ମାଧପୁର ତ୍ରିବଣପୁର ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି
Advertisement

ମାଧପୁର ତ୍ରିବଣପୁର ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି

ରେଢାଖୋଲ ବ୍ଲକର ମାଧପୁରରୁ ତ୍ରିବଣପୁରକୁ ଯାଇଥିବା ୭ କିମି ରାସ୍ତାକୁ ପିଡବ୍ଲୁଡି (PWD) ବିଭାଗ ତରଫରୁ ନିର୍ମାଣ କରାଯାଇଛି। ବହୁବାର ଦାବି ପରେ ଏହି ରାସ୍ତାଟି ନିର୍ମାଣ କରାଯାଇଥିଲା କିନ୍ତୁ ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ନିର୍ମାଣ ସରିବା କ୍ଷଣି ପିଚୁ ଉଠିଯାଉଛି। ଏହାକୁ ନେଇ ବର୍ତ୍ତମାନ ଜନ ଅସନ୍ତୋଷ ତେଜିବାରେ ଲାଗିଛି।

ଡିଜାଇନ୍ ଫଟୋ

ସମ୍ବଲପୁର: ରେଢାଖୋଲ ବ୍ଳକ ଅଞ୍ଚଳର ମାଧପୁରରୁ ତ୍ରିବଣପୁର ପିଚୁ ରାସ୍ତାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଛି। ନବ ନିର୍ମିତ ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହୋଇଛି। ଗ୍ରାମାଞ୍ଚଳର ଲୋକଙ୍କ ଗମନାଗମନ ସୁବିଧା ପାଇଁ ନିର୍ମାଣ ହୋଇଥିବା ରାସ୍ତାଟି ନିମ୍ନମାନର ହୋଇଥିବା ସ୍ଥାନୀୟ ବାସିନ୍ଦା ଦାବି କରୁଛନ୍ତି। 

ସମ୍ବଲପୁର ଜିଲ୍ଲାର ରେଢାଖୋଲ ବ୍ଲକ ଅଞ୍ଚଳର ମାଧପୁରରୁ ତ୍ରିବଣପୁର ପିଚୁ ରାସ୍ତାକୁ ନେଇ ସେଇ ଗ୍ରାମ ତଥା ଆଖପାଖ ଅଞ୍ଚଳର ଲୋକେ ଅସନ୍ତୋଷ ଜାହିର କରିଛନ୍ତି। ନବନିର୍ମିତ ରାସ୍ତାକୁ ହାତରେ ଧରିବା କ୍ଷଣି ରାସ୍ତାର ପିଚୁ ଉପୁଡି ଯାଉଛି। ଏପରିକି ଛୋଟ ଛୋଟ ପିଲାମାନେ ମଧ୍ୟ ହାତରେ ପିଚୁ ଉପାଡି ଦେଉଥିବାର ଦେଖାଯାଇଛି। ଏଥିରୁ ଜଣା ପଡୁଛି ଯେ, ପିଚୁ ରାସ୍ତାରେ କେତେ ନିମ୍ନମାନର କାର୍ଯ୍ୟ ହୋଇଛି। ଏହି ରାସ୍ତାକୁ ଯେ ଦେଖୁଛି ସେ ରାସ୍ତାର ନିମ୍ନମାନର କାର୍ଯ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। 

Also Read: ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ ପାଇଁ ଅଣ୍ଟା ଭିଡିଲା ପ୍ରଶାସନ

ରେଢାଖୋଲ ବ୍ଲକର ମାଧପୁରରୁ ତ୍ରିବଣପୁରକୁ ଯାଇଥିବା ୭ କିମି ରାସ୍ତାକୁ ପିଡବ୍ଲୁଡି (PWD) ବିଭାଗ ତରଫରୁ ନିର୍ମାଣ କରାଯାଇଛି। ବହୁବାର ଦାବି ପରେ ଏହି ରାସ୍ତାଟି ନିର୍ମାଣ କରାଯାଇଥିଲା କିନ୍ତୁ ନିମ୍ନମାନର କାର୍ଯ୍ୟ ପାଇଁ ରାସ୍ତା ନିର୍ମାଣ ସରିବା କ୍ଷଣି ପିଚୁ ଉଠିଯାଉଛି। ଏହାକୁ ନେଇ ବର୍ତ୍ତମାନ ଜନ ଅସନ୍ତୋଷ ତେଜିବାରେ ଲାଗିଛି। ଏହି ରାସ୍ତା ଦେଇ ଚାରମାଳ ଠାରୁ ସିଧାସଳଖ ବୌଦ୍ଧ ଜିଲ୍ଲା ପର୍ଯ୍ୟନ୍ତ ସିଧାସଳଖ ଯାତାୟତ ସୁବିଧା ରହିଛି। ଏଥିସହ ଏହି ରାସ୍ତା ଉପରେ ଭରତାପୁର ଓ ତ୍ରିବଣପୁର ପଞ୍ଚାୟତର ପ୍ରାୟ ୨୫ଗୋଟି ଗ୍ରାମବାସୀ ଯାତାୟତ ପାଇଁ ନିର୍ଭର କରିଥାନ୍ତି। ସେମାନେ ଏଭଳି ନିମ୍ନମାନର କର୍ଯ୍ୟକୁ ବିରୋଧ କରିଥିବା ବେଳେ ଆଉଥରେ ଭଲ ଭାବରେ ପିଚୁ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି।

fallback

ରାସ୍ତା ନିର୍ମାଣ ସମୟରେ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ବାରମ୍ବାର ପିଡବ୍ଲୁଡି ବିଭାଗକୁ ଜଣାଇଥିଲେ ବି ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଗ୍ରାମବାସୀ କହିଛନ୍ତି। ଅନ୍ୟପଟେ ନିମ୍ନମାନର ରାସ୍ତା କାମକୁ ନେଇ ଜିଲ୍ଲାର ଆଇନଜୀବୀ ମହଲରେ ଉଦବେଗ ପ୍ରକାଶ ପାଇବା ସହ ସମ୍ପୃକ୍ତ ଠିକାଦାରଙ୍କ ସହ ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି। ମାଧପୁର ଓ ତ୍ରିବଣପୁର ରାସ୍ତା ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ ହେବାକୁ ଦାବି ତେଜୁଥିବାବେଳେ ଏନେଇ PWD ବିଭାଗ ତରଫରୁ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି। ଏ ବାବଦରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିବାର ଜଣା ପଡିଛି। ମାର୍ଚ୍ଚ ମାସ ଆର୍ଥିକ ବର୍ଷ ଶେଷ ହେଉଥିବାରୁ ତରବରିଆ ଭାବେ କାର୍ଯ୍ୟ ଶେଷ କରି ଟଙ୍କା ବାଟମାରଣା କରାଯାଇଥିବାର ଆଶଙ୍କା କରୁଛନ୍ତି ସାଧାରଣ ଜନତା।