ସ୍ତ୍ରୀକୁ ଖୋଜିବାକୁ ଆସି ହଟହଟା ହେଲେ ମହାରାଷ୍ଟ୍ରର ଏକ ପରିବାର, ସମ୍ବଲପୁର ପୋଲିସର ଆକ୍ରୋଶର ଶିକାର
Advertisement
Article Detail0/zeeodisha/odisha1365609

ସ୍ତ୍ରୀକୁ ଖୋଜିବାକୁ ଆସି ହଟହଟା ହେଲେ ମହାରାଷ୍ଟ୍ରର ଏକ ପରିବାର, ସମ୍ବଲପୁର ପୋଲିସର ଆକ୍ରୋଶର ଶିକାର

ଥାନାଧିକାରୀଙ୍କୁ ଅନୁରୋଧ କରିବା ପରେ ସେ ପୂରା ପରିବାରକୁ ନାଗସେନ୍‌ଙ୍କ ସ୍ତ୍ରୀ ରହୁଥିବା ସ୍ଥାନକୁ ପିସିଆର୍‌ ଭ୍ୟାମ୍‌ ମାଧ୍ୟମରେ ପଠାଇଥିଲେ। ରାତି ପାଖାପାଖି ୧୦ ଟା ସମୟରେ ଶୂନ୍‌ଶାନ୍‌ ଅଜଣା ରାସ୍ତା ଉପରେ ପୂରା ପରିବାରକୁ ଛାଡ଼ିଦେଇ ପିସିଆର୍‌ ଭ୍ୟାନ୍‌ ଚାଲି ଆସିଲା।

ସ୍ତ୍ରୀକୁ ଖୋଜିବାକୁ ଆସି ହଟହଟା ହେଲେ ମହାରାଷ୍ଟ୍ରର ଏକ ପରିବାର, ସମ୍ବଲପୁର ପୋଲିସର ଆକ୍ରୋଶର ଶିକାର

Sambalpur News: ସମ୍ବଲପୁର (ଅଜୟ ନାଥ): ସ୍ତ୍ରୀକୁ ଖୋଜିବା ପାଇଁ ମହାରାଷ୍ଟ୍ର ହକୋଲା ଜିଲ୍ଲାର ନାଗସେନ୍‌ ରାଜେନ୍ଦ୍ର ହିବୁରାଡ଼େ ପୂରା ପରିବାର ସହିତ ସମ୍ବଲପୁରରେ ପହଞ୍ଚିଥିଲେ। ତାଙ୍କ ସ୍ତ୍ରୀ ଧନୁପାଲି ଥାନା ଅଞ୍ଚଳରେ ଥିବା ଜାଣିବା ପରେ ପୂରା ପରିବାର ଧନୁପାଲି ଥାନାକୁ ଯାଇ ଅଭିଯୋଗ କରିଥିଲେ। ତେବେ ସେତେବେଳେ ଥାନା ଘେରାଉ ହୋଇଥିବାରୁ ଅଭିଯୋଗ ପରେ ନିଆଯିବ ବୋଲି କୁହାଗଲା।

ଥାନାଧିକାରୀଙ୍କୁ ଅନୁରୋଧ କରିବା ପରେ ସେ ପୂରା ପରିବାରକୁ ନାଗସେନ୍‌ଙ୍କ ସ୍ତ୍ରୀ ରହୁଥିବା ସ୍ଥାନକୁ ପିସିଆର୍‌ ଭ୍ୟାମ୍‌ ମାଧ୍ୟମରେ ପଠାଇଥିଲେ। ରାତି ପାଖାପାଖି ୧୦ ଟା ସମୟରେ ଶୂନ୍‌ଶାନ୍‌ ଅଜଣା ରାସ୍ତା ଉପରେ ପୂରା ପରିବାରକୁ ଛାଡ଼ିଦେଇ ପିସିଆର୍‌ ଭ୍ୟାନ୍‌ ଚାଲି ଆସିଲା।

ଅନ୍ୟ ରାଜ୍ୟର ବୋଲି ଜାଣିବା ପରେ ମଧ୍ୟ ଧନୁପାଲି ଥାନା ପିସିଆର୍‌ ଟିମ୍‌ ରାତିରେ ଅଜଣା ରାସ୍ତାରେ କିଭଳି ଛାଡ଼ିଦେଇ ଚାଲି ଆସିଲା, ସେ ନେଇ ନାଗସେନ୍‌ ଓ ତାଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ନାଗସେନ୍‌ ଓତାଙ୍କ ପରିବାର ଲୋକେ ଶୁକ୍ରବାର ସମ୍ବଲପୁର ଏସ୍‌ପିଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ଧନୁପାଲି ପୁଲିସର ଏଭଳି ଦାୟିତ୍ବହୀନତା ପାଇଁ ପୂରା ସମ୍ବଲପୁର ପୁଲିସ ଉପରେ ପ୍ରଶ୍ନ ଉଠିଛି।

