁ ସେ ଏହି ଚାଟାର୍ଡ ଫ୍ଲାଇଟରେ ଯାଇଥିଲେ । ଏହି ଚାଟାର୍ଡ ଫ୍ଲାଇଟ୍ ଟିକେଟର ଦାମ 10ରୁ 15 ଲକ୍ଷ ଟଙ୍କା ହୋଇଥାଏ । ଏହି ଖବର ଜଣାପଡିବା ପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା । ବିଭାଗର ସୁଚନା ଅନୁସାରେ ସେ ସରକାରୀ ଗସ୍ତ ଛଡା ଅନେକ ବାର ବିଦେଶ ଗସ୍ତ କରିଛନ୍ତି । ଯାହାର ହିସାବ ନାହିଁ । ତେବେ ଆଜିର ଚଢାଉରେ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି ତାହା ଜଣାପଡିନାହିଁ । ଏବେ ବି ଚଢାଉ ଜାରି ରହିଛି । ରାଜ୍ୟ ବାହାରୁ ଟିମ୍ ଫେରି ନାହିଁ । ଏ ନେଇ କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦିଆଯାଇନାହିଁ । ସେପଟେ ଶ୍ରୀ ପାଠକ ଏବେ ଅଟକ ଅଛନ୍ତି । ଅନୁମାନ କରାଯାଉଛି ତାଙ୍କ ନିକଟରୁ 15 କୋଟିରୁ ଅଧିକ ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ରହିଛି, ଯାହାକି ବଢିପାରେ । ବନୀକରଣ ନାଁରେ ସେ ଘୋଟାଲା କରିଛନ୍ତି । ଅଭୟ କାନ୍ତ ପୂର୍ବରୁ ଗଂଜାମ ଡିଏଫଓ ଏବଂ ଓଏଫଡିସି ଚେୟାରମ୍ୟାନ୍ ଥିଲେ ।