ମିଳୁନି ସଠିକ ମୂଲ୍ୟ; ଆନ୍ଧ୍ରପ୍ରଦେଶ ଯାଉଛି ଓଡ଼ିଶା ଧାନ
Advertisement
Article Detail0/zeeodisha/odisha1214134

ମିଳୁନି ସଠିକ ମୂଲ୍ୟ; ଆନ୍ଧ୍ରପ୍ରଦେଶ ଯାଉଛି ଓଡ଼ିଶା ଧାନ

ରାଜ୍ୟରେ ସେମାନେ ଧାନର ସଠିକ ମୂଲ୍ୟ ପାଇ ପାରୁନାହାଁନ୍ତି। ଓଡିଶା ସରକାର ଯେଉଁ ଟୋକନ ବ୍ୟବସ୍ଥା କରିଛନ୍ତି ତାହା ସମ୍ପୂର୍ଣ୍ଣ ଫେଲ ମାରିବା ସହ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ବାଧ୍ୟ ହୋଇ ବାହାର ରାଜ୍ୟରେ ଧାନ ବିକ୍ରି କରୁଥିବା କହିଛନ୍ତି। 

ମିଳୁନି ସଠିକ ମୂଲ୍ୟ; ଆନ୍ଧ୍ରପ୍ରଦେଶ ଯାଉଛି ଓଡ଼ିଶା ଧାନ

ବଳରାମ ଦୀପ, ବରଗଡ଼: ରାଜ୍ୟରେ ବର୍ତ୍ତମାନ ଧାନ କିଣାବିକା ଜୋରସୋରରେ ଚାଲିଥିବା ବେଳେ ଅନେକ ସ୍ଥାନରୁ ଅନେକ ଘଟଣା ସାମ୍ନାକୁ ଆସୁଛି। କେତେବେଳେ ଛତିଶଗଡ଼ରୁ ଚୋରା ଧାନ ଓଡିଶା ଆସୁଥିବା ବେଳେ କେତେବେଲେ ଓଡ଼ିଶା ଧାନ ଛତିଶଗଡ଼କୁ ଚୋରା ଚାଲାଣ କରି ବିକ୍ରି ହେଉଛି। ହେଲେ ବରଗଡ଼ ଜିଲ୍ଲାର ଚାଷୀ ସେମାନଙ୍କ ଧାନ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଛି। ଗତ ରାତିରେ ବରଗଡ଼ ଯୋଗାଣ ବିଭାଗର କର୍ମଚାରୀ ବରଗଡ଼-ଏକାମ୍ର ଛକରେ ପେଟ୍ରୋଲିଂ କରୁଥିବା ବେଳେ ତିନୋଟି ଧାନ ବୋଝେଇ ଟ୍ରକ ଅଟକାଇ ସଦର ଥାନାରେ ରଖିଥିଲା। 

ଧାନ ଟ୍ରକ ବରଗଡ଼ ଅତାବିରାରୁ ବାହାରି ଆନ୍ଧ୍ରପ୍ରଦେଶ ଯାଉଥିଲା। ହେଲେ ଯୋଗାଣ ବିଭାଗର କର୍ମଚାରୀ ଚୋରା ଚାଲାଣ ହେଉଥିବା ସନ୍ଦେହ କରି ଏହି ଗାଡ଼ିକୁ ଅଟକାଇ ରଖିଥିଲେ। ସକାଳେ ଚାଷୀ ଖବର ପାଇ ସଦର ଥାନା ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଯୋଗାଣ ବିଭାଗକୁ ପ୍ରଶ୍ନ କରିଥିଲେ। କଣ ପାଇଁ ଗାଡିକୁ ଅଟକ ରଖାଯାଇଛି, କିଏ ଅଧିକାର ଦେଲେ ସେମାନଙ୍କୁ ଗାଡି ଅଟକ ରଖିବା ପାଇଁ ଏଭଳି ଅନେକ ପ୍ରଶ୍ନ କରିଥିଲେ ଚାଷୀ। ନିଜେ ଚାଷୀ ସ୍ୱୀକାର କରିଥିଲେ ଯେ ସେମାନେ ଆନ୍ଧ୍ର ପ୍ରଦେଶକୁ ଧାନ ବିକ୍ରି କରୁଛନ୍ତି। କାରଣ ରାଜ୍ୟରେ ସେମାନେ ଧାନର ସଠିକ ମୂଲ୍ୟ ପାଇ ପାରୁନାହାଁନ୍ତି। ଓଡିଶା ସରକାର ଯେଉଁ ଟୋକନ ବ୍ୟବସ୍ଥା କରିଛନ୍ତି ତାହା ସମ୍ପୂର୍ଣ୍ଣ ଫେଲ ମାରିବା ସହ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଚାଷୀ ବାଧ୍ୟ ହୋଇ ଆନ୍ଧ୍ର ପ୍ରଦେଶରେ ଧାନ ବିକ୍ରି କରୁଥିବା କହିଛନ୍ତି। 

ଓଡ଼ିଶାରେ ମିଲର୍ସ ମାନେ କଟନି ଛଟନି ନ କଲେ ଧାନ ଉଠାଉନାହାଁନ୍ତି। ଠିକ ସମୟରେ ଚାଷୀଙ୍କୁ ଧାନର ପଇସା ମିଳୁନାହିଁ ଏଭଳି ଅନେକ ଅଭିଯୋଗ କରିଛନ୍ତି ଚାଷୀ। ଆନ୍ଧ୍ର ପ୍ରଦେଶ ଉଚିତ ମୂଲ୍ୟ ସହ ଓଡିଶା ଠାରୁ ଅଧିକ ଦାମରେ ଚାଷୀ ଧାନ ବିକ୍ରି କରୁଥିବା ବେଳେ ସଙ୍ଗେ ସଙ୍ଗେ ଧାନର ପଇସା ଚାଷୀଙ୍କୁ ମିଳୁଥିବା ଜଣାପଡିଛି। ଓଡ଼ିଶାରେ ଧାନ କିଣାବିକାରେ ବ୍ୟାପକ ଅବ୍ୟବସ୍ଥା ଥିବାରୁ ଚାଷୀ ଆନ୍ଧ୍ରପ୍ରଦେଶରେ ଧାନ ବିକ୍ରି କରି ଲାଭବାନ ହେଉଛନ୍ତି। ହେଲେ ଯୋଗାଣ ବିଭାଗ ମିଲର୍ସ ସହ ସଲସୁତୁରା କରି ଚାଷୀଙ୍କ ଧାନକୁ ଅଟକାଉଥିବା କାରଣରୁ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଚାଷୀ ନିଜ ଇଚ୍ଛାରେ ଯେଉଁଠି ଧାନ ବିକ୍ରି କରିପାରିବ। ଧାନ ବିକ୍ରିରେ ଯଦି ଯୋଗାଣ ବିଭାଗ ବାଧା ଦିଏ ତାହାଲେ ଭୟାବହ ଆନ୍ଦୋଳନ ହେବ ବୋଲି ଚାଷୀ ସଙ୍ଗଠନ କଡା ଚେତାବନୀ ଦେଇଛନ୍ତି। ଚାଷୀଙ୍କ ବିକ୍ଷୋଭ ପରେ ଆନ୍ଧ୍ରପ୍ରଦେଶକୁ ଯାଉଥିବା ଧାନ ବୋଝେଇ ଟ୍ରକକୁ ଯୋଗାଣ ବିଭାଗର କର୍ମଚାରୀ ଛାଡି ଦେଇଥିଲେ।