ନାଗସେନ୍‌ଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ମାଟ୍ରିମୋନିରେ ଆକାଉଣ୍ଟ ଖୋଲି ତାଙ୍କୁ ରିକ୍ବେଷ୍ଟ ପଠାଇଥିଲେ। ତାପରେ ଆରମ୍ଭ ହେଲା କଥାବାର୍ତ୍ତା। କିଛି ଦିନ ଭିତରେ ଉଭୟଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପ୍ରେମ। ଧୀରେଧୀରେ ନିବିଡ଼ତା ବଢ଼ିଲା, ୨୦୧୯ରେ ଉଭୟେ ବିବାହ କଲେ। ପାଖାପାଖି ୨ ବର୍ଷ ସବୁ କିଛି ଠିକ୍‌ ଠାକ୍‌ ଚାଲିଲା। ଉଭୟଙ୍କର ଏକ ଅଢ଼େଇ ବର୍ଷର ଝିଅ ମଧ୍ୟ ଅଛି। ତେବେ କିଛି ମାସ ତଳେ ମହିଳା ଜଣକ ତାଙ୍କ ଝିଅକୁ ଧରି ସମ୍ବଲପୁର ଚାଲି ଆସିଥିଲେ। ଆସିଲା ପରେ ଆଉ ଘରକୁ ଫେରିବେ ନାହିଁ ବୋଲି କହିଥିଲେ। ମହିଳା ପ୍ରଥମେ ବରଗଡ଼ ସ୍ଥିତ ଜଣେ ପୁରିଷ ବନ୍ଧୁଙ୍କ ପାଖରେ ରହିଥିଲେ।

ପରେ ସମ୍ବଲପୁର ଅଞ୍ଚଳରେ ଏକ ସଂସ୍ଥାରେ ଚାକିରି କଲେ। କିଛିଦିନ ତଳେ ତାଙ୍କ କୁନି ଝିଅର ଏକ କ୍ଷତାକ୍ତ ଭିଡିଓ ନାଗସେନ୍‌ଙ୍କ ପାଖକୁ ଆସିଲା। ଯାହାକୁ ମହିଳାଙ୍କ ବନ୍ଧୁ ପଠାଇଥିଲେ। ତାପରେ ନାଗସେନଙ୍କ ପରିବାର ସ୍ତ୍ରୀ ଓ ଝିଅକୁ ଫେରାଇ ନେବାକୁ ସମ୍ବଲପୁର ଆସିଥିଲେ। ଧନୁପାଲି ଥାନା ଏନ୍‌ଏସ୍‌ସିବି କଲେଜ୍‌ ନିକଟ ଅଞ୍ଚଳରେ ମହିଳା ଜଣକ ରହୁଥିବାରୁ ଧନୁପାଲି ଥାନାରେ ଅଭିଯୋଗ କରିଥିଲେ। ଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ପିସିଆର୍‌ ନାଗସେନ୍‌ଙ୍କ ପରିବାରକୁ ନେଇ ଏନ୍‌ଏସ୍‌ସିବି କଲେଜ୍‌ ନିକଟକୁ ଯାଇଥିଲା ଏବଂ ୫ ମିନଟ୍‌ରେ ଆସୁଛୁ ବୋଲି କହି ସେଠାରୁ ଚାଲି ଆସିଥିଲା। ରାତିରେ ଯଦିଓ ନାଗସେନ୍‌ଙ୍କର ତାଙ୍କ ସ୍ତ୍ରୀଙ୍କ ସହ ଭେଟ୍ ହୋଇଥିଲା, ହେଲେ ସେ ତାଙ୍କ ସହ ଆସିବା ପାଇଁ ରୋକଠୋକ୍‌ ମନା କରିଦେଇଥିଲେ।

ତାପରେ ନାଗସେନ୍‌ ଓ ତାଙ୍କ ପରିବାର ଲୋକେ ଏକ ଅଟୋ ପାଇ ସମ୍ବଲପୁର ରେଳ ଷ୍ଟେସନ୍‌କୁ ଯାଇ ରାତିରେ ରହିଥିଲେ। ଶୁକ୍ରବାର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଏଭଳି ଅଭିଯୋଗକୁ ଧନୁପାଲି ଥାନାଧିକାରୀ ଖଣ୍ଡନ କରିଛନ୍ତି। ସୁନାପାଲି ଅଞ୍ଚଳରେ ମାରପିଟ୍‌ ସୂଚନା ଆସିବାରୁ ପିସିଆର୍‌ ସେଠାରୁ ଚାଲି ଆସିଥିଲା। ସେମାନେ ଖାଇବା ପାଇଁ ଅଟକଥିଲେ ବୋଲି ଥାନାଧିକାରୀ ଅନିତା ପ୍ରଧାନ କହିଛନ୍ତି